spot_img
Home Blog Page 1123

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ମୁଣ୍ଡ ଗଡୁଛି । ଖେଳ ସମୟରେ ପୁରୀରେ ବୋମା ମାଡ ହେଉଛି । ରାଜଧାନୀ ଭୁବନେଶ୍ଵରରେ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଆପାର୍ଟମେଣ୍ଟରେ ଲୋକଙ୍କୁ ଘରୁ ଚୋରି ହେଉଛି । ସିସିଟିଭିକୁ ବି ଭୟ କରୁନାହାଁନ୍ତି ଲୁଟେରା । ବିଧାୟକଙ୍କୁ ମଧ୍ଯ ଆକ୍ରମଣ ହେଉଛି । ଆଳିରେ ବି ଆଇନ ଶୃଙ୍ଖଲା ପରିସ୍ଥିତି ବିଗିଡ଼ି ଯାଇଛି l ଅପରାଧ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ପୋଲିସ ସବୁ କ୍ଷେତ୍ରରେ ନିରବ ରହୁଛି । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହରେ ଏପରି ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ ।

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାର ସଚେତନ ରୁହନ୍ତୁ । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ । ଲୋକେ କିପରି ସୁରକ୍ଷିତ ରହିବେ । ଓଡ଼ିଶାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରା ନଗଲେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି । ଏଥିପାଇଁ ଗୃହ ବିଭାଗ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନେକ ଜାଗାରେ ପୋଲିସ କହୁଛି ଉପରୁ କିଛି ନିର୍ଦ୍ଦେଶ ଆସିନାହିଁ । ଉପରୁ କିଏ ନିର୍ଦ୍ଦେଶ ଦେଉଛି । ରାଜନୈତିକ ହସ୍ତକ୍ଷେପ କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ ।

ସେପଟେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଜ୍ୟରେ ଶିଶୁ ଓ ମହିଳା ଅସୁରକ୍ଷିତ । ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଛନ୍ତି କାଡ଼ାମ ।

କଟନୀ ଛଟନୀ ପାଇଁ ମିଲର ପିଛା ଲକ୍ଷେ ଟଙ୍କା ନେଉଛନ୍ତି ଯୋଗାଣ ମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ବର: ସାରା ରାଜ୍ୟରେ ଚାଲିଛି ଧାନର କଟନୀ ଛଟନୀ । ବିଧାନସଭାରେ ରହସ୍ୟର ଖୁଲାସା କଲା କଂଗ୍ରେସ। ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି କଟନୀ ଛଟନୀ । ମିଲର ପିଛା ୧ ଲକ୍ଷ ଟଙ୍କା ମନ୍ତ୍ରୀଙ୍କ ପାଖକୁ ଯାଉଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ପ୍ରମାଣ ସ୍ବରୂପ ସିଡି, ଫଟୋ, କାଗଜପତ୍ର ଦେଖାଇ ଯୋଗାଣ ମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ଏହାସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଗୃହରେ ଦାବି କରିଛି କଂଗ୍ରେସ । ଅନ୍ୟପଟେ ଚାଷୀଙ୍କୁ ଶୋଷଣ ନେଇ ସରକାରଙ୍କୁ ଘେରିଛି ବିଜେଡି । ତେବେ ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଥିବା ବେଳେ, ହୁଲୁସ୍ତୁଲ ହୋଇଛି ବିଧାନସଭା ।

ଧାନ କିଣାରେ କଟନୀ ଛଟନୀକୁ  ନେଇ ବିଧାନସଭାରେ ହୁଲସ୍ତୁଲ । ଧାନ କିଣାରେ ଚାଷୀଙ୍କୁ ଲୁଟୁଛନ୍ତି ସରକାର l ମୁଲତବି ପ୍ରସ୍ତାବ ଆଲୋଚନାରେ ସିଡି, ଫଟୋ, ମନ୍ତ୍ରୀଙ୍କ ଦସ୍ତଖସ୍ତ ଥିବା ଚିଠି ଦେଖାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିପରି ଧାନ କିଣାରେ ଟଙ୍କା ନେଉଛନ୍ତି ତାହା ବଖାଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସିଧାସଳଖ ଅଭିଯୋଗ କରି କହିଛନ୍ତି, ଯୋଗାଣ ମନ୍ତ୍ରୀ ରାଜନୈତିକ ସଚିବ ନିଯୁକ୍ତ କରି ମିଲ ପିଛା ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ସିଡିରେ ରହିଛି ବାବୁ ଜଣକ ଟଙ୍କା ମାଗିବାର ତଥ୍ୟ । ଗୃହରେ ତାରାଙ୍କ ଅଭିଯୋଗ ପରେ ବିଧାନସଭାରେ ସୃଷ୍ଟି ହୋଇଛି ହଇଚଇ । ରାଜ୍ୟରେ ଧାନକିଣା ନାଁରେ ଚାଲିଛି କଂସ ରାଜୁତି । ତେଣୁ ପୂରା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ସେହିପରି ଧାନର କଟନୀ ଛଟନୀକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସାରା ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି ବୋଲି ଅଭିଯୋଗ କରିଛି ବିଜେଡି ।

ଧାନ କିଣା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ଜଣେ ପରେ ଜଣେ ବିଧାୟକ । ବିଜେଡି ବିଧାୟକ ଗଣେଶ୍ବର ବେହେରା ଅଭିଯୋଗ କରି କହିଛନ୍ତି, କାହା ପ୍ରତି ସରକାରଙ୍କର ରହିଛି ପ୍ରତିବଦ୍ଧତା । ସରକାର ନା ମିଲରଙ୍କ ପାଇଁ । ମୁଖ୍ୟମନ୍ତ୍ରୀ ସୋହେଲା ସମାବେଶରେ କହିଥିଲେ, ଯିଏ ଦୁର୍ନୀତି କରିବ ତାକୁ ଝାରପଡା କିମ୍ବା ବରଗଡ଼ ଜେଲ ଦେଖିବାକୁ ପଡ଼ିବ । ତେବେ ଏଯାଏଁ କେତେ ଜଣଙ୍କୁ ଝାରପଡା ଓ ବରଗଡ଼ ଜେଲରେ ପୂରାଇଛନ୍ତି ତାର ତଥ୍ୟ ଦିଅନ୍ତୁ ସରକାର । କୁଇଣ୍ଟାଲ ପିଛା କେଜି କେଜି ଧାନ କଟାଯାଉଛି । ଧାନରେ ଆର୍ଦ୍ରତା, ଡିସକଲର ଓ ଶୁଦ୍ଧତା କେତେ ପ୍ରତିଶତ କଟିବା କଥା, ତାହା ଯୋଗାଣ ନିଗମ ଏବଂ ଧାନ କିଣୁଥିବା ସଂସ୍ଥା ଜାଣିଛନ୍ତି । କିନ୍ତୁ ଏ ବିଷୟରେ ଚାଷୀଙ୍କୁ କାହିଁକି ଅବଗତ କରାଯାଉନାହିଁ ବୋଲି ଗଣେଶ୍ବର ପ୍ରଶ୍ନ କରିଛନ୍ତି । ଏହାସହ ଗୃହ କମିଟି ଦ୍ବାରା ଘଟଣାର ତଦନ୍ତ କରିବାକୁ ଦଳ ଦାବି କରିଛି ।

ସେପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାଣ ମନ୍ତ୍ରୀ । ଚଳିତ ଖରିଫ ଋତୁରେ ୧୭ ତାରିଖ ସୁଦ୍ଧା ୧୩ ଲକ୍ଷ ୫୭ ହଜାର ୨୨୪ ଜଣ ଚାଷୀଙ୍କଠାରୁ ୬୧ ଲକ୍ଷ ୬୭ ହଜାର ୪୮୮ ମେଟ୍ରିକ ଟନ ଧାନ କିଣାଯାଇ ଥିବା ମନ୍ତ୍ରୀ କହିଛନ୍ତି । ଏଫଏକ୍ୟୁ ଆଳରେ ଚାଷୀଙ୍କୁ କରାଯାଉଛି ଶୋଷଣ । ଯାହାକୁ ନେଇ ଅନ୍ନଦାତାଙ୍କ ଭିତରେ ତେଜିବାରେ ଲାଗିଛି ଅସନ୍ତୋଷ । ଏଭଳି ସ୍ଥିତିରେ ତାରାଙ୍କ ପ୍ରମାଣ ଏବେ ଯୋଗାଣ ମନ୍ତ୍ରୀଙ୍କୁ ଅଡୁଆ ଭିତରକୁ ଟାଣି ଆଣିଛି ।

ମୁଖିଆ ଆସିବା ପରେ ବଦଳିଲା କଂଗ୍ରେସରେ ମାହୋଲ, ରାଜଧାନୀରୁ ପୁରୀକୁ ଆରମ୍ଭ ହେଲା ସଙ୍କଳ୍ପ ଯାତ୍ରା

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ସଂକଳ୍ପ ଯାତ୍ରା । ଭୁବନେଶ୍ବର ବିମାନ ବନ୍ଦରରୁ ପୁରୀ ଯାତ୍ରା କରି ଜଗନ୍ନାଥଙ୍କୁ ଦର୍ଶନ କରିବେ ନୂଆ ପସିସି ସଭାପତି ଭକ୍ତ ଚରଣ ଦାସ । ସଭାପତି ଚୟନ ପରେ ଆଜି ଭକ୍ତ ଭୁବନେଶ୍ବର ଫେରିଛନ୍ତି ଭକ୍ତ । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଂଗ୍ରେସ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ ଦିନରେ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି ପିସିସି ସଭାପତି । ବିଶେଷ କରି ଆଇନ ଶୃଙ୍ଖଳା, ଧାନ କିଣା, ମାଗଣା ବିଜୁଳି, ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ରାଜ୍ୟବାସୀଙ୍କ ପ୍ରତି କରିଥିବା ପ୍ରତାରଣା ବିରୋଧରେ କଂଗ୍ରେସ ଆଗକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଲଢେଇ କରିବ ବୋଲି କହିଛନ୍ତି ଭକ୍ତ ।

ଆଜି କଂଗ୍ରେସ ଟ୍ରେଲର ଦେଖାଇଛି । କର୍ମୀଙ୍କ ଭିତରେ ଜୋସ ଭରିଛନ୍ତି ଭକ୍ତ ।  ଟାଇଁ ଟାଇଁ ଖରାରେ ଚାଲିଲା ସଂକଳ୍ପ ଯାତ୍ରା । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି । ଜଗନ୍ନାଥଙ୍କ ଦର୍ଶନ ଓ ଆର୍ଶିବାଦ ପରେ ଆକ୍ସନ ପ୍ଳାନ୍ କହିବେ ବୋଲି କହିଛନ୍ତି ଭକ୍ତ ।

ଏପଟେ ମୁଖିଆ ଭୁବନେଶ୍ବରରେ ପହଞ୍ଚିବା ପରେ ବଦଳିଲା କଂଗ୍ରେସର ମାହୋଲ । ବିମାନ ବନ୍ଦରରେ ସ୍ବାଗତ କଲେ ହଜାର ହଜାର କର୍ମୀ । ସାମିଲ ହେଲେନି ଦଳର ବରିଷ୍ଠ ନେତା । ପିସିସି ସଭାପତି ଚୟନ ହେବା ପରେ ଭୁବନେଶ୍ବର ଫେରିଛନ୍ତି ଭକ୍ତ ଚରଣ ଦାସ । ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦର ହୋଇଥିଲା ଜନ ସମୁଦ୍ର । ପାରମ୍ପରିକ ବାଦ୍ୟ ସହ ନୃତ୍ୟରେ ନୂଆ ପିସିସି ସଭାପତିଙ୍କୁ ସ୍ବାଗତ କରାଯାଇଛି । ଏହି ଅବସରରେ ପିସିସି ସଭାପତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସରେ ଆମୂଳ ଚୂଳ ପରିବର୍ତ୍ତନ ପରେ ସରକାରରେ ଯେଉଁ ସବୁ ଅବ୍ୟବସ୍ଥା ଚାଲିଛି ତାକୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭକ୍ତ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଇନଶୃଙ୍ଖଳା, ଧାନ କିଣା, ମାଗଣା ବିଜୁଳି, ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର କରିଥିବା ପ୍ରତାରଣା ପାଇଁ ଲୋକେ ଅତିଷ୍ଠ ହୋଇ ଏବେ କଂଗ୍ରେସ ମୁହାଁ ହୋଇଛନ୍ତି । ଆଜିର ଟ୍ରେଲର ଏହାର ପ୍ରମାଣ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।

ସେପଟେ ଆଜି ଠାରୁ ଆରମ୍ଭ ହୋଇଥିବା ସଂକଳ୍ପ ଯାତ୍ରା ୨୦ ତାରିଖରେ ପୁରୀରେ ପହଞ୍ଚିବ । ସଂକଳ୍ପ ଯାତ୍ରାରେ ଯାଇଥିବା ପିସିସି ସଭାପତି ଆଜି ପିପିଲିରେ ରାତ୍ରିଯାପନ କରିବେ । କାଲି ପୁଣି ପଦଯାତ୍ରା ଆରମ୍ଭ ହୋଇ ତେଇଶିପୁର ପର୍ଯ୍ୟନ୍ତ ଯିବ । ମଧ୍ୟାହ୍ନ ଭୋଜନ ପରେ ଚନ୍ଦନପୁରରେ ପଦଯାତ୍ରା ପହଞ୍ଚି ସେଠାରେ ରାତ୍ରିଯାପନ କରିବେ କଂଗ୍ରେସ ନେତା । ସେହିଭଳି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟ ମଙ୍ଗଳାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ନବ ନିଯୁକ୍ତ ପିସିସି ସଭାପତି ଏବଂ କଂଗ୍ରେସ କର୍ମୀ । ତେଣୁ ଯୁବ, ଛାତ୍ର, ମହିଳା କଂଗ୍ରେସ ବେଶ ଉତ୍ସାହିତ ହୋଇଛନ୍ତି ।

ପିସିସି ସଭାପତି ହେବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଭକ୍ତ ଦାସଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଦଳର ବରିଷ୍ଠ ନେତାମାନଙ୍କୁ ଦେଖିବାକୁ ମିଳି ନଥିଲା । ଯାହା ଦଳ ଭିତରେ ସବୁ କିଛି ଠିକ୍ ଚାଲି ନଥିବାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଚାକିରିରୁ ଅବସର ନେବାର ୧୧ ବର୍ଷ ପରେ ବି ମିଳିନି ଦିବ୍ୟାଙ୍ଗଙ୍କୁ ପେନସନ, ହାଇକୋର୍ଟଙ୍କ ରାୟକୁ ସ୍ବାସ୍ଥ୍ୟ ବିଭାଗର ଫୁ…

ସାଲେପୁର: ସ୍ୱାସ୍ଥ୍ୟ ବିଭାଗର ମନମାନୀ । ଚାକିରିରୁ ଅବସରର ୧୧ ବର୍ଷ ପରେ ମଧ୍ଯ ଜଣେ ଦିବ୍ଯାଙ୍ଗ ବୃଦ୍ଧାଙ୍କୁ ମିଳୁନି ପେନସନ । ଏନେଇ ସେ ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ମାମଲାର ବିସ୍ତୃତ ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ଯାନୁଷ୍ଠାନ ନେବାକୁ ସ୍ଵାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାବତ୍ ଜାନକୀଙ୍କ ଯାତନାର ଅନ୍ତ ଘଟି ନାହିଁ ।

କଟକ ଜିଲ୍ଲା ସାଲେପୁର ବ୍ଲକ ତ୍ରିଲୋଚନପୁର ଗାଁର ଦିବ୍ଯାଙ୍ଗ ବୃଦ୍ଧା ଜାନକୀ ଦାସ । ୧୯୮୩ ମସିହାରୁ ସ୍ୱାସ୍ଥ୍ୟ ବିଭାଗର ପାଥଲୋଜି ଆସିଷ୍ଟାଣ୍ଟ ଭାବେ ବିଭିନ୍ନ ମେଡିକାଲରେ ରହି ସେବା କରି ଆସୁଥିଲେ । ୨୦୧୪ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ । ମାତ୍ର ଅବସରକୁ ଦୀର୍ଘ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ବୃଦ୍ଧାଙ୍କୁ ଏପର୍ଯ୍ଯନ୍ତ ପେନସନ ମିଳିନାହିଁ । ଏନେଇ ସେ ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେଇଥିଲେ । ଓଡିଶା ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ମାମଲାର ବିସ୍ତୃତ ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ଯାନୁଷ୍ଠାନ ଲାଗି ସ୍ଵାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ସେ ପୁଣି ଥରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଵାସ୍ଥ୍ଯ ବିଭାଗ ନିର୍ଦ୍ଦେଶକୁ ଅନୁପାଳନ କରୁ ନଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିବା ସହିତ ୪ ସପ୍ତାହ ମଧ୍ଯରେ ଘଟଣାର ସମାଧାନ କରିବାକୁ ତାଗିଦ କରିଛନ୍ତି ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ବର୍ଷ ତଳୁ ତାଙ୍କୁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନିଜର ଦୟା ଅନୁକମ୍ପା ଦେଇ ସାରିଛନ୍ତି । ହେଲେ ଅବସର ପରେ ତାଙ୍କୁ ଏପର୍ଯ୍ଯନ୍ତ ପେନସନ ମିଳୁନାହିଁ । ଫଳରେ ସେ ନିଜର ଚିକିତ୍ସା କରିପାରୁନାହାଁନ୍ତି । ଏଠି ପ୍ରଶ୍ନ ଉଠୁଛି, ବୃଦ୍ଧାଙ୍କ ପ୍ରତି ସ୍ଵାସ୍ଥ୍ଯ ବିଭାଗର ଏ ଅବହେଳା କାହିଁକି ? କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସ୍ଵାସ୍ଥ୍ଯ ବିଭାଗ ଅବମାନନା କଲା କେମିତି ? ନା ଏହା ପଛରେ ଅନ୍ଯ କିଛି ଷଡଯନ୍ତ୍ର ରହିଛି । ଯାହାର ତଦନ୍ତ କରିବା ସାଙ୍ଗକୁ ବୃଦ୍ଧାଙ୍କୁ ସମସ୍ତ ପେନସନ ଟଙ୍କା ଯୋଗାଇ ଦେବାକୁ ଦାବି ହୋଇଛି ।

ପୁଣି ଭାଙ୍ଗିବ ପାକିସ୍ତାନ !, ନୂଆ ଦେଶ ଗଠନ ପାଇଁ ଚାଲିଛି ପ୍ରସ୍ତୁତି’,ଶାହବାଜ ସରିଫଙ୍କୁ ଚେତାବନୀ ଦେଲେ ପାକ୍ ସାଂସଦ

ନନ୍ଦିଘୋଷ ବ୍ୟୁରୋ:  ପାକ୍ ସାଂସଦ ଏବଂ ଜମୀୟତ ଉଲମା ଏ ଇସଲାମ୍ ର ଅଧ୍ୟକ୍ଷ ଫଜଲ୍ ଉର୍ ରହେମାନ୍ ପାକିସ୍ତାନ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ ପାକିସ୍ତାନର ଗୋଟିଏ ଭାଗ ଅଲଗା ହେବା ଅବସ୍ଥାରେ ରହିଛି  । ବାଲୁଚିସ୍ତାନ ଏବଂ ଖାଇବରପନତୁଖା ସମେତ ୫ରୁ ୭ ଜିଲ୍ଲା ବର୍ତ୍ତମାନ ଏମିତି ପରିସ୍ଥିତିରେ ରହିଛି ଯେ ସେମାନେ ଯେକୌଣସି ସମୟରେ ଚାହିଁଲେ ନିଜକୁ ଏକ ପୃଥକ ଦେଶ ଭାବରେ ଘୋଷଣା କରିପାରିବେ ଏବଂ ଜାତିସଂଘ ମଧ୍ୟ ପରଦିନ ଏହାକୁ ଗ୍ରହଣ କରିବ।

ମାନବ ଚାଲାଣ ଏବଂ ଭିକ୍ଷାବୃତ୍ତି ରୋକିବା ପାଇଁ ଗୃହରେ ପାଞ୍ଚଟି ବିଲ୍ ପାରିତ ହେବା ପରେ ଫଜଲ ଉର-ରେହମାନ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ଉପରେ ଫଜଲ ଉର ରେହମାନ କହିଥିଲେ ଯେ ଯେତେବେଳେ ଜନତା ନିଜେ ଆପଣଙ୍କ କଥା ଶୁଣୁନାହାଁନ୍ତି, ସେତେବେଳେ କାହା ପାଇଁ ଆଇନ ତିଆରି ହେଉଛି। ପ୍ରଥମେ ଜନସାଧାରଣଙ୍କ ଉପରେ ନିୟନ୍ତ୍ରଣ ଆଣ। ଫଜଲ ଉର-ରେହମାନ ଏହା ମଧ୍ୟ କହିଛନ୍ତି ଯେ ଏହି ଅଞ୍ଚଳଗୁଡ଼ିକରେ ନା ପୋଲିସ ଅଛି ନା ସେନା, ପୋଲିସ ଚେକ୍ ପୋଷ୍ଟଗୁଡ଼ିକ ବନ୍ଦ ଥିଲା ଏବଂ ପୋଲିସ ଅଧିକାରୀମାନଙ୍କୁ ସେହି ଅଞ୍ଚଳଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ଗୋଷ୍ଠୀ ଦ୍ୱାରା ଘେରି ରଖାଯାଇଥିଲା।

ଫଜଲ ଉର-ରେହମାନ କହିଛନ୍ତି ଯେ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାର ବର୍ତ୍ତମାନର ପରିସ୍ଥିତି କାହାଠାରୁ ଲୁଚି ନାହିଁ। ଆମେ ସମସ୍ତେ ପାକିସ୍ତାନୀ, ଆମର ଶାନ୍ତି ଏକ ଏବଂ ଆମର ସମ୍ମାନ ଏବଂ ମର୍ଯ୍ୟାଦା ଏକ। ସେହି ଦୃଷ୍ଟିରୁ ଆମେ ଜାଣିବା ଉଚିତ ଯେ ଏହି ସମୟରେ ଦୁଇଟି ପ୍ରଦେଶରେ କୌଣସି ସରକାରୀ ନିୟମ ନାହିଁ। ସେ କହିଥିଲେ, ‘ଯଦି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଜି ଏଠାରେ ଥାଆନ୍ତେ ଏବଂ ତାଙ୍କୁ ପଚରାଯାଉଥିଲା ଯେ ଆଦିବାସୀ ଅଞ୍ଚଳରେ କ’ଣ ଘଟୁଛି, ବେଲୁଚିସ୍ତାନରେ କ’ଣ ଘଟୁଛି, ତେବେ ସେ ହୁଏତ କହିଥାଆନ୍ତେ ଯେ ମୁଁ ଏ ବିଷୟରେ ଜାଣିନାହିଁ।’

ଫଜଲ ଉର-ରେହମାନ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ନିଷ୍ପତ୍ତି କିଏ ନିଅନ୍ତି ଏବଂ ନିଷ୍ପତ୍ତି କେଉଁଠି ନିଆଯାଏ। ଯଦି ପାକିସ୍ତାନ ଦାୟୀ, ତେବେ ସରକାର ଏବଂ ବିରୋଧୀ ଦଳ ମଧ୍ୟ ଦାୟୀ ରହିବେ, କିନ୍ତୁ ଜନସାଧାରଣଙ୍କ ଦୃଷ୍ଟିରେ ଆମେ ଦାୟୀ ଏବଂ ବାସ୍ତବତା ହେଉଛି ଯେ ଏହି ଦେଶରେ କୌଣସି ନାଗରିକ କର୍ତ୍ତୃପକ୍ଷ ନାହାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନରେ କିଛି ପ୍ରତିଷ୍ଠାନ ବନ୍ଦ କୋଠରୀ ଏବଂ ପଡ଼ୋଶୀରେ ଯାହା ଇଚ୍ଛା ତାହା ନିଷ୍ପତ୍ତି ନିଅନ୍ତି ଏବଂ ଆମକୁ ଏଥିରେ ବାଧ୍ୟ ହୋଇ  ହଁ କହିବାକୁ ପଡେ। ଆମେ ଏଠାରୁ ଚାଲିଯିବାକୁ ଚାହୁଁଛୁ କି ନାହିଁ?

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ଏପରି କିଛି ଅଞ୍ଚଳ ଅଛି ଯାହାକୁ ପୋଲିସ ଏବଂ ସେନା ଖାଲି କରିଦେଇଛନ୍ତି ଏବଂ ଯଦି ଯୁଦ୍ଧ ହୁଏ ଏବଂ ପୋଲିସ ଏବଂ ସେନା ନାହିଁ ତେବେ ସେହି ଅଞ୍ଚଳକୁ କିଏ ଦଖଲ କରିବ ଏବଂ ସେଠାରେ କାହାର ନିୟନ୍ତ୍ରଣ ରହିବ? ସେ କହିଥିଲେ, ‘ହୃଦୟରେ ହାତ ଦେଇ ମୋତେ ବହୁତ ଯନ୍ତ୍ରଣାର ସହିତ କହିବାକୁ ପଡୁଛି ଯେ ବେଲୁଚିସ୍ତାନର 5-7 ଜିଲ୍ଲା ଏପରି ସ୍ଥିତିରେ ଅଛି ଯେ ଯଦି ସେମାନେ ସ୍ୱାଧୀନତା ଘୋଷଣା କରନ୍ତି, ତେବେ ଜାତିସଂଘ (UN) କହିବ ଯେ ଆମେ ସେମାନଙ୍କର ଅନୁରୋଧକୁ ଗ୍ରହଣ କରିଛୁ ଏବଂ ପାକିସ୍ତାନ ହାରିଯିବ।’

ଫଜଲ ଉର ରେହମାନ କହିଛନ୍ତି ଯେ କାଶ୍ମୀର ପାଇଁ ଭାରତ ସହିତ ୭୫ ବର୍ଷ ଧରି ପରୀକ୍ଷା ଚାଲିସାରିଛି ଏବଂ ଏବେ ଆମେ ଏକ ନୂତନ ପରୀକ୍ଷା ପାଇଁ ଏକ ନୂତନ ସୀମା ଖୋଲିବାକୁ ଯାଉଛୁ।

 

 

ଟମାଟୋ କେଜି ଟଙ୍କାଟେ: ଚାଷ କଥା ଛାଡ଼, ଉଠୁନି ତୋଳିବା ଖର୍ଚ୍ଚ

ବଲାଙ୍ଗୀର: ଆଗଲପୁରରେ ଟମାଟୋର ଅଭାବୀ ବିକ୍ରି । କେଜି ପ୍ରତି ଟଙ୍କାଏ ଯାଚିଲେ ବି ନେଉ ନାହାନ୍ତି ବେପାରୀ । ତୋଳିବା ଖର୍ଚ୍ଚ ବି ଉଠୁ ନାହିଁ। ଟମାଟୋ ଟ୍ରେ ମାତ୍ର ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳଭଣ୍ଡାର ଟିଏ ନଥିବାରୁ ବାଧ୍ଯ ହୋଇ ଅଳ୍ପ ଦରରେ ଟମାଟୋ ବିକ୍ରି କରୁଛନ୍ତି ଚାଷୀ । ଏଭଳି ପରିସ୍ଥିତିରେ କିପରି ଋଣ ସୁଝିବେ ଓ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ବଢ଼ିଛି ଚିନ୍ତା ।

ଆଗଲପୁର ବ୍ଲକରେ କିଲୋ ପ୍ରତି ଟଙ୍କାଟିଏରୁ ମଧ୍ୟ କମ ପଇସାରେ ବେପାରୀ ଟମାଟୋ ମାଗୁଥିବା କହିଛନ୍ତି ଚାଷୀ । ଅଞ୍ଚଳରେ ଏକର ଏକର ଜମିରେ ଚାଷୀ ଟମାଟୋ ଚାଷ କରିଥିବା ବେଳେ ଏବେ ବେପାରୀଙ୍କ ଶୋଷଣର ଶିକାର ହେଉଛନ୍ତି  l ବେପାରୀ ବିଲକୁ ଯାଇ ଟଙ୍କାଟିଏ ଦରରେ ଚାଷୀଙ୍କଠାରୁ ଟମାଟୋ କିଣୁଛନ୍ତି l କିଛି ଚାଷୀଙ୍କଠାରୁ ୨୦ରୁ ୩୦ ଟଙ୍କାରେ ଟମାଟୋ ଟ୍ରେ କିଣି ନେଉଛନ୍ତି । ଏହି ପରିସ୍ଥିତିରେ ଅନେକ ଚାଷୀ ବିଲରେ ପାଣି ମଧ୍ୟ ଦେଇପାରୁନାହାଁନ୍ତି । ଫଳରେ ଟମାଟୋ ଶୁଖି ନଷ୍ଟ ହେଉଛି ।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାରେ ଶୀତଳଭଣ୍ଡାର ଟିଏ ନାହିଁ । ଯାହାଦ୍ଵାରା ଚାଷୀ ଟମାଟୋକୁ ସୁରକ୍ଷିତ କରି ରଖି ପାରୁନାହାଁନ୍ତି । ଫଳରେ ବାଧ୍ଯ ହୋଇ ଶାଗ ମାଛ ଦରରେ ଚାଷୀ ଟମାଟୋ ବିକି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏତେ କମ ଦରରେ ଟମାଟୋ ବିକ୍ରି ହେଉଥିବାରୁ ଚାଷୀ କିପରି ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ସ୍ତରରେ ଟମାଟୋର ଏକ ସର୍ବନିମ୍ନ ଦର ଲାଗୁ କରିବା ସାଙ୍ଗକୁ ବ୍ଲକରେ ଶୀତଳ ଭଣ୍ଡାରେ ନିର୍ମାଣ କରିବାକୁ ଦାବି କରିଛନ୍ତି ଚାଷୀ ।

ଡାଇବେଟିସ୍ ରୋଗୀ କ’ଣ ସବୁ ଫଳଜୁସ୍ ପିଇପାରିବେ କି? ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ମଧୁମେହ ରୋଗୀଙ୍କ ପାଇଁ ନିଜ ଖାଦ୍ୟପେୟର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ରୋଗ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ବହୁତ ନିର୍ଭର କରେ। ଯଦି ଆପଣ ଆପଣଙ୍କ ଖାଦ୍ୟପେୟରେ ଟିକିଏ ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡିବ। ଏପରି ପରିସ୍ଥିତିରେ, ଯଦି ଆପଣ ମଧୁମେହ ରୋଗୀ, ତେବେ ଆପଣଙ୍କୁ କେବଳ ଏପରି ଖାଦ୍ୟ ଖାଇବା ଉଚିତ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଯଦିଓ ମଧୁମେହ ରୋଗୀଙ୍କୁ ସବୁଜ ପନିପରିବା ଏବଂ ଫଳ ଖାଇବାକୁ ପରାମର୍ଶ ଦିଆଯାଏ, କିନ୍ତୁ ମଧୁମେହ ରୋଗୀମାନେ ଜୁସ୍ ପିଇବାଠାରୁ ଦୂରେଇ ରହିବା ଉଚିତ। କାରଣ ଅନେକ ଫଳମୂଳରେ ଅଧିକ ପରିମାଣର ଚିନି ଥାଏ। ଜୁସ୍ ପିଇବା ଦ୍ୱାରା ଶର୍କରା ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇପାରେ।

ଦିଲ୍ଲୀର ଜଣେ ବରିଷ୍ଠ ଚିକିତ୍ସକ ଡାକ୍ତର ଅଜୟ କୁମାର କୁହନ୍ତି ଯେ ମଧୁମେହ ରୋଗୀମାନେ କିଛି ଫଳର ରସ ପିଇବାରୁ ଦୂରେଇ ରହିବା ଉଚିତ। ଉଦାହରଣ ସ୍ୱରୂପ, କମଳାରେ ଅଧିକ ଚିନି ପରିମାଣ ଥାଏ। ଅଧିକାଂଶ ଲୋକ ସକାଳେ କମଳା ରସ ପିଇବାକୁ ପସନ୍ଦ କରନ୍ତି। କମଳା ରସରେ ପ୍ରାକୃତିକ ଚିନିର ପରିମାଣ ଅଧିକ ଥାଏ। ସେହି ସମୟରେ, ଯଦି ଆପଣ ଏକ ସମ୍ପୂର୍ଣ୍ଣ କମଳା ଖାଆନ୍ତି, ତେବେ ଏଥିରେ ଅଧିକ ଫାଇବର ଥାଏ। ତେଣୁ, ଏହାର ରସ ପିଇବା ପରିବର୍ତ୍ତେ ଏକ ସମ୍ପୂର୍ଣ୍ଣ କମଳା ଖାଇବା ଭଲ।

ସପୁରୀ

ସପୁରୀରେ ପ୍ରାକୃତିକ ଚିନିର ପରିମାଣ ବହୁତ ଅଧିକ ଥାଏ। ଏହା ବ୍ୟତୀତ, ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ବହୁତ ଅଧିକ, ଯାହାର ଅର୍ଥ ହେଉଛି ଏହା ରକ୍ତରେ ଶର୍କରାକୁ ଦ୍ରୁତ ଗତିରେ ବୃଦ୍ଧି କରିପାରେ। ତେଣୁ, ଏହାକୁ ଖାଲି ଖାଇବା ଅଧିକ ଲାଭଦାୟକ।

 ସେଓ

କୁହାଯାଏ ଯେ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୁଏ। ସେଓ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହାର ରସ ପିଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଇପାରେ। କାରଣ ଏଥିରେ ପ୍ରାକୃତିକ ଚିନି ବୃଦ୍ଧି ପାଇପାରେ। ସେଓ ରସ ପିଇବା ଦ୍ୱାରା ଶର୍କରା ସ୍ତର ବୃଦ୍ଧି ପାଏ।

ଅଙ୍ଗୁର

ଅଙ୍ଗୁରରେ ମଧ୍ୟ ଅଧିକ ପରିମାଣର ଚିନି ଥାଏ। ତଥାପି, ଅଙ୍ଗୁରରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ। ତେଣୁ, ଏହାକୁ ସୀମିତ ପରିମାଣରେ ସମ୍ପୂର୍ଣ୍ଣ ଖାଇବା ଉଚିତ, କିନ୍ତୁ ଏହାର ରସ ବାହାର କରି ପିଇବା ଲାଭଦାୟକ ହୋଇନପାରେ।

ମଧୁମେହ ରୋଗୀମାନେ ଏହି ଜୁସ୍ ପିଇବା ଉଚିତ

  • କଦଳୀ- କଦଳୀ ରସ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ।
  • ଲାଉ- ମଧୁମେହ ରୋଗୀଙ୍କ ପାଇଁ  ଲାଉ ଲାଭଦାୟକ। ଏହାର ରସ ପିଇବା ଦ୍ୱାରା ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।
  • କାକୁଡି- କାକୁଡି ଏବଂ ପୁଦିନା ରସ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହାର ରସ ପିଇବା ଦ୍ୱାରା ଶର୍କରା ସ୍ତର ବୃଦ୍ଧି ପାଏ ନାହିଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

 

ଜୁଆ ଖେଳ ହେଲା କାଳ, ଟଙ୍କା ନଦେବାରୁ ଶାବଳରେ ପିଟି ବାପାଙ୍କୁ ହତ୍ୟା କଲା ପୁଅ

ଭଦ୍ରକ: ଜୁଆ ଖେଳ ବନାଇ ଦେଳା ହତ୍ୟାକାରୀ । ଆଉ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଗୋପବନ୍ଧୁ ନଗର ପଞ୍ଚାୟତର ସାସମଲଘେରି ଗାଁରେ ଘଟିଛି । ଜୁଆ ଖେଳ ପାଇଁ ଟଙ୍କା ନ ପାଇବାରୁ ବାପାଙ୍କୁ ଶାବଳରେ ପିଟି ହତ୍ୟା କରିଛି ପୁଅ । ମୃତକ ହେଲେ ଦୁଃଖିରାମ ମଣ୍ଡଳ ।

ଅଭିଯୋଗ ଅନୁସାରେ, ଦୁଃଖିରାମଙ୍କ ଚାରି ପୁଅ । ତୃତୀୟ ପୁଅ ବାଇଧର ମଣ୍ଡଳକୁ ପାଠ ପଢ଼ାଇ ଶିକ୍ଷିତ କରାଇଥିଲେ ଦୁଃଖିରାମ । ହେଲେ ବାଇଧର ଜୁଆ ଖେଳ ନଶାରେ ପଡ଼ିଯାଇଥିଲେ । ବାଇଧର ମାଆଙ୍କୁ ଟଙ୍କା ମାଗିଥିଲା । ହେଲେ ମାଆ ଟଙ୍କା ଦେଇ ନଥିଲେ । ଯାହାକୁ ନେଇ ସେ ମାଆଙ୍କୁ ମାଡ଼ ମାରିଥିଲେ । ଅନ୍ୟ ଭାଇମାନେ ଏହାର ପ୍ରତିବାଦ କରିବା ସହ ବାଇଧରଙ୍କୁ ବାନ୍ଧି ମାଡ଼ ଦେଇଥିଲେ । ଏହାକୁ ନେଇ ଗତକାଲି ଗାଁରେ ମୁରବୀଙ୍କୁ ନେଇ ଆଲୋଚନା ହୋଇଥିଲା ।

ଆଜି ଏହି କଥା ବାପା ଦୁଃଖିରାମ ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାଇଧର ତାଙ୍କୁ ଶାବଳରେ ଆକ୍ରମଣ କରିଥିଲେ । ଦୁଃଖିରାମଙ୍କୁ ସଜ୍ଞାହୀନ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ନାୟକାଣିଡ଼ିହି ପୋଲିସ ଘଟଣାସ୍ଥଳର ପହଞ୍ଚି ଦୁଃଖିରାମଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଏହାସହ ବାଇଧରଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ମୁକ୍ତି ଆଶାରେ ପାକିସ୍ତାନରୁ ଭାରତ ଆସିଛି ଅସ୍ଥି କଳସ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନରୁ ଆସିଛି ଅସ୍ଥି  । ଗଙ୍ଗା ନଦୀରେ ମୋକ୍ଷ ପାଇବା ଆଶାରେ ପାକିସ୍ତାନରୁ ୪୦୦ ହିନ୍ଦୁ ଏବଂ ଶିଖଙ୍କ ଚିତାଭସ୍ମ ଭାରତକୁ ଅଣାଯାଇଛି। ଏହି ଅସ୍ଥି ଗଙ୍ଗାରେ ବିସର୍ଜନ କରାଯିବ । ଏଥିପାଇଁ ଦିଲ୍ଲୀର ବୋଧଘାଟରୁ ହରିଦ୍ୱାର ପର୍ଯ୍ୟନ୍ତ ଅସ୍ଥି କଳସ ଯାତ୍ରା ବାହାରିବ । ଏହି ଯାତ୍ରା ୨୧ ଫେବୃଆରୀରେ ମିରଟରେ ପହଞ୍ଚିବ। ଏହାପରେ, ମୋଦିପୁରମର ଅକ୍ଷରଧାମ କଲୋନୀରେ ଶ୍ରଦ୍ଧାଞ୍ଜଳି ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ପାକିସ୍ତାନର କରାଚୀର ପ୍ରାଚୀନ ପଞ୍ଚମୁଖୀ ହନୁମାନ ମନ୍ଦିରର ମହନ୍ତ ରାମନାଥଙ୍କ ସହିତ ୭୦ ଜଣିଆ ଦଳ ଭାରତ ଆସିଛି । ଏହି ଦଳ ମୋଦିପୁରମର ଅକ୍ଷରଧାମ ଆସିବ । ସେ ପାକିସ୍ତାନରୁ ୪୦୦ ହିନ୍ଦୁ ଏବଂ ଶିଖଙ୍କ ଚିତାଭସ୍ମକୁ ହରିଦ୍ୱାରରେ ବିସର୍ଜନ କରିବା ପାଇଁ ଆଣିଛନ୍ତି।

ରାମନାଥ ମିଶ୍ର କରାଚୀର ଏକମାତ୍ର ମିଶ୍ର ପରିବାର । ସେ ମହାକୁମ୍ଭ ଅଞ୍ଚଳର ସେକ୍ଟର-୨୪ରେ ତାଙ୍କ ପରିବାର ସହିତ ରହୁଛନ୍ତି । ସେ ସ୍ୱାମୀ ଅଧୋକ୍ଷଜାନନ୍ଦଙ୍କ ଶିବିରରେ ତାଙ୍କ ୯ ବର୍ଷର ପୁଅର ଉପନୟନ ଉତ୍ସବ କରାଇଥିଲେ । ସେ ସଙ୍ଗମର ପବିତ୍ର ଜଳକୁ ଦିଲ୍ଲୀ ନେବାକୁ ଯୋଜନା କରୁଛନ୍ତି। ଫେବୃଆରୀ ୨୧ ତାରିଖରେ ନିଗମ ବୋଧ ଘାଟରେ ଚିତାଭସ୍ମ ଧାରଣ କରିଥିବା କଳସଗୁଡ଼ିକୁ ପୂଜା କରାଯିବ।

ରାମନାଥ ମିଶ୍ର କହିଛନ୍ତି ଯେ ଚିତାଭସ୍ମ ଉପରେ ସଙ୍ଗମ ଜଳ ସିଞ୍ଚନ କରିବା ପରେ, ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ରଥଯାତ୍ରା ବାହାର କରାଯିବ। ତା’ପରେ ଫେବୃଆରୀ ୨୨ ତାରିଖରେ, ହରିଦ୍ୱାରର ସତୀ ଘାଟରେ ୧୦୦ ଲିଟର କ୍ଷୀରର ଏକ ସ୍ରୋତରେ ଚିତାଭସ୍ମ ବିସର୍ଜନ କରାଯିବ।

ରାମନାଥ ମିଶ୍ର, ଯିଏ ତାଙ୍କ ମାଆ କମଳା ଦେବୀ, ପତ୍ନୀ, ପୁଅ ଦେବେନ୍ଦ୍ରନାଥ ମିଶ୍ର, ଦୁଇ ଝିଅ ଏବଂ ଜଣେ ଭଣଜାଙ୍କ ସହିତ ଆସିଥିଲେ, ସ୍ୱାମୀ ଅଧୋକ୍ଷଜାନନ୍ଦ ଦେବତୀର୍ଥଙ୍କୁ ଭେଟିଥିଲେ। ସେ କହିଥିଲେ ଯେ କରାଚୀର ପଞ୍ଚମୁଖୀ ହନୁମାନ ମନ୍ଦିର ଥରେ ଦଖଲ କରାଯାଇଥିଲା। ବହୁତ ଚେଷ୍ଟା ପରେ, ତାଙ୍କୁ ବାହାର କରାଯାଇଥିଲା। ସେଠାରେ ଥିବା ଶ୍ମଶାନ ଭୂମିର ମଧ୍ୟ ନବୀକରଣ କରାଯାଇଛି। ଏବେ ସେଠାରେ ଏକକାଳୀନ ୧୫ଟି ଶବଦାହ ହୋଇପାରିବ।

ସେ କହିଥିଲେ ଯେ ଅସ୍ଥି ରଖିବା ପାଇଁ ଶ୍ମଶାନରେ ଏକ ସ୍ଥାନ ତିଆରି କରାଯାଇଛି। ଗତ 9 ବର୍ଷ ଧରି କଳଶ ସଂଗ୍ରହ କରାଯାଉଛି। ମିଶ୍ର କହିଥିଲେ, “ଯେତେବେଳେ ମୁଁ ଭାରତକୁ ମୋର ଭିସା ପାଇଲି, ମୁଁ ‘ତର୍ପଣ’ କରିବା ପାଇଁ ସମସ୍ତ ଅସ୍ଥି ସଂଗ୍ରହ କରିଥିଲି।” ସୂଚନାନୁସାରେ,  ତାଙ୍କ ପରିବାର ୧୫୦୦ ବର୍ଷ ଧରି ପଞ୍ଚମୁଖୀ ହନୁମାନ ମନ୍ଦିରର ସେବା କରିଆସୁଛନ୍ତି।

 

ଚାମ୍ପିୟନସ୍ ଟ୍ରଫି ୨୦୨୫ : ଗୌତମ ଗମ୍ଭୀରଙ୍କ ଉପରେ ରାଗିଛନ୍ତି କି ରିଷଭ ପନ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ:  ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପରଠାରୁ, ସେ ଦଳର ବିଜୟ ଅପେକ୍ଷା ବିବାଦ ଯୋଗୁଁ ଅଧିକ  ଚର୍ଚ୍ଚାରେ ରହିଆସୁଛନ୍ତି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବି ସମାନ ବିବାଦ ଦେଖାଦେଇଛି। ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆରେ କିଛି ଠିକ୍ ନାହିଁ। ଦାବି କରାଯାଉଛି ଯେ ଜଣେ ବଡ଼ ଖେଳାଳି ଗୌତମ ଗମ୍ଭୀରଙ୍କ ଉପରେ ବହୁତ ରାଗିଛନ୍ତି ଏବଂ ଏହି କ୍ରୋଧର କାରଣ ହେଉଛି ତାଙ୍କର ନିଷ୍ପତ୍ତି। ଜଣେ ବଡ଼ ରିପୋର୍ଟର ଦାବି କରିଛନ୍ତି ଯେ ଖେଳାଳି ଜଣକ ଜଣେ ୱିକେଟକିପର-ବ୍ୟାଟସମ୍ୟାନ୍ ଏବଂ ତେଣୁ ରିଷଭ ପନ୍ତ ହେଉଛନ୍ତି ସେହି ଖେଳାଳି ଯିଏ ଗୌତମ ଗମ୍ଭୀରଙ୍କ ଉପରେ ରାଗିଛନ୍ତି । ତେବେ ଜାଣନ୍ତୁ କାହିଁକି ରାଗିଛନ୍ତି ରିଷଭ ପନ୍ତ  ।

ଗୌତମଙ୍କ ଉପରେ କାହିଁକି ରାଗିଛନ୍ତି ରିଷଭ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ  ଟିମ୍ ଇଣ୍ଡିଆର ଜଣେ ବଡ଼ ଖେଳାଳି ମୁଖ୍ୟ କୋଚଙ୍କ ଉପରେ ରାଗିଛନ୍ତି । ସେ ରାଗିଛନ୍ତି କାରଣ ODIରେ ୱିକେଟକିପର-ବ୍ୟାଟସମ୍ୟାନ ଭାବରେ ତାଙ୍କୁ ପ୍ରଥମ ପସନ୍ଦ ଭାବରେ ଗଣାଯାଇନାହିଁ । ଏହି ଦାବି ପରେ ଏବେ ଏହା ସ୍ପଷ୍ଟ ଯେ ସେ ହେଉଛନ୍ତି ରିଷଭ ପନ୍ତ । କାରଣ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ୱିକେଟକିପର ହେଉଛନ୍ତି କେଏଲ ରାହୁଲ ଯିଏ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ ରେ ଖେଳିବାର ଦେଖାଯିବେ। ଗୌତମ ଗମ୍ଭୀର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିମ୍ ଇଣ୍ଡିଆ କେଏଲ ରାହୁଲଙ୍କୁ ୱିକେଟକିପର ଭାବରେ ସୁଯୋଗ ଦେବ।

ଇଂଲଣ୍ଡ ସହ ପ୍ରଥମ ଦିନିକିଆ ମ୍ୟାଚରେ ଖେଳିଥିଲେ

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରେ ମଧ୍ୟ, ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍ ରେ କେଏଲ ରାହୁଲଙ୍କୁ ୱିକେଟକିପର-ବ୍ୟାଟସମ୍ୟାନ ଭାବରେ ଖେଳାଇଥିଲା। ସେତେବେଳେ ରିଷଭ ପନ୍ତଙ୍କୁ ବେଞ୍ଚରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା। ଗମ୍ଭୀର କହିଥିଲେ ଯେ ସେ କେବଳ ନମ୍ବର ୫ କିମ୍ବା ନମ୍ବର ୬ରେ କେଏଲ ରାହୁଲଙ୍କୁ ସୁଯୋଗ ଦେବେ। ଏପରି ପରିସ୍ଥିତିରେ, ସେ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ହିଁ ରିଷଭ ପନ୍ତଙ୍କୁ ପ୍ଲେଇଂ ଇଲେଭେନରୁ ବାହାର କରିଦେଇଥିଲେ।କିନ୍ତୁ ଏବେ ଖବର ମିଳିଛି ଯେ , ପନ୍ତ ଏଥିରେ ରାଗିଛନ୍ତି। କେଏଲ ରାହୁଲ ୨୦୨୩ ODI ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହି ସମୟରେ ରିଷଭ ପନ୍ତ ଆହତ ହୋଇଥିଲେ ଏବଂ ସେ ଦଳରୁ ବାହାରେ ଥିଲେ। କିନ୍ତୁ ଏବେ କେଏଲ ରାହୁଲ ପ୍ରଥମ ପସନ୍ଦର ୱିକେଟକିପର ହୋଇଛନ୍ତି, ଯାହାକୁ ଅନେକ କ୍ରିକେଟ ବିଶେଷଜ୍ଞ ଠିକ୍ ବୋଲି ଭାବୁନାହାଁନ୍ତି। କିନ୍ତୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମା ଯାହା ଠିକ୍ ବୋଲି ଭାବନ୍ତି, ତାହା ଟିମ୍ ଇଣ୍ଡିଆରେ ହେବ।