spot_img
Home Blog Page 1211

ଆଜି ଭାରତ-ଇଂଲଣ୍ଡ ଶେଷ ଟି-ଟ୍ବେଣ୍ଟି ମୁକାବିଲା

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ଯରେ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି ମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ୩ଟି ମ୍ଯାଚ ଜିତି ଭାରତ ସିରିଜ୍ ହାତେଇ ସାରିଥିବାବେଳେ ଏହି ପଞ୍ଚମ ମ୍ଯାଚକୁ ଜିତି ନିଜର ମନୋବଳ ଦୃଢ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ଟିକିଆ ସିରିଜରେ ୩-୧ରେ ଅଗ୍ରଣୀ ରହିଛି ମ୍ଯାନ ଇନ୍ ବ୍ଲୁ । ସୂର୍ଯ୍ଯକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ଯାଚ ଜିତି ଆଗାମୀ ସିରିଜ ପାଇଁ ନିଜର ବ୍ଯାଟିଂକୁ ସୁଦୃଢ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ୱାଙ୍ଖଡେରେ ଆଜି ମ୍ଯାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ୩ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ।

ଆଜି ପବିତ୍ର ବସନ୍ତ ପଞ୍ଚମୀ

ନନ୍ଦିଘୋଷ ବ୍ୟୁରୋ: ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଭକ୍ତିର ସହ ପୂଜା କରୁଛନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ବେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ସବୁଠି ଧୁମଧାମରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏହାସହ ଆଜି  ୩ ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।

ଆସନ୍ତାକାଲି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ । ଏଥିପାଇଁ ସଜେଇ ହୋଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତର ଜାମୁକଣ ପାହାଡ଼ । ଆସନ୍ତାକାଲି ବିରାଜମାନ କରିବେ ମାତା ବୈଷ୍ଣାଦେବୀ । ଗୁମ୍ଫା ଭିତରେ ରହିଛି ମା’ଙ୍କ ଆସ୍ଥାନ । ପ୍ରାକୃତିକ ପରିବେଶ ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଶୀର୍ଷରେ ୧୮୦ ଫୁଟର ଗୁମ୍ଫା ଭିତରେ ବିରାଜମାନ କରିବେ ମା’ ବୈଷ୍ଣଦେବୀ l ମା’ଙ୍କ ପ୍ରତିମୂର୍ତ୍ତିର ଓଜନ ୧୮ କୁଇଣ୍ଟାଲ l ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ l ପ୍ରାୟ ୨ ଶହ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା l ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ମହାଆଡ଼ମ୍ବରରେ ମା’ ଜଗତଜନନୀଙ୍କ ବିଗ୍ରହ ସ୍ଥାପନ ପାଇଁ ୨୯ ତାରିଖରୁ ଚାଲିଛି ହୋମଯଜ୍ଞ, ନାମ ସଂକୀର୍ତ୍ତନ l ମାଆଙ୍କ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି ।.

ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ

ନନ୍ଦିଘୋଷ ବ୍ୟୁରୋ: କୋରାପୁଟ ଜିଲ୍ଲା ଜଲାପୁଟ ଡ୍ୟାମ ଉପର ମୁହାଣରେ ଅଘଟଣ । ଡ୍ୟାମରେ ବୁଡ଼ି ୨ ଜଣ ଛାତ୍ର ନିଖୋଜ । ଦେଶୀ ଡଙ୍ଗାରେ ୩ଜଣ ଯୁବକ ଯାଉଥିବାବେଳେ ଡ଼ଙ୍ଗାଟି ବୁଡି ଯାଇଥିଲା । ଘଟଣା ସ୍ଥଳରେ ଜଳାପୁଟ ପୋଲିସ ସହ ସ୍ଥାନୀୟ ଲୋକେ ଡ୍ୟାମ ମୁହାଣ ରେ ଖୋଜାଖୋଜି କରିବା ସହ ଜଣକୁ ଉଦ୍ଧାର କରିଛନ୍ତି । ୩ଜଣ  ନବମ ଶ୍ରେଣୀ ଛାତ୍ର ସନ୍ଧ୍ୟା ସମୟରେ ଏକ ବାଇକ୍ ଯୋଗେ ଜଲାପୁଟ ଡ୍ୟାମ ଉପର ମୁହାଣରେ ଯାଇ ନଦୀ ଘାଟରେ ଥିବା ଏକ ଦେଶୀ ଡଙ୍ଗାରେ ବୁଲି ଯାଇଥିଲେ । ତେବେ ଡଙ୍ଗାଟି ଡ୍ଯାମରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

0

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟିମରେ ଅଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲ, ଶ୍ରେୟାସ ଆୟାର, ଯଶସ୍ଵୀ ଜୟସ୍ଵାଲ, ରିଷଭ୍ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ. ରାହୁଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଳଦୀପ ଯାଦବ ଓ ମହମ୍ମଦ ସାମି। ବିଦର୍ଭ ଓ ବାରବାଟୀ ମ୍ୟାଚ ପାଇଁ ଏହି ଟିମ୍ ଘୋଷଣା କରାଯାଇଥିବାର ସୂଚନା ମିଳିଛି। ଫେବୃଆରି ୯ ତାରିଖରେ ବାରବାଟୀ ୱାନ ଡେ ହେବ।

ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ..

ନନ୍ଦିଘୋଷ ବ୍ୟୁରୋ: ଆଜି ବି ଲୋକଙ୍କ ପାଖରେ ପହଞ୍ଚିପାରିନି ମୌଳିକ ସୁବିଧା ସୁଯୋଗ । ରାସ୍ତାଘାଟ, ସ୍ଵଚ୍ଛ ପାଣି, ଅଙ୍ଗନବାଡି, କ୍ଳବ ଘର ସବୁ ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ନା ପଡୁଚି ସରକାରଙ୍କ ନଜର ନା ପଶୁଛି ପ୍ରଶାସନର ଚେତା।

ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଞ୍ଜାରୀ ପଞ୍ଚାୟତର ରେସବାହାଲି ଗାଁ। ଅଞ୍ଚଳକୁ ନା ଅଛି ରାସ୍ତା , ନା ଲୋକଙ୍କୁ ମିଳୁଛି ସ୍ଵଚ୍ଛ ପାଣି । ଏହି ଗାଁରେ ୨୫ଟି ପରିବାରର ୧୦୦ରୁ ଅଧିକ ଲୋକେ ବସବାସ କରୁଛନ୍ତି । ହେଲେ ଗାଁକୁ ପକ୍କା ରାସ୍ତା ତ ଦୂରର କଥା ଭଲ ମାଟି ରାସ୍ତା ଟିଏ ମଧ୍ୟ ନାହିଁ । କେବଳ ରହିଛି ଏକ ପାଦ ଚଲା ରାସ୍ତା । ସେହିପରି ଗାଁରେ ବିଦ୍ଯାଳୟ କି ଅଙ୍ଗନବାଡି ଟିଏ ମଧ୍ଯ ନାହିଁ । ପିଲାମାନେ ପ୍ରତିଦିନ ଜଙ୍ଗଲ ଘେରା ପରିବେଶ ଦେଇ ପ୍ରାୟ ୩ କିଲୋମିଟର ବାଟ ଚାଲି ଗ୍ରିନଡୋଲା ଗାଁକୁ ପାଠ ପଢ଼ିବାକୁ ଯାଉଛନ୍ତି  । ରାସ୍ତା ଟିଏ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ମେଡିଲାକକୁ ନେଉଥିବା ନେଇ ଗ୍ରାମବାସୀ କହିଛନ୍ତି । ଖାଲି ଏତିକି ନୁହେଁ ଗାଁରେ କ୍ଳବ ଘର କି ପୋଖରୀ ଟିଏ ମଧ୍ଯ ନାହିଁ  ।

ଅନ୍ୟପଟେ ଗାଁକୁ କେବଳ ଭୋଟ ସମୟରେ ନେତା ମାନେ ଆସନ୍ତି । ଗାଁର ଅବସ୍ଥା ଦେଖି ଜିତିବା ପରେ ସମସ୍ତ ସମସ୍ୟାର ସମାଧାନ କରିଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଛନ୍ତି ଗ୍ରାମବାସୀ । କିନ୍ତୁ ପ୍ରତିଶ୍ରୁତି ଆଜିଯାଏ ବାସ୍ତବତାରେ ପରିଣତ ହୋଇନଥିବା ବେଳେ ଆଜିବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ରେସବାହାଲି ଗାଁ । ତେଣୁ ଗାଁକୁ ପକ୍କା ରାସ୍ତା, ଏକ ଅଙ୍ଗନବାଡି ସହ କ୍ଳବ ଘର ଏବଂ ପୋଖରୀ ଗୋଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଅନ୍ଯପଟେ ଗ୍ରାମବାସୀଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଗାଁର ସମସ୍ଯା ପ୍ରତି ସରକାର ଦୃଷ୍ଟି ଦେଇ ସମସ୍ଯାର ସମାଧାନ କରିବା ନିହାତି ଜରୁରୀ ହୋଇପଡିଛି ।

୨ ବର୍ଷୀୟ ଶିଶୁ ଶିବ କିସ୍କୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନନ୍ଦିଘୋଷ ବ୍ୟୁରୋ: ଖେଳକୁଦ କରିବା ବୟସରେ ଅଜଣା ରୋଗରେ ପୀଡିତ । ବୟସ ବଢିବା ସହ ବଢୁଛି ଶିଶୁ ପୁତ୍ରର ମୁଣ୍ଡ । ପୁଅକୁ ଭଲ କରିବା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲି ନିରାଶ ହୋଇପଡିଛନ୍ତି ବାପା ମାଆ । ହେଲେ ପୁଅ ଭଲ ହୋଇପାରିନାହିଁ । ଏବେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଥିବାରୁ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି ପରିବାର ଲୋକେ ।

ଖେଳକୁଦ କରିବା ବୟସରେ ଅଜଣା ରୋଗରେ ପୀଡିତ । ବୟସ ବଢିବା ସହିତ ବଢୁଛି ଶିଶୁ ପୁତ୍ରର ମୁଣ୍ଡ । ଫଳରେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଯାଇ ହତାଶ ହୋଇପଡିଣେନି ବାପା ମାଆ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଚିମିନିଭାଟି ଅଞ୍ଚଳରେ । ଗାଁର ବାପି କିସ୍କୁ ଓ ବୁଦୁନୀ ସିଂଙ୍କ ଏକମାତ୍ର ପୁଅ ଶିବ କିସ୍କୁ । ପୁଅଟିଏ ଜନ୍ମ ହେବାବେଳେ ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା । ହେଲେ ଏବେ ପୁଅର ବୟସ ବଢିବା ସହିତ ତା ମୁଣ୍ଡ ବଢୁଥିବାରୁ ଚିନ୍ତାରେ ପୂରା ପରିବାର ।

୨ ବର୍ଷୀୟ ଶିଶୁ ପୁତ୍ର ଚିକିତ୍ସା ନିମନ୍ତେ ଲକ୍ଷାଧିକ ଟଙ୍କା ଆବଶ୍ଯକ ବୋଲି ଡାକ୍ତର କହିଛନ୍ତି । ହେଲେ ବାପା ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କ ପକ୍ଷେ ପଇସା ଏକଜୁଟ କରିବା ସମ୍ଭବପର ହୋଇପାରୁନି । ଫଳରେ ପିଲାଟି କେବଳ ଘରେ ଶୋଇ ରହୁଛି । ଯଦି ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବେ ଅସ୍ତ୍ରୋପଚାର ମାଧ୍ୟମରେ ଏଭଳି ଅସାଧ୍ୟ ରୋଗରୁ ଶିଶୁଟି ଆରୋଗ୍ଯ ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

 

ଫେବୃୟାରୀରେ ହେବ ସାଙ୍ଘାତିକ ଖରା, ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରଦ

ନନ୍ଦିଘୋଷ ବ୍ୟୁରୋ: ଫେବୃୟାରୀରେ ହେବ ସାଙ୍ଘାତିକ ଖରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳିବ ଉପକୂଳ ଓଡ଼ିଶା । ତାତି ସହ ଅସ୍ତବ୍ୟସ୍ତ କରିବ ଅସହ୍ୟ ଗୁଳୁଗୁଳି । ଦୀର୍ଘମିଆଦି ଆକଳନ ରେ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ । ବିଶେଷ କରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାତି ବୃଦ୍ଧି ପାଇଁ ୟଲୋ ମାର୍କ ଦିଆଯାଇଛି । ସେପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାର ତାତି ୩୫ ଡିଗ୍ରୀ ଛୁଇଁଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି । ବିଶେଷ କରି ଝରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର,କଳାହାଣ୍ଡି, ଗଜପତି, ନୂଆପଡା, ଅନୁଗୁଳରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବ । ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ୩ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ବଜେଟରେ ଓଡ଼ିଶା ଉପେକ୍ଷିତ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ କେନ୍ଦ୍ର ବଜେଟରେ ଓଡ଼ିଶା ନିରାଶ। ବଜେଟରେ ଅନ୍ୟ ରାଜ୍ୟକୁ ସ୍ଵତନ୍ତ୍ର ଅନୁଦାନ ମିଳିଥିବା ବେଳେ ଏଥର ବି ଓଡ଼ିଶାକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ନ୍ୟାଯ୍ୟ ଦାବିକୁ ଏଡ଼ାଇ ଯାଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ବାରମ୍ଵାର ପ୍ରାକୃତିକ ବିପର୍ଯ୍ୟୟରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ଏଥିପ୍ରତି ବଜେଟରେ ଦୃଷ୍ଟି ଦେଇ ନାହାନ୍ତି ବୋଲି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ଏକ୍ସରେ ନବୀନ ଉଲ୍ଲେଖ କରିଛନ୍ତି, ଦେଶର ଯୁବକଙ୍କୁ ଏବେ ନିଯୁକ୍ତି ଦରକାର। ସେହିପରି ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଥିବା ବେଳେ ଦୁର୍ଭାଗ୍ୟ ଯେ ଏହି ଦୁଇଟି ଚ୍ୟାଲେଞ୍ଜକୁ ବଜେଟରେ ଆଦୌ ଦୃଷ୍ଟି ଦିଆଯାଇନାହିଁ ବୋଲି ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି।

କଂଗ୍ରେସର ତୁଟୁନି ମୁଖିଆ ଅଡୁଆ, ୭ ମାସ ଧରି ମୁଖିଆ ବିହୀନ ଓଡ଼ିଶା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ଘୁଞ୍ଚି ଘୁଞ୍ଚି ଚାଲିଛି ହେଲେ ନାଁ ଆସିପାରୁନି । କଂଗ୍ରେସର ତୁଟୁନି ମୁଖିଆ ଅଡୁଆ । ୭ ମାସ ପରେ ବି ଏଆଇସିସି ପିସିସି ସଭାପତି ବାଛିପାରୁନାହିଁ ହାତ ଦଳ । ରାଜ୍ୟ ନେତାଙ୍କୁ ପିସିସି ସଭାପତି ନାଁ କେବେ ଘୋଷଣା ହେବ ପ୍ରଶ୍ନ କଲେ ମିଳୁଛି ଗୋଟିଏ  ଉତ୍ତର- ଖୁବଶୀଘ୍ର । ସଭାପତି ଚୟନ ବିଳମ୍ବ ହେବାରୁ ନିର୍ବାଚିତ ବିଧାୟକମାନେ ବି ନିରବ । ସମସ୍ତଙ୍କ ଅପେକ୍ଷା ହାଇକମାଣ୍ଡଙ୍କ ଘୋଷଣା ଉପରେ ।

ପିସିସି ସଭାପତି ଘୋଷଣା ବିଳମ୍ୱକୁ ନେଇ କଂଗ୍ରେସ କର୍ମୀ ଓ ନେତାମାନେ ନିରୁତ୍ସାହିତ  । ଦଳର ଅନ୍ୟ ବରିଷ୍ଠ ନେତାମାନେ ଚିରାଚରିତ ଢଙ୍ଗରେ ଖୁବଶୀଘ୍ର ଏଆଇସିସି ପିସିସି ସଭାପତି ନାଁ ଘୋଷଣା କରିବେ ବୋଲି କହିକହି ଥକି ପଡ଼ିଲେଣି । ତେବେ ଖୁବ ଶୀଘ୍ର ଏଆଇସିସି ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ବୋଲି ଦୋହରାଇଛନ୍ତି ରେସରେ ଥିବା ଦଳର ବରିଷ୍ଠ ନେତା ଭକ୍ତ ଦାସ  । କିଏ ପିସିସି ସଭାପତି ହେବେ ତାହା ସ୍ଥିର ହୋଇ ସାରିଛି  । ଯେ କୌଣସି ସମୟରେ ହାଇକମାଣ୍ଡ ନାଁ ଘୋଷଣା କରିପାରନ୍ତି  । ପିସିସି ସଭାପତି ହେବା ପାଇଁ ଓଡ଼ିଶା କଂଗ୍ରେସରେ ବହୁ ଦକ୍ଷ ନେତା ଅଛନ୍ତି ବୋଲି ଭକ୍ତ କହିଛନ୍ତି । ତେବେ କାହିଁକି ଘୋଷଣା ବିଳମ୍ୱ ହେଉଛି ତାହାର ଉତ୍ତର ନାହିଁ ଭକ୍ତ ଦାସଙ୍କ ପାଖରେ ।

ସେପଟେ ୭ ମାସ ଧରି ଓଡ଼ିଶା କଂଗ୍ରେସ ମୁଖିଆ ବିହୀନ ହେବା ପରେ ଦଳର ନିର୍ବାଚିତ ଜନ ପ୍ରତିନିଧିମାନେ ଚିନ୍ତାରେ ପଡ଼ିଛନ୍ତି । ବିଧାୟକ ନୀଳମାଧବ ହିକକା ଓ ମଙ୍ଗୁ ଖିଲ ମଧ୍ୟ ସେହି ଚିରାଚରିତ ଉତ୍ତର ରଖିଛନ୍ତି ।  ଉଭୟ ବିଧାୟକ କହିଛନ୍ତି ଯେ କିଏ ପିସିସି ସଭାପତି ହେବେ ତାଙ୍କ ନାଁ ଏଆଇସିସି ଘୋଷଣା କରିବେ । ଯିଏ ବି ପିସିସି ସଭାପତି ହେଉ ତାହା ତୁରନ୍ତ କରାଯାଉ ବୋଲି ବିଧାୟକମାନେ କହିଛନ୍ତି । ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ନେତା ମହମ୍ମଦ ମୋକିମ ସଭାପତି ରେସରେ ଆଗରେ ଅଛନ୍ତି ।

୨୪ ବର୍ଷ ହେବ କ୍ଷମତା ବାହାରେ ରହିଛି କଂଗ୍ରେସ । ଏହା ଭିତରେ ଓଡିଶା କଂଗ୍ରେସ ପାଇଛି ୬ଜଣ ସଭାପତି । ଦଳର ସଂଗଠନ ମଜଭୁତ ହେବା ପରିବର୍ତ୍ତେ ନିର୍ବାଚନରେ ଭୋଟ ହାର କମିକମି ଯାଉଛି । ଏସବୁ ବିଚାର କରି ହାଇକମାଣ୍ଡ କାହାକୁ ରାଜ୍ୟ କଂଗ୍ରେସର ମଙ୍ଗ ଧରାଇବେ ତାକୁ କଂଗ୍ରେସ କର୍ମୀ ଓ ନେତାଙ୍କ ଅପେକ୍ଷା ।