spot_img
Home Blog Page 1209

ବଜେଟକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା, କହିଲେ କେତେ ଜଣ ୧୨ ଲକ୍ଷ ଟଙ୍କା ଦରମା ପାଉଛନ୍ତି

ନନ୍ଦିଘୋଷ ବ୍ୟୁରୋ: ବଜେଟକୁ ନେଇ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଖୁସିର କଥା ମଧ୍ୟବିତ୍ତ ଓ ସରକାରୀ ଚାକିରିଆ ଟ୍ୟାକ୍ସ ଦେବେନି। ତେବେ ପ୍ରଶ୍ନ ଉଠୁଛି ଭାରତର କେତେ ଜଣ ବର୍ଷକୁ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହି ବଜେଟରୁ ଚାଷୀ ଉପକୃତ ହେବେ ତ । ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ। ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ କଣ ଓଡ଼ିଶା ପାଇଛି କି ? ଏହା ଓଡ଼ିଶା ପ୍ରତି ଅନ୍ୟାୟ। ବଜେଟ ଖସଡ଼ାରେ ଓଡ଼ିଶା ପାଇଁ କିଛି ମିଳିନି। ବିହାର, ଆନ୍ଧ୍ରକୁ ମିଳିଗଲା। ଓଡ଼ିଶା ପାଇଁ ଏତେ ବୈମାତୃକ ମନୋଭାବ କାହିଁକି ? ଓଡ଼ିଶା ପାଇଁ ସମାରୋହ କରି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଓଡ଼ିଶା କଣ ପାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ସେହିପରି କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ। ଗତ ବର୍ଷ ବଜେଟ ଥିଲା ଆନ୍ଧ୍ର ବଜେଟ। ଏଥରେ ବିହାର ବଜେଟ। କାରଣ ଆନ୍ଧ୍ର ଓ ବିହାର ଯୋଗୁଁ କେନ୍ଦ୍ରରେ ସରକାର ବଞ୍ଚିଛି। ପୂର୍ବାଞ୍ଚଳରେ ବିହାର କିପରି ଆସୁଛି ବୋଲି ପ୍ରଶ୍ନ କରିଛନ୍ତି ଅମର। ଓଡ଼ିଶା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୪ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରିଆସୁଛି। କିନ୍ତୁ ଓଡ଼ିଶାକୁ ସେପରି କିଛି ପ୍ରଦାନ କରାଯାଉନାହିଁ। ସେହିପରି ଆୟକର ନେଇ ପ୍ରତିକ୍ରିୟା ରଖିଛନ୍ତି ଅମର। ଆୟକରଦାତାଙ୍କୁ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମିଳିବ। କିନ୍ତୁ ଏଥିରେ ଫରକ ରହିଛି। ପୁରୁଣା ସ୍ଲାବରେ ଘର ଋଣ ବାବଦରେ ଯାହା ଟିକସରୁ କଟା ଯାଉଥିଲା, ତାହା ନୂଆ ସ୍ଲାବରେ ନାହିଁ। ଯେଉଁଥି ପାଇଁ ନୂଆ ସ୍ଲାବରେ ଘର କିଣିଲେ, ଫାଇଦା ମିଳିବ ନାହିଁ। ଋଣ ପରିମାଣରେ ସୁଧ ବଢିବ ବୋଲି କହିଛନ୍ତି ଅମର ପଟ୍ଟନାୟକ।

ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ। କିଛି ଦିନ ତଳେ ଏହି ବିଲ୍ ର ଚିଠା ଜେପିସିର ଅନୁମୋଦନ ଲାଭ କରିଥିଲା। କିନ୍ତୁ ବିରୋଧୀ ସାଂସଦଙ୍କ ମତକୁ ଏଥିରେ ଧ୍ୟାନ ଦିଆଯାଇନଥିବାର ଅଭିଯୋଗ ହୋଇଛି। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି, କେବଳ ଶାସକ ଦଳ ଦେଇଥିବା ପ୍ରସ୍ତାବକୁ ଚିଠା ବିଲରେ ସ୍ଥାନିତ କରାଯାଇଛି। ଏପରିକି ଅସନ୍ତୋଷ ପ୍ରକାଶ କରି ଯେଉଁ ମନ୍ତବ୍ୟ ବିରୋଧୀ ଦଳର ସାଂସଦମାନେ ମତ ଦେଇଥିଲେ, ତାକୁ  ସ୍ଥାନିତ କରାଯାଇ ନାହିଁ। ଗତ ଜାନୁଆରି ୩୦ ତାରିଖରେ ଚିଠା  ବିଲ୍ କୁ ବାଚସ୍ପତିଙ୍କୁ ପ୍ରଦାନ କରାଯାଇଥିଲା। ଜେପିସିର ଅଧ୍ୟକ୍ଷ ଜଗଦମ୍ଵିକା ପାଲ୍ ସେତେବେଳେ କହିଥିଲେ, ଆମେ ଚିଠା ବିଲକୁ ଗ୍ରହଣ କରିଛୁ। ପ୍ରଥମ ଥର ପାଇଁ ଅବହେଳିତ, ଗରିବ, ମହିଳା ଓ ଅନାଥଙ୍କ ନିକଟକୁ ଯିବ ୱାକଫ୍।

ଫେବୃଆରୀ ୮ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଫେବୃଆରୀ ୮ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର କାର୍ଯ୍ୟକ୍ରମରେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେଓ୍ବାଇସି କରିବାକୁ ବାକି ଅଛନ୍ତି। ୮ ତାରିଖ ପୂର୍ବରୁ ଏହା କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ୟାଙ୍କକୁ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନପିସିଆଇ ଚେକ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଚଳିତ ବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ସୁଭଦ୍ରା ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ। ସବୁଠୁ ଅଧିକ NPCI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବାକି ଅଛି। ତେଣୁ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ଏନପିସିଆଇ କରାଇନିଅନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ପ୍ରେସମିଟରେ କାନ୍ଦିଲେ ଅଯୋଧ୍ୟାର ସାଂସଦ

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟାରେ ଦଳିତ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ନେଇ ସମାଜବାଦୀ ସାଂସଦ ଅବଧେଶ ପ୍ରସାଦ ଏକ ପ୍ରେସମିଟ୍ କରିଥିଲେ । ତେବେ ଏହି ପ୍ରେସମିଟ୍ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଅଯୋଧ୍ୟାର ସାଂସଦ କାନ୍ଦିଥିବା ଦେଖିବାକୁ ମିଳିଥିଲା । ସେ ଭୋ ଭୋ ହୋଇ କାନ୍ଦିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଗତକାଲି ପିଡ଼ିତାଙ୍କ ପରିବାରକୁ ଭେଟିଥିଲେ ସାଂସଦ । ଶାନ୍ତ୍ବନା ଦେବା ସହ ନ୍ୟାୟ ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ପ୍ରେସମିଟ୍ ସମୟରେ ସେ କାନ୍ଦିଥିବାବେଳେ ପାଖରେ ବସିଥିବା ସାଂସଦ ପଓ୍ବନ ପାଣ୍ଡେୟ ସାଂସଦଙ୍କ ଲୁହ ପୋଛି ଥିଲେ ।

ସେପଟେ ସାଂସଦ କହିଥିଲେ କି, ଏହି ଘଟଣା ସଂସଦରେ ଉଠିବ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଜଣାଇବି । ଯଦି ନ୍ୟାୟ ନମିଳେ ତାହେଲେ ଇସ୍ତଫା ଦେଇ ଦେବି । ଆମେ ମହିଳାଙ୍କୁ ସମ୍ମାନ ରକ୍ଷା କରିବାରେ ଅସମର୍ଥ ହେଲେ ଇତିହାସ କଣ କହିବ ବୋଲି କହିଥିଲେ ସାଂସଦ । ସେପଟେ ଅଯୋଧ୍ୟ ସଂସଦୀୟ କ୍ଷେତ୍ରର ମିଲ୍କପୁର ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ୨ଦିନ ପୂର୍ବରୁ ସାଂସଦଙ୍କ ଭିଡିଓ ଭାଇରାଲ ହୋଇଥିବାବେଳେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ତେଜିଲା ରାଜନୀତି, ବିଜେପି ବିରୋଧରେ କେଜ୍ରିୱାଲଙ୍କ ଗୁରୁତର ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଗୁରୁତର ଅଭିଯୋଗ। ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ୟ କରାଯାଉଛି। ବିଭିନ୍ନ ଧମକଚମକ ଦିଆଯାଉଛି। ରାଜଧାନୀରେ ଆଇନଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ବୋଲି ସେ କହିଛନ୍ତି। ସେପଟେ  ପଞ୍ଜାବ ଅମୃତସରରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା। ଏହାକୁ ନେଇ ବଢ଼ିଲା ରାଜନୀତି। ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ଆପକୁ ଦାୟୀ କରି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ। କଂଗ୍ରେସ ନେତା ଉଦିତ ରାଜଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି। ପୂର୍ବରୁ ଅମୃତସରର ଟାଉନ ହଲ ଇଲାକାରେ ଥିବା ଏହି ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ତାଲିଥିଲା ଶିରୋମଣି ଅକାଳୀ ଦଳ ବାଦଲ ଗୋଷ୍ଠୀ। ଦଳର ନେତା ରଞ୍ଜିତ ସିଂ ଖୁରାନା ଓ ଅନ୍ୟତମ ନେତା ରାଜିନ୍ଦର ସିଂ ଚଣ୍ଡୀ ପଞ୍ଜାବ ସରକାରଙ୍କୁ ଏହି ଘଟଣାରେ ଦାୟୀ କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ଅବସ୍ଥାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଥିଲା ଶିରୋମଣି ଅକାଳୀ ଦଳ। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ମୂଳରେ ଷଡ଼ଯନ୍ତ୍ର ନିହିତ ରହିଛି ବୋଲି ବିଭିନ୍ନ ମହଲ ଅଭିଯୋଗ କରୁଛନ୍ତି। ସେପଟେ ଦିଲ୍ଲୀରେ ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଛନ୍ତି ଆପ୍ ସୁପ୍ରିମୋ କେଜ୍ରିୱାଲ।

 

କାହିଁକି ହେଲା ଦଳାଚକଟା ? ଚାଲିଛି ଜୋରଦାର ତଦନ୍ତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ମହାକୁମ୍ଭ ମେଳାରେ ହୋଇଥିବା ଦଳା ଚକଟାରେ ଅନେକ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ଏହି ଘଟଣାରେ ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ ତଦନ୍ତ ଜୋରଦାର ଆରମ୍ଭ କରିଛି । ୟୁପିର ଏସଟିଏଫ ଟିମର ଯାଞ୍ଚ ଜାରି ରହିଛି । ଜାଣିଶୁଣି ଏଭଳି ଅଘଟଣ ଘଟା ଯାଇନି ତ ? ଏମିତି ଅନେକ ସନ୍ଦେହ କରି ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ଏଣୁ ଏସଟିଏଫ ପକ୍ଷରୁ ସଙ୍ଗମସ୍ଥଳର ଆଖପାଖରେ ଥିବା ବିଭିନ୍ନ ମୋବାଇଲ ନମ୍ବର ଯାଞ୍ଚ କରୁଛି । କୁହାଯାଉଛି କି, ୧୬ ହଜାରରୁ ଅଧିକ ମୋବାଇଲ ନମ୍ବର ଯାଞ୍ଚ କରାଯାଇଛି । ଏପରିକି ଘଟଣା ପରେ ଅନେକ ମୋବାଇଲ ସୁଇଚ୍ ଅଫ୍ ଆସୁଛି । ଏହାସହ ସଙ୍ଗମସ୍ଥଳରେ ଲାଗିଥିବା ସୁସିଟିଭିକୁ ମଧ୍ୟ ତନତନ କରି ଯାଞ୍ଚ କରାଯାଉଛି । ସେପଟେ ଆଜି ବସନ୍ତ ପଞ୍ଚମୀରେ ୟୁପି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା କରାଯାଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଛି ।

ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ସୋମବାର ସକାଳ ୫ଟାରୁ ଆରମ୍ଭ ହେବାକୁ ଯାଉଛି । ଏଣୁ ପୁଣି ଏକ ଅଘଟଣ ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ଦିଗକୁ ଦୃଷ୍ଟି ଦିଆଯାଉଥିବା କୁହାଯାଉଛି । ତେବେ ସକାଳ ୪ଟାରେ ପ୍ରଥମେ ପଞ୍ଚାୟତି ଆଖଡ଼ା ମହାନିର୍ବାଣି ଅମୃତ ସ୍ନାନ ପାଇଁ ସଙ୍ଗମସ୍ଥଳରେ ପହଞ୍ଚିବେ । ଏହାପରେ ଅନ୍ୟ ଆଖଡ଼ାମାନେ ଆସିବେ ବୋଲି ସୂଚନା ମିଳିଛି । ୧୨ଟି ଆଖଡ଼ା ପକ୍ଷରୁ ଅମୃତ ସ୍ନାନ କରାଯିବ । ଭିଆଇପିଙ୍କ ପାସ ବାତିଲ କରାଯାଇଛି । ସେପଟେ ଆସନ୍ତା ୫ ତାରିଖରେ ସଙ୍ଗମସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ନିଶାରେ ପୁଅକୁ ମାରିଦେଲା ବାପା, ନିଶା ଛାଡ଼ିବା ପରେ..

ନନ୍ଦିଘୋଷ ବ୍ୟୁରୋ: ପୁଅକୁ ହତ୍ୟାକଲା ନିଶାଗ୍ରସ୍ତ ବାପା । ଏଭଳି ଅଭିଯୋଗ ଆସିଛି ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ଜିଲ୍ଲା ବନ ଗାଁରୁ । ଗତକାଲି ରାତିରେ ଏହି ଗାଁର ଅମଲ ବିଶ୍ୱାସ ମଦ ପିଇ ଘରକୁ ଫେରିଥିଲା । ଫଳରେ ତାଙ୍କ ପତ୍ନୀ ଓ ପୁଅ ସହିତ ବଚସା ହୋଇଥିଲା । ଏଥିରେ ଅମଲ ଉଗ୍ର ହୋଇ ପୁଅ ଆଶିଷ ବିଶ୍ବାସକୁ ହତ୍ୟା କରିଥିଲା । ଏନେଇ ଆଶିଷଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ଅମଲକୁ ଗିରଫ କରିଛି ପୋଲିସ । ତେବେ ନିଶାଗ୍ରସ୍ତ ଅବସ୍ଥାରେ ପୁଅକୁ  ହତ୍ୟା କରିଥିବା ଅମଲ ସ୍ବୀକାର କରିଛି ।

ଆମେରିକା ଓ କାନାଡା ମଧ୍ୟରେ ବଡ଼ ଧରଣର ଟ୍ରେଡ୍ ୱାର୍

ନନ୍ଦିଘୋଷ ବ୍ୟୁରୋ: ଆମେରିକା ଓ କାନାଡା ମଧ୍ଯରେ ବଡ଼ ଧରଣର ଟ୍ରେଡ ୱାର। ସମସ୍ତ ଧମକକୁ ଖାତିର ନ କରି ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ଗତ ଜାନୁଆରୀ ୨୮ରେ କାନାଡାରୁ ଉତ୍ପାଦିତ ସମସ୍ତ ସାମଗ୍ରୀ ଉପରେ ୨୫ ଶତ କର ଲାଗୁ କରିବା ଲାଗି ଆମେରିକା  ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଘୋଷଣା କରିବା ପରେ ଜବାବ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି ଟ୍ରୁଡୁ। କାନାଡାର ଏହି ନିଷ୍ପତ୍ତି ଫଳରେ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବାକୁ ଯାଉଥିବା କର ପରିମାଣ ୧୫୫ ବିଲିୟନ ଆମେରିକୀୟ ଡଲାର ହେବ। ଟ୍ରୁଡୁ କହିଛନ୍ତି- କିଛି ବର୍ଷ ତଳେ ଆମେରିକା ଓ କାନାଡା ମଧ୍ଯରେ ହୋଇଥିବା ମୁକ୍ତ ବାଣିଜ୍ଯ ରାଜିନାମାକୁ ଟ୍ରମ୍ପଙ୍କ ନୂଆ ଘୋଷଣାନାମା ଉଲ୍ଲଂଘନ କରୁଛି। ଦୁଇ ପ୍ରମୁଖ ଦେଶ ମଧ୍ଯରେ ଆରମ୍ଭ ହୋଇଥିବା ବାଣିଜ୍ଯିକ ଯୁଦ୍ଧରେ ଅନ୍ଯାନ୍ଯ ରାଷ୍ଟ୍ର ବି କ୍ଷତି ସହିବାର ସମ୍ଭାବନା ରହିଛି। ଗତ ଫେବୃଆରୀ ୧ ତାରିଖରେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ କର ଏବଂ ମେକ୍ସିକୋରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ କର ଲାଗୁ କରିଥିଲେ ଟ୍ରମ୍ପ।

ଆଉ ଏକ ରେକର୍ଡ ଅପେକ୍ଷାରେ ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି ଭାରତ । ଏବେ ପୁଣି ଭାରତ ପାଇଁ ରେକର୍ଡ କରିବାର ଆଉ ଏକ ସୁଯୋଗ ରହିଛି । ତେବେ ଟିମ ଇଣ୍ଡିଆ ଆଗରେ ରହିଛି ଦକ୍ଷିଣ ଆଫ୍ରିକା । ୧୯ ବର୍ଷରୁ କମ ମହିଳା ଟି-୨୦ ବିଶ୍ବକପ ଚାଲିଛି । ଯେଉଁଥିରେ ଫାଇନାଲରେ ସାଉଥ ଆଫ୍ରିକାକୁ ଭେଟିବ ଭାରତ । ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିବା ସହ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି । ତ୍ରିଶା ଗଙ୍ଗାଡ଼ି ଏବେ ଦମଦାର ଫର୍ମରେ ରହିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ଦଳକୁ ବିଜୟରେ ସହାୟକ ହୋଇଛନ୍ତି । ଏଣୁ ଆଜି ଖେଳିାଯିବାକୁ ଥିବା ଫାଇନାଲରେ ମଧ୍ୟ ସେ ବିଜୟ ତିଳକ ପିନ୍ଧାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ତ୍ରିଶା ଏଯାବତ ୬ ପାଳିରେ ୬୬.୨୫ ହାରରେ ୧୪୯ ଷ୍ଟ୍ରାଇକ୍ ରେଟ୍ ୨୬୫ ରନ ସଂଗ୍ରହ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ସେ ଏକ ଶତକ ମାରିବା ସହ ସର୍ବାଧିକ ସ୍କୋର କରିଛନ୍ତି । ଟି-୨୦ମହିଳା ଅଣ୍ଡର-୧୯ ବିଶ୍ବକପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର ରହିଛି ୨୯୭ ।  ତେବେ ତ୍ରିଶା ଫାଇନାଲରେ ଆଉ ୩୯ ରନ କଲେ ବିଶ୍ବ ରେକର୍ଡ କରିବେ । ସେପଟେ ବ୍ୟାଟିଂ ସାଙ୍ଗକୂ ବୋଲିଂରେ ମଧ୍ୟ ଭାରତ ଏବେ ଭଲ ପ୍ରଦର୍ଶନ ଜାରି ରଖିଛି । ଏଣୁ ଭାରତ ଚାମ୍ପିୟନ ହେବାର ଦାବିଦାର ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି ।

ବିଦ୍ୟାଳୟକୁ ପୂଜା କରିବାକୁ ଗଲାବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ସରସ୍ଵତୀ ପୂଜାରେ ଅଘଟଣ । ବିଦ୍ୟାଳୟକୁ ପୂଜା କରିବାକୁ ଗଲାବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମୂର୍ଶୁଣ୍ଢି ମେଟାକାନି ଛକରେ । ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟି ହୋଇ ଛାତ୍ରଙ୍କ ମୃତ୍ୟୁ ହୋଇଛି  । ମୃତକ ଛାତ୍ର ହେଲେ ଚୌକା ଗାଁର ନବମ ଶ୍ରେଣୀର ଛାତ୍ର କ୍ରିସ ମହାକୁର । ଚୌକା ଗାଁର ଦୁଇଜଣ ଛାତ୍ର ମୂର୍ଶୁଣ୍ଢି ରଘୁନାଥ ଉଚ୍ଚ ବିଦ୍ୟାଳୟକୁ ସ୍ବରସ୍ବତୀ ପୂଜା ପାଇଁ ବାଇକ ଯୋଗେ ଆସୁଥିଲେ । ମେଟାକାନି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଦୁଇ ଛାତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ । ତେବେ ଡାକ୍ତର ପ୍ରାଥମିକ ଚିକିତ୍ସା କରି କ୍ରିସକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଛାତ୍ର ଦେବାଶିଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।