spot_img
Home Blog Page 1215

ଆସନ୍ତା ୫ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ବର : ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନ ପାଖରେ ଦାବି ରଖିବ ଓଡ଼ିଶା । ମିଳିବ କି ସ୍ବତନ୍ତ୍ର ଅନୁଦାନ, ବଢିବ କି ରାଜକୋଷ । ବିଜେଡି କହିଲା, କମିଶନ ପାଖରେ ସଠିକ ଦାବି ରଖନ୍ତୁ ସରକାର । ଆସନ୍ତା ୫ ତାରିଖରୁ ଷୋଡ଼ଶ ଅର୍ଥ କମିଶନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେଉଁ କେଉଁ ପ୍ରସଙ୍ଗ ଉଠାଇ କମିଶନଙ୍କ ଧ୍ଯାନ ଆକର୍ଷଣ କରିବ ଓଡ଼ିଶା । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ନହେଲେ ସ୍ବତନ୍ତ୍ର ଅନୁଦାନ ଦେବା ପାଇଁ ବାରମ୍ବାର କେନ୍ଦ୍ର ପାଖରେ ଦାବି କରିଆସୁଛି ବିଜେଡି । ତେଣୁ ଷୋଡ଼ଶ ଅର୍ଥ କମିଶନ ପାଖରେ ରାଜ୍ୟ ସରକାର ଏହି ଦାବି ଉଠାଇବା ଦରକାର ବୋଲି ବିଜେଡି କହିଛି । କମିଶନଙ୍କ ଆସିବା ପୂର୍ବରୁ ରାଜ୍ୟ ସରକାର ବିରୋଧୀଙ୍କ ଠାରୁ ଗଠନମୂଳକ ପ୍ରସ୍ତାବ ନେଇଥିଲେ ଭଲ ହୋଇଥାନ୍ତା ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଅନ୍ୟପଟେ କଂଗ୍ରେସ କହଛି ଡବଲ ଇଂଜିନ ସରକାର କମିଶନଙ୍କ ପାଖରେ କେଉଁ ଦାବି ରଖିବେ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି । ବିହାର ଓ ଆନ୍ଧ୍ର ପ୍ରଦେଶ ପରି ଓଡ଼ିଶା କେନ୍ଦ୍ର ସରକାର ସ୍ବତନ୍ତ୍ର ଅନୁଦାନ ଦେବାକୁ ରାଜ୍ୟ ସରକାର କମିଶନଙ୍କ ପାଖରେ ଦାବି ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି  ।

ଷୋଡ଼ଶ ଅର୍ଥ କମିଶନ ସହ ରାଜ୍ୟ ସରକାର ୬ ଓ ୭ ତାରିଖରେ ଆଲୋଚନା କରିବେ । ଜଳସେଚନ, ରେଳବାଇ , ରାସ୍ତାଘାଟ ଉନ୍ନତିକରଣ, ଗରିବ କଲ୍ୟାଣ ଯୋଜନା ସହ ପ୍ରାକୃତିକ ବିପର୍ଯ୍ୟୟ ମୁବାବିଲା ଉପରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଏସବୁ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯିବ । ସେପଟେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ଓଡ଼ିଶା କିପରି ଅଧିକ ଅନୁଦାନ ପାଇବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ । ଟିକସ ବାବଦରେ ରାଜ୍ୟ ଭାଗକୁ ବୃଦ୍ଧି କରିବାକୁ ଓଡ଼ିଶା ସରକାର ଦାବି କରନ୍ତୁ ବୋଲି ସେ ଦାବି କରିଛନ୍ତି । ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ରାଜ୍ୟ କଣ ଦାବି କରୁଛି ଓ କେଉଁ କେଉଁ ପ୍ରସଙ୍ଗ ଉଠାଉଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ତେବେ ରାଜ୍ୟ ସରକାର କମିଶନଙ୍କ ପାଖରେ କେତେ ଦାବି କରୁଛନ୍ତି ଓ ଓଡ଼ିଶାକୁ କେତେ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ।

୨ ପ୍ରତିଶତ ତଳକୁ ଖସିଆସିବ ଦେଶର ଅଭିବୃଦ୍ଧି : ପି.ଚିଦାମ୍ବରମ୍

ନୂଆଦିଲ୍ଲୀ : ଦେଶର ଅଭିବୃଦ୍ଧି ଯାହା କେନ୍ଦ୍ର ସରକାର ଦର୍ଶାଉଛନ୍ତି ତାହା ୨ ପ୍ରତିଶତକୁ ଖସିଆସିବ । ଆସନ୍ତାକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍‌ ଆଗତ କରିବା ପୂର୍ବରୁ ଏପରି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ । ଚିଦାମ୍ବରମ୍‌ କହିବା କଥା ଦେଶରେ ବେରୋଜଗାରୀ ବଢୁଛି । ଲୋକଙ୍କ କମିବ ସହ ଧନୀ ଗରିବ ତାରତମ୍ୟ ବଢିଚାଲିଛି । ଏ ନେଇ କଂଗ୍ରେସ ପକ୍ଷରୁ ଦେଶର ଅସଲ ଆର୍ଥିକ ସ୍ଥିତି ନେଇ ପୂର୍ବତନ ସାଂସଦ ରାଜୀବ ଗୌଡ଼ା ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯୁବ ବେରୋଜଗାରୀ ୪୦ ପ୍ରତିଶତ ବଢିଛି । ସରକାରୀ ଚାକିରିରେ ଖାଲି ପଡ଼ିଥିବା ପଦବୀ ପୂରଣ କରି କେନ୍ଦ୍ର ସରକାର କହୁଛନ୍ତି ନୂଆ ରୋଜଗାର ଦେଲେ । ଏହା ଅତ୍ୟନ୍ତ ଅବାସ୍ତବ କଥା । ଏହା କେବେ ବି ବେରୋଜଗାରୀ ଦୂର କରିବନି । ଦୁଇ ତିନି ବର୍ଷ ହେଲାଣି ଦେଶରେ ମୁଦ୍ରାସ୍ଫୀତି, ଖାଦ୍ୟ ସାମଗ୍ରୀ , ଶିକ୍ଷା ଓ ସ୍ବାସ୍ଥ୍ୟସେବା ମହଙ୍ଗା ହୋଇଛି । ଚିଦାମ୍ବରମ୍‌ଙ୍କ ସ୍ବରରେ ସ୍ବର ମିଳାଇଛି ରାଜ୍ୟ କଂଗ୍ରେସ । ସେପଟେ ଅର୍ଥନୀତି ବିଶେଷଜ୍ଞ ଆଶା ରଖିଛନ୍ତି ଯଦି ଆସନ୍ତା ବଜେଟ୍‌ରେ ପ୍ରତ୍ଯକ୍ଷ କର ଛାଡ଼ ସୀମାରେ ପରିବର୍ତ୍ତନ ନ ହୁଏ ତାହେଲେ ଲୋକଙ୍କ କ୍ରୟଶକ୍ତି ବଢିବନି ।

ଆସନ୍ତାକାଲି ବଜେଟ, ଆୟକର ଛାଡ ସୀମା ବୃଦ୍ଧି ନେଇ ଲୋକଙ୍କ ବଡ଼ ଆଶା

ଭୁବନେଶ୍ବର : ସଂସଦରେ ଆସିଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟରେ ଦେଶର ଆର୍ଥିକ ଅବସ୍ଥା ବିଷୟରେ କମ୍, ବିଶ୍ବ ମାନ୍ଦାବସ୍ଥା କଥା ଅଧିକ କୁହାଯାଇଛି । ବର୍ଷସାରା ମହଙ୍ଗା ମାଡ଼ ଲୋକେ ଭୋଗିଲେ । ରୋଜଗାର ତୁଳନାରେ ବ୍ୟୟ ଅଧିକ । ବେରୋଜଗାରୀ ଚରମାସୀମାରେ । ଚାକିରିଆଠୁ ଆରମ୍ଭ କରି ମଧ୍ୟବିତ୍ତଙ୍କ ସଞ୍ଚୟ ଶୂନ । ତଥାପି କେନ୍ଦ୍ର ସରକାର କହୁଛନ୍ତି ଦେଶର ଆର୍ଥିକ ସ୍ଥିତି ଠିକ ଅଛି । ଦେଶର ବାସ୍ତବ ଅଭିବୃଦ୍ଧି ୬ ପ୍ରତିଶତ ରହିଛି । ରପ୍ତାନୀ କମ୍ ଆମଦାନୀ ଅଧିକ ଯୋଗୁ ବାଣିଜ୍ୟ ମନ୍ତ୍ରାଳୟ ମାସକ ତଳେ କହିଥିଲା ବାଣିଜ୍ଯିକ ନିଅଣ୍ଟ ଓ ଚଳନ୍ତି ଖାତା ଜମା କମୁଛି । କମୁଛି ବୈଦେଶିକ ମୁଦ୍ରା ଭଣ୍ଡାର । କିନ୍ତୁ କେନ୍ଦ୍ର ସରକାରଙ୍କ ଦାବି ଆମଦାନୀ ତୁଳନାରେ ରପ୍ତାନୀ ସନ୍ତୋଷଜନକ । ଏପରିକି ମଧ୍ୟପ୍ରାଚ୍ୟ ଯୁଦ୍ଧ, ଋଷ-ୟୁକ୍ରେନ୍ ଯୁଦ୍ଧ, ଇଉରୋପରେ ମୁଦ୍ରାସ୍ଫୀତିକୁ ଆଳ କରି ଦେଶରେ ଲୋକଙ୍କ ବାସ୍ତବ ସ୍ଥିତି ଭଲ ଥିବା ନେଇ ଏକ ପ୍ରକାର ଗୋଲାପି ଚିତ୍ର ଆଙ୍କିଛନ୍ତି କେନ୍ଦ୍ର ସରକାର । ଯାହାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଶର ବାସ୍ତବ ଚିତ୍ରକୁ ଦର୍ଶାଉନି । ସରକାର ନିଜକୁ ସୁହାଇଲା ଭଳି ଆଧାର ବର୍ଷକୁ ବଦଳାଇ ଦେଶର ଅର୍ଥନୀତି ଆଗଉଥିବା ଦର୍ଶାଇଛନ୍ତି । ଚାଷୀକୁ ସୁହାଇଲାଭଳି କୃଷି ଉତ୍ପାଦର ଏମ୍ଏସ୍ପି ବୃଦ୍ଧି ପାଉନି । କିନ୍ତୁ ଗତବର୍ଷ କୃଷି କ୍ଷେତ୍ରର ସ୍ବାସ୍ଥ୍ୟ ଭଲ ଥିବା ସର୍ଭେ ରିପୋର୍ଟରେ ଦର୍ଶାଇବା ହାସ୍ୟାସ୍ପଦ ବୋଲି ବାମଦଳ ଅଭିଯୋଗ କରିଛି ।

ବିଶ୍ବ ମାନ୍ଦାବସ୍ଥା ପ୍ରଭାବରେ ଦେଶର ଉତ୍ପାଦନ ଶିଳ୍ପ ପ୍ରଭାବିତ ହୋଇଛି । କୋଭିଡ ପରଠୁ ଦେଶର ଅର୍ଥନୀତିରେ ସୁଧାର ଆସିଥିବା କେନ୍ଦ୍ର ସରକାର ରିପୋର୍ଟରେ ଦର୍ଶାଇଛନ୍ତି । ଅର୍ଥନୀତି ସମୀକ୍ଷକଙ୍କ ପ୍ରଶ୍ନ ଦେଶର ଅଭିବୃଦ୍ଧି ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରତିଫଳନ କରୁନାହିଁ ।  ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ ସାମଗ୍ରୀ ଦର ଏତେ ବୃଦ୍ଧି ପାଇଛି ଯେ, ପାଇକରୀ ଓ ଖୁଚୁରା ମୁଦ୍ରାସ୍ଫୀତିର ସବୁ ରେକର୍ଡ ଭାଙ୍ଗିଛି । ନୂଆ କରି ବ୍ୟାଙ୍କିଂ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ବ୍ୟବହାର ଯୋଗୁ ବ୍ୟାଙ୍କ କାର୍ଯ୍ୟ ଅଧିକ କ୍ରିୟାଶୀଳ ହୋଇଛି । ଏହା ଏକ ପ୍ରକାର ଭଲ ଅବସ୍ଥା । କିନ୍ତୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ଏନ୍ପିଏ ନେଇ କେନ୍ଦ୍ର ସରକାର ତାଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟରେ କିଛି ବି କହିନାହାନ୍ତି । ସବକା ସାଥ୍ ସବ୍କା ବିକାଶ । ଏହା ହେଉଛି କେନ୍ଦ୍ର ସରକାରଙ୍କ ନାରା । ଜାତୀୟ ସ୍ତରରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଢୁନଥିବାବେଳେ କେନ୍ଦ୍ର ସରକାରଙ୍କ ଦାବି ବଜାର ଦର, ଉତ୍ପାଦନ ଓ ମାନ୍ଦାବସ୍ଥା ସତ୍ତ୍ବେ ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ରହିବ । ଏମିତି ଏକ ଦ୍ବନ୍ଦ୍ବାତ୍ମକ ଆର୍ଥିକ ସ୍ଥିତି ଭିତରେ ଆସନ୍ତାକାଲି ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ କଣ ଭେଟି ଦେଉଛନ୍ତି ତାକୁ ଅପେକ୍ଷା ରଖିଛନ୍ତି ସାଧାରଣ ଲୋକେ ।

ବିଜେପି ସରକାର ଉପରେ ବର୍ଷିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର : ଗତକାଲି ଆରଏସଏସ ନେତା ମୋହନ ଭାଗବତଙ୍କ ଗସ୍ତ ବେଳେ କଳା ପତାକା ଦେଖାଇ ଗିରଫ  ଛାତ୍ର କଂଗ୍ରେସ ନେତା ।  ଗଣତ୍ରାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ ପ୍ରଦର୍ଶନ କରାଯାଇଥିଲେ ବି ପୋଲିସ ଅଗଣତାନ୍ତ୍ରିକ ଭାବରେ ମିଛ କେସ ରୁଜୁ କରି ଛାତ୍ର କଂଗ୍ରେସ ସଭାପତିଙ୍କୁ ଜେଲ ପଠାଇଛି । ଯାହାକୁ ବିରୋଧ କରି ବିଜେପି ସରକାର ଉପରେ ବର୍ଷିଛି ଛାତ୍ର କଂଗ୍ରେସ ।  ପୂର୍ବତନ ରାଜ୍ୟ ପାଳଙ୍କ ପୁଅ ଓଡ଼ିଆ ପୁଅଙ୍କୁ ମାଡ ମାରିଲେ ସେତେବେଳେ ନ୍ୟାୟିକ ପକ୍ରିୟା କୁଆଡେ ଯାଇଥିଲା ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ରାଜ୍ୟରେ ଦୁଇଟି ଆଇନ ଚାଲିବ ନାହିଁ । ଇଂରେଜମାନେ ଯେଉଁଭଳି ସ୍ୱାଧୀନତା ସଂଗ୍ରମୀଙ୍କୁ ଜେଲରେ ପୁରାଉଥିଲେ, ରାଜ୍ୟରେ ମଧ୍ୟ ପୋଲିସ ସେହିଭଳି କାଯ୍ୟ କରୁଛି l ବେଆଇନ ଗିରଫଦାରିକୁ ନେଇ ଆସନ୍ତା ଦୁଇ ଦିନ ପର୍ଯନ୍ତ ରାଜ୍ୟ ଯୁବ ଏବଂ ଛାତ୍ର କଂଗ୍ରେସ ସମସ୍ତ ଏସପି ଅଫିସ ଆଗରେ ବିରୋଧ ପଦର୍ଶନ କରିବ । ଆଗାମୀ ଦିନରେ ବିଜେପି ନେତା ଯେଉଁ ସ୍ଥାନକୁ ଜିବେ ସେଠାରେ ତାଙ୍କୁ କଳା ପତାକା ଦେଖାଯିବା ସହ ବିରୋଧ ପଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛି ଯୁବ ଏବଂ ଛାତ୍ର କଂଗ୍ରେସ । ରାଜ୍ଯରେ ଆଉ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । କଳା ପତାକା ପ୍ରଦର୍ଶନର ଅଧିକାର ସମସ୍ତଙ୍କର ରହିଛି ।  ଗଣତନ୍ତ୍ରରେ ଏହା ଗ୍ରହଣୀୟ । କିନ୍ତୁ ବର୍ତ୍ତମାନର ସରକାର ଅସହିଷ୍ଣୁ ହୋଇପଡିଛି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନିରଞ୍ଜନ। ଏଥିସହ ଆଜି ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘରାଉ କରିଛନ୍ତି । ସେପଟେ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଛି ବିଜେପି । କାରକେଡ଼ ଆଗକୁ ଆସିକି ହିଂସା କରିବା କେଉଁ ଗଣତନ୍ତ୍ରରେ ଲେଖା ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ।

‘ଟ୍ରିବ୍ୟୁନାଲରେ ଆଲୋଚନା ପରେବି ସମସ୍ତ ଗେଟ୍ ବନ୍ଦ୍ କଲା ଛତିଶଗଡ଼’

ସମ୍ବଲପୁର : ସାମ୍ନାକୁ ଆସିଲା ଡବଲ ଇଞ୍ଜିନ ଡବଲ ଧୋକା ।  ଓଡ଼ିଶାର ଜୀବନ ରେଖା ମହାନଦୀକୁ ଶୁଖାଇବାକୁ ଛତିଶଗଡ଼ ସରକାରଙ୍କ ବଡ଼ ପ୍ଲାନ୍ ।  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଲୋଚନା ପରେବି ସମସ୍ତ ଗେଟ୍ ବନ୍ଦ୍ କରିଦେଲେ ଛତିଶଗଡ଼ ସରକାର । ପୂର୍ବରୁ ଶିବରୀ ନାରାୟଣ ଵ୍ୟାରେଜ୍  ସହ ଉପର ମୁଣ୍ଡର ଅନେକ ବ୍ୟରେଜ୍ ବନ୍ଦ କରାଯାଇଥିଲା ।  କିଛି ଦିନ ହେଲା କଲମା ବ୍ୟରେଜର ବି ସମସ୍ତ ୬୬ ଫାଟକ ବନ୍ଦ୍ କରିଦେଇଛନ୍ତି ଛତିଶଗଡ଼ ସରକାର ।ଯାହାଫଳରେ  ହୀରାକୁଦ ଜଳଭଣ୍ଡାରକୁ ମାତ୍ର  ୩୭୮ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । ଯାହାକୁ ନେଇ ଦେଖାଦେଲାଣି ଉତ୍କଟ ଜଳାଭାବ ।କାରଣ  ମହାନଦୀରେ ଏବେ ପାଣି ନାହିଁ। କିଛି ଦିନ ଭିତରେ ସମ୍ପୂର୍ଣ ଭାବେ ଶୁଖିଗଲାଣି ମହାନଦୀ । କିନ୍ତୁ ଏହି ସମୟରେ ବି ରାଜ୍ୟ ସରକାର କାହିଁକି ଚୁପ୍ ବୋଲି ରାଜ୍ୟବାସୀ ପ୍ରଶ୍ନ କରିଛନ୍ତି ।

ଚୋରଙ୍କ ଚତୁରତା ଆଗରେ ପୋଲିସର ପାରିବାପଣିଆ ଫେଲ୍, ଲୁଟେରାଙ୍କ ହଲ୍ଲାବୋଲକୁ ନେଇ ଚିନ୍ତାରେ ସହରବାସୀ

ଭୁବନେଶ୍ବର : ସାମ୍ନାକୁ ଆସୁଛି ଭୁବନେଶ୍ୱର ପୋଲିସିଂର ବିକଳ ଚିତ୍ର । ଆଉ କେତେ ହେଲେ ଚେତିବ କମିଶନରେଟ ପୋଲିସ୍ ?  ଚୋରଙ୍କ ଚତୁରତା ଆଗରେ ପୋଲିସର ପାରିବାପଣିଆ ଫେଲ୍ । ଏଟିଏମ୍ ଲୁଟ୍, ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଏବେ ବି ପୋଲିସ୍ ହାତ ଖାଲି । ସତ୍ୟନଗର ସ୍ଥିତ ଏହି ଘରୁ ମିଳିଛି ଦୁଇ ଯୁବକଙ୍କ ମୃତଦେହ । “ମୋ ପିଠା” ନାମକ ସୁଇଟ୍ ଭେଣ୍ଡର ପାଖେ କାମ କରୁଥିବା ବେଳେ ଦୁଇ ଯୁବକଙ୍କ ଘଟିଛି ଅସ୍ୱାଭାବିକ ମୃତ୍ୟୁ । ସାଇଣ୍ଟିଫିକ ଟିମ ଓ ଖାରବେଳ ନଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ ସହ ସଂସ୍ଥା ମାଲିକଙ୍କୁ ଡାକି ଜେରା କରିଛି । ତେବେ ଏହି ଗୋଟିଏ ଘଟଣା ନୁହେଁ, ରାଜଧାନୀର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବ୍ୟାକଫୁଟରେ ପୋଲିସ । ୨୫ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସେ ପୋଲିସ ଉପରେ ବର୍ଷିଛନ୍ତି । ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଠାରୁ ଆରମ୍ଭ କରି ସହଦେବ ନାୟକଙ୍କୁ ବିଭତ୍ସ ହତ୍ୟା, ସାରା ରାଜ୍ୟରେ ମାରାଥନ ଲୁଟ ପୋଲିସର ଅସଲ ଚେହେରାକୁ ପଦାରେ ପକାଇଥିବା କହିଛନ୍ତି ନିରଞ୍ଜନ । ସାରା ଓଡିଶା ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବେଳେ ଦକ୍ଷ ପୋଲିସ ଅଫିସରଙ୍କ ଆବଶ୍ୟକତା ଓ ତଦନ୍ତ ପ୍ରକ୍ରିୟାରେ ଜ୍ଞାନ କୌଶଳର ବ୍ୟବହାର ଉପରେ ଫୋକସ ଦେବାକୁ କହିଛନ୍ତି ନିରଞ୍ଜନ । ଅନ୍ୟପଟେ ନିରଞ୍ଜନଙ୍କ ଘରୁ ଲୁଟ ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ କମିଶନର ।

ଧଉଳି ଥାନା ଲିଙ୍ଗିପୁର ମେଳଣ ପଡିଆ ନିକଟରୁ ମହିଳାଙ୍କ ଗଳିତ ମୃତଦେହ ଠାବ ଘଟଣାରେ ହତ୍ୟା ସନ୍ଦେହ କରିଛି ପୋଲିସ । ୧୦ ରୁ ୧୫ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାବେଳେ ମୃତଦେହ ସେଠାରେ ଆଣି ପକାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଲିଙ୍ଗରାଜ ଥାନା ସମନ୍ତରାପୁରର ଶ୍ରୀରାମନଗରରେ ଥିବା SBI ଏଟିଏମ ରେ ପଶି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ ଲୁଟେରା । କେବଳ ଟଙ୍କା ନୁହେଁ ATM କୁ ତାଡି ନେଇ ଗଙ୍ଗୁଆ ନାଳରେ ଫୋପାଡି ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଧରିପାରି ନାହିଁ । କେବଳ ଚୋରିରେ ବ୍ୟବହୃତ ଅଟୋକୁ ପାଇ ଚୁପ ବସିଛି । ସହର ବଢିବା ସାଙ୍ଗକୁ ଅପରାଧୀଙ୍କ ଅପରେସନର ଅନ୍ଦାଜ ପରିବର୍ତ୍ତନ ହେଉଥିବା ଦେଖି ଚିନ୍ତାପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବଲପୁର ସମର୍ଥରେ ନିର୍ଯାତନା ମାମଲା, ଅନ୍ତେବାସୀଙ୍କୁ ନେତାଜୀ ନଗରରୁ ବୈଜାମୁଣ୍ଡା ଆବାସ କେନ୍ଦ୍ରକୁ ସ୍ଥାନାନ୍ତର

ସମ୍ବଲପୁର : ଦୀର୍ଘଦିନର ଅତ୍ଯାଚାରରୁ ମିଳିଲା ମୁକ୍ତି । ସମର୍ଥରୁ ବାହାରି ବୈଜାମୁଣ୍ଡା ଆବାସ କେନ୍ଦ୍ର ଗଲେ ଅନ୍ତେବାସୀ । ସାମାଜିକ ସୁରକ୍ଷା କଲ୍ଯାଣ ଅଧିକାରୀଙ୍କୁ ନୋଟିସ୍ । ଖୁବଶୀଘ୍ର ରିମାଣ୍ଡରେ ଆସିବେ ଅଭିଯୁକ୍ତ । ସମ୍ବଲପୁର ମାନସିକ ଅନଗ୍ରସର କେନ୍ଦ୍ର ସମର୍ଥରେ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ପରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ନେତାଜୀ ନଗରରୁ ବୈଜାମୁଣ୍ଡା ଆବାସ କେନ୍ଦ୍ରକୁ ସମସ୍ତ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧାର ଏକ ଅନୁଷ୍ଠାନ ସମସ୍ତଙ୍କ ଦାୟିତ୍ବ ନେବ । ସ୍ୱାସ୍ଥ୍ୟ ଠାରୁ ଖାଇବା ପର୍ଯ୍ୟନ୍ତ ସମସ୍ତ କଥା ବୁଝିବ ସଂସ୍ଥା l ଏହାକୁ ମନିଟରିଙ୍ଗ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି l ଯେଉଁ ମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାରେ ଉନ୍ନତି ଆସିଲା ସେମାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ l ଏହାସହ ମାମଲାରେ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ଏପରି ସମ୍ବେଦନଶୀଳ ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା ? ଏହାକୁ ପୂର୍ବରୁ କିପରି ଅଧିକାରୀ ଜାଣି ପାରିଲେ ନାହିଁ ? ଅଧିକାରୀମାନେ ନିୟମ ଅନୁଯାୟୀ କେତେଥର ପରିଦର୍ଶନ କରିଛନ୍ତି ? ସେନେଇ ଉତ୍ତର ଦେବାକୁ କୁହାଯାଇଛି ।

ସ୍ଥାନାନ୍ତର କରିବା ବେଳେ ସଂସ୍ଥାର ଅତ୍ଯାଚାରର କାହାଣୀ ବଖାଣିଛନ୍ତି ଅନ୍ତେବାସୀ । କିପରି ବାନ୍ଧି ପଶୁପରି ମାଡ଼ ମରାଯାଉଥିଲା । ଖାଇବାକୁ ମାଗିଲେ କିପରି ନିର୍ଯାତନା ମିଳୁଥିଲା । ସେନେଇ କ୍ଯାମେରା ଆଗରେ କହିଛନ୍ତି ଦୁଃଖଭରା କାହାଣୀ । ତେବେ ଏମାନଙ୍କୁ ଯଦି ଉପଯୁକ୍ତ ଚିକିତ୍ସା, ଖାଦ୍ୟପେୟ ଓ ଔଷଧ ଦିଆଗରେ ଖୁବଶୀଘ୍ର ଭଲ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ସ୍ବେଚ୍ଛାସେବୀ । ସେପଟେ ମାମଲାର ଅଧିକ ତଦନ୍ତ ପାଇଁ ହରିଶ ଦାସକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ ।

 

ସ୍ଥାଣୁ ପାଲଟିଛି ପୁରୀ ଜିଲ୍ଲାର କ୍ରୀଡ଼ା ସଂସଦ

ପୁରୀ : ସ୍ଥାଣୁ ପାଲଟିଛି ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ । ପୁନର୍ଗଠନ ନହୋଇ ଚାଲିଛି ମନମାନି । ପ୍ରଭାବିତ ହେଉଛନ୍ତି ଜିଲ୍ଲାର କ୍ରୀଡ଼ାବିତ୍ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ପୁରୀ ଏକ ପ୍ରମୁଖ ଜିଲ୍ଲା ହୋଇଥିବlବେଳେ ଏଠାରେ କ୍ରୀଡ଼ାକୁ ନେଇ ବିଗତ ଦିନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଇଛି  l ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୁଣା କ୍ରୀଡା ସଂସଦ ଭଙ୍ଗାଯାଇଥିବାବେଳେ ନୁଆ ସଂସଦ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ l ଫଳରେ ଗତ କିଛିବର୍ଷ ଧରି ଜିଲ୍ଲାରେ କ୍ରୀଡା ସଂସଦ ଏକ ପ୍ରକାର ସ୍ଥାଣୁ ପାଲଟିଛି । ଏହାଦ୍ବାରା କ୍ରୀଡ଼ାବିତ ବିଶେଷ ପ୍ରଭାବିତ ହୋଇଛନ୍ତି । ତେଣୁ ତୁରନ୍ତ କ୍ରୀଡା ସଂସଦ ପୁନଃଗଠନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l

ଜିଲ୍ଲା କ୍ରୀଡା ସଂସଦର ପୁନଃ ଗଠନ ନେଇ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛି ଜିଲ୍ଲା କ୍ରୀଡା ବିଭାଗ । ଏନେଇ ଖୁବଶୀଘ୍ର ବୈଠକ ବସି ନୀତିଗତ ନିଷ୍ପତ୍ତି ନିଆଯିବ l ସେପଟେ ୨୦୨୩ ରେ ହାଇକୋର୍ଟ ପୁରୁଣା କ୍ରୀଡା ସଂସଦ ଭାଙ୍ଗି ନୂଆ ସଂସଦ ଗଠନ ନେଇ ନିର୍ଦ୍ଦେଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପୁନଃଗଠନ ନେଇ ରହିତାଦେଶ ଜାରି କରିଛନ୍ତି । ତେବେ ସମସ୍ୟା ସମାଧାନ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ରାଜ୍ୟରେ ଥିବା ପ୍ରାୟ ସମସ୍ତ ଜିଲ୍ଲାମାନଙ୍କରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା କ୍ରୀଡାର ବିକାଶ ପାଇଁ କାର୍ଯ୍ୟ ଜାରି ରହିଥିବାବେଳେ ପୁରୀ ଜିଲ୍ଲାରେ ନିରାଶ ହୋଇଛନ୍ତି କ୍ରୀଡାବିତ୍ ।

୯ ତାରିଖରେ ଭାରତ-ଇଂଲଣ୍ଡ ଟକ୍କର ପାଇଁ ବଢୁଛି କ୍ରିକେଟ୍ ଫିଭର, ଖେଳାଳିଙ୍କୁ ଦେଖିବାକୁ ବଢୁଛି ଦର୍ଶକଙ୍କ ଉତ୍କଣ୍ଠା

କଟକ : କଟକରେ ବଢୁଛି କ୍ରିକେଟ ଫିଭର । ଅନ୍ତର୍ଜାତୀୟ ମ୍ଯାଚକୁ ନେଇ ଉତ୍କଣ୍ଠାରେ କ୍ରୀଡାବିତ । ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ଯରେ ଟକ୍କର । ହାଇସ୍କୋରିଂ ମ୍ଯାଚ ନେଇ ପ୍ରସ୍ତୁତ ହେଉଛି ଫିଲ୍ଡ । ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ତେବେ ଆ୯ ତାରିଖ ଦିନ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ ଯେମିତି ହାଇସ୍କୋରିଂ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏଥିପାଇଁ ପିଚ୍ ଓ ପଡ଼ିଆକୁ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ । ସ୍ଲୋ ଆଉଟ୍ ଫିଲ୍ଡି ଜନିତ ସମସ୍ୟାକୁ ମଧ୍ୟ ଦୂର କରିବା ପାଇଁ ୮ ମିଲିମିଟର ଉଚ୍ଚତାରେ ଆଉଟ ଫିଲ୍ଡର ଘାସ ଗୁଡ଼ିକୁ କଟାଯାଉଛି । ତେବେ ନାଲି ନା କଳା ମାଟିରେ ନିର୍ମାଣ ହୋଇଥିବା ପିଚରେ ମ୍ଯାଚ ଖେଳାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ । ଏହାସହ ଗ୍ୟାଲେରୀରେ ନମ୍ବର ଷ୍ଟିକରିଂ, ପ୍ରେସ ବକ୍ସ, ପାଭିଲିୟନ କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ତେବେ ନେଟ ପାଇଁ ବାଉଁଶ ବ୍ୟବହାର କରାଯିବନି । ବର୍ତ୍ତମାନସୁଦ୍ଧା ୮୦ ପ୍ରତିଶତ କାମ ସରିଥିବା କହିଛନ୍ତି ଓସିଏ ସମ୍ପାଦକ ।

୩ ବର୍ଷ ବ୍ୟବଧାନ ପରେ ବାରବାଟୀକୁ ମ୍ୟାଚ ଫେରିଥିବାରୁ କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ଉତ୍କଣ୍ଠା ବଢିଛି । ଷ୍ଟାର ଭାରତୀୟ ଖେଳାଳିଙ୍କୁ ପାଖରୁ ଦେଖିବା ଓ ସେମାନଙ୍କୁ ନେଟ ପ୍ରାକ୍ଟିସକୁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ତାରିଖରେ ଅନଲାଇନରେ ଓ ୫ ଓ ୬ ତାରିଖରେ କାଉଣ୍ଟରରେ ସକାଳ ୧୦ଟାରୁ ମିଳିବ ଟିକେଟ । ୭ ତାରିଖରେ ଉଭୟ ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖ ପୂର୍ବହ୍ଣରେ ଇଂଲଣ୍ଡ ଓ ଅପରାହ୍ନରେ ଭାରତୀୟ ଟିମ୍ ଅଭ୍ଯାସ କରିବେ ।

 

କୁମ୍ଭମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି, ୬ରୁ ଜମିବ ଯାତ୍ରା ମହାସମର

ଭୁବନେଶ୍ବର : ପାଖେଇ ଆସିଲାଣି ଖଣ୍ଡଗିରି କୁମ୍ଭମେଳା। ଲାଗିଲାଣି ପୋଷ୍ଟର, ପୋତା ହେଲାଣି ବାଉଁଶ । ଜମିବ ଯାତ୍ର ମହାସମର। ଦର୍ଶକଙ୍କ ମଧ୍ଯରେ ବଢିଲାଣି ଉତ୍କଣ୍ଠା । ଦୁଇଟି ପର୍ଯ୍ଯାୟରେ ନାଟକ ପରିବେଷଣ କରିବେ ଯାତ୍ରାପାର୍ଟି । ମାଆ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ଓ ଜୟଦୁର୍ଗା ସାଂସ୍କୃତିକ ପଡିଆରେ ଦୁଇଟି ପର୍ଯ୍ଯାୟରେ ପଡିବ ୪ଟି ଯାତ୍ରା ପାର୍ଟି । ଦୁର୍ଗା ମନ୍ଦିର, ଯାତ୍ରାଶ୍ରୀ ବିଶ୍ବ ଦରବାର, ସ୍ବର୍ଣ୍ଣ ମହଲ ଓ ସ୍ବପ୍ନ ମହଲ । ଯାତ୍ରାଶୀ ବିଶ୍ବ ଦରବାରର ସବୁ ଜାଣିଛି ଚନ୍ଦ୍ରଶେଣା, କହିବାକୁ ଲାଜ ଶୁଣିଲେ ପାପ, ଦୁର୍ଗା ମନ୍ଦିରର ଡିଏସପି ଦୁର୍ଗା ନାଟକ ପରିବେଷଣ ହେବ । ଯାଜ୍ଞସେନୀରେ ହର ବାରିକଙ୍କ ସୁପରହିଟ ନାଟକ କାହାର କଣ ହଜିଛି ଓ ପାଞ୍ଚ ପତିରେ ମୁଁ ସତୀ  ଏବଂ ରଙ୍ଗମହଲର ପାପ ଜାଣିନି କି ପୁଣ୍ଯ ଜାଣିନି ନାଟକ ମଞ୍ଚସ୍ଥ ହେବ । ଇନ୍ଦିରା ସାଂସ୍କତିକ ମଣ୍ଡପରେ ସିଂହବାହିନୀ ଓ ଶିବାନୀ ଗଣନାଟ୍ଯ ବଡ ବେଦରଦୀ କଳା ସାଆନ୍ତ ଓ ହାକୃଷ୍ଣ ବୋଲି ଯାଉ ଜୀବ ନାଟକ ରହିଛି ।

ସେହିଭଳି ଖଣ୍ଡଗିରି ଛକରେ ଆଇଗିଣିଆର ହରେକୃଷ୍ଣ ମହତାବ ପେଣ୍ଡାଲରେ ନାଟ୍ଯ ସମ୍ରାଟ ଅପେରା ପୃଥ୍ବୀରାଜ ଓ ତୁଳସୀ ଗଣନାଟ୍ୟ ଜଲୱା ଦେଖାଇବେ । ପ୍ରଥମ ପର୍ଯ୍ଯାରେ ଅପେରା ପୃଥ୍ବୀରାଜ ୬ରୁ ୫ରାତି ନାଟକ ପରିବେଷଣ କରିବ । ନାଟକ ରାଜଧାନୀର ରଜନୀଗନ୍ଧାରେ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିବ । ସେହିଭଳି ତୁଳସୀର ଜହ୍ନରାତିର ଝଡ ପରିବେଷଣ କରିବ । ଘାଟିକିଆ ସନାତନ ସେବା ସମିତି ପଡିଆରେ ଅପେରା ସୂର୍ଯ୍ଯମନ୍ଦିର ଓ କୋର୍ଣାକ ଗଣନାଟ୍ଯ ନାଟକ ମଞ୍ଚସ୍ଥ କରିବେ । ପ୍ରଥମ ପର୍ଯ୍ଯୟରେ ଅପେରା ସୂର୍ଯ୍ଯମନ୍ଦିରର ଗ୍ଯାଙ୍ଗଷ୍ଟର ପ୍ରେମ କାହଣୀକୁ ନେଇ ନାଟକ ହାଇଦର ଓ ନଖୀ ନାନୀ ପୁଅ ଭଗିଆ ଖେଳିବ । ଜଲଉଡର ବ୍ଯାଡ ବୟ ପିୟୁଷ ତ୍ରିପାଠୀ, ମାମା, କ୍ଷୀତିଷଙ୍କ ଅଭିୟନର ଯାଦୁ ଦେଖିବାକୁ ମିଳିବ । ସେହିଭଳି କୋର୍ଣାକର ହସରେ ତୁ ମୋ ଲୁହରେ ତୁ ଓ ସେହି ଗୋଟିଏ ଭୁଲ ପାଇଁ ନାଟକ ହୁଲସ୍ତୁଲ କରିବ। ୬ ତାରିଖରୁ ୧୬ ତାରିଖ ପର୍ଯ୍ଯନ୍ତ ଯାତ୍ରା ଲଢେଇ ଦେଖିବାକୁ ମିଳିବ । ଖଣ୍ଡଗିରିରେ ଶାନ୍ତିଶୃଙ୍ଖଳାରେ ଯାତ୍ରା ସମାପନ ନେଇ ପୂର୍ବରୁ ଯାତ୍ରା କମିଟି, ବିଏମସି ଓ ପୋଲିସ ପ୍ରଶାସନକୁ ବୈଠକ ହୋଇଛି ।