ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ କେନ୍ଦ୍ର ବଜେଟରେ ଓଡ଼ିଶା ନିରାଶ। ବଜେଟରେ ଅନ୍ୟ ରାଜ୍ୟକୁ ସ୍ଵତନ୍ତ୍ର ଅନୁଦାନ ମିଳିଥିବା ବେଳେ ଏଥର ବି ଓଡ଼ିଶାକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶାର ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ନ୍ୟାଯ୍ୟ ଦାବିକୁ ଏଡ଼ାଇ ଯାଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ବାରମ୍ଵାର ପ୍ରାକୃତିକ ବିପର୍ଯ୍ୟୟରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ଏଥିପ୍ରତି ବଜେଟରେ ଦୃଷ୍ଟି ଦେଇ ନାହାନ୍ତି ବୋଲି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ଏକ୍ସରେ ନବୀନ ଉଲ୍ଲେଖ କରିଛନ୍ତି, ଦେଶର ଯୁବକଙ୍କୁ ଏବେ ନିଯୁକ୍ତି ଦରକାର। ସେହିପରି ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଘାଣ୍ଟି ହେଉଥିବା ବେଳେ ଦୁର୍ଭାଗ୍ୟ ଯେ ଏହି ଦୁଇଟି ଚ୍ୟାଲେଞ୍ଜକୁ ବଜେଟରେ ଆଦୌ ଦୃଷ୍ଟି ଦିଆଯାଇନାହିଁ ବୋଲି ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି।
ଧରା ପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ
ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କଳାହାଣ୍ଡି ଏସ୍ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇ ଗିରଫ କରାଯାଇଥିଲା।
ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣା ସ୍ଥଳରେ ଶିକ୍ଷୟିତ୍ରୀ ମୃତ ଅଳ୍ପକେ ବର୍ତ୍ତିଲେ ଅନ୍ୟ ଦୁଇ ସମ୍ପର୍କୀୟ । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ମହାବୀର ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଶିକ୍ଷୟିତ୍ରୀ ପ୍ରିୟଙ୍କା ବେହେରା ନିଜ କାକା ବୈକୁଣ୍ଠ ବେହେରା ଏବଂ ଭାଣଜୀ ଚନ୍ଦ୍ରିକା ବେହେରା ସହିତ ବାଇକରେ ରାସ୍ତା ପାରି ହେଲା ବେଳକୁ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ପ୍ରିୟଙ୍କାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାକା ଓ ଭାଣଜୀ ବାଇକରୁ ଛିଟିକି ପଡ଼ିବା ଫଳରେ ସାମାନ୍ୟ ଆହତ ହୋଇଛନ୍ତି।ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।

