ଭୁବନେଶ୍ବର: ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା । ମାତ୍ର ଏବେ ସେହି ଓଡ଼ିଆ ଅସ୍ମିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି । ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ । ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନ କରିବା କ୍ଷୋଭର ବିଷୟ । ବିଜୁଙ୍କୁ ଅପମାନ କରିବା ଅନୁଚିତ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁବାବୁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ୧୯୯୩ ମସିହାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ । ସେବେଠାରୁ ପଂଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ତାଙ୍କୁ ଅପମାନ କରିବା ଅନୁଚିତ ବୋଲି କହିଛନ୍ତି ଶ୍ରୀମତୀ ମଲ୍ଲିକ।
ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ଏହି ଦିବସ ପାଳନ ହେବ ବୋଲି ସେ କହିଛନ୍ତି।
ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ପ୍ରଥମ ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ କଡ଼ା ଟକ୍କର ହେବ । ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଆଜି ଭାରତ ପ୍ରଥମେ ବୋଲିଂ କରିବ । ଆଜି ଟସ୍ ହାରିବା ପରେ କ୍ରମାଗତ ୧୪ ଥର ପାଇଁ ରୋହିତ ଶର୍ମା ଟସ୍ ହାରିଛନ୍ତି । ଆଜି ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅଷ୍ଟ୍ରେଲିଆା ଟିମରେ ମାଥ୍ୟୁ ଶର୍ଟଙ୍କ ସ୍ଥାନରେ କୂପର କୋନୋଲି, ସ୍ପେନସର ଜନସନଙ୍କ ସ୍ଥାନରେ ଲେଗ ସ୍ପିନର ତନବୀର ସଂଘାଙ୍କୁ ନିଆଯାଇଛି । ଆସନ୍ତାକାଲି ଲାହୋରର ଗଦ୍ଦାଫି ଷ୍ଟାଡିମୟରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ସେମି ଲଢ଼େଇ ହେବ । ଗ୍ରୁପ-ଏ’ର ଭାରତ ଓ ନ୍ୟୁଜିଲାଣ୍ଡ ସେମିକୁ ଉନ୍ନୀତ ହୋଇଥିବା ବେଳେ ଗ୍ରୁପ-ବି’ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ କ୍ବାଲିଫାଏ କରିଥିଲେ । ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।
ଟିମ୍ ଇଣ୍ଡିଆ ଏଥର ସାବଧାନ: ଟ୍ରେଭିସ ହେଡଙ୍କ ପାଇଁ ଭାରତ ଦୁଇଥର ବିଶ୍ବକପ ଫାଇନାଲରେ ହାରିଥିଲା
ଦୁବାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ମୁକାବିଲା ହେବ । ବିଶ୍ବର ଦୁଇ ଅନ୍ୟତମ ଶକ୍ତିଶାଳୀ ଟିମ୍ ମଧ୍ୟରେ ହେବାକୁ ଥିବା ଏହି ମହାମୁକାବିଲାକୁ ସାରା ବିଶ୍ବ ଚାହିଁ ରହିଛି । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆର ଜଣେ ଘାତକ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ଏହି ଖେଳାଳିଙ୍କ ପାଇଁ ଭାରତ ଦୁଇଥର ବିଶ୍ବ ଚାମ୍ପିୟନରୁ ବଞ୍ଚିତ ହୋଇଥିଲା । ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡଙ୍କ ପାଇଁ ଭାରତ ଦୁଇଥର ଫାଇନାଲରେ ପରାସ୍ତ ହୋଇଥିଲା । ତେଣୁ ଏଥର ସେହି ଘଟଣାର ପୁନରାବୃତ୍ତି ଯେପରି ନ ଘଟିବ, ତାହା ଟିମ୍ ଇଣ୍ଡିଆ ଧ୍ୟାନ ଦେବା ଆବଶ୍ୟକ ।
୨୦୨୩ ଦିନିକିଆା ବିଶ୍ବକପର ଫାଇନାଲରେ ହେଡ ଭାରତ ବିପକ୍ଷରେ ୧୨୦ଟି ବଲରୁ ୧୩୭ ରନ୍ ସଂଗ୍ରହ କରିଥିଲେ । ଫଳରେ କଙ୍ଗାରୁ ଟିମ୍ ୬ଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ ହୋଇପାରିଥିଲା । ତା’ ପୂର୍ବରୁ ୨୦୨୩ ଜୁନ ୭-୧୧ରେ ଇଂଲଣ୍ଡର ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଭାରତର ଅବସ୍ଥା ଶୋଚନୀୟ କରିଦେଇଥିଲେ ହେଡ । ହେଡ ୧୬୩ ରନର ଶାନଦାର ପାଳି ଖେଳି ଭାରତ ପାଖରୁ ମ୍ୟାଚ ଛଡ଼ାଇ ନେଇଥିଲେ । ଫାଇନାଲରେ ଭାରତ ୨୦୯ ରନରେ ପରାସ୍ତ ହୋଇଥିଲା । ସବୁଠାରୁ ଖାସ୍ କଥା ହେଉଛି, ହେଡ୍ ICC ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଏକ ’ଓ୍ବାଲ’ ଭଳି ଠିଆ ହେଉଛନ୍ତି । ଯାହାକି ଭାରତର ପରାଜୟର କାରଣ ସାଜୁଛି । ତେଣୁ ଏଥର ହେଡଙ୍କୁ ରୋକିବାକୁ ରୋହିତ ବାହିନୀ ପ୍ରାଣପଣେ ପ୍ରୟାସ କରିବା ଦରକାର ।
ଲିଙ୍ଗରାଜଙ୍କ ବେଢ଼ାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି ଭକ୍ତ ଦାସ
ଭୁବନେଶ୍ବର: ଲିଙ୍ଗରାଜଙ୍କ ବେଢ଼ାରେ ଫଟୋ ଉଠାଇ ଅଡୁଆ ପିସିସି ସଭାପତି ଭକ୍ତ ଦାସ। ଗତକାଲି ଭକ୍ତ ଦାସ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଉକ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଏହାକୁ ନେଇ ଅଡୁଆରେ ପଡ଼ିଛନ୍ତି ଭକ୍ତ ଦାସ। ମନ୍ଦିର ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି। ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ବେଢ଼ାରେ ଫଠୋ ଉଠାଇଛନ୍ତି ପିସିସି ସଭାପତି।

