spot_img
Home Blog Page 1304

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକ, ଶୋକ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ । ୯୨ ବର୍ଷ ବୟସରେ ଦିଲ୍ଲୀରେ ଡକ୍ଟର ମନମୋହନ ସିଂହଙ୍କ ପରଲୋକ ଘଟିଛି । ମନମୋହନ ସିଂହଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ।

ଜାଣନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଡକ୍ଟର ମନମୋହନ ସିଂହ ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ହାସଲ କରିଥିଲେ ମନମୋହନ ସିଂହ। ଏହାପରେ ୧୯୬୨ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ ଲାଭ କରିଥିଲେ। ପାଠ ପଢ଼ା ସମୟରେ ସେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପରେ ସେ ଜେନିଭାରେ ୧୯୮୭ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ ହୋଇ ଦାୟିତ୍ୱ ସଂପାଦନ କରିଥିଲେ। ୧୯୭୧ ମସିହାରେ ମନମୋହନ ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହା ପରେ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଡକ୍ଟର ସିଂହ କାର୍ଯ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ଅନ୍ୟତମ। ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ଡକ୍ଟର ସିଂହ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ।

ଏହି ସମୟରେ ସେ ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଅୟମାରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ। ଭାରତର ସେହି ଅବଧି ଡକ୍ଟର ସିଂହଙ୍କ ବ୍ୟକ୍ତିତ୍ୱ ସହ ଓତଃପ୍ରୋତ ଭାବେ ଜଡିତ ଥିଲା। ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ, ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର, କେମ୍ବ୍ରିଜ ସେଣ୍ଟ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ ଅନ୍ୟତମ ।

ମନମୋହନ ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନ ଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି। ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ ୧୯୯୧ ମସିହାରେ ନିର୍ବାଚିତ ହେବା ସହ ୧୯୯୮ ଠାରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇଥିଲେ। ୨୦୦୪ ମସିହାର ସାଧାରଣ ନିର୍ବାଚନରେ ଡକ୍ଟର ମନମୋହନ ସିଂହ ମେ ୨୨ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବଂ ପୁନର୍ବାର ୨୦୦୯ ମସିହା ମେ’୨୨ ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଡକ୍ଟର ସିଂହ ଏବଂ ତାଙ୍କ ପତ୍ନୀ ଗୁରୁଶରଣ କୌର ତିନୋଟି କନ୍ୟା ସନ୍ତାନର ପିତାମାତା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ। ୯୨ ବର୍ଷ ବୟସରେ ଡକ୍ଟର ମନମୋହନ ସିଂହଙ୍କ ପରଲୋକ ହୋଇଛି । ଅଚାନକ ସ୍ୱାସ୍ଥ୍ୟ ଖରାପ ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। AIIMSର ଏକ ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ। ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ମନମୋହନ ସିଂହ। ଏହାସହ ଅର୍ଥ ମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ୟୁଜିସିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ମନମୋହନ ସିଂହ।

ଡକ୍ଟର ମନମୋହନ ସିଂହ ଗୁରୁତର, ମେଡିକାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ:  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମେଡିକାଲରେ ଭର୍ତ୍ତି । ଗୁରୁତର ଅବସ୍ଥାରେ ଏବେ ଏମ୍ସରେ ଭର୍ତ୍ତି ହୋଇଥିବାବେଳେ ଏବେ ଚିକିତ୍ସା ଚାଲିଛି ।  ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ଡାକ୍ତରମାନଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

 

ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର, ’ପୂର୍ଣ୍ଣତା’ ସ୍ବତନ୍ତ୍ର କ୍ଲିନିକ ଉଦଘାଟିତ

ନନ୍ଦିଘୋଷ ବ୍ୟୁରୋ: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର ।  ଉଦଘାଟିତ ହେଲା ସ୍ବତନ୍ତ୍ର କ୍ଲିନିକ । ଏଭଳି ଐତିହାସିକ ମୂହୁର୍ତ୍ତରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଟ୍ରାନ୍ସଜେଣ୍ଡର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଓଡ଼ିଶା ଟ୍ରାନ୍ସଜେଣ୍ଡର ମହାସଂଘ ’ଶଖା’ର ମିଳିତ ସହଯୋଗରେ କିନ୍ନରଙ୍କ ସମସ୍ତ ସ୍ବାସ୍ଥ୍ୟ ଚିକିତ୍ସାର ସୁବିଧା ’ପୂର୍ଣ୍ଣତା’ କ୍ଲିନିକ ଉଦଘାଟିତ । ହାଇଟେକ ମେଡିକାଲ କଲେଜ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ହାଇଟେକ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ସେପଟେ ଏହି ଅବସରରେ ଓଡ଼ିଶା ସରକାରଙ୍କ ଏସଏସଇପିଡି ସାମାଜିକ ସୁରକ୍ଷା ବିଭାଗର ଉପ ସମ୍ପାଦକ ସନ୍ୟାସୀ ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହାସହ ଓଡ଼ିଶା ଟ୍ରାନ୍ସଜେଣ୍ଡର କଲ୍ୟାଣ ଟ୍ରଷ୍ଟର ଫାଉଣ୍ଡର ମୀରା ପରିଡ଼ା ମଧ୍ୟ ଯୋଗ ଦେଇଥିଲେ । ସେପଟେ ଏହି ଉଦଘାଟନୀ ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଫଳ କରିଥିଲେ ।

ଓଡ଼ିଶାର ହକ୍ ପାଇଁ ଲଢୁଥିବା ଦଳ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୨୭ ବର୍ଷର ସଫଳ ଯାତ୍ରାକୁ ଅତିକ୍ରମ କରି ୨୮ ବର୍ଷରେ ପହଞ୍ଚିଲା ବିଜୁ ଜନତା ଦଳ । ଭବ୍ୟ ଓ ବ୍ୟାପକ ଭାବେ ଏହାକୁ ସାରା ରାଜ୍ୟରେ ପାଳନ କରାଯାଉଛି । ଶଙ୍ଖ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳୀୟ କର୍ମୀ ଓ ନେତାଙ୍କ ଉତ୍ସାହ ବଢାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଲୋକଙ୍କ ଭଲ ପାଇବା ସାଙ୍ଗକୁ ବିଜେଡି ସରକାର ସମୟର ସଫଳତାକୁ ବଖାଣିବା ସହ ବିଜେପି ସରକାରର ବିଫଳତାକୁ ପଦାରେ ପକାଇଛନ୍ତି ନବୀନ । ତାଙ୍କ ଉଦବୋଧନ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ସୃଷ୍ଟି କରିଛି ନୂତନ ସମ୍ଭାବନା।

ବିକାଶର ଲମ୍ବା ଫର୍ଦ୍ଦ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ଜନସେବା । ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ  ଭାବେ ୨୮ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଭାବେ ପାଳନ କରାଯାଉଛି ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାରର ସଫଳତା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ କର୍ମୀଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଶକ୍ତ ଆଞ୍ଚଳିକ ଦଳ ଭାବେ ଆଗରେ ରହିଛି। ଏଥିପାଇଁ ମସସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ନିଷ୍ଠା ପାଇଁ ରାଜ୍ୟବାସୀ ବିଜେଡିକୁ ପାଞ୍ଚ ପାଞ୍ଚ ଥର ସେବା କରିବାକୁ ଆଶୀର୍ବାଦ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶର ସବୁ ଦିଗକୁ ସଫଳତାର ସହ ଛୁଇଁଥିଲା ବିଜେଡି। ବର୍ତ୍ତମାନ ନୂଆ ସରକାର ପାଇଁ ବିକାଶର ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ଯାହାକୁ ଆଗେଇ ନେଲେ ରାଜ୍ୟର ବିକାଶ ହୋଇପାରିବ। ହେଲେ ବିଜେପି ସରକାର କାମ କମ, କେବଳ ଆରୋପ ପ୍ରତ୍ୟାରୋପରେ ମାତିଛି। ନବୀନ ସରକାର ସମୟର ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରି ବିଜେପି ଖାଲି ଫିତା କାଟିବାରେ ବ୍ୟସ୍ତ ବୋଲି କଟାକ୍ଷ କରିଛି ବିଜେଡି ।

ଓଡ଼ିଶାର ପରିଚୟକୁ ଉଜ୍ବଳ କରିଛି ବିଜୁ ଜନତା ଦଳ । ଓଡ଼ିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ । ଲୋକଙ୍କ ହୃଦୟରେ ରାଜ କରୁଛି ବିଜୁ ଜନତା ଦଳ। ତେବେ ଏ ଲମ୍ବା ଯାତ୍ରା ଦଳ ପାଇଁ ସହଜ ନଥିଲା । ବିଜେଡି ସରକାର ଆରମ୍ଭରୁ ମହାବାତ୍ୟା ଦୋହଲାଇ ଦେଇଥିଲା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। କିନ୍ତୁ ନବୀନଙ୍କ ଦୃଢ଼ ନେତୃତ୍ବ ଯୋଗୁ ସୁଦୃଢ଼ ହୋଇଥିଲା ରାଜ୍ୟର ଅର୍ଥନୈତିକ ସ୍ଥିତି। ସ୍ବାସ୍ଥ୍ୟ ଠୁ ଆରମ୍ଭ କରି ଶିକ୍ଷା। କୃଷିରୁ ଗମନାଗମନ, ମା’ମାନଙ୍କ ପାଇଁ ମିଶନ ଶକ୍ତି। ଜନତାଙ୍କ ପାଇଁ କରି ଚାଲିଲେ ଗୋଟିଏ ପରେ ଗୋଟିଏ ଜନକଲ୍ୟାଣକାରୀ ଯୋଜନା। ଯାହାକି ରାଜ୍ୟବାସୀଙ୍କୁ ସଶକ୍ତ କରିବାରେ ସହାୟକ ହୋଇଥିଲା।

୨୮ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ । ଏହା ଭିତରେ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାର । ନବୀନଙ୍କ ନିରନ୍ତର ଉଦ୍ୟମ ଓ ସେବା ମନୋବୃତ୍ତି ପାଇଁ ଗତ ୨୪ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି ।

 

ପ୍ରସିଦ୍ଧ ରେଡ଼ିଓ ଜକି ସିମରନ୍ ସିଂଙ୍କ ମୁତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପ୍ରସିଦ୍ଧ  ରେଡିଓ ଜକି ସିମରନ୍ ସିଂ ଆତ୍ମହତ୍ୟା କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କ ପୋଷ୍ଟମର୍ଟମ କରି ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଇଥିଲା। ସେ ଗୁରୁଗ୍ରାମର ସେକ୍ଟର -47 ର ଏକ ଫ୍ଳାଟ୍ ରେ ଭଡ଼ାରେ ରହୁଥିଲେ।  ସୁଇସାଇଡ଼ କରିବା ପରେ ତାଙ୍କୁ ପାର୍କ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେବେ କାହିଁକି ସେ ଆତ୍ମହତ୍ୟା କଲେ  ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଇନଷ୍ଟାଗ୍ରାମରେ ଆରଜେ ସିମରନ ସିଂଙ୍କର ୬ଲକ୍ଷରୁ ଅଧିକ ଫଲୋଅରସ ଅଛନ୍ତି। ସେ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟ 13 ଡିସେମ୍ବରରେ କରିଥିଲେ। ଏଥିରେ ସେ ଏକ ଗୀତରେ ସମୁଦ୍ର କୂଳରେ ନାଚୁଥିବା ନଜର ଆସିଛନ୍ତି ।

ବ୍ରହ୍ନପୁର ମହାମାୟୀ ମହାବିଦ୍ୟାଳୟର ନୂଆ କ୍ୟାମ୍ପସରେ ଝୁଲୁଛି ତାଲା

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲି ରହିଛି ତାଲା । କୋଟି କୋଟି ଟଙ୍କା ଅଟକଳରେ ନିର୍ମାଣ ଆରମ୍ଭ ହେଲା। କାମ ସରିବା ପରେ ଉଦଘାଟନ ହେଲା। ଉଦଘାଟନର ୯ ମାସ ବିତିବାକୁ ବସିଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରୁନି ନୂତନ କ୍ୟାମ୍ପସ କୋଠା ।ଏଥିରେ ଦୁର୍ନୀତିର ଅଭିଯୋଗ ବି ଆସିଛି।

ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲୁଛି ତାଲା । ଛାତ୍ରୀଙ୍କ ଶିକ୍ଷାରେ ଉପଯୋଗ ହୋଇପାରୁନି ଏହି ନୂଆ କୋଠା । ଉଦଘାଟନର ୯ ମାସ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି । ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ଯାନ୍ଯ ସମସ୍ୟା ଦୃଷ୍ଟିରୁ ନୂଆ କ୍ୟାମ୍ପସ ପାଇଁ ପୂର୍ବ ସରକାର ୨୦୨୨ ମସିହାରେ ମୀନାକ୍ଷୀ ନଗର ଅଞ୍ଚଳରେ ୨.୦୬୩ ଏକର ଜମି ଦେଇଥିଲେ। ବିଶ୍ୱବ୍ୟାଙ୍କର ୫କୋଟି ୫୪ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେଲା ମହାମାୟୀ ମହାବିଦ୍ୟାଳୟର ଦ୍ଵିତୀୟ ବା ଡିଗ୍ରୀ କ୍ୟାମ୍ପସ । ୨୦୨୪ ମାର୍ଚ୍ଚ ୧୪ ତାରିଖରେ ପୂର୍ବ ସରକାର ଉଦଘାଟନ କରିଥିଲେ । ଏହାପରେ ବଦଳି ଯାଇଥିଲା ସରକାର । ଏବେ ଉଦଘାଟନକୁ ୯ ମାସ ବିତିଯାଇଥିଲେ ମଧ୍ୟ କୋଠାଟି କାର୍ଯ୍ୟକ୍ଷମ କରାଯାଇପାରୁନାହିଁ  । ବିଦ୍ୟୁତକରଣ ଅସମ୍ପୂର୍ଣ୍ଣ ଥିବା ବେଳେ ବିଦ୍ୟୁତ୍ ବିଲ୍ ବାବଦକୁ ମାସିକ ପ୍ରାୟ ୩୦ ରୁ ୩୫ ହଜାର ଟଙ୍କା କଲେଜ କତୃପକ୍ଷଙ୍କୁ ଅଯଥାରେ ଦେବାକୁ ପଡୁଛି । ନୂଆ କ୍ୟାମ୍ପସ କାର୍ଯ୍ୟକ୍ଷମ ଲାଗି ଚେଷ୍ଟା ଚାଲିଥିବା ଅଧ୍ୟକ୍ଷା କହୁଥିବା ବେଳେ ଛାତ୍ରୀମାନେ କ୍ୟାମ୍ପସ ସ୍ଥାନାନ୍ତରକୁ ଚାହିଁ ବସିଛନ୍ତି ।

୧୯୮୧ରେ ତତ୍କାଳୀନ ବିଧାୟକ ବିନାୟକ ମହାପାତ୍ରଙ୍କ ଉଦ୍ୟମରେ ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରଥମେ ବ୍ରହ୍ମପୁର ସହରର ପାର୍କ ସାହି ଓ ପରେ ଗୁଡସେଡ୍ ରୋଡରେ ଚାଲିଥିଲା। ପରେ ଗାନ୍ଧିନଗରରେ ଏକ ଘରୋଇ ଜମି କିଣି ୧୯୯୦ ମସିହାରୁ ଏହି ମହାବିଦ୍ୟାଳୟ ଟି ଚାଲିଛି। କଲେଜର କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରୀଙ୍କ ସଂଖ୍ଯା ବର୍ତମାନ ୩ ହଜାରରେ ପହଞ୍ଚିଛି । ସେଥିରୁ ଡିଗ୍ରୀ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨ହଜାର। ନୂଆ କ୍ୟାମ୍ପସ ପାଇଁ ଆବଶ୍ୟକ ଦେଢ଼କୋଟି ଟଙ୍କାର ଆସବାବ ପତ୍ର କିଣିବା ଲାଗି ପୂର୍ବତନ ଅଧ୍ୟକ୍ଷା ମଞ୍ଜୁର କରିଥିଲେ। ତେବେ ଘରୋଇ ସଂସ୍ଥା ଆସବାବପତ୍ର ଯୋଗାଇ ପାରିଲା ନାହିଁ। ଯାହାକୁ ନେଇ ଦୁର୍ନୀତିର ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଡିଗ୍ରୀ କ୍ୟାମ୍ପସ କାର୍ଯ୍ୟକାରୀ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବା ଆଞ୍ଚଳିକ ଶିକ୍ଷା ଉପନିର୍ଦ୍ଦେଶକ କହିଛନ୍ତି ।

 

ସୁବର୍ଣ୍ଣପୁରରେ ଶାଗ ମାଛ ଦରରେ ବିକ୍ରି ହେଉଛି ଧାନ, ଚାଷୀଙ୍କୁ ଘାରିଛି ଟୋକନ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ପରେ ସମସ୍ୟା ନେଇ ଅଣ୍ଟା ସଳଖେଇ ପାରୁନାହାନ୍ତି ଚାଷୀ । କେତେବେଳେ ଡେରିରେ ମଣ୍ଡି ଖୋଲିବା ତ କେତେବେଳେ ଟୋକନ ସମସ୍ୟା ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଝୁଛି। ସୁବର୍ଣ୍ଣପୁରରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଥିଲେ ବି ଟୋକନ ମିଳିବାରେ ବିଳମ୍ବ ହେତୁ ଅସନ୍ତୋଷ ଚାଷୀ। ଦିନକୁ ଦିନ ଘାରୁଛି ଋଣ ସୁଝିବା ଚିନ୍ତା।

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଭଲ ହୋଇଥିଲା । ଚାଷ ମଧ୍ୟ ଭଲ ହୋଇ ଧାନ ଅମଳ ହେଲା । ଜିଲ୍ଲାରେ କିଛି ଦିନ ଡେରିରେ ଖୋଲିଲା ମଣ୍ଡି। ତଥାପି ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବାବେଳେ ଟୋକାନ ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇଦେଇଛି। ଯେଉଁ ଚାଷୀ ଧାନ ଅମଳ କରିନାହିଁ ତାର ଡିସେମ୍ବର ମାସର ଟୋକେନ୍ ଆସିଛି । ଯେଉଁ ଚାଷୀର ଅମଳ ସରିଗଲାଣି ତାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକ୍ରି ପାଇଁ ଟୋକେନ ଆସିଛି ।

ଜିଲ୍ଲାରେ ଚଳିତ ବର୍ଷ ୩୫ ଲକ୍ଷ ୫୦ହଜାର କ୍ଵିଣ୍ଟାଲ ଧାନ ୯୪ଟି ପ୍ଯାକ୍ସ ମାଧ୍ୟମରେ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ମାସ ସରିବାକୁ ବସିଲାଣି ମାତ୍ର ୨ ହଜାର ୭୫୬ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୪୧ ହଜାର ୯୫୫ କ୍ଵିଣ୍ଟାଲ୍ ଧାନ କିଣାଯାଇଛି । କ୍ଵିଣ୍ଟାଲ ପିଛା ୩୧୦୦ରେ ସରକାର ଧାନ କିଣିବା ପ୍ରତିଶୃତି ଧୂଆଁବାଣ ହୋଇଥିବା କହିଛି ଚାଷୀ। କୋହଲା ପାଗ ଓ ଅଦିନିଆ ବର୍ଷାରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ଏବେ କେଉଁଠି ସାଇତି ରଖିବେ ସେଇ ଚିନ୍ତା। ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଦାୟିତ୍ଵରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ।

 

ବ୍ୟାଙ୍କରେ ନକିଲି ସୁନା ବନ୍ଧକ ଦେଇ ହଟ୍ଟହଟା

ନନ୍ଦିଘୋଷ ବ୍ୟୁରୋ: ନକଲି ସୁନା ବନ୍ଧକ ଦେଇ ଧରାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ । ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ୨ ସହଯୋଗୀ କିଛି ଦିନ ତଳେ ୧୦୦ ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ଋଣ ନେଇଥିଲେ । ଗତକାଲି ପୁଣି ଥରେ ୧୦୦ଗ୍ରାମରୁ ଅଧିକ ସୁନା ନେଇ ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଥିଲେ । ତାଙ୍କୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୁନା ଗୁଡିକୁ ଭଲ ଭାବରେ ତନଖି ପରେ ନକଲି ବୋଲି ଜଣାପଡ଼ିଥିଲା । ଏହା ପରେ ପୂର୍ବରୁ ବନ୍ଧକ ଥିବା ସୁନାକୁ ପୁଣି ଥରେ ପରଖା ଯାଇଥିଲା । ତାହା ମଧ୍ୟ ନକଲି ବୋଲି ଜଣାପଡ଼ିଥିଲା । ଠକ ବୋଲି ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ । କିଛି ଉପାୟ ନ ପାଇ ଟଙ୍କା ଫେରାଇବାକୁ ବାଧ୍ୟ ହୋଇଥିଲେ ଠକ । ଏମାନେ ଠକ ବୋଲି ଜାଣିବା ପରେ ସ୍ଥାନୀୟ ଲୋକମାନେ ନିର୍ଧୂମ ଛେଚିଥିଲେ । ଖବର ପାଇଁ ଘଣ୍ଟେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ମାନଙ୍କୁ ମୁକୁଳାଇ ଥାନାକୁ ନେଇଛି ।