ନନ୍ଦିଘୋଷ ବ୍ୟୁରୋ: ରକ୍ତମୁଖା ପାଲଟିଲେ ହାତୀ। ଦୁଇ ଜଣଙ୍କୁ ଦଳି ଚକଟି ଦେଲେ ଦନ୍ତା। କଳାହାଣ୍ଡି ବିଶ୍ୱନାଥପୁର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ ସେକ୍ସନର କାଦୋମାଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ରକ୍ତମୁଖା ଗଜରାଜଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି। ମୃତକ ହେଲେ କାଦୋମାଳି ଗାଁର ମୁଗାନ ମାଝୀ ଓ ଗାଦ ମାଝୀ। ଦଳିଚକଟି ଦେବା ପରେ ମୃତଦେହକୁ ଏଣେତେଣେ ଫୋପାଡି ଦେଇଛନ୍ତି ହାତୀ। ଘଟଣାସ୍ଥଳରେ ପୋଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି। ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ଏଭଳି ଘଟଣା ଘଟୁଛି। ଜଙ୍ଗଲଛାଡ଼ି ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ହାତୀପଲ।
ଉଦିତଙ୍କ ଭିଡିଓ ଭାଇରାଲ ପରେ ଆଦିତ୍ୟଙ୍କୁ କରାଯାଉଛି ଟ୍ରୋଲ
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏକ ଶୋ’ ସମୟରେ ଜଣେ ଫ୍ୟାନ୍ସଙ୍କୁ କିସ୍ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓକୁ ନେଇ ତାଙ୍କ ପୁଅ ଆଦିତ୍ୟଙ୍କୁ ଏବେ ଟ୍ରୋଲ କରାଯାଉଛି । ସେ ମଧ୍ୟ ଝିଅଙ୍କଠାରୁ ମାଡ଼ ଖାଇଥିବାକୁ ନେଇ ଟ୍ରୋଲ କରାଯାଉଛି । ତେବେ ଘଟଣାଟି ଘଟିଥିଲା ୨୦୧୧ ମସିହାରେ । ଏକ ପବରେ ମଦ୍ୟପାନ କରିଥିବାବେଳେ ଜଣେ ଯୁବତୀଙ୍କୁ କିଛି ଖରାପ କଥା କହିଥିଲେ । ଯେଉଁ କାରଣରୁ ଯୁବତୀ ଜଣକ ଆଦିତ୍ୟଙ୍କୁ ମାଡ଼ ମାରିଥିବା କୁହାଯାଉଛି । ତେବେ ସେହି ସମୟରେ ଆଦିତ୍ୟଙ୍କ ସହ ତାଙ୍କ ପତ୍ନୀ ଯିଏକି ସେତେବେଳେ ଗାର୍ଲଫ୍ରେଣ୍ଡ ଥିଲେ । ସେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ । କିନ୍ତୁ ଆଦିତ୍ୟ ଏହାକୁ ଅସ୍ବିକାର କରିଛନ୍ତି । ସେ କହିଛନ୍ତି କି, ଆମର କେବଳ ଯୁକ୍ତି ତର୍କ ହୋଇଥିଲା । କେବଳ ଏତିକି ନୁହେଁ ବିମାନରେ ଯାତ୍ରା ସମୟରେ କର୍ମଚାରୀଙ୍କ ଖରାପ ବ୍ୟବହାର କରି ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେପଟେ ଉଦିତ ନାରାୟଣ ଭାଇରାଲ ହେବା ପରେ କହିଥିଲେ କି, ଅଯଥାରେ ଏଭଳି କରାଯାଉଛି ।
ସରସ୍ବତୀ ପୂଜାରେ ସ୍ବତନ୍ତ୍ର ବ୍ୟବସ୍ଥା, ୩ କୋଟି ଶ୍ରଦ୍ଧାଳୁ ପକାଇ ପାରିବେ ବୁଡ଼
ନନ୍ଦିଘୋଷ ବ୍ୟୁରୋ: ଆଜି ସାରା ଦେଶରେ ବସନ୍ତ ପଞ୍ଚମୀ ପାଇଁ ଉତ୍ସବ ମୁଖର ରହିଛି । ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ୩ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ବ୍ୟବସ୍ଥା କରାଯାଇଛି । ନିକଟରେ ଦଳାଚକଟାରେ ବହୁ ଲୋକଙ୍କ ପ୍ରାଣ ହାନୀ ହୋଇଥିବାବେଳେ ବହୁ ଶ୍ରଦ୍ଧାଳୁ ଆହତ ମଧ୍ୟ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ସମସ୍ତ ବ୍ୟବସ୍ଥା କରାଯିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଯାଇ ସଙ୍ଗମ ସ୍ଥଳ ଦେଖି ଆସିଛନ୍ତି । ଭିଆଇପିଙ୍କ ପାସ୍ ବାତିଲ କରାଯାଇଥିବାବେଳେ ସୁରକ୍ଷା ଗୁରୁତ୍ବ ଦିଆଯାଇଛି । ଯେଭଳି କୌଣସି ଅସୁବିଧା ନହୁଏ ପ୍ରଶାସନ ଦୃଷ୍ଟି ଦେଉ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଖାଇବାକୁ ଦେବାରେ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ମାଡ଼ ଅଭିଯୋଗ । ଭୁବନେଶ୍ବର ଭରତପୁର ଥାନା ଘାଟିକିଆ ଛକ ନାକା ଗେଟ୍ ନିକଟରେ ଥିବା ଅଂଜଳି ହୋଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିଛି ଗ୍ରାହକ ହୋଟେଲକୁ ଖାଇବାକୁ ଆସିଥିଲେ । ନିଜ ପସନ୍ଦ ମୁତାବକ ଖାଇବା ଅର୍ଡର କରିଥିଲେ । ହେଲେ ଖାଇବା ଦେବାରେ ୨ ମିନିଟ ବିଳମ୍ବ ହେବାରୁ ହୋଟେଲ ଓ୍ବେଟରଙ୍କୁ ଗ୍ରାହକମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଆହତ ଓ୍ବେଟର ଥାନାରେ ଏତଲା ଦେଇଛନ୍ତି । ପୋଲିସ CCTV ଆଧାରରେ ତଦନ୍ତ ଜାରି ରଖିଛି ।
ଜାଣନ୍ତୁ ଦ୍ବିତୀୟ ଦିନରେ କେତେ ରୋଜଗାର କଲା ’ଦେବା’
ନନ୍ଦିଘୋଷ ବ୍ୟୁରୋ: ସାହିଦ କପୁର ଏବଂ ପୂଜାଙ୍କ ଅଭିନୀତ ଫିଲ୍ମ ’ଦେବା’ ରିଲିଜର ଆଜି ତୃତୀୟ ଦିନ । ଆକ୍ସନ ଥ୍ରୀଲର ଭରା ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଥିବା ଶୁଣିବାକୁ ମିଳୁଛି । ତେବେ ଫିଲ୍ମ କେତେ ରୋଜଗାର କରିଛି ଏହା ଉପରେ ସବୁବେଳେ ସମସ୍ତଙ୍କର ନଜର ରହିଥାଏ । ୮୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଦୁଇଦିନ ମଧ୍ୟ ୧୧.୭ କୋଟି ଟଙ୍କା ଆୟ କରିଛି । ତେବେ ଆଜି ରବିବାର ଛୁଟି ଦିନ ରହିଥିବାରୁ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଆକ୍ସନ ଭରା ଏହି ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ରଖାଯାଇଛି । ମାତ୍ର ଏଯାବତ ବଡ଼ ରୋଜଗାର କରିନାହିଁ । ମାତ୍ର ଫିଲ୍ମ ଭଲ ହୋଇଥିବା ଦେଖିଥିବା ଦର୍ଶକେ କହିଛନ୍ତି । ଏଣୁ ଆଗାମୀ ଦିନରେ ଭଲ ରୋଜଗାର କରିବ ବୋଲି କୁହାଯାଉଛି ।
https://www.instagram.com/shahidkapoor/?utm_source=ig_embed&ig_rid=3cf9711a-4ae1-405d-aa63-4d45b04514b3
ଘୋଷଯାତ୍ରା ପାଇଁ ଆଜି ରଥକାଠ ପୂଜାର୍ଚ୍ଚନା
ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ସଂଗ୍ରହର ହେବ ପୂଜାର୍ଚ୍ଚନା । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଥିବା ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରଥମେ ବାଗଦେବୀଙ୍କ ପୂଜାର୍ଚ୍ଚନା କରାଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡ଼ିଂ କରାଯାଇ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯିବାର ରହିଛି ପରମ୍ପରା ।
ଏହାପରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା କାଠତ୍ରୟର ପୂଜାର୍ଚ୍ଚନା ହେବ । ତେବେ ନିର୍ମାଣ ସମୟରେ ଏହି ପୂଜା ହୋଇଥିବା କାଠରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ଗୁଜ ଅନୁକୂଳ କରାଯିବ। ଶ୍ରୀମନ୍ଦିର ପ୍ରଶାସନ, ରଥକାଠ ତତ୍ତ୍ୱାବଧାରକ, ଭୋଇ ସର୍ଦ୍ଧାର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ଏକ ଘଣ୍ଟା ଧରି ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହେବ। ରଥନିର୍ମାଣ ପାଇଁ ଚଳିତବର୍ଷ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ଯେଉଁଥିରେ ୪୮ ଟି ଅସନ ଓ ୫୩ ଟି ସଉରା କାଠ ରହିଛି । ପୂର୍ବ ବର୍ଷର ୫୧ ଖଣ୍ତ କାଠ ଗଛିତ ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୮୧୪ ଖଣ୍ତ ରଥକାଠ ଆସିବ। ପ୍ରତିବର୍ଷ ରଥଯାତ୍ରା ପାଇଁ ସରସ୍ୱତୀ ପୂଜାରୁ ହିଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହେଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥକାର୍ଯ୍ୟ ଆରମ୍ଭ ହେବ।
ଆଜି ଖେଳି ପାରନ୍ତି ମହମ୍ମଦ ସାମି
ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦ । ୫ ମ୍ୟାଚ ବିଶିଷ୍ଟ ସିରିଜରୁ ଭାରତ ୩-୧ରେ ସିରିଜ ଜିତିଛି । ତେବେ ଶେଷ ମ୍ୟାଚରେ ଖେଳି ପାରନ୍ତି ମହମ୍ମଦ ସାମି । ଆଜି ଓ୍ବାଙ୍ଖଡେରେ ମ୍ୟାଚ ଖେଳାଯିବାକୁ ଯାଉଛି । ତୃତୀୟ ଟି-୨୦ରେ ସାମିକୁ ସୁଯୋଗ ମିଳିଥିଲା । କିନ୍ତୁ ଏହି ମ୍ୟାଚରେ ତାଙ୍କୁ କୌଣସି ଓ୍ବିକେଟ ମିଳିନଥିଲା । ତେବେ ଆଜିର ମ୍ୟାଚରେ ସେ ଭଲ ବୋଲିଂ କରିବେ ବୋଲି ଆଶା ରଖାଯାଇଛି । ନେଟରେ ଅଭ୍ୟାସ ଜୋରଦାର କରୁଥିବା ସାମି ଦଳକୁ ଫେରିବା ପାଇଁ ବହୁ ସଂଘର୍ଷ କରିଛନ୍ତି । ୨୦୨୩ ବିଶ୍ବକପ ପରେ ଆହତ କାରଣରୁ ଦୀର୍ଘଦିନ ଧରି ଟିମରୁ ବାହାରେ ରହିଥିଲେ । ଫିଟ ହେବା ପରେ ପୁଣିଥରେ ଦଳରେ ତାଙ୍କୁ ସ୍ଥାନ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫିରେ ସାମି କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ଆଜି ଭାରତ-ଇଂଲଣ୍ଡ ମଧ୍ଯରେ ପଞ୍ଚମ ତଥା ଶେଷ ଟି-ଟ୍ବେଣ୍ଟି ମୁକାବିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ । ୩ଟି ମ୍ଯାଚ ଜିତି ଭାରତ ସିରିଜ୍ ହାତେଇ ସାରିଥିବାବେଳେ ଏହି ପଞ୍ଚମ ମ୍ଯାଚକୁ ଜିତି ନିଜର ମନୋବଳ ଦୃଢ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ୫ ଟିକିଆ ସିରିଜରେ ୩-୧ରେ ଅଗ୍ରଣୀ ରହିଛି ମ୍ଯାନ ଇନ୍ ବ୍ଲୁ । ସୂର୍ଯ୍ଯକୁମାର ଯାଦବଙ୍କ ନେତୃତ୍ବରେ ଟିମ ଏହି ସିଜନରେ ଭଲ ପ୍ରଦର୍ଶନ କରିଛି । ସେପଟେ ଏହି ମ୍ଯାଚ ଜିତି ଆଗାମୀ ସିରିଜ ପାଇଁ ନିଜର ବ୍ଯାଟିଂକୁ ସୁଦୃଢ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେଣୁ ୱାଙ୍ଖଡେରେ ଆଜି ମ୍ଯାଚ ରୋମାଞ୍ଚକ ହେବା ଆଶା କରିଛନ୍ତି କ୍ରିକେଟପ୍ରେମୀ । ଏହାପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବ ଏକଦୀବସୀୟ ସିରିଜ । ୩ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚ ଫେବୃଆରୀ ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ।
ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ
ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ। ଆନ୍ଧ୍ରପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ନାକ୍ ଟିମରେ ସମ୍ବଲପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ପ୍ରଫେସର ଥିବା ସୂଚନା ମିଳିଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ୧୦ ଜଣଙ୍କୁ ଆନ୍ଧ୍ରରେ ସିବିଆଇ ଅଟକ ରଖିଥିବା ସୂଚନା ମିଳିଛି। ଆନ୍ଧ୍ରର ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସରଙ୍କ ଘରେ ଖୋଳତାଡ଼ କରୁଛି ସିବିଆଇ।
ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ
ନନ୍ଦିଘୋଷ ବ୍ୟୁରୋ: ଆଜି ନୟାଗଡ଼ର ବହୁ ଚର୍ଚ୍ଚିତ ମାତା ବୈଷ୍ଣୋଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସଜେଇ ହୋଇଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତର ଜାମୁକଣ ପାହାଡ଼ । ଆଜି ବିରାଜମାନ କରିବେ ମାତା ବୈଷ୍ଣାେଦେବୀ । ଗୁମ୍ଫା ଭିତରେ ରହିଛି ମା’ଙ୍କ ଆସ୍ଥାନ । ପ୍ରାକୃତିକ ପରିବେଶ ଘଞ୍ଚ ଜଙ୍ଗଲ ଭରା ପାହାଡ଼ ଶୀର୍ଷରେ ୧୮୦ ଫୁଟର ଗୁମ୍ଫା ଭିତରେ ବିରାଜମାନ କରିବେ ମା’ ବୈଷ୍ଣୋଦେବୀ । ମା’ଙ୍କ ପ୍ରତିମୂର୍ତ୍ତିର ଓଜନ ୧୮ କୁଇଣ୍ଟାଲ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ପ୍ରାୟ ୨ ଶହ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା । ବହୁ ସାଧୁସନ୍ଥଙ୍କ ଉପସ୍ଥିତିରେ ମହାଆଡ଼ମ୍ବରରେ ମା’ ଜଗତଜନନୀଙ୍କ ବିଗ୍ରହ ସ୍ଥାପନ ପାଇଁ ୨୯ ତାରିଖରୁ ଚାଲିଛି ହୋମଯଜ୍ଞ, ନାମ ସଂକୀର୍ତ୍ତନ । ମାଆଙ୍କ ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି ।
ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି
ନନ୍ଦିଘୋଷ ବ୍ୟୁରୋ: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଆଜିଠାରୁ ବାରବାଟୀରେ ଆରମ୍ଭ ହେବ ଟିକେଟ ବିକ୍ରି । ଅନଲାଇନରେ ଆଜିଠାରୁ ଟିକେଟ ବିକ୍ରି ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ହଜାର ଟିକେଟ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକୁ ପ୍ରାୟ ୧୪ ହଜାର ଟିକେଟ ବିକ୍ରି କରାଯିବ । ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରିହେବ ପ୍ରାୟ ୧୨ ହଜାର ଟିକେଟ । ହର୍ସଗେଟ ପାଖ କାଉଣ୍ଟରରେ ୬ ହଜାର ଟଙ୍କାରୁ ଅଧିକ ମୂଲ୍ଯର ଟିକେଟ ବିକ୍ରି କରାଯିବ । ଅନ୍ଯ ଗ୍ଯାଲେରୀ ପାଇଁ ୪ଟି କାଉଣ୍ଟରରେ ମିଳିବ ଟିକେଟ । ସକାଳ ୧୦ଟା ରୁ କାଉଣ୍ଟରରେ ମିଳିବ ଟିକେଟ । ପରିଚୟପତ୍ର ଦେଖାଇ ଜଣକ ପିଛା ଦୁଇଟି ଟିକେଟ କିଣିପାରିବେ ଦର୍ଶକ । ୫ ଟିକିଆ ଟି-୨୦ ସିସିଜ ଜିତିବା ପରେ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବା ଭାରତ-ଇଂଲଣ୍ଡ ମଧ୍ଯରେ ଦିନିକିଆ ମୁକାବିଲା । ୩ଟିକିଆ ଏହି ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତା ୯ ତାରିଖରେ ବାରବାଟୀରେ ଖେଳାଯିବ । ଏଥିପାଇଁ ୭ ତାରିଖରେ ଉଭୟ ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖ ପୂର୍ବହ୍ଣରେ ଇଂଲଣ୍ଡ ଓ ଅପରାହ୍ନରେ ଭାରତୀୟ ଟିମ୍ ଅଭ୍ଯାସ କରିବେ । ସେପଟେ ସଜେଇ ହେଲାଣି ବାରବାଟୀ ଷ୍ଟାଡିୟମ । ମର୍ଡନ ଗ୍ରାସ କଟକରେ ପଡ଼ିଆର ଘାସ ସବୁ କଟାଯାଇଥିବାବେଳେ ଆଜି ଏହାକୁ ଚେସବୋର୍ଡ ସେପ୍ ଦିଆଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

