spot_img
Home Blog Page 1122

ସୁନ୍ଦରଗଡ଼କୁ ବିକାଶର ସ୍ବପ୍ନ ଦେଖାଇ ପ୍ରତାରଣା କରିଛି ଡବଲ ଇଞ୍ଜିନ ସରକାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା । ରାଜ୍ଯ ବଜେଟରେ ଚରମ ଅବହେଳା । ବିକାଶର ସ୍ବପ୍ନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗ । ଜିଲ୍ଲାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପାଇଁ ବିଭିନ୍ନ ମହଲରୁ ଦାବି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଜିଲ୍ଲାଵାସୀ ଓ ରାଉରକେଲାବାସୀଙ୍କ ବିକାଶ ପାଇଁ ଦେଖାଇଥିଲେ ଅନେକ ସ୍ବପ୍ନ । ହେଲେ ଚଳିତ ବଜେଟରେ ଏହା ପ୍ରତାରଣାରେ ପରିଣତ ହୋଇଛି । ଶିକ୍ଷା, ସ୍ଵାସ୍ଥ୍ୟ, ଶିଳ୍ଲ, ପର୍ଯ୍ୟଟକ, ଆଇଟି, ସଵୁ କ୍ଷେତ୍ରରେ ଜିଲ୍ଲାକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛି ସଚେତନ ନାଗରିକ ମଞ୍ଚ । ଜିଲ୍ଲାର ବିକାଶ ପାଇଁ ରାଜ୍ଯ ବିଜେପି ସରକାରର ଇଛାଶକ୍ତି ଅଭାବ ଥିବା ଏଥିରୁ ସ୍ପଷ୍ଟ ହୋଇଥିବା ମଞ୍ଚ ଅଭିଯୋଗ କରିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଵହୁ ଐତିହ୍ୟ, ଧାର୍ମିକ ସ୍ଥାନ, ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଏହାର ବିକାଶ କରିବା ପାଇଁ ରାଜ୍ୟ ବଜେଟରେ ଅର୍ଥ ଵ୍ୟଵସ୍ଥା କରାଯାଇ ନାହିଁ । ସହରରେ ୟୁନିଭରସିଟି ସହିତ ଟ୍ରାଇଵାଲ ୟୁନିଭରସିଟି କରିବା ପାଇଁ ଜିଲ୍ଲାବାସୀ ଆଶା ରଖିଥିଲେ । ସହର ସମ୍ଵୃଦ୍ଧି ଯୋଜନାରେ ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟି । ବେଦବ୍ୟାସ ତିର୍ଥସ୍ଥାନ, ଵିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି ପାଇଁ ନାହିଁ ପ୍ରାବଧାନ। ରାଉରକେଲାକୁ ଶିଳ୍ପ କରିଡର କରି ଆଇଟି, ସଫ୍ଟୱେର ଓ ଆଇଟି ପାର୍କ କରିବା ପାଇଁ ଘୋଷଣା ହୋଇଥିଲେ ସୁଦ୍ଧା ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ । ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଧୋକ୍କା ଦେଇଥିବା କହିଛନ୍ତି ଜିଲ୍ଲାବାସୀ ।

ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା

ଜୟପୁର ; ରାସ୍ତାକଡ଼ରେ ପଡ଼ିଛି ହାଟ । ହେଲେ ନିୟମିତ ବଜାର ଖାଁ ଖାଁ । ପରିବା ଠାରୁ ଆରମ୍ଭ କରି ଆମିଷ, ସବୁ ମିଳୁଛି ରାସ୍ତା କଡ଼ରେ । ଉଠା ଦୋକାନୀଙ୍କ କବଜାରେ କୋରାପୁଟ ସହର ରାସ୍ତା । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକ ସହରକୁ ଆସିଥାନ୍ତି । ହେଲେ ସହରର ମୁଖ୍ଯ ରାସ୍ତା ଏହି ଉଠା ଦୋକାନୀଙ୍କ ଯୋଗୁଁ ଶଙ୍କୁଚିତ ହେବାରେ ଲାଗିଛି । ଫଳରେ ଗାଡି ଯିବା ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହେଉଛି । ଭିଡ଼ ଯୋଗୁଁ ନୟାନ୍ତ ହେଉଛନ୍ତି ଟ୍ରାଫିକ କର୍ମଚାରୀ । କୋରାପୁଟ ଜିଲ୍ଲା ଚାଷ ପାଇଁ ଉପଯୋଗୀ ଥିବାରୁ ଅନେକ ଚାଷୀ ବିଭିନ୍ନ ପନିପରିବା ଉତ୍ପାଦନ କରନ୍ତି । ହେଲେ ବଜାର ସୁବିଧା ନଥିବାରୁ ସକାଳୁ ସକାଳୁ ରାସ୍ତା କଡ଼ରେ ବସି ବିକ୍ରି କରୁଥିବା କହିଛନ୍ତି । ଛୋଟ ବ୍ଯବସାୟ ପାଇଁ ହାଟପଦା ନାମକ ଏକ ନିୟମିତ ବଜାର ଥିଲେ ବି ତାକୁ କିଛି ମୁଷ୍ଟିମେୟ ବ୍ଯକ୍ତି ଓ ବ୍ଯବସାୟୀ ଅକ୍ତିଆର କରି ରଖିଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି । ତେଣୁ ଉଠାଦୋକାନୀଙ୍କ ସ୍ଥାୟୀ ପ୍ରତିକାର ନକଲେ କୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସହର ମଧ୍ଯରେ ଥିବା ଏହି ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରେ । ତେଣୁ ଅନେକ ସମୟରେ ପ୍ରଶାସନ ଦୋକାନୀଙ୍କୁ ଉଠାଇ ନିଏ । କିନ୍ତୁ ପିଣ୍ଡି ନଥିବାରୁ ପୁଣି ଥରେ ସେମାନେ ରାସ୍ତାକଡ଼କୁ ଚାଲି ଆସନ୍ତି । ସେପଟେ କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଖୁବଶିଘ୍ର ନିୟମିତ ପରିବା ବଜାର କରାଯାଇ ଉଠା ଦୋକାନୀଙ୍କ ଥଇଥାନ ପାଇଁ ବ୍ଯବସ୍ଥା କରାଯିବ । ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବାରୁ ଏହାକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଦିନକୁ ଦିନ ବିଗିଡିବାରେ ଲାଗିଛି ରାଉରକେଲାର ଆଇନଶୃଙ୍ଖଳା

ରାଉରକେଲା  : ଅଶାନ୍ତ ହେବାରେ ଲାଗିଛି ଶାନ୍ତ ସହର । ଦିନକୁ ଦିନ ବିଗୁଡୁଛି ରାଉରକେଲା ଆଇନଶୃଙ୍ଖଳା । ପୁଣି ସହରରେ ଫୁଟିଛି ଗୁଳି । ପୋଲିସର କାର୍ଯ୍ଯାନୁଷ୍ଠାନ ନେଇ ତେଜୁଛି ଅସନ୍ତୋଷ । ରାଉରକେଲା ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଘଟିଛି ଗୁଳିକାଣ୍ଡ । ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ଗୁରୁତର ଆହତ ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳିମାଡ ପରେ କାର ପାଚେରୀରେ ପିଟିହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଲିଘାଟ ବ୍ୟବସାୟକୁ କେନ୍ଦ୍ରକରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁଳି ମାଡ଼ ପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ ଲାଗୁଥିବା କହିଛନ୍ତି ଲୋକେ ।

ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ୩ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାଉରକେଲା ସହରରେ ଗତ କିଛିମାସ ହେଲା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଓ ଟିକେ ଟିକେ ଟିକେ କଥାରେ ଗୁଳିମାଡ ହେଉଥିବାରୁ ସହରବାସୀ ଭୟଭୀତ ହୋଇ ପଡିଥିବା କହିଛନ୍ତି । ଡଵଲ ଇଞ୍ଜିନ ସରକାର ଆସିବା ପରେ ଗତ କିଛି ମାସ ଭିତରେ ଶାନ୍ତ ସହର ରାଉରକେଲା ଅଶାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ସାଧାରଣ ଜନତା  । ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଅଭିଯୋଗ ହେବା ପରେ କିଛି ବ୍ୟବସାୟୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରୁଛି ପୋଲିସ୍ ।

ଭାରତକୁ ୨୪୨ ରନର ଟାର୍ଗେଟ ଦେଲା ପାକିସ୍ତାନ

ନୂଆଦିଲ୍ଲୀ : ଚମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମୁକାବିଲା। ଭାରତକୁ ୨୪୨ ରନର ଟାର୍ଗେଟ ଦେଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ କରିଛି ୨୪୧ ରନ।ଦଳ ପାଇଁ ସର୍ବାଧିକ ୬୨ ରନ କରିଛନ୍ତି ସଉଦ ସକିଲ। ଅଧିନାୟକ ମହମ୍ମଦ ରିଜୱାନ ଦ୍ଵିତୀୟ ସର୍ବାଧିକ ୪୬ ରନ କରିଛନ୍ତି। ଖୁସଦିଲ ଶାହ ସଲମାନ ଆଘା ୧୯ ରନ କରିଛନ୍ତି। ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିବା ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟ ଘଟିଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନର ପ୍ରଥମ ୱିକେଟ ନେଇଥିଲୋ। କ୍ରିଜରେ ସ୍ଥିତି ଜମାଇଥିବା ବାବର ଆଜମଙ୍କ ୱିକେଟ ନେଇଥିଲେ ପାଣ୍ଡ୍ୟା।୨୩ ରନ କରି ପ୍ଯାଭିଲିୟନ ଫେରିଥିଲେ ବାବର ଆଜମ। ବ୍ଯାଟ୍ସମ୍ୟାନ ଇମାମ ଉଲ ହକ ୧୦ ରନ କରି ରନ ଆଉଟ ହୋଇଥିଲେ।ମାତ୍ର ୪୭ ରନ ମଧ୍ୟରେ ଦୁଇଟି ୱିକେଟ ହରାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ପାକିସ୍ତାନ ଦଳ। କୁଲଦୀପ ଯାଦବଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ୨ ୱିକେଟ ମିଳିଛି। ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।

ନିଶା ମାଫିଆଙ୍କ ବିଲ ଉପରେ ଉଡୁଛି ଡ୍ରୋନ, ନଷ୍ଟ କରାଯାଉଛି ଏକର ଏକର ବେଆଇନ ଚାଷ

ଭୁବନେଶ୍ବର : ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ଜିରୋ ଟଲରାନ୍ସ । ଡ୍ରୋନ୍ ସାହାଯ୍ୟରେ ବିଲରୁ କଟାଯାଉଛି ଗଞ୍ଜେଇ ଗଛ । ବାଜ୍ଯାପ୍ତ ହେବ ନିଶା ଚାଲାଣରେ ବ୍ୟବହୃତ ଗାଡ଼ି । ଆନ୍ତଃରାଜ୍ୟ ଚାଲାଣ ରୋକିବାକୁ ଟାସ୍କ ଦେଲେ କମିଶନର । ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ । ଦେଖନ୍ତୁ ଏହି ଭିଜୁଆଲ । ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷ୍ଯରେ ଓଡିଶା ପୋଲିସ ଓ ଅବକାରୀ ବିଭାଗ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ କରାଯାଉଛି ନଷ୍ଟ । ରାଜ୍ୟ ପୋଲିସ୍,  ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଏବେ ଗଞ୍ଜେଇ ନଷ୍ଟ କରିବା ପାଇଁ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ରାଜ୍ୟର ୯ ଟି ଜିଲାରେ ଏବେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି । ମାଲକାନଗିରି,  କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲାରେ ବହୁଳ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । ଯେଉଁଥିପାଇଁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଗଞ୍ଜେଇ ଚାଷର ବିନାଶ ଆରମ୍ଭ କରିଛି ଓଡିଶା ପୋଲିସ ଓ ଅବକାରୀ ବିଭାଗ।

ଗତବର୍ଷ ତୁଳନାରେ ଏବର୍ଷ ୩ ଗୁଣା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ନୀଳଜହର ଚୋରା ଚାଲାଣରେ ବ୍ୟବହୃତ ଗାଡି ବାଜ୍ଯାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ନିଶାମାଫିଆଙ୍କ ସମ୍ପତ୍ତି ମଧ୍ୟ ବାଜ୍ଯାପ୍ତି କରିଥିଲା ବିଭାଗ । ନିଶା ବେପାରୀମାନେ ଜଙ୍ଗଲ ଭିତରେ ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଗଞ୍ଜେଇ ରଖିଥିବା ନେଇ ଜାଣିବା ପରେ ପୋଲିସ ସାହାଯ୍ୟରେ ସ୍ପେଶାଲ ଅପରେସନ ଜାରି ରଖାଯାଇଛି । ତେବେ ଏହାକୁ ମୂଳୋତ୍ପାଟନ କରିବା ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ପୂର୍ବରୁ ଡିଜିପି କହିଥିବା ବେଳେ ଏବେ ଏହାକୁ ବ୍ୟାପକ କରିବାକୁ ସୂଚନା ଦେଇଛନ୍ତି ଅବକାରୀ କମିଶନର ।  ମାଓବାଦୀ ଓ ନକ୍ସଲ ମୁଖ୍ୟତଃ ଗଞ୍ଜେଇ କାରବାର ଉପରେ ନିର୍ଭରଶୀଳ । ତେଣୁ ନୀଳଜହରର ବିନାଶ ହେଲେ ଏହି ଆତଙ୍କୀ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ବରିଷ୍ଠ ଅଫିସର ମାନଙ୍କୁ ସୂଚନା ଦେଇଛନ୍ତି କମିଶନର ।

ପ୍ରେମ ବିବାହ କରି ଦୀର୍ଘ ୮୪ ବର୍ଷ ହେବ ସାଥିରେ ରହିଛନ୍ତି ।

ବ୍ରାଜିଲ: ଆଜିକାଲି ବିବାହା ଓ ବିଚ୍ଛେଦ ସାଧାରଣ କଥା ହୋଇଗଲାଣି । ପ୍ରେମ କରି ବିବାହ କରିଥିଲେ ମଧ୍ୟ ସାମାନ୍ୟ କଥା ପାଇଁ ମନମତାନ୍ତର ହୋଇ ବିବାହ ବିଚ୍ଛେଦ ହେଉଛି । ସମ୍ପର୍କର ମାନେ ଏବେର ଯୁବ ପିଡି ବୁଝି ପାରୁ ନାହାନ୍ତି  । ଏହି ଭିତରେ ପ୍ରେମ ବିବାହ କରି ୮୪ବର୍ଷ ଏକାଠି ରହି  ରେକର୍ଡ କରିଛନ୍ତି ବ୍ରାଜିଲର ଦମ୍ପତି ।  ବ୍ରାଜିଲ ଦମ୍ପତିଙ୍କ ନିଆରା ପ୍ରେମ କାହାଣୀ । ପ୍ରେମ ବିବାହ କରିଥିଲେ ଏହି ଦମ୍ପତି । ତାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ନିଆରା ।୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋ ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି। କେମିତି ଥିଲା ତାଙ୍କର ଏହି ପ୍ରେମ କାହାଣୀ ଆସନ୍ତୁ ଜାଣିବା ।

ଗିନିଜ ଓ୍ବାଲର୍ଡ ରେକର୍ଡ ଅନୁସରେ୧୯୩୬ ମସିହାରେ ଏହି ଦମ୍ପତି ଦୁହେଁ ଦୁହିଁଙ୍କୁ ପ୍ରଥମେ ଭେଟିଥିଲା । ମାନୋଏଲ୍ ଏବଂ ମାରିଆ ପ୍ରଥମ ଥର ପାଇଁ ୧୯୩୬ ମସିହାରେ କୃଷି କାର୍ଯ୍ୟ କରୁଥିବା ବେଳେ ସାକ୍ଷାତ କରିଥିଲେ। ମାନୋଏଲ ଆଲମେଇଡା ଅଞ୍ଚଳକୁ ବୋଆ ଭିଆଗେମ୍ ଜିଲ୍ଲାରେ ରାପାଡୁରା (ଏକ ପାରମ୍ପରିକ ବ୍ରାଜିଲିୟାନ୍ ମିଠା) ଆଣିବା ପାଇଁ ଯାଇଥିଲେ, ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ପ୍ରେମ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରମରେ ପଡିଯାଇଥିଲେ  । ୧୯୪୦ ମସିହାରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ପ୍ରଥମେ ମାରିଆଙ୍କ ମାଆ ଏହି ବିବାହ ପାଇଁ ରାଜି ହୋଇନଥିଲେ। ମାତ୍ରପରେ ମାନୋଏଲ୍ ତାଙ୍କ ପରିବାରକୁ ରାଜି କରାଇଥିଲେ। ସେଥିପାଇଁ ସେ ଏକ ଘର ମଧ୍ୟ ନିର୍ମାଣ କରିଥିଲେ। ପରିବାରକୁ ଏହି ବିବାହ ପାଇଁ ରାଜି କରାଇବା ପରେ  ମାନୋଏଲ୍ ଏବଂ ମାରିଆ ବିବାହ କରିଥିଲେ ।  ସେ ନିଜେ ଗଢିଥିବା ଘରେ ସାଂସାରିକ ଜୀବନ ଆରମ୍ଭ କଲେ। ତାଙ୍କର ୧୩ ଜଣ ସନ୍ତାନ ହୋଇଥିଲେ। ସେତେବେଳେ ତାଙ୍କୁ ପରିବାର ପୋଷଣ କରିବା ପାଇଁ ଖୁବ ସଂଘର୍ଷ କରିବାକୁ ପଡିଥିଲା । ହେଲେ ଏହି ଖରାପ ପରିସ୍ଥିତିରେ ମଧ୍ୟ କେହି କାହା ହାତ ଛାଡି ନଥିଲେ । ସେବେଠାରୁ ୧୦୦ ବର୍ଷ ହୋଇଗଲାଣିଦୁହେଁ ଦୁହିଁଙ୍କ ସହ ରହିଛିନ୍ତି । ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଯେଉଁ ଶପଥ ନେଇଥିଲେ ଦୁହେଁ ସେହି ପ୍ରତିଶୃତିକୁ ପାଳନ କରୁଛନ୍ତି । ଜୀବନର ପ୍ରତିଟି ସମୟରେ ଦୁହେଁ ସାଥି ହୋଇ ରହିଛନ୍ତି । ଜୀବନର ଅନେକ ଘାତ ପ୍ରତିଘାତ ପରେ ମଧ୍ୟ ଉଭୟ ଉଭୟଙ୍କ ହାତ ଛାଡ଼ି ନାହାନ୍ତି । ଏ ପରିଣତ ବୟସରେ ବି ସେମାନେ ଏକାଠି ଓ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି। ଅଧିକ ବୟସ ହେତୁ ସେମାନେ ପ୍ରାୟତଃ ଦିନରେ ବିଶ୍ରାମ ନିଅନ୍ତି କିନ୍ତୁ ସନ୍ଧ୍ୟା ୬ଟାରେ ରେଡିଓରେ ଜପମାଳା ପ୍ରାର୍ଥନା ଶୁଣିବା ପାଇଁ ମାରିଆଙ୍କ ସହ ବୈଠକ ଘରେ ଯୋଗ ଦିଅନ୍ତି, ତାପରେ ଟେଲିଭିଜନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଦେଖନ୍ତି। ଏକ ଦୀର୍ଘସ୍ଥାୟୀ ବିବାହର ରହସ୍ୟ କଣ ପଚାରିବାରୁ ମରିଆ କହିଛନ୍ତି ପ୍ରେମ ଅତି ସରଳ । ଏହାକୁ ସବୁଠାରୁ ଅତ୍ୟଧୁନିକ  କମ୍ପ୍ୟୁଟର ମଧ୍ୟ ଗଣନା କରିପାରିବ ନାହିଁ ।

ଲଙ୍ଗଏଭିଟିକ୍ୱେଷ୍ଟ ଏକ ସଂଗଠନ ଯାହା ଶତାୟୁ ଲୋକଙ୍କ ଜୀବନୀ ନେଇ ଅନୁସନ୍ଧାନ କରେ। ସଂଗଠନଟି ଇନଷ୍ଟାଗ୍ରାମରେ ଏହି ବ୍ରାଜିଲ ଦମ୍ପତିଙ୍କ ପ୍ରେରଣାଦାୟକ ପ୍ରେମ କାହାଣୀ ଓ ଜୀବନ ସଂପର୍କରେ ଭିଡିଓ ସେୟାର କରିଛି। ଭାଲେଣ୍ଟାଇନ୍ସ ଡେ ଅନୁଯାୟୀ, ଏହି ଦମ୍ପତି ବିବାହର ୮୪ ବର୍ଷ ୭୭ ଦିନ ଧରି ଏକାଠିରହିଆସୁଛନ୍ତି  ।

 

ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା ।

ନୂଆଦୀଲ୍ଲି : ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା । ସାପକୁ ବ୍ୟାଗ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ । କିଙ୍ଗ କୋବ୍ରା ବ୍ୟଗ୍ ଭିତରେ ଏକା ନଥିଲା ତା ସହିତ ଥିଲା ଆହୁରି ୯ଟି ବିଷଧର ଅଜଗର ଏବଂ ୧୩ ଟି ସାପ । ଏହି ସାପ ଗୁଡିକୁ ଦେଖି କିଛି ଲୋକ ଭୟରେ ଦୈଡି ପଳାଇଥିଲେ । ଆଉ କିଛି ଲୋକ ସାହସିକତା ଦେଖାଇ ଆଗକୁ ଆାସି ଏହାକୁ ଦେଖି ମଜା ନେଇଥିଲେ । କିଛି ସମୟ ମଧ୍ୟରେ ଏହି ସାପ ଗୁଡିକ ପାଇଁ ସମଗ୍ର ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଗଲା  ।

ଏହି ଘଟଣିଟି ଆଇଜିଆଇ ଏୟାରପୋର୍ଟ ଟର୍ମିନାଲର । ବିମାନବନ୍ଦରରେ ନିୟୋଜିତ କଷ୍ଟମ ଇଣ୍ଟେଲିଜେନ୍ସି ୟୁନିଟ୍‌କୁ ଗୁପ୍ତ ସୂଚନା ମିଳିଥିଲା ବିପଦପୂର୍ଣ୍ଣ ଅବସ୍ଥାରେ ବନ୍ୟପ୍ରାଣୀଙ୍କୁ ବ୍ୟାଗରେ ଭରି ନିଆଯାଉଛି । ଇନପୁଟ ଆଧାରରେ ଗ୍ରୀନ ଜୋନ ଅଞ୍ଚଳରେ ତଦନ୍ତ ପାଇଁ ତିନିଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା । ତଦନ୍ତ ସମୟରେ ବ୍ୟାଗଟିକୁ ଖୋଲାଯାଇଥିଲା । ବ୍ୟାଗଟିରେ ଅଜଗର ସମେତ ବିଭିନ୍ନ ପ୍ରଜାତିର ମୋଟ ୨୨ଟି ସାପ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଗଟିରେ ସାପ ଥିବା ଖବର ପାଇବା ମାତ୍ରେ ଅନ୍ୟ AIU ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ।

ବ୍ୟାଗଟି ମିଳିବା ପରେ ସତର୍କତାର ସହ ବ୍ୟାଗର ସନ୍ଧାନ ଆରମ୍ଭ ହେଲା । ଖୋଳତାଳ ସମୟରେ ବ୍ୟାଗ  ଭିତରୁ ୨୨ଟି ପ୍ରଜାତିର ସାପ ବ୍ୟତୀତ ବିଭିନ୍ନ ପ୍ରଜାତିର ୨୩ଟି ଛିଟିପିଟି ଉଦ୍ଧାର କରାଯାଇଥିଲା । କେବଳ ଏତିକି ନୁହେଁ ୧୪ଟି ତେଲୁଣି ପୋକ ଏବଂ ଗୋଟିଏ ବୁଢୀଆଣି ମଧ୍ୟ ଉଦ୍ଧାର କରାଯାଇଥିଲା ।

ଜଣେ ବରିଷ୍ଠ କଷ୍ଟମ ଅଧିକାରୀଙ୍କ ଅନୁଯାୟୀ ଖତରନାକ ବନ୍ୟପ୍ରଣୀ ଚୋରା ଚାଲାଣ ଷଡଯନ୍ତ୍ର ମାମଲାରେ ଗିରଫ୍ ହୋଇଥିବା ତିନିଜଣ ଅଭିଯୁକ୍ତ ହୋଉଛନ୍ତି ଭାରତୀୟ ବଂଶୋଭବ  । ଏହି ତିନିଜଣ ଫେବୃଆରୀ ୨୩ ତାରିଖ ଦିନ ରାତ୍ରୀ ପ୍ରାୟ ୦୧.୩୫ ସମୟରେ ଏୟାର ଇଣ୍ଡିଆର ବିମାନ ଯୋଗେ IGI ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ବିମାନଟି ବ୍ୟାଙ୍କକରୁ ବାହାରି ଦିଲ୍ଲୀ ଆସେ । ପଚରାଉଚରା ସମୟରେ ଏହି ତିନି ଅଭିଯୁକ୍ତ କେଉଁ ଉଦ୍ଦେଶ୍ୟ ପାଇଁ ସାପ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଭାରତକୁ ଅଣିଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।

‘ଲାଞ୍ଚ ନଦେଲେ ଜମିରୁ ଆଖୁ ଉଠୁନାହିଁ’

ବୁରୀ : ଲାଞ୍ଚ ନ ଦେଲେ ବିଲରୁ ଉଠୁନାହିଁ ଆଖୁ । ଲାଞ୍ଚ କାରବାର ପାଇଁ କ୍ଷତି ସହୁଛନ୍ତି ଆଖୁଚାଷୀ । ବିଲରେ ପଡ଼ି ପଡ଼ି ଶୁଖି ଜାଳ ହୋଇଯାଉଛି ଆଖୁ । ଏଭଳି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳର ଆଖୁଚାଷୀ । ଏଠାକାର ସଂଖ୍ୟାଧିକ ଲୋକେ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ତେବେ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀ ଆଖୁ ଚାଷକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ବିଗତ ଦିନରେ ଶକ୍ତି ସୁଗାର କମ୍ପାନୀ ଦାୟିତ୍ଵ ନେଇ ବରୀ ଅଞ୍ଚଳରେ ଆଖୁ ଚାଷ ଆରମ୍ଭ ହୋଇଥିଲା । କୃଷକମାନେ ଆଖୁ ଚାଷ କରି ଲାଭବାନ ହେଉଥିଲେ। ଆଇପିଏଲ୍ ନାମକ କମ୍ପାନୀ ଦାୟିତ୍ଵ ନେବା ପରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ବିଭାଗୀୟ ଅଧିକାରୀଙ୍କୁ ଯିଏ ଲାଞ୍ଚ ଦେଉଛି ତା ଆଖୁ ଆଗ ଗାଡ଼ିରେ ଲୋଡ ହୋଇ ମିଲକୁ ଯାଉଛି । ଲାଞ୍ଚ ନଦେଲେ ଜମିରୁ ଆଖୁ ଉଠୁନାହିଁ । ଅଧିକାରୀ ମାନଙ୍କର ଲାଞ୍ଚ କାରବାର ପାଇଁ ଚାଷୀମାନେ କ୍ଷତି ସହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଆଖୁ କାଟିବାର ୧୫ରୁ ୨୦ ଦିନ ପରେ ମଧ୍ୟ ଜମିରୁ ଆଖୁ ଉଠୁନାହିଁ । ଦୀର୍ଘ ଦିନ ଧରି ଆଖୁ ଜମିରୁ ଉଠିନପାରି ପଡ଼ି ପଡ଼ି ଶୁଖିଯାଉଛି । ଆଉ ଶୁଖିଯାଉଥିବା ଆଖୁକୁ ଚାଷୀ ଜାଳି ଦେଉଥିବା ଦେଖିବାକୁ ମିଳୁଛି । ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଲାଞ୍ଚ କାରବାର ଓ ଆଖୁ ଶୁଖିଯାଉଥିବାରୁ ପରିଶ୍ରମ ତୁଳନାରେ ଆଖୁ ଚାଷରେ ଚାଷୀକୁ କ୍ଷତି ସହିବାକୁ ପଡୁଛି । ପୂର୍ବ ବର୍ଷ ମାନଙ୍କରେ ବରୀ ଅଞ୍ଚଳରେ ଆଖୁ ଚାଷ ବହୁଳ ଭାବରେ ହେଉଥିଲା l ଏପରି ସମସ୍ୟା ଯୋଗୁଁ ଓ ମୁନାଫାଖୋର ଅଧିକାରୀଙ୍କ ପାଇଁ ଆଖୁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟହୋଇ ଚାଷୀ ଚଳିତ ବର୍ଷ ହଜାର ହଜାର ହେକ୍ଟର ଜମିକୁ ପଡ଼ିଆ ପକାଇ ଦେଇଛନ୍ତି । ଚାଷୀଙ୍କ ସମସ୍ୟା ନେଇ ଆମ ପ୍ରତିନିଧି ଆଇପିଏଲ୍ ବରୀ ଡିଭିଜନର ବରିଷ୍ଠ ଅଧିକାରୀଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରାକୁ ଏଡ଼ାଇ ଚାଲିଯାଇଥିଲେ । ଆଖୁ ଚାଷ ପ୍ରତି ସରକାରୀ ଅଣଦେଖା ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଆଖୁ ଚାଷ ପ୍ରଭାବିତ ହେଉଛି । ଗତ ଦୁଇ ବର୍ଷ ହେବ ଆଖୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଉପରିସ୍ଥ ଅଧିକାରୀ ସମସ୍ୟା ପ୍ରତି ଧ୍ଯାନ ଦେଇ ତଦନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଖୁ ଚାଷୀମାନେ ଦାବି କରିଛନ୍ତି।

ଢେଙ୍କାନାଳ ସଦର ଥାନା ଫାସିଗାଁରେ ଗୁଳିକାଣ୍ଡ

ଢେଙ୍କାନାଳ : ରବିବାର ଭୋର ସମୟରେ ଫୁଟିଲା ଗୁଳି । ଫାର୍ମ ହାଉସରେ ଶୋଇଥିବା ବେଳେ ଗୁଳିମାଡ଼ । ସମ୍ପର୍କୀୟ ଭିଣୋଇ ଗୁଳିରେ ଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ସଦର ଥାନା କଳାଙ୍ଗ ଫାସିଗାଁ ନିକଟ ଫାର୍ମ ହାଉସରେ । ମୃତ ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ତାଙ୍କର ସମ୍ପର୍କୀୟ ଭିଣୋଇ ରମେଶ ଚନ୍ଦ୍ର ନାଏକ ହତ୍ୟା କରିଥିବା ସ୍ଵୀକାର କରିଛି। ଫାର୍ମ ହାଉସ ବୁଦା ଭିତରେ ଅଭିଯୁକ୍ତ ରମେଶ ବନ୍ଧୁକ ଲୁଚାଇ ରଖିଥିଲା । ରମେଶର ଉପସ୍ଥିତିରେ ପୋଲିସ ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଛି। ଗତ ରାତିରେ ଫାର୍ମ ହାଉସ ଭିତରେ ମୃତକ ଗୋବିନ୍ଦ ଚନ୍ଦ୍ର ନାଏକଙ୍କ ସହ ଆଳୁସିଂ ଗାଁର ସମ୍ପର୍କୀୟ ଭିଣୋଇ ତଥା ଅଭିଯୁକ୍ତ ରମେଶ ଓ ଗୋବିନ୍ଦଙ୍କ ସମ୍ପର୍କୀୟ ଭାଇ ଅଭିରାମ ନାଏକ ଥିଲେ । ଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ଗୋବିନ୍ଦଙ୍କୁ ଜନ୍ତୁ ଭାବି ଗୁଳି ଚଳାଇଥିବା କ୍ୟାମେରା ଆଗରେ କହିଛି ଅଭିଯୁକ୍ତ ରମେଶ । ତେବେ ଏବେ ବି ଗୁଳିମାଡ଼ର ପ୍ରକୃତ କାରଣ ସନ୍ଦେହ ଘେରରେ ରହିଛି । ପୋଲିସ ସାଇଣ୍ଟିଫିକ୍ ଟିମ ସହିତ ସନ୍ଧାନୀ କୁକରଙ୍କ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ ।

ଗୁଲିମାଡ଼ ପରେ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ମାମଲାରେ ପୋଲିସ ପକ୍ଷରୁ ଜଣଙ୍କୁ ଅଟକ ରଖିଥିଲା । ଅଟକ ବ୍ୟକ୍ତିଙ୍କୁ ନେବା ବେଳେ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଅଟକ ବ୍ୟକ୍ତିଙ୍କୁ ପୋଲିସ ଠାରୁ ଛଡ଼ାଇ ନେବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଢେଙ୍କାନାଳ ଏସପିଙ୍କ ସହ ଟାଉନ୍ ଆଇଆଇସି ଓ ଭାପୁର ଥାନା ଅଧିକାରୀ ମଧ୍ୟ ଛାନବିନ୍ କରୁଛନ୍ତି। ମୃତ ଗୋବିନ୍ଦଙ୍କ ପତ୍ନୀ, ଭାଇ, ତଥା ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ମୃତଦେହର ଛାତିରେ ଅନେକ ଗୁଡ଼ିଏ ଛେରା ଗୁଳି ପସିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହେଉଛି l ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଘଟଣାର ଖୁବଶିଘ୍ର ପର୍ଦ୍ଦାଫାଶ କରାଯିବ ବୋଲି କହିଛନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ l ତେବେ ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ଗୁଳିକରି ହତ୍ୟା କରିବା ଏକ ଦୁର୍ଘଟଣା ନାଁ କୌଣସି ହତ୍ୟା ଷଡ଼ଯନ୍ତ୍ର ତାହା ଅସ୍ପଷ୍ଟ ରହିଛି  ।

କେନାଲ ପାଣିକୁ ନେଇ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡର ଚାଷୀଙ୍କ ମଧ୍ୟରେ ତେଜୁଛି ବିବାଦ

ଗଜପତି : ଶୁଖିଯିବାକୁ ବସିଛି ଚିରସ୍ରୋତା ମହେନ୍ଦ୍ର ତନୟା ନଦୀ । ଚଳିତ ଗ୍ରୀଷ୍ମ ରୁତୁ ଆରମ୍ଭରୁ ତଳମୁଣ୍ଡର ଜଳ ସ୍ତର କମି କମିଯାଉଛି । ଜଳ ସେଚନ ସମସ୍ୟାକୁ ନେଇ ପରିବା ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଅଗରଖଣ୍ଡି, କେରାଣ୍ଡି , ଉପଲଡ଼ା, ଖରସଣ୍ଡା, ମଧୁସୂଦନପୁର, ବାଘସାଳା ଓ, କତଲକଇଠା ଆଦି ପଞ୍ଚାୟତରେ  ଶହ ଶହ ହେକ୍ଟର ପରିବା ଚାଷ ପାଇଁ ଜଳସେଚନର ସମସ୍ୟା ଦେଖାଦେଇଛି । ବାଟଶିରିପୁର ଠାରେ ଥିବା ନିକଟରୁ ନଦୀ ଜଳକୁ ସମ୍ପୂର୍ଣ୍ଣ ଅଟକାଇ ଉପର ମୁଣ୍ଡରେ ଧାନଚାଷ ପାଇଁ ଛାଡ଼ି ଦିଆଯାଇଛି । ଫଳରେ ତଳମୁଣ୍ଡରେ ଉଠା ଜଳସେଚନ ପ୍ରକଳ୍ପକୁ ପାଣି ପାଉନାହିଁ । ଆନିକଟର ବଳକା ପାଣି ନଦୀ ଦେଇ ଆନ୍ଧ୍ରକୁ ବହିଯାଉଛି । ଚଳିତ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ନଦୀରେ ଜଳସ୍ତର କମିଗଲାଣି । ଆଗକୁ ଆହୁରି ଖରା ବଢ଼ିବା ସମ୍ଭାବନା ରହିଛି । ଜଳ ସମସ୍ୟାକୁ ନେଇ ବିବାଦ ଉଙ୍କି ମାରିଛି ।

ଜଳ ସଂକଟକୁ ଏଡ଼ାଇବା ପାଇଁ ନଦୀରେ ଆଡ଼ିବନ୍ଧ କରି ଜଳକୁ ଗୋଷାଣି ଓ ରାୟଗଡ ବ୍ଳକ ସମେତ ପାରଳାଖେମୁଣ୍ଡି ସହରକୁ ଯୋଗାଣ କରୁଛି ଜନସ୍ୱାସ୍ଥ୍ୟ ବିଭାଗ। ବିଗତ ବର୍ଷ ନଦୀ ଶୁଖିଯିବା ଫଳରେ ଜଳ ଯୋଗାଣ ପ୍ରକିୟା ବାଧା ପ୍ରାପ୍ତ ହୋଇଥିଲା। । ରବି ଋତୁରେ କିଛି ବର୍ଷ ହେଲା ବାଟସିରିପୁର ଆନିକଟରୁ ଉପର ମୁଣ୍ଡରେ ପ୍ରାୟ ୬୦୦ ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଫସଲ କରି ଜଳସେଚନ କରୁଛନ୍ତି ଚାଷୀ । ଫଳରେ ତଳମୁଣ୍ଡରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି।  କେନାଲ ପାଣିକୁ ନେଇ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡର ଚାଷୀଙ୍କ ମଧ୍ୟରେ ବାରମ୍ବାର ବୁଝାମଣା ସତ୍ତ୍ୱେ ବିବାଦ ତେଜୁଛି। ସମାଧାନ ପାଇଁ ହସ୍ତକ୍ଷେପ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପର ଓ ତଳମୁଣ୍ଡର ଚାଷୀ ଓ ଜନ ପ୍ରତିନିଧିଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ନେଇ ଆଲୋଚନା କରିଛି ପ୍ରଶାସନ। ଜଳ ସଙ୍କଟ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। କଥାରେ ଅଛି, ବେଳେ ଥାଉଣୁ ହିଡ଼ ବାନ୍ଧିବା ନୀତିରେ ଜଳ ସଙ୍କଟ ପରିସ୍ଥିତି ଉପୁଜିବା ପୂର୍ବରୁ ମହେନ୍ଦ୍ର ତନୟା ନଦୀ ଜଳର ଅପଚୟ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଉଠିଛି ଗଜପତି ଜିଲ୍ଲା ପ୍ରଶାସନ। ତେବେ ଏହା କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।