ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ଲାଗିଛି। ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ତ୍ରିଲୋକପୁରୀ ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ରୋହିତ ମହରୌଲିୟା, ଜନକପୁରୀ ବିଧାୟକ ରାଜେଶ ଋଷି, କସ୍ତୁରବାନଗର ବିଧାୟକ ମଦନଲାଲ, ପାଲମ ବିଧାୟକ ଭାବନା ଗୌଡ଼, ମହରୌଲି ବିଧାୟକ ନରେଶ ଯାଦବ, ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜଓ୍ବାସନ ବିଧାୟକ ବି.ଏସ. ଜୁନ। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ ମିଳିନାହିଁ। ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି।
ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ୨ ହଜାର ଜରିମାନା
କଟକ : ନିର୍ବାଚନୀ ମାମଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରି ନଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ୨ ହଜାର ଟଙ୍କା ତଣ୍ଡ ଗଣିବାକୁ ହାଇକୋର୍ଟ ନିର୍ଦ୍ଦେଶ। ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ରୁଜୁ କରିଥିବା ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଦାଖଲ କରିଥିବା ଜବାବକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। କିନ୍ତୁ ବିଳମ୍ବରେ ଜବାବ ଦାଖଲ କରାଯାଇଥିବାରୁ କେଭି ସିଂହଦେଓଙ୍କୁ ହାଇକୋର୍ଟ ବାର ଆସୋସିଏସନ୍ କଲ୍ୟାଣ ପାଣ୍ଠିରେ ୨ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଟଣାଗଡ଼ ବିଧାନସଭା ଆସନ ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପରାଜିତ ପ୍ରାର୍ଥୀ ସରୋଜ ମେହେର ଏହି ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ।ହାଇକୋର୍ଟ ୨୦୨୪ ଅଗଷ୍ଟ ୮ରେ ବିଚାର ପାଇଁ ଗ୍ରହଣ କରି କେ ଭି ସିଂହଦେଓଙ୍କୁ ନୋଟିସ୍ ଜାରି କରିଥିଲେ। ଏହାପରେ ମାମଲାରେ ଜବାବ ଦାଖଲ ପାଇଁ ସିଂହଦେଓଙ୍କ ତରଫରୁ ଏକାଧିକ ଥର ସମୟ ଲୋଡ଼ା ଯାଇଥିଲା। ସରୋଜ ମେହେରଙ୍କ ତରଫରୁ ବରିଷ୍ଠଆଇନଜୀବୀ ଗୋପାଳ ଅଗ୍ରୱାଲ ଏହି ମାମଲା ପରିଚାଳନା କରିଥିଲେ
ବାରକୋଟ ବ୍ଳକ ବିଡ଼ିଓଙ୍କୁ ତୁରନ୍ତ ବହିଷ୍କାର ସହ ଭିଜିଲାନ୍ସ ତଦନ୍ତ ଦାବି କଲେ ବିଧାୟକ
ଦେବଗଡ଼ : ବାରକୋଟ ବ୍ଳକ ବିଡ଼ିଓଙ୍କୁ ତୁରନ୍ତ ବହିଷ୍କାର ସହ ଭିଜିଲାନ୍ସ ତଦନ୍ତ ଦାବି କଲେ ବିଧାୟକ l ବିଡ଼ିଓ ସ୍ମୃତିରଞ୍ଜନ ସାହୁ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗରେ ବାରକୋଟ ବ୍ଲକରୁ ତୁରନ୍ତ ତାଙ୍କୁ ବହିଷ୍କାର ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବିଧାୟକ ରୋମାଂଞ୍ଚ ରଞ୍ଜନ ବିଶ୍ୱାଳ। ବିଧାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଓ ଜନ ସାଧାରଣ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି l ଅଭିଯୋଗ ଅନୁଯାଇ ବାରକୋଟ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଦୀର୍ଘ ବର୍ଷ ହେବ କରାଯାଇଥିବା ଉନ୍ନୟନ କାର୍ଯ୍ୟର ବିଲକୁ ବିନା ଲାଞ୍ଚରେ ବିଡ଼ିଓ ପାସ କରୁନଥିବା ଅଭିଯୋଗ ହୋଇଛି । ଏହାସହ ବ୍ଳକରେ କାର୍ଯ୍ୟରତ ଯନ୍ତ୍ରୀଙ୍କ ଠାରୁ ଅର୍ଥ ବଦଳରେ ସେମାନଙ୍କ ମନମୁତାବକ ସ୍ଥାନ ପରିବର୍ତ୍ତନ କରାଯାଉଛନ୍ତି । ଅନ୍ୟ ଜିଲ୍ଲାର ନିଜ ସମ୍ପର୍କୀୟଙ୍କୁ ବାରକୋଟ ବ୍ଳକରେ ଲକ୍ଷ ଲକ୍ଷ ଟଙ୍କାର ବିଭାଗୀୟ ଉନ୍ନୟନ କାର୍ଯ୍ୟ କରାଇ ଅର୍ଥ ରୋଜଗାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବମାନନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କହି ସେ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଭୟଭିତ କରୁଥିବା ଅଭିଯୋଗ କରିଛନ୍ତି ବିଧାୟକ ।
୨୦୨୩ ମସିହାରୁ ସରିଲାଣି ଶିଳାନ୍ୟାସ, ଆରମ୍ଭ ହୋଇନି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ
ଗଜପତି : ଆଦିବାସୀ ଅଞ୍ଚଳକୁ ସରକାରଙ୍କ ଅଣଦେଖା । ୨୦୨୩ ମସିହାରୁ ସରିଲାଣି ଶିଳାନ୍ୟାସ । ଆରମ୍ଭ ହୋଇନି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ । ବଣବୁଦାରେ ଢାଙ୍କିହୋଇଗଲାଣି ଶିଳାନ୍ୟାସ ଫଳକ । ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ କୁମଜାଙ୍ଗ ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସରିଛି । ୨୦୨୩ ମସିହା ମେ ୨୯ ତାରିଖରେ କେନ୍ଦ୍ର ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ସ୍କୁଲ ପାଇଁ ୧୮ ଏକରରୁ ଅଧିକ ଜମି ଅଧିଗ୍ରହଣ ମଧ୍ୟ ସରିଛି । ନିର୍ମାଣାଧୀନ ସ୍ଥାନର ମାଟି ପରୀକ୍ଷାରେ ସୀମିତ ରହିଛି ନିର୍ମାଣ କାମର ଅଗ୍ରଗତି । କେଉଁ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଛି, କେଉଁ ବିଭାଗ ଏହାର ତଦାରଖ ଦାୟିତ୍ବରେ ରହିଛନ୍ତି, ଏ ନେଇ କୌଣସି ସୂଚନା ନାହିଁ । ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ଵକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୩୮ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ ଆବାସିକ ବିଦ୍ୟାଳୟ ସ୍ଥାପନ ହେବ । ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କଲେ ଅଞ୍ଚଳର ବିକାଶ ହେବ । ଏ ସ୍ବପ୍ନ ସାକାର ହେବା ପରିବର୍ତ୍ତେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ସଦୃଶ୍ୟ ହୋଇଛି । ଭିତ୍ତିପ୍ରସ୍ତର ସ୍ଥାପନ ପରେ ଅଧିକାରୀଙ୍କ ଦେଖା ମିଳୁନାହିଁ । ଅଧିକାରୀମାନେ ପରିଦର୍ଶନରେ ଆସୁନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ଅନୁଧ୍ୟାନ କରି କାର୍ଯ୍ୟ ଆଗକୁ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେଲେ , ଉନ୍ନତ ମାନର ଶିକ୍ଷା ପାଇବେ ଆଦିବାସୀ ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ ହେଲେ ଆଦିବାସୀ ଅଧୁସିତ ଅଞ୍ଚଳର ବିକାଶ ହେବ। ତେବେ ଏହା କେବେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା।
ବଦଳିଛି କଲେଜର ରୂପରେଖ, ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି କଲେଜର ଶୈକ୍ଷିକ ବାତାବରଣ
ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜରେ ପୂର୍ବ ସରକାର ସମୟରେ କଲେଜର ରୂପାନ୍ତରୀକରଣ କରାଯାଇଛି । ସରକାରୀ କଲେଜରେ କିଭଳି ଘରୋଇ ଶିକ୍ଷାନୁଷ୍ଠାନ ଭଳି ସୁବିଧା ସୁଯୋଗ ପାଇବେ ତାହାର ସମ୍ପୂର୍ଣ୍ଣ ବ୍ଯବସ୍ଥା କରିଥିଲେ ପୂର୍ବ ସରକାର । ଉତ୍ତମ ପରିବେଶ ମଧ୍ୟରେ ଆଧୁନିକ ବ୍ଯବସ୍ଥାରେ ପାଠପଢ଼ିବାର ସୁଯୋଗ ପାଉଛନ୍ତି ଛାତ୍ରଛାତ୍ରୀ । ଏହି କଲେଜରେ ମୋଟ ୧ ହଜାର ୭୨୮ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କଲେଜର କ୍ୟାମ୍ପସର ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ିବା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ଇ ଲାଇବ୍ରେରୀ, ଲାବ୍ରୋଟୋରୀର ବ୍ୟବସ୍ଥା କରାଯାଇଛି । ଏପରି ଏକ ପରିବେଶରେ ସମସ୍ତ ସୁବିଧା ସୁଯୋଗରେ ପାଠପଢ଼ି କିପରି ଅନୁଭବ କରୁଛନ୍ତି ଶୁଣନ୍ତୁ କଣ କହୁଛନ୍ତି ଛାତ୍ରଛାତ୍ରୀ ।
କଲେଜର ବାତାବରଣକୁ ଆହୁରି ମନୋରମ କରୁଛି କଲେଜ କ୍ୟାମ୍ପସରେ ରହିଥିବା ଏହି ପାର୍କ । ଭଳିକି ଭଳି ଫୁଲର ସମ୍ଭାର ଓ ଫାଉଣ୍ଟେନ୍ କଲେଜ କ୍ୟାମ୍ପସର ଆକର୍ଷଣକୁ ଦୁଇ ଗୁଣିତ କରୁଛି । କଲେଜର ନିଜସ୍ଵ ଉଦ୍ୟମରେ କ୍ୟାମ୍ପସ ମଧ୍ୟରେ ଏହି ସୁନ୍ଦର ପାର୍କ ସହିତ ଛାତ୍ରଛାତ୍ରୀଙ୍କ ଫିଟନେସ୍ ପାଇଁ ଓପନ ଜିମର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ବିଧାୟକଙ୍କ ଅନୁଦାନ ପାଣ୍ଠିରେ ଏକ ଓପନ ଅଡିଟୋରିୟମର ନିର୍ମାଣ କରାଯାଇଛି । ନାକ୍ କମିଟି ମଧ୍ୟ କଲେଜ ପରିଦର୍ଶନ କରିବା ସହ କଲେଜକୁ ବି ଗ୍ରେଡ୍ ର ମାନ୍ୟତା ପ୍ରଦାନ କରିଛି। ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ କେଉଁଭଳି କଲେଜରେ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେଥିପାଇଁ କଲେଜ ଅଧ୍ୟକ୍ଷ ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯତ୍ନବାନ ରହିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି କଲେଜର ଭିତ୍ତିଭୂମିକୁ ସଜାଡ଼ିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପୂର୍ବ ସରକାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ କଲେଜ ତାହାର ଜ୍ଵଳନ୍ତ ଉଦାହରଣ ।
ବଲାଙ୍ଗୀର ସହରରେ ଟ୍ରାଫିକ ସମସ୍ୟା, ରାସ୍ତା ଉପରେ ହେଉଛି ପାର୍କିଂ
ବଲାଙ୍ଗୀର : ବଲାଙ୍ଗୀର ସହରରେ ଟ୍ରାଫିକ ସମସ୍ୟା । ଜବରଦଖଲ କରି ଗଢ଼ି ଉଠିଛି ଦୋକାନ ଓ ସପିଂ ମଲ୍ । ରାସ୍ତା ଉପରେ ପାର୍କିଂ ଯୋଗୁଁ ସୃଷ୍ଟି ହେଉଛି ସମସ୍ୟା । ଚେସ୍ ବୋର୍ଡର ସହର ବଲାଙ୍ଗୀରରେ ଟ୍ରାଫିକ ସମସ୍ୟା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଦୋକାନ, ମଲ୍ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାର୍କିଂ କରୁଛନ୍ତି ଗ୍ରାହକ । ଅନେକ ବ୍ୟବସାୟୀ ଡ୍ରେନ୍ ଉପରେ ବ୍ୟବସାୟ କରୁଥିବାରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଏନଫୋର୍ସମେଣ୍ଟ କରାଯାଉଛି । ତାପରେ ମଧ୍ୟ ପୁଣି ଅମାନିଆମାନେ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ରାସ୍ତା ସଂକିର୍ଣ୍ଣ ଯୋଗୁଁ ଟ୍ରାଫିକରେ ଫସି ହଇରାଣ ହରକତ ହେଉଛନ୍ତି ଲୋକେ । ପିଲାମାନେ ସଠିକ ସମୟରେ ସ୍କୁଲରେ ପହଞ୍ଚପାରୁନାହାନ୍ତି । ଅଫିସ ଯାଉଥିବା ଲୋକେ ବିଳମ୍ବରେ ପହଞ୍ଚୁଛନ୍ତି । ଗୁରୁତର ରୋଗୀଙ୍କୁ ନେଇ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡ଼ି ଟ୍ରାଫିକରେ ଫସି ରହୁଛି । ଅବ୍ୟବସ୍ଥିତ ଟ୍ରାଫିକ୍ ସମସ୍ୟା ସୃଷ୍ଟି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।
ରାଜା ରାଜୁଡ଼ା ଅମଳରୁ ବଲାଙ୍ଗୀର ସହରରେ ରହିଥିବା ରାସ୍ତା ଏବେ ବ୍ୟସ୍ତବହୁଳ ହୋଇପଡ଼ିଛି । ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ରାସ୍ତା ଉପରେ ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି । ନିଜସ୍ଵ ପାର୍କିଂ ବ୍ଯବସ୍ଥା ନଥିବା ସ୍ଥଳେ କିଛି ସପିଂ ମଲ୍ ଗୁଡ଼ିକୁ କିଭଳି ଭାବେ ଅନୁମତି ପ୍ରଦାନ କରାଗଲା ବୋଲି ପ୍ରଶ୍ନ ଉଠିଛି । ଆଉ କିଛି ମଲ୍ ଓ ଦୋକାନୀଙ୍କ ପାର୍କିଂ ସ୍ଥଳକୁ ଗୋଦାମ ଭାବେ ବ୍ଯବହାର କରୁଛନ୍ତି । ବଡ଼ବଡ଼ିଆଙ୍କ ଚାପରେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ରାସ୍ତା ଜବରଦଖଲ ହଟାଇ ପାର୍କିଂ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଲୋକେ ଦାବି କରିଛନ୍ତି । ସେପଟେ ମ୍ୟୁନିସପାଲିଟି ପକ୍ଷରୁ ଡ୍ରାଇଭ ଆରମ୍ଭ କରାଯାଉଥିବା କହିଛନ୍ତି ବଲାଙ୍ଗୀର ପୌର ନିର୍ବାହୀ ଅଧିକାରୀ । ବଲାଙ୍ଗୀର ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ଜବର ଦଖଲ ଉଚ୍ଛେଦ ସହିତ ରାସ୍ତା ପ୍ରଶସ୍ତିକରଣର ଆବଶ୍ୟକତା ରହିଛି । ଏହା ସହିତ ଜିଲ୍ଲା ପ୍ରଶାସନ ଓ ମୁନିସିପାଲିଟି ପକ୍ଷରୁ ବ୍ୟବସାୟ ସ୍ଥଳି ଓ ପାର୍କିଂ ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼ିଛି ।
କଣାସ ହଇଜାରେ ଲାଗିପାରୁନାହିଁ ରୋକ୍, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି
କଣାସ : କଣାସ ହଇଜାରେ ଲାଗିପାରୁନାହିଁ ରୋକ୍ । ଅଣାୟତ୍ତ ହେବାକୁ ଯାଉଛି ହଇଜା ସ୍ଥିତି । ଗୁରୁବାର ଦିନ ଜାଗୁଳେଇପଦରରୁ ଆହୁରି ୫ ରୋଗୀ ଚିହ୍ନଟ । ବର୍ତ୍ତମାନ ହଇଜାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ପୂର୍ବରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଗୁଳେଇପଦର ଗାଁର ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ଗତ ମଙ୍ଗଳବାର ସପନୀ ବେହରା ଓ ଆଜି ଭୋରରୁ ଜହ୍ନି ବେହେରା, ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଦୟା ନଦୀର ବିଷାକ୍ତ ପାଣି ପିଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହେଉଛି । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ କଣାସର ନୂଆଗାଁ, ଗୋପିନାଥପୁର, ପାଇକମରା, କଳାପଦର, ନଇକୂଳପାଟଣା ଆଦି ଗାଁରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । କିନ୍ତୁ ଜାଗୁଲେଇପଦର ଗାଁରେ ଏବେ ସ୍ଥିତି ସଙ୍ଗୀନ ରହିଛି I ଆଜି ମୃତ୍ୟୁବରଣ କରିଥିବା ଜହ୍ନି ବେହେରାଙ୍କ ପରିବାର ପକ୍ଷରୁ ପ୍ରଶାସନିକ ଅବହେଳାକୁ ଦାୟୀ କରାଯାଇଛି । ବରମ୍ବାର ଅନୁରୋଧ ସତ୍ଵେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇପାରୁନି ପ୍ରଶାସନ ।
ଗତ ପ୍ରାୟ ତିନି ସପ୍ତାହ ଧରି କଣାସରେ ହଇଜାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ସବୁ ଉଦ୍ୟମ ଫେଲ୍ ମାରୁଛି । ସେପଟେ ଏବେ ଯାଏଁ ହଇଜାରେ ମୃତ୍ୟୁବରଣ କରିଥିବା ପରିବାରକୁ ମିଳିପାରିନି ସରକାରୀ ସହୟତା । ଏନେଇ ଗତକାଲି କିଛି ମୃତ୍ୟକଙ୍କ ପରିବାର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ୍ ହୋଇଥିଲା । ଗତକାଲି ଜନସ୍ବାସ୍ଥ୍ୟ ଅଧିକାରୀ ଜାଗୁଳେଇପଦର ଗସ୍ତ କରି ଗାଁ ଲୋକଙ୍କ ସହ ବୈଠକ କରି ନଦୀ ଜଳ ବ୍ୟବହାର ନକରିବାକୁ ସଚେତନ କରିଛନ୍ତି ।
ମଣିଷକୁ କାମୁଡି ମରିଗଲା ସାପ !
ପାରାଦୀପ : ପାରାଦୀପରେ ମଣିଷକୁ କାମୁଡ଼ିଲା ବିଷାକ୍ତ ଚନ୍ଦନ ବୋଡ଼ା । ମଣିଷ ଚାଲୁଛି କିନ୍ତୁ ମରିଗଲା ବିଷାକ୍ତ ସାପ । ପାରାଦ୍ଵୀପ ଗଡ଼ ବଜାରରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା । ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକୃତ ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ ସାପକୁ ଧରି ଖେଳୁଥିବା ବେଳେ ତାଙ୍କ ହାତକୁ କାମୁଡ଼ିଦେଇତିଲା ବିଷାକ୍ତ ଚନ୍ଦନ ବୋଡ଼ା । କାମୁଡ଼ିବା ପରେ ସାପଟି ଧିରେ ଧିରେ ନିସ୍ତେଜ ହୋଇ ମରିଯାଇଥିଲା। ସାପର ସତ୍କାର କରିଛନ୍ତି ସେହି ବ୍ୟକ୍ତି।
କଣାସ ହଇଜାକୁ ନେଇ ନବୀନଙ୍କ ଚିନ୍ତା
ଭୁବନେଶ୍ବର : ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିନ୍ତା ପ୍ରକଟ। ଏହି ଅଂଚଳରେ ଭୟାନକ ସ୍ଥିତିରେ ପହଁଚିଛି ହଇଜା। ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ଘଟଣାରେ ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଦୁଃଖିତ କରିଛି ବୋଲି କହିଛନ୍ତି ନବୀନ। ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରିବା ବଡ଼ ପରିତାପର ବିଷୟ। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ। ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇଥିଲେ ଏ ପ୍ରକାର ସ୍ଥିତି ହୋଇନଥାନ୍ତା। ଲୋକଙ୍କ ଜୀବନ ଯାଇ ନଥାନ୍ତା। ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି। ଜୀବନ ବଡ଼ ମୂଲ୍ୟବାନ। ସବୁ ସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ।ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ।
ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ମନ୍ତବ୍ଯକୁ ନେଇ ଚର୍ଚ୍ଚା । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସାମ୍ବାଦିକମାନେ ସୋନିଆ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ଏହି ସମୟରେ POOR LADY ବୋଲି ମନ୍ତବ୍ଯ ଦେଇଥିଲେ ସୋନିଆ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଲମ୍ବା ଅଭିଭାଷଣର ଶେଷଆଡ଼କୁ ରାଷ୍ଟ୍ରପତି ଥକିଯାଇଥିବା କହି POOR LADY ବୋଲି କହିଥିଲେ ସୋନିଆ। ସେହିପରି ରାହୁଲ ମଧ୍ଯ ଅଭିଭାଷଣକୁ ବୋରିଂ ବା ବିରକ୍ତିକର ବୋଲି କହିଥିଲେ। ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

