spot_img
Home Blog Page 1158

ଚଳିତ IPLର ପ୍ରଥମ ମ୍ୟାଚ ବାତିଲ ହେବ? ସାମ୍ନାକୁ ଆସିଲା ଏକ ବଡ଼ ସଙ୍କଟ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜିନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଚାମ୍ପିୟନ କୋଲକତା ନାଇଟ ରାଇଡର୍ସକୁ କଡ଼ା ଟକ୍କର ଦେବା ପାଇଁ ପ୍ରସ୍ତୁତି ଚଳାଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଓପନିଂ ସେରିମନୀ ପାଇଁ ସମସ୍ତ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଓ ଶ୍ରେୟସ ଘୋଷାଲଙ୍କ ପରି କଳାକାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ । ତେବେ ଆଇପିଏଲର ଉଦଘାଟନୀ ମ୍ୟାଚ ପାଇଁ ମାତ୍ର ଗୋଟିଏ ଦିନରୁ କମ୍ ସମୟ ଥିବାବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଏହି ସିଜିନର ପ୍ରଥମ ମ୍ୟାଚ ସମ୍ପୂର୍ଣ୍ଣ ଭାବେ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି । କାରଣ ମୌସୁମୀ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଭାରତୀୟ ମୌସୁମୀ ବିଭାଗ (IMD) ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗରେ ଝଡ଼ ଓ ବର୍ଷାର ଭବିଷ୍ୟବାଣୀ କରିଛି । ଆଇପିଏଲ ୨୦୨୫ର ପ୍ରଥମ ଦିନ ୨୨ ମାର୍ଚ୍ଚ ପାଇଁ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି । ରବିବାର ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏକ ରିପୋର୍ଟ ମୁତାବକ, ଶନିବାର ଦିନ କୋଲକତାରେ ବର୍ଷାର ସମ୍ଭାବନା  ୭୪ ପ୍ରତିଶତ ରହିଛି । ସେହିପରି ବାଦଲ ଛାଇ ରହିବାର ସମ୍ଭାବନା ୯୭ ପ୍ରତିଶତ ରହିଛି । ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ସେଥିପାଇର୍ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚ ସମୟରେ ଇଡେନ ଗାର୍ଡନ୍ସରେ ଖୁବ୍ ବର୍ଷା ହେବ । ତେଣୁ କୋଲକତା ଓ ବେଙ୍ଗାଲୁରୁ ପର୍ଯ୍ୟପ୍ତ ଓଭର ଖେଳିପାରିବେ କି ନା ତାହା କହିବା ଏବେ ମୁସ୍କିଲ ହୋଇପଡ଼ିଛି ।

UPS ନୋଟିଫିକେସନ ଜାରି: ଏପ୍ରିଲ ପହିଲାରୁ ଆରମ୍ଭ ହେବ ଆବେଦନ, କ’ଣ ରହିଛି ପ୍ରକ୍ରିୟା?

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଗ୍ୟାରେଣ୍ଟି ପେନସନ ଦେବା ପାଇଁ ଏକୀକୃତ ପେନସନ ଯୋଜନା (UPS)ର ଘୋଷଣା କରାଯାଇଥିଲା । ଆସନ୍ତା ମାସ ପହିଲାରୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ବର୍ତ୍ତମାନର ଓ ନୂଆ ଭର୍ତ୍ତି ହେବାକୁ ଥିବା କର୍ମଚାରୀମାନେନ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ । ପେନପସନ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧିକରଣ (PFRDA) ଏନେଇ ନୋଟିଫିକେସନ ଜାରି କରିଛି । କେନ୍ଦ୍ର କର୍ମଚାରୀମାନେ ଏପ୍ରିଲ ୧ରୁ ପୋର୍ଟାଲରେ ଆବେଦନ କରିପାରିବେ । ଯଦି କର୍ମଚାରୀ ୟୁପିଏସ ଅଧିନରେ ପେନସନ ପାଇବାକୁ ଚାହାନ୍ତି, ତେବେ ତାଙ୍କୁ ୟୁପିଏସର ଅପ୍ସନ ସିଲେକ୍ଟ କରି କ୍ଲେମ ଫର୍ମ ଭରିବାକୁ ପଡ଼ିବ । ଯଦି ସେ ୟୁପିଏସର ଚୟନ କରିବାକୁ ଚାହାନ୍ତି ନାହିଁ, ତେବେ ଏନପିଏସର ବିକଳ୍ପ ବାଛି ପାରିବେ । ୨୩ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ୟୁପିଏସ ଓ ଏନପିଏସ ମଧ୍ୟରୁ କୌଣସି ଗୋଟିଏ ବିକଳ୍ପ ବାଛିବାକୁ ପଡ଼ିବ । ୟୁପିଏସ ଅଧୀନରେ ସର୍ବନିମ୍ନ ପେନସନ ପ୍ରତି ମାସରେ ୧୦ ହଜାର ଟଙ୍କା ହେବ, ଯାହା ୟୁପିଏସ ଦ୍ବାରା ସର୍ବନିମ୍ନ ୧୦ ବର୍ଷର ସେବାକୁ ପୂରା କରିବା ପରେ ଦିଆଯିବ । https://npscra.nsdl.co.in ଓ୍ବେବସାଇଟକୁ ଯାଇ ସବୁ ବର୍ଗର କର୍ମଚାରୀମାନେ ଆବେଦନ କରିପାରିବେ ।

କେଉଁମାନେ UPS ପାଇଁ ଆବେଦନ କରିପାରିବେ?

  • ୨୦୨୫ ମସିହା ଏପ୍ରିଲ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିବା ବ୍ୟକ୍ତି, ଯେ କି ପୂର୍ବରୁ ଏନପିଏସ ଅଧିନରେ ଆସୁଥିବେ ।
  • ଉପରୋକ୍ତ ତାରିଖରେ ବା ତା’ପରେ କେନ୍ଦ୍ର ସରକାରଙ୍କ ସେବାରେ ଭର୍ତ୍ତି ହୋଇଥିବା ନୂଆ କର୍ମଚାରୀ ସାମିଲ ହେବାର ୩୦ ଦିନ ଭିତରେ ଏହାର ବିକଳ୍ପ ବାଛିବାକୁ ପଡ଼ିବ ।
  • କେନ୍ଦ୍ର ସରକାରଙ୍କ କୌଣସି କର୍ମଚାରୀ ଯିଏ ଏନପିଏସ ଅଧୀନରେ ଆସୁଥିବେ ଓ ରିଟାୟାର୍ଡ ହୋଇସାରିଥିବେ ବା ସ୍ବେଚ୍ଛାକୃତ ଅବସର ନେଇସାରିଥିବେ ।
  • ଆଇନଗତ ଭାବେ ବିବାହିତ ଜୀବନସାଥୀ ଯେ କି ରିଟାୟାର ହୋଇସାରିଥିବେ ବା ୟୁପିଏସର ବିକଳ୍ପର ଉପଯୋଗ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସଓପି ଜାରି କଲା ଉଚ୍ଚଶିକ୍ଷା ବିଭାଗ: ସକାଳ ସମୟରେ କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ପତ୍ର। ଏଥିପାଇଁ ଜାରି ହୋଇଛି ଏସଓପି। ସକାଳ ସମୟରେ ହିଁ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଜାରି ସହ ଉପରବେଳା ଏସବୁ କାମ କରିବା ଲାଗି କୁହାଯାଇଛି। ସମସ୍ତ ପ୍ରତିଷ୍ଠାନରେ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରାଯିବ। ପ୍ରତିଷ୍ଠାନ ଭିତରେ ଥିବା ନଳକୂପ ଓ ପମ୍ପର ମରାମତି କରାଯିବ। କଲେଜ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ ସୁବିଧା ରଖାଯିବ। ହିଟ ୱେଭ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ସମସ୍ତ ନିଷ୍ପତ୍ତିର କାର୍ଯ୍ୟକାରିତାର ଅନୁଧ୍ୟାନ ଲାଗି ଏକ ସ୍କ୍ବାଡ ଗଠନ କରିବାକୁ ନିର୍ଦ୍ଦେଶଦିଆଯାଇଛି।

କ’ଣ ଏହି ’ଗିଲୋଟିନ’, ଏହା ମାଧ୍ୟମରେ ସାଧାରଣ ବଜେଟ କିପରି ପାସ୍ ହୋଇଥାଏ?

ନୂଆାଦିଲ୍ଲୀ: ସଂସଦର ଚଳିତ ବଜେଟ ଅଧିବେଶନରେ ଆଜି କେନ୍ଦ୍ର ସରକାର ଅର୍ଥମନ୍ତ୍ରୀଙ୍କ ଦ୍ବାରା ଆଗତ ହୋଇଥିବା ବଜେଟକୁ ପାସ୍ କରିପାରନ୍ତି । ଏହାକୁ ନେଇ ବିଜେପି ନିଜର ସାଂସଦମାନଙ୍କ ପାଇଁ ହ୍ବିପ ଜାରି କରିଛି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଲୋକସଭାରେ ଥ୍ରି ଲାଇନ ହ୍ବିପ ଜାରି କରି ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ କହିଛି ।  ସରକାର ବଜେଟକୁ ନେଇ ଆଗକୁ ଚର୍ଚ୍ଚା ନକରି ଗିଲୋଟିନ ମାଧ୍ୟମରେ ଏହାକୁ ପାସ କରିପାରନ୍ତି ବୋଲି କଂଗ୍ରେସ ଆଶଙ୍କା କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସରକାର ଚର୍ଚ୍ଚାରୁ ଦୂରେଇ ଯାଉଥିବା କଂଗ୍ରେସ କହିଛି ।

ଅନ୍ୟପକ୍ଷରେ ବିଜେପି ତରଫରୁ ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ତିନି ଲାଇନର ହ୍ବିପ ଜାରି କରାଯାଇଛି । ବଜେଟ ପାରିତ ହେବା ପାଇଁ ଲୋକସଭାରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ କୁହାଯାଇଛି । ପ୍ରକୃତ କଥା ହେଉଛି, ଗିଲୋଟିନ ଏକ ସଂସଦୀୟ ରଣନୀତିର ଅଂଶ । କୌଣସି ବିଧେୟକକୁ ବିନା କୌଣସି ଚର୍ଚ୍ଚାରେ ପାରିତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଯେତେବେଳେ ସରକାର କୌଣସି ବିଧେୟକକୁ ଜଲଦୀ ଜଲଦୀ ପାରିତ କରିବାକୁ ଚାହାନ୍ତି, ସେତେବେଳେ ଏହାର ବ୍ୟବହାର କରାଯାଇଥାଏ । କେନ୍ଦ୍ର ଅର୍ଥମନନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ ଆଗତ କରିଥିଲେ । ସରକାରଙ୍କ ତରଫରୁ ଆଗତ ହୋଇଥିବା ବଜେଟକୁ ନେଇ ବିପକ୍ଷ କ୍ରମାଗତ ଭାବେ ବର୍ଷୁଛନ୍ତି । ଅଧିବେଶନର ପ୍ରତ୍ୟେକ ଦିନ ହଙ୍ଗାମାରେ ବିତୁଛି । ତେଣୁ ଏପରି ସ୍ଥିତିରେ ସରକାର ଗିଲୋଟିନ ମାଧ୍ୟମରେ ବଜେଟକୁ ପାସ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପକ୍ଷରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ନିଜର ସାଂସଦଙ୍କ ପାଇଁ ହ୍ବିପ ଜାରି କରିଛନ୍ତି ।

କାଳ ବୈଶାଖୀର କରାଳ ରୂପ: ମୟୂରଭଞ୍ଜରେ ବର୍ଷା ସହ କୁଆପଥର ମାଡ଼

ବାରିପଦା: କାଳ ବୈଶାଖୀର କରାଳ ରୂପ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ, ବିଶୋଇ, ବାଙ୍ଗିରିପୋଷି, କୁଳିଅଣା ଓ ବାରିପଦା ବ୍ଲକରେ ବର୍ଷା ସହ କୁଆପଥର ମାଡ। ଉଡ଼ିଲା ଘରର ଛାତ। ଗଡ଼ିଲା ଅନେକ ଛୋଟ ବଡ ଗଛ। କୁଆପଥର ବର୍ଷାରେ ବିଛେଇ ହୋଇଛି ଧରିତ୍ରୀ ମାଟି। ଗୋଟେ ଗୋଟେ କୁଆପଥରର ଓଜନ ୨୫୦-୫୦୦ଗ୍ରାମ ପାଖାପାଖି। ସେପଟେ ଭାଙ୍ଗିଲା ବସର କାଚ। ରାଜା ବସ ବାରିପଦାରୁ ବିଶୋଇ ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଛକ ନିକଟରେ କାଳ ବୈଶାଖୀ ହୋଇଥିଲା। ବଡ଼ ବଡ଼ କୁଆପଥର ମାଡ଼ରେ ବସର କାଚ ଭାଙ୍ଗି ଯାଇଥିଲା ଓ ଭିତରେ ଥିବା ଯାତ୍ରୀ ଆହତ ହୋଇଥିଲେ। ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ପଞ୍ଚାୟତର ଦୁଇ ଗ୍ରାମ ମୂଷାମାରୀ ଓ ପର୍ଶିଡି ଗାଁରେ କୁଆ ପଥର ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି। ଆହତ ସମସ୍ତ ଯାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୋଇ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

IPLର ଟପ-୧୦ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୮ତମ ସିଜିନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମେ ୨୫ରl ଫାଇନାଲ ମୁକାବିଲା ଖେଳାଯିବ । ଇଡନ ଗାର୍ଡନରେ କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥର ୧୦ଟି ଟିମ ମଧ୍ୟରେ ୬୫ ଦିନରେ ମୋଟ ୭୪ଟି ମ୍ୟାଚ ଖେଳkଯିବ । ଆଇପିଏଲ ଇତିହାସରେ ଏପରି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ ମୁସ୍କିଲ ହୋଇପାରେ ।

(୧) ଗୋଟିଏ ଆଇପିଏଲରେ ସର୍ବାଧିକ ୯୭୩ ରନ କରିବାର ରେକର୍ଡ ବିରାଟ  କୋହଲିଙ୍କ ନାମରେ ରହିଛି । ଏହି ରେକର୍ଡ ୯ ବର୍ଷ ଧରି ଅତୁଟ ରହିଛି । ୨୦୧୬ରେ କୋହଲି ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

(୨) ସବୁଠାରୁ ବଡ଼ ପାର୍ଟନରଶିପର ରେକର୍ଡ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୬ରେ ଦୁହେଁ ୨୨୯ ରନ ଯୋଡ଼ିଥିଲେ । ବିରାଟ ୫୫ଟି ବଲରୁ ୧୦୯ ରନ୍ ଓ ଡିଭିଲର୍ସ ୫୨ଟି ବଲରୁ ୧୨୯ ରନ୍ ସଂଗ୍ରହ କରିଥିଲେ ।

(୩) ୨୦୧୩ରେ କ୍ରିସ ଗେଲ ପୁଣେ ଓ୍ବାରିୟର୍ସ ବିପକ୍ଷରେ ସବୁଠାରୁ ଦ୍ରୁତ ଶତକ ହାସଲ କରିଥିଲେ । ଗେଲ ପଞ୍ଜାବ କିଙ୍ଗସ ତରଫରୁ ଖେଳି ୩୮ଟି ବଲରେ ଶତକ ମାରିଥିଲେ ।

(୪) ଅର୍ଦ୍ଧଶତକ ମାରିବାର ରେକର୍ଡ ରାଜସ୍ଥାନ ଓପନର ଯଶସ୍ବୀ ଜୟଓ୍ବାଲଙ୍କ ନାମରେ ରହିଛି । ୨୦୨୩ରେ ଯଶସ୍ବୀ କୋଲକତା ବିପକ୍ଷରେ ୧୩ଟି ବଲରେ ହାଫ୍ ସେଞ୍ଚୁରୀ ମାରିଥିଲେ । ସେ ୩ଟି ଛକା ଓ ୬ଟି ଚୌକା ମାରିଥିଲେ ।

(୫) ୨୦୧୩ରେ ଗେଲ ଗୋଟିଏ ମ୍ୟାଚରେ ୧୭ଟି ଛକାର ମାରିଥିଲେ । ଉକ୍ତ ମ୍ୟାଚରେ ସେ ୧୭୫ ରନ୍ ସଂଗ୍ରହ କରିଥିଲେ । କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଗୋଟିଏ ପାଳିରେ ଏହା ହେଉଛି ସର୍ବାଧିକ ରନ୍ ।

(୬) ଗେଲ ଓ ରବିନ୍ଦ୍ର ଜାଡେଜାଙ୍କ ନାମରେ ଗୋଟିଏ ଓଭରରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି । ୨୦୧୧ରେ ଗେଲ ଆରସିବି ତରଫରୁ ଖେଳି କୋଚି ବିପକ୍ଷରେ ଗୋଟିଏ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ । ସେହିପରି ୨୦୨୧ରେ ଚେନ୍ନାଇ ତରଫରୁ ଖେଳି ଆରସିବି ବିପକ୍ଷରେ ଜାଡେଜା ଗୋଟିଏ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ ।

(୭) ଓ୍ବେଷ୍ଟଇଣ୍ଡିଜ ପେସର ଅଲଜାରୀ ଜୋସେଫ ଆଇପିଏଲରେ ମୁମ୍ବାଇ ବିପକ୍ଷରେ ୨୦୧୯ରେ ଡେବ୍ୟୁ କରିଥିଲେ । ସେ ହାଇଦ୍ରାବାଦ ବିପକ୍ଷରେ ୩.୪ ଓଭର ବୋଲିଂ କରି ୧୨ ରନ୍ ଦେଇ ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

(୮) ଆଇପିଏଲ ଇତିହାସରେ ଜଣେ ବୋଲର ୩ ଥର ହ୍ୟାଟ୍ରିକ ନେଇଛନ୍ତି । ଅମିତ ମିଶ୍ରା ଦିଲ୍ଲୀ, ଡେକାନ ଚାର୍ଜର୍ସ ଓ ହାଇଦ୍ରାବାଦ ବିପକ୍ଷରେ ଏହି ରେକର୍ଡ କରିଥିଲେ ।

(୯) କୋଲକତା ୨୦୧୪ରୁ ୨୦୧୫ ମଧ୍ୟରେ କ୍ରମାଗତ ୧୦ଟି ମ୍ୟାଚ ଜିତି ରେକର୍ଡ କରିଥିଲା । କୋଲକତା ଲଗାତର ୧୪ଟି ଟି-୨୦ ମ୍ୟାଚ ଜିତିଥିଲା । ୨୦୧୪ରେ ଆଇପିଏଲ ଟ୍ରଫି ଜିତିବା ପରେ ଚାମ୍ପିୟନ୍ସ ଲିଗ ଟି-୨୦ରେ ୫ଟି ମ୍ୟାଚ ଜିତିଥିଲା ।

(୧୦) ଆଇପିଏଲରେ ଫିଲଡିଂ ରେକର୍ଡ ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୬ ସିଜିନରେ ସେ ଗୋଟିଏ କି ଦୁଇଟି ନୁହେଁ, ମୋଟ ୧୯ଟି କ୍ୟାଚ ନେଇଥିଲେ । ଜଣେ ଫିଲ୍ଡର (ଓ୍ବିକେଟ କିପର ନୁହେଁ) ଭାବେ ଗୋଟିଏ ସିଜିନରେ ଏହା ହେଉଛି ସର୍ବାଧିକ କ୍ୟାଚ ।

ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ସାଢେ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପାଠପଢା

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗତକାଲି ଚିଠି ଲେଖିଥିଲେ ସ୍କୁଲ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ସହ ପାନୀୟ ଜଳ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତ୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସେହିପରି ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ସରକାରଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ, ରାଜ୍ୟ ଐତିହ୍ୟର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛ ?

ଭୁବନେଶ୍ବର: ରାଜ୍ୟରେ ଐତିହାସିକ କିର୍ତ୍ତିରାଜୀର ସୁରକ୍ଷା ଦିଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଉଦାସୀନତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଅନେକ କ୍ଷେତ୍ରରେ ଐତିହାସିକ କିର୍ତ୍ତିରାଜୀ ଗୁଡିକ ଜବରଦଖଲକାରୀଙ୍କ କବଜାରେ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କେତେ ଐତିହ୍ୟ କ୍ଷେତ୍ରର ସୁରକ୍ଷା ଦାୟିତ୍ବ କେନ୍ଦ୍ର ସରକାର ନେଇଛନ୍ତି ଓ ଏହାର ସଂରକ୍ଷଣ ପାଇଁ କେତେ ଅର୍ଥ ମଞ୍ଜୁର କରିଛନ୍ତି, ସେନେଇ ସଂସଦରେ ଲିଖିତ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ ।

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏହାର ଉତ୍ତରରେ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ରାଜ୍ୟର ୮୧ଟି ଐତିହାସିକ କିର୍ତ୍ତିରାଜୀର ସୁରକ୍ଷା ଦାୟିତ୍ବ ନେଇଛି । ଜାତୀୟ ସଂରକ୍ଷଣ ନୀତି ଆଧାରରେ ଏହି ସବୁ କିର୍ତ୍ତିରାଜୀର ସୁରକ୍ଷା ଓ ସଂରକ୍ଷଣ କରାଯାଉଛି । ୨୦୨୧-୨୨ରେ କେନ୍ଦ୍ର ସରକାର ଏଥିପାଇଁ ୮ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ, ୨୦୨୨-୨୩ରେ ୧୩ କୋଟି ୧୮ ଲକ୍ଷ ଏବଂ ୨୦୨୩-୨୪ରେ ୧୨ କୋଟି ୨୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହିସବୁ କିର୍ତ୍ତିରାଜୀର ସୁରକ୍ଷା ପାଇଁ ଓ୍ବାଚ ଆଣ୍ଡ ଓ୍ବାର୍ଡ ଷ୍ଟାଫ ନିଯୁକ୍ତି କରାଯାଇଥିବା ବେଳେ, ଜବରଦଖଲ ଯାଞ୍ଚ ପାଇଁ ନିୟମିତ ଯାଞ୍ଚ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପରୀକ୍ଷାର୍ଥୀ ଓ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳ, ଚାଲିଛି ଖୁଲମଖୁଲା ଚାକିରି ବିକ୍ରି !

ଭୁବନେଶ୍ବର: କେତେ ବେଳେ ପ୍ରଶ୍ନପତ୍ର ଲିକ ତ କେତେ ବେଳେ ପରୀକ୍ଷା ସ୍ଥଗିତ । କେତେବେଳେ ବାହାରୁନି ପରୀକ୍ଷା ଫଳ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରମୁଖ ପରୀକ୍ଷା ଓ ପରୀକ୍ଷାର୍ଥୀଙ୍କ ଭାଗ୍ୟ ଭବିଷ୍ୟତ ଏଭଳି ଅବସ୍ଥାକୁ ଚାଲିଯାଇଛି । ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲ୍ୟୁ ପଦବୀ ପାଇଁ ୮ ମାସ ତଳୁ ହୋଇଥିବା ପରୀକ୍ଷାର ଫଳ ଏଯାଏଁ ବହାରିପାରିଲା ନାହିଁ । ଯାହାକୁ ନେଇ ଶତାଧିକ ପରୀକ୍ଷାର୍ଥୀ ଓଡିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ସେପଟେ ବିଭିନ୍ନ ଛାତ୍ର ସଂଗଠନ ଓ ଜନ ସଂଗଠନର କହିବା କଥା ରାଜ୍ୟ ବିଜେପି ସରକାର ଏବେ ପ୍ରଶ୍ନପତ୍ର ଓ ଚାକିରି ବିକିବାରେ ବ୍ୟସ୍ତ ।

ଓଡ଼ିଶାରେ ଚାଲିଛି ଚାକିରି ବିକ୍ରି । ସରକାରଙ୍କ ଛତ୍ରଛାୟା ତଳେ ଏହି ବିକ୍ରି ଚାଲିଥିବା ନେଇ ବଡ଼ ଅଭିଯୋଗ । ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ବହୁ କମ୍ପିଟିଟିଭ ପରୀକ୍ଷାରେ ବ୍ୟାପକ ଅନିୟମିତତା, ପରୀକ୍ଷାକୁ ହଠାତ ସ୍ଥଗିତ ରଖିବା ଓ କିଛି ପ୍ରମୁଖ ପରୀକ୍ଷା ଫଳକୁ ପ୍ରକାଶ ନ କରିବାକୁ ନେଇ ସରକାରଙ୍କ ବିରୋଧରେ ଆସିଛି ବଡ଼ ଅଭିଯୋଗ । ଏବେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ ପରୀକ୍ଷା ଫଳ ବାହାର ନ କରିବାକୁ ନେଇ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଆଠ ମାସ ବିତିଯାଇଥିଲେ ବି ବାହାରୁନି ପରୀକ୍ଷା ଫଳ । ଏହାର ପ୍ରତିବାଦରେ ଓଡିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପରୀକ୍ଷାର୍ଥୀମାନେ ପ୍ରତିବାଦ ଜଣାଇଛନ୍ତି । ଏହି ପଦବୀ ପାଇଁ ରାଜ୍ୟର ୧୧ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଯାଏଁ ପରୀକ୍ଷା ଫଳ ବାହାରୁ ନଥିବାରୁ ମାନସିକ ଦୁଃଶ୍ଚିନ୍ତା ମଧ୍ଯରେ ଗତି କରୁଛନ୍ତି ପରୀକ୍ଷାର୍ଥୀ । ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷାର୍ଥୀ ।

ସେପଟେ ଲଗାତାର ପରୀକ୍ଷା ବିଭ୍ରାଟକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଷ୍ଟୁଡେଣ୍ଟସ ଏଗନେଷ୍ଟ କରପସନ । ଓଏସଏସସି, ଓଏସଏସଏସସି, ଓପିଆରବି ପରୀକ୍ଷାର ଫଳ ଆସୁନି । ଆରଆଇ, ଏଆରଆଇ, ଫରେଷ୍ଟର, ଫରେଷ୍ଟଗାର୍ଡ, ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ଘଟିଥିବାବେଳେ ଫାର୍ମାସିଷ୍ଟ ପରୀକ୍ଷା ଫଳ ଓ ପରୀକ୍ଷାକୁ ଗଡାଇ ନିଆଯାଉଛି । ଜାଣିଶୁଣି ଦୁର୍ନୀତି ପାଇଁ ଏବଂ ମାର୍କେଟରୁ ଅର୍ଥ କଲେକ୍ସନ ପାଇଁ ଏଭଳି ହେଉଥିବା ଅଭିଯୋଗ ହୋଇଛି । ଫାର୍ମାସିଷ୍ଟ ପଦବୀ ପାଇଁ ନୋଟିଫିକେସନକୁ ଦେଢ଼ ବର୍ଷ ଓ ପରୀକ୍ଷାକୁ ଆଠ ମାସ ହେଲାଣି । ନୋଟିଫିକେସନ ଡେଟ ଓ ପୋଷ୍ଟିଂ ଡେଟ ମଧ୍ୟରେ ସର୍ବାଧିକ ୬ ମାସ ରହିବା କଥା । କିନ୍ତୁ ବର୍ଷ ବର୍ଷ ବିଳମ୍ବ କରାଯାଉଛି । ଯାହା ଫଳରେ ଆଉ ପରୀକ୍ଷା ବି ହୋଇପାରୁନାହିଁ । ପିଲାଙ୍କ ବୟସ ଗଡି ଯାଉଛି। ସେଥିପାଇଁ ଏକ କମିଟି ଗଢାଯାଉ ବୋଲି ଦାବି ହୋଇଛି ।

ସେପଟେ ରାଜ୍ୟରେ ପିଲାଙ୍କ ଭବିଷ୍ୟତ ବିକ୍ରି କରାଯାଉଛି ବୋଲି ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ । ପ୍ରଶ୍ନପତ୍ର ଓ ଚାକିରି ଲାଗି ଖୁଲମଖୁଲା ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଛି । ଏଠି ପ୍ରତିଭାର ଅର୍ଥ କିଛି ନାହିଁ ବୋଲି କହି ସରକାର ଉପରେ ବର୍ଷିଛି ନାଗରିକ ସୁରକ୍ଷା ମଞ୍ଚ । ଏ ସରକାର କେମିତି ବେପାର କରିବେ ସେଥିପାଇଁ ଲାଗି ପଡିଛନ୍ତି । ଲୋକେ ଏ କଥା ବୁଝିଗଲେଣି ଓ ବିଜେପି ବି ବୁଝିଗଲାଣି ଆଗକୁ ଆଉ ସରକାରକୁ ଆସିବେ ନାହିଁ । ତେଣୁ ଏବେ ସବୁ ବିକି ଦେବାରେ ଲାଗିଛନ୍ତି ବିଜେପି ସରକାର । କେବଳ ଚାକିରି ନୁହେଁ, ରାଜ୍ୟ ବିଜେପି ସରକାର ଏବେ ଖଣି, ପାଣି, ଜଙ୍ଗଲ, ଜମି ସବୁ ବିକିବାରେ ଲାଗିଛନ୍ତି । ଏସବୁକୁ ଜୋରଦାର ବିରୋଧ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସାଧାରଣ ପରୀକ୍ଷା ହେଉ କିମ୍ବା ପ୍ରତିଯୋଗିତା ମୂଳକ ପରୀକ୍ଷା ସବୁଥିରେ ଅନିୟମିତତା ଓ ଅରାଜକତା ଶୀର୍ଷରେ ପହଞ୍ଚିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନସିକ ଅବସାଦଗ୍ରସ୍ତ ହେଉଛନ୍ତି ।

କାଲିଠୁ ସକାଳୁଆ ସ୍କୁଲ, ସାଢ଼େ ୬ଟାରୁ ୧୦ଟା ଯାଏଁ ପାଠପଢ଼ା

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ସହ ପାନୀୟ ଜଳ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତ୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସେହିପରି ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।