ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଯାହାକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଜାନୁଆରୀ ପହିଲା ୨୦୨୫ରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ମନୋଜ ଚଳିତ ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ହେଲେ ତା ପୂର୍ବରୁ ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ଲାଗି ବୃଦ୍ଧି କରାଯାଇଛି । ୧୯୯୦ ବ୍ୟାଚର ଏହି ଆଇଏଏସ ଅଫିସର ୨୦୧୭ରେ ଡେପୁଟେସନରେ ଯାଇ କେନ୍ଦ୍ର ଅଧୀନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟରତ ଥିଲେ । ଏବେ ତାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି କରାଯାଇଥିବାରୁ ସେ ୨୦୨୬ ଜାନୁଆରୀ ପହିଲା ଯାଏଁ ତାଙ୍କ ପଦବୀରେ ରହି କାର୍ଯ୍ୟ କରିବେ ।
ବେଆଇନ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ, ୫ ଜଣ ଆହତ
କେନ୍ଦୁଝର : ବାଲି ଗାଡ଼ିରୁ ବେଆଇନ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ୫ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳଣିଆଁ ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଶାଳଣିଆଁର ଗୋଟିଏ ଗୋଷ୍ଠୀ ଦୀର୍ଘଦିନ ହେଲା ଚାନ୍ଦା ଆଦାୟ କରୁଥିବା ବେଳେ ଆଉ ଏକ କିଛି ଯୁବକ ଗତକାଲି ଓରାଳି – ଶାଳଣିଆଁ ରାସ୍ତାରେ ଚାନ୍ଦା ଆଦାୟ କରିଥିଲେ। ଏହାକୁ ପୂର୍ବରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ବିରୋଧ କରିବାରୁ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷର ୫ଜଣ ଆହତ ହୋଇ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ମହିଳାମାନେ ଓରାଳି – ଶାଳଣିଆଁ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।
ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି। ଦୀର୍ଘ ଦିନ ଅସୁସ୍ଥତାରୁ ଗତକାଲି ଦିଲ୍ଲୀ ଏମସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବିଭାଜନର ସମୟରେ ଭାରତକୁ ଆସି ଜୀବର ସମସ୍ତ କ୍ଷେତ୍ରରେ ଉପଲବ୍ଧୀ ହାସଲ କରିବା ସହଜସାଧ୍ୟ କଥା ନୁହଁ। ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାଥିରେ ଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ତାଙ୍କର ସରକାରୀ ବାସଭବନରେ ରଖାଯାଇଛି। ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।
ଏକ୍ସରେ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ, ନିଜ ଇନଷ୍ଟାଗ୍ରାମରେ କଲେ ସ୍ପଷ୍ଟ
ଭୁବନେଶ୍ୱର : ସୋସିଆଲ ମିଡିଆ ଏକ୍ସରେ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମରେ ଏହା ସ୍ପଷ୍ଟ କରିଛନ୍ତି ନିଜେ ପାଣ୍ଡିଆନ । ଏକ୍ସରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲା ଯାଇଛି। ପାଣ୍ଡିଆନଙ୍କ ଫଟୋକୁ ବ୍ୟବହାର କରି ଜାଲ୍ ଆକାଉଣ୍ଟ ଖୋଲା ଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଫେକ୍ ଆକାଉଣ୍ଟର ଅପବ୍ୟବହାର କରାଯାଉଛି । ତାଙ୍କ ଫଟୋକୁ ମଧ୍ୟ ଅପବ୍ୟବହାର କରାଯାଉଥିବା ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ।

