spot_img
Home Blog Page 1083

IPL ସହିତ PSL ର ଟକ୍କର ! କାର୍ଯ୍ୟସୂଚୀ ପ୍ରକାଶ କରି BCCIକୁ ଚ୍ୟାଲେଞ୍ଜ କଲା PCB

ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଛି । ନିକଟରେ ପାକିସ୍ତାନ ସୁପର ଲିଗ (PSL)ର କାର୍ଯ୍ୟସୂଚୀ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଏହା ପିଏସଏଲର ଦଶମ ସଂସ୍କରଣ ଆଇପିଏଲ ୨୦୨୫ ମଧ୍ୟଭାଗରେ ଆୟୋଜନ କରିବାକୁ ଘୋଷଣା କରିଛି। ଏହା ଏପ୍ରିଲ ୧୧ରୁ ଆରମ୍ଭ ହେବ, ଯେତେବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୧୮ରେ ଖେଳାଯିବ। ଅନ୍ୟପକ୍ଷରେ, ଆଇପିଏଲ ୨୨ ମାର୍ଚ୍ଚରେ ଆରମ୍ଭ ହେବ, ଯେତେବେଳେ ଏହାର ଶେଷ ମ୍ୟାଚ୍ ୨୫ ମଇରେ ଖେଳାଯିବ। ଏହାକୁ ଦେଖିଲେ ଲାଗୁଛି ଯେ ପିସିବି ଏହି କାର୍ଯ୍ୟସୂଚୀ ସହିତ ବିସିସିଆଇକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଛି।

ପାକିସ୍ତାନ ସୁପର ଲିଗ୍ ୨୦୨୫ର ପ୍ରଥମ ମ୍ୟାଚ୍ ରାୱଲପିଣ୍ଡିରେ ଡିଫେଣ୍ଡିଂ ଚାମ୍ପିଅନ୍ ଇସଲାମାବାଦ ୟୁନାଇଟେଡ୍ ଏବଂ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯିବ। ଏହି ସିଜିନରେ, କରାଚୀ, ଲାହୋର ଏବଂ ରାୱଲପିଣ୍ଡିକୁ ୪ଟି ସ୍ଥାନ ଭାବରେ ଚୟନ କରାଯାଇଛି । ଯେଉଁଠାରେ ୩୪ଟି ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ୩୦ଟି ମ୍ୟାଚ୍ ହେବ। ଏହା ପରେ, ୧୩ ମଇରେ କ୍ୱାଲିଫାୟର, ୧୪ ମଇରେ ଏଲିମିନେଟର ୧ ଏବଂ ୧୬ ମଇରେ ଏଲିମିନେଟର ୨ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି।

ରାୱଲପିଣ୍ଡିରେ ୧୧ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ୧୩ ମଇରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଏବଂ କ୍ୱାଲିଫାୟର ୧ ଅନ୍ତର୍ଭୁକ୍ତ । ଲାହୋରରେ ୧୩ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଦୁଇଟି ଏଲିମିନେଟର ଏବଂ ଗୋଟିଏ ଫାଇନାଲ୍ ମ୍ୟାଚ୍ ସାମିଲ ଅଛି। ଏହା ବ୍ୟତୀତ କରାଚୀ ଏବଂ ମୁଲତାନ ୫-୫ଟି ମ୍ୟାଚ୍ ଆୟୋଜନ କରିଛନ୍ତି। ଏହି ସିଜିନରେ ତିନୋଟି ଡବଲ-ହେଡର ମଧ୍ୟ ହେବ।

ପିସିବିର ଚ୍ୟାଲେଞ୍ଜ ନା ବାଧ୍ୟବାଧକତା ?

ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନୀ ବୋର୍ଡ ଏପରି କାହିଁକି କରୁଛି? ସେ କାହିଁକି ବିସିସିଆଇକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି ଯେତେବେଳେ ଏହା ତାଙ୍କୁ କେବଳ କ୍ଷତି ପହଞ୍ଚାଇବ? ପ୍ରକୃତରେ, ଏହା ପିସିବି ପାଇଁ ଏକ ଚ୍ୟାଲେଞ୍ଜ ଅପେକ୍ଷା ଏକ ବାଧ୍ୟବାଧକତା। କାରଣ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଚାଲିଛି, ଯାହା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ, ଏହା ଏକ ତ୍ରିକୋଣୀୟ ସିରିଜ ମଧ୍ୟ ଆୟୋଜନ କରିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

ସେଥିପାଇଁ ଏବେ ଏହାକୁ ଆଇପିଏଲ ସହିତ ପ୍ରତିଯୋଗିତା କରିବାକୁ ପଡିବ।  ସାଧାରଣତଃ ପାକିସ୍ତାନ ଏହାକୁ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆୟୋଜନ କରିଥାଏ, ଯାହା କାରଣରୁ ଆଇପିଏଲ ପୂର୍ବରୁ କିଛି ବଡ଼ ଖେଳାଳି ଏଥିରେ ଖେଳିପାରିଥିଲେ। କିନ୍ତୁ ଏଥର ଏହା ସମ୍ଭବ ହେବ ନାହିଁ। କେବଳ ଏତିକି ନୁହେଁ, ଟିଭିରେ ପାକିସ୍ତାନୀ ଲିଗ୍ ଦେଖୁଥିବା ଲୋକଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ହୋଇପାରେ, ଯାହା ପ୍ରସାରଣ ଅଧିକାରରୁ ହେଉଥିବା ଆୟକୁ ମଧ୍ୟ ପ୍ରଭାବିତ କରିପାରେ।

ବରଫରେ ପୋତି ହୋଇଗଲେ ୫୭ ଶ୍ରମିକ,ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବଡ଼ ଦୁର୍ଘଟଣା । ବଦ୍ରିନାଥ ଧାମରେ ​​ଗ୍ଲେସିୟର ଫାଟିବାରୁ ୫୭ ଜଣ ଶ୍ରମିକ ବରଫରେ ପୋତି ହୋଇଗଲେ। ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି। ଏହି ଦୁର୍ଘଟଣା ଘଟିବା ସମୟରେ ଏହି ସମସ୍ତ ଶ୍ରମିକ ବଦ୍ରିନାଥ ଧାମରେ ​​ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଚମୋଲି ଜିଲ୍ଲା ପୋଲିସ-ପ୍ରଶାସନ ଅଧିକାରୀ ଏବଂ BRO ଟିମର ସଦସ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାର ତାରିଖ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ବଦ୍ରିନାଥ ଧାମଠାରୁ ତିନି କିଲୋମିଟର ଆଗକୁ ଥିବା ମାନା ଗାଁ ନିକଟରେ ରାସ୍ତାରୁ ବରଫ ହଟାଇ ମରାମତି କାମ ଦ୍ରୁତ ଗତିରେ ଚାଲିଛି। ଶୁକ୍ରବାର ସକାଳେ ମଧ୍ୟ, ଏକ ଘରୋଇ ଠିକାଦାରଙ୍କ୫୭ ଜଣ ଶ୍ରମିକ ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ କରୁଥିଲେ, ସେହି ସମୟରେ ହଠାତ୍ ପାହାଡ଼ ଉପରେ ଥିବା ଗ୍ଲେସିୟର ଫାଟିଗଲା  । ସମସ୍ତ ଶ୍ରମିକ ବରଫ ତଳେ ପୋତି ହୋଇଗଲେ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବର୍ଡର ରୋଡ ଅର୍ଗାନାଇଜେସନ ଏବଂ ଜିଲ୍ଲା ପୋଲିସ-ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବରଫ ତଳେ ଚାପି ହୋଇ ରହିଥିବା ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି। ସୀମା ସଡ଼କ ସଂଗଠନ କମାଣ୍ଡର ଅଙ୍କୁର ମହାଜନଙ୍କ ଅନୁସାରେ, ମାନା ଗାଁଠାରୁ ପ୍ରାୟ ଗୋଟିଏ କିଲୋମିଟର ପୂର୍ବରୁ ସେନା ଶିବିର ନିକଟରେ ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ଦିବ୍ୟାଙ୍ଗ ହେଲେ ବି ସକ୍ଷମ, ମିଳୁନି ସରକାରୀ ପ୍ରୋତ୍ସାହନ

ଛେଣ୍ଡିପଦା : ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ସେମାନେ ସାଧାରଣ ଲୋକଙ୍କ ପରି ଖେଳି ବୁଲି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି ଅନୁଗୁଳ ଛେଣ୍ଡିପଦା ବ୍ଲକର ଦୁଇ ଦିବ୍ୟାଙ୍ଗ ଖେଳାଳି । ଆନ୍ଧ୍ର ଓ ଦିଲ୍ଲୀରେ ଓଡିଶା ଦିବ୍ୟାଙ୍ଗ ହୁଇଲ ଚେୟାର ଟିମରେ ଖେଳି କୃତିତ୍ୱ ଆଣିଛନ୍ତି । ହେଲେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ସେହିପରି ଅନେକ ଦିବ୍ଯାଙ୍ଗ ଆର୍ଥିକ ଅନଟନ ଯୋଗୁଁ କ୍ରିକେଟ ଖେଳିପାରୁନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିବ୍ଯାଙ୍ଗ ଖେଳାଳି  ।

ସାଧାରଣ ଲୋକଙ୍କ ପରି ଏମାନେ ସିନା ଚାଲି ପାରୁ ନାହାନ୍ତି । ହେଲେ ନିଜର ଦୃଢ ମନୋବଳ ଯୋଗୁଁ ସେ ଅନେକ ସଫଳତା ପାଇପାରିଛନ୍ତି । ସରକାର ଦିବ୍ୟାଙ୍ଗ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ପଡିଆ, ଖେଳ ସାମଗ୍ରୀ ଓ ହୁଇଲ ଚେୟାର ଆଦି ଯୋଗାଇଦେବାକୁ ଦାବି କରିଛନ୍ତି ଦିବ୍ଯାଙ୍ଗ ଖେଳାଳି । ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଲେ ସେମାନଙ୍କ ଦକ୍ଷତାର ବିକାଶ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ସ୍ପୋର୍ଟ୍ସ କ୍ଳବ ସଭାପତି ।

ପଲଙ୍କ ନୁହେଁ, ବିଛଣା ପକାଇ ତଳେ ଶୋଉଛନ୍ତି ଲୋକେ

ନିମାପଡ଼ା : ଆଧୁନିକତାର ଚାକଚକ୍ଯ ମଧ୍ଯର ଆଜିବି ବଞ୍ଚିଛି ପୁରାତନ ପରମ୍ପରା । ଏଭଳି ଏକ ଗାଁ ଅଛି ଯେଉଁଠି କେହି ବି ପଲଙ୍କ ଉପରେ ଶୁଅନ୍ତିନି । ଖଟରେ ଘରର ଜିନିଷ ପତ୍ର ରୁହେ । ହଁ ଆଜ୍ଞା ଏପରି ଏକ ଗାଁ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କୋଠକୁସାଙ୍ଗ ପଞ୍ଚାୟତ ତରବୋଇ ଗାଁ । ଏହି ଗାଁର ଗ୍ରାମବାସୀ ମାନେ କେହି ପଲଙ୍କରେ ଶୁଅନ୍ତି ନାହିଁ । ଗାଁର ସମସ୍ତଙ୍କ ଘରେ କାଠ ଖଟ ଅଛି ହେଲେ ସେଥିରେ କେବଳ ଘରର ସାମଗ୍ରୀ ଥୁଆ ହେଉଛି । ଘରର ସଦସ୍ଯ ମାନେ ତଳେ ବିଛଣା ପକାଇ ଶୁଅନ୍ତି  ।

ତରବୋଇ ଗାଁର ଗ୍ରାମଦେବତା ପ୍ରଭୁ ଲକ୍ଷ୍ମୀ ନୃସିଂହ ଦେବ ପରମ ବୈଷ୍ଣବ ପଲଙ୍କରେ ପୂଜା ପାଆନ୍ତି । ତେଣୁ ଗାଁରେ କେହିବି ପଲଙ୍କରେ ଶୁଅନ୍ତି ନାହିଁ । ଏହି ପରମ୍ପରା କାହିଁ କେଉଁ କାଳରୁ ଗାଁରେ ପ୍ରଚଳିତ ହୋଇ ଆସୁଛି । ଏମିତି କି ଏହି ଗାଁରୁ ଯେଉଁ ଝିଅ ବିବାହ କରି ଅନ୍ୟ ସ୍ଥାନକୁ ଯାଏ ସିଏ ଯୌତୁକରେ ପଲଙ୍କ ନିଏ ନାହିଁ । ଆଉ ଅନ୍ୟ ସ୍ଥାନରୁ ଯେଉଁ ଝିଅ ଏହି ଗାଁକୁ ବୋହୂ ହେଇ ଆସେ ସେ ମଧ୍ୟ ପଲଙ୍କ ଆଣେ ନାହିଁ । ପଲଙ୍କରେ ଶୋଇଲେ ଗାଁର ଇଷ୍ଟ ଦେବଙ୍କ ପ୍ରତି ଅପମାନ ହୋଇଥାଏ ବୋଲି ବିଶ୍ଵାସ କରନ୍ତି ଗ୍ରାମବାସୀ ।

ଷ୍ଟ୍ରବେରୀ ଚାଷରୁ ଦୈନିକ ୮ ରୁ ୯ ହଜାର ଟଙ୍କା ରୋଜଗାର

ବାଲିଗୁଡା : କ୍ଷେତରେ ଲାଗିଛି ଧାଡିକି ଧାଡି ଷ୍ଟ୍ରବେରୀ ଗଛ । ଆଉ ତା ଭିତରେ ଚମକୁଛି ଲାଲ ଟହଟହ ଷ୍ଟ୍ରବେରୀ । ଯାହାକୁ ଦେଖିଲେ ଲୋଭ ଲାଗିବ । ଆଉ ଏଭଳି ଚାଷ କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ପୀତବାସ ପ୍ରଧାନ ଓ ତାଙ୍କ ପୁତୁରା । ପ୍ରାୟ ଦେଢ ଏକର ଜମିର ଷ୍ଟ୍ରବେରୀ ଚାଷ କରି ଦୈନିକ ୮ ରୁ ୯ ହଜାର ଟଙ୍କା ରୋଜଗାର କରୁଛନ୍ତି । ତାଜା ଷ୍ଟ୍ରବେରୀର ବଜାରରେ ଭଲ ଚାହିଦା ରହିଛି । ପ୍ରତିଦିନ ସକାଳେ ଦାଦା ଓ ପୁତୁରା ଷ୍ଟ୍ରବେରୀ ଗଛରେ ପାଣି ଦେବା ସହିତ ଷ୍ଟ୍ରବେରୀ ତୋଳି ରାସ୍ତା କଡରେ ବିକ୍ରି କରି ପାଖାପାଖି ଚାରି ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି । ପୂର୍ବ ସରକାରଙ୍କ ସମୟରେ ସେମାନେ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପାଇ ଚାଷ ଆରମ୍ଭ କରିଥିଲେ । ଏଣୁ ପୂର୍ବ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରତି ରଞ୍ଜନ ।

ଦୀର୍ଘ ଦୁଇ ବର୍ଷ ହେଲା ପୀତବାସ ଓ ତାଙ୍କ ପରିବାର ନିଜସ୍ଵ ଖର୍ଚ୍ଚରେ ଷ୍ଟ୍ରବେରୀ ଚାଷ କରୁଛନ୍ତି । ଚାଷ କାର୍ଯ୍ଯରେ ତାଙ୍କ ସ୍ତ୍ରୀ ମଧ୍ଯ ପୂରା ସହଯୋଗ କରୁଛନ୍ତି । ଚଳିତ ବର୍ଷ ଭଲ ବ୍ୟବସାୟ ହୋଇଛି ବୋଲି କହିଛନ୍ତି ପୀତବାସ l ଯଦି ସରକାର ଚାଷ ନିମନ୍ତେ କିଛି ସହାୟତା ଯୋଗାଇ ଦିଅନ୍ତେ ତାହାଲେ ଅଧିକ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ରଶ୍ମିତା ।

ଜଙ୍ଗଲ ଭିତରେ ଯୋଜନା ଲୁଟ୍, ଡ୍ରେନେଜ କାମ ନାଁରେ ଖୋଲା ଦୁର୍ନୀତି

ଉଦଳା : ପୁରୁଣା ଡ୍ରେନର କାନ୍ଥକୁ ନୂଆ ଯୋଜନାରେ କରାଯାଇଛି ସାମିଲ। ଦେଖନ୍ତୁ ଏହି ପୋଖରୀ, ଏହି ଠାରୁ ପାଣି ଯିବ କେନାଲକୁ ଆଉ ଚାଷୀ ହେବେ ଉପକୃତ । ହେଲେ ପୋଖରୀରେ ପାଣି ରହୁ ନଥିବା ବେଳେ ପୋଖରୀ ଆଉ ଚାଷୀଙ୍କୁ ଦେଖାଇ ଡ୍ରେନେଜ କାମ ନାଁରେ ଚାଲିଛି ଖୋଲା ଦୁର୍ନୀତି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରୁ । ଶରତ କାଦବାହାଳୀ ଗାଁ ନିକଟରେ କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଚାଲିଛି କେନାଲ କାମ । ଯାହାକି ୮୮ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ତିଆରି ଚାଲିଛି । ହେଲେ ଏହି କାମରେ ବ୍ଯାପକ ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଠିକାଦାର ନିଜର ମନମାନିରେ କାମ କରୁଥିବା ବେଳେ ଡ୍ରେନ ପାଇଁ ପଡୁଥିବା କଂକ୍ରିଟ ଅତି ନିମ୍ନମାନର । ଯାହାକି ହାତ ମାରିଲେ ଉଠିଯିବା ସହିତ କେବଳ ବାଲି ଏବଂ ଅଳ୍ପ ସିମେଣ୍ଟରେ ନିର୍ମାଣ ହେଉଛି ଡ୍ରେନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହି ଦୁର୍ନୀତି ଖୋଲାଖୋଲି ହେଉଥିବା ବେଳେ ଚୁପ ରହୁଛନ୍ତି ଅଧିକାରୀ । ଅନ୍ଯପଟେ ଘଟଣା ସଂପର୍କରେ ବୁଝିବାକୁ ନନ୍ଦିଘୋଷ ଟିଭି ପ୍ରତିନିଧି କ୍ଷୁଦ୍ର ଜଳସେଚନ ବିଭାଗ ଜେଇ ଏବଂ ଏସଡିଓଙ୍କ ନିକଟରେ ପହଞ୍ଚିଥିଲେ । ହେଲେ ସେମାନେ କ୍ଯାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଲେନାହିଁ । ଏଠି ପ୍ରଶ୍ନ ଉଠୁଛି- ଦୁର୍ନୀତି ସମ୍ବନ୍ଧରେ ଅଧିକାରୀ ମୁହଁ ଖୋଲୁ ନାହାଁନ୍ତି କାହିଁକି ? ଠିକାଦାରଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେଉନାହାଁନ୍ତି କଣ ପାଇଁ ? ନା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ହରିଲୁଟ ? ଯାହାର ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ହ୍ୱାଇଟ୍ ହାଉସରେ ଟ୍ରମ୍ପ-ଜେଲେନସ୍କିଙ୍କ ମଧ୍ୟରେ ହେବ ସାକ୍ଷାତ

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଏକ ଐତିହାସିକ ବୈଠକ ହେବାକୁ ଯାଉଛି। ଏହି ବୈଠକକୁ ରୁଷ-ୟୁକ୍ରେନ ଯୁଦ୍ଧର ଭବିଷ୍ୟତ ନିର୍ଣ୍ଣୟ କରିବାରେ ଏକ ମୋଡ଼ ବୋଲି ବିବେଚନା କରାଯାଉଛି। ତିନି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ସମାଧାନ ଏବଂ ଆମେରିକା-ୟୁକ୍ରେନ ସମ୍ପର୍କକୁ ଏକ ନୂତନ ପରିଭାଷା ଦେବା ପାଇଁ ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।

କ୍ଷମତାକୁ ଫେରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହା ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପ୍ରଥମ ସାକ୍ଷାତ ହେବ, ଯାହା ବିଶ୍ୱ ରାଜନୀତିକୁ ପ୍ରଭାବିତ କରିପାରେ। ଏହି ବୈଠକରେ ୟୁକ୍ରେନକୁ ଆମେରିକାର ସହାୟତା, ସୁରକ୍ଷା ଗ୍ୟାରେଣ୍ଟି, ରୁଷ ସହିତ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତି ଏବଂ ଏକ ପ୍ରମୁଖ ଖଣିଜ ଚୁକ୍ତି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି। ଏହି ବୈଠକ କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ବିଶ୍ୱ ସନ୍ତୁଳନକୁ ମଧ୍ୟ ପରିବର୍ତ୍ତନ କରିପାରିବ ବୋଲି ବିଶ୍ୱାସ କରାଯାଉଛି।

ରମଜାନ ପୂର୍ବରୁ ପାକିସ୍ତାନରେ ବିସ୍ଫୋରଣ, ୧୬ ମୃତ

ନନ୍ଦିଘୋଷ ବ୍ୟୁରୋ : ଶୁକ୍ରବାର ଦିନ ପାକିସ୍ତାନରେ ବିସ୍ଫୋରଣ ହୋଇଛି ।  ଖୈବର ପଖତୁନଖ୍ୱା ପ୍ରଦେଶର ଆଖୋରା ଖଟ୍ଟକରେ ଥିବା ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ନମାଜ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ  ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଜମିଆତ ଉଲେମା-ଏ-ଇସଲାମ-ସାମି ମୁଖ୍ୟ ମୌଲାନା ହମିଦୁଲ ହକ୍ ହକ୍କାନିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେ ପୂର୍ବତନ JUI-S ମୁଖ୍ୟ ଏବଂ ‘ତାଲିବାନର ପିତା’ ମୌଲାନା ସମିଉଲ ହକ୍ ହକ୍କାନିଙ୍କ ପୁଅ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୌଲାନା ହମିଦୁଲ ହକ୍ ହକ୍କାନି ନମାଜ ପାଠ ସମୟରେ ମସଜିଦର ପ୍ରଥମ ଧାଡିରେ ଉପସ୍ଥିତ ଥିଲେ । ଯାହା ସୂଚାଇ ଦେଉଛି ଯେ ସେ ଆକ୍ରମଣର ମୁଖ୍ୟ ଟାର୍ଗେଟ ଥିଲେ। ବିସ୍ଫୋରଣ ପରେ ତୁରନ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଖାଇବର ପଖତୁନଖ୍ୱା ଆଇଜିପି ଜୁଲଫିକର ହମିଦଙ୍କ ଅନୁସାରେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା ଏବଂ ଟାର୍ଗେଟ ଥିଲେ ମୌଲାନା ହମିଦୁଲ ହକ୍। ସେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ବିସ୍ଫୋରଣ ପଛର କାରଣ ଖୋଜାଯାଉଛି। ଦାରୁଲ ଉଲୁମ ହକ୍କାନିଆ ମଦ୍ରାସା ମୌଳବାଦୀ ଇସଲାମିକ ଚିନ୍ତାଧାରା ପାଇଁ କୁଖ୍ୟାତ ଏବଂ ଏହାକୁ ତାଲିବାନ ନେତାଙ୍କ ଶିକ୍ଷାର ମୁଖ୍ୟ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଏହି ଆକ୍ରମଣ ପରେ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ମୌଲାନା ହମିଦୁଲ ହକ୍ ହକ୍କାନି କିଏ?

ମୌଲାନା ହମିଦୁଲ ହକ୍ ମଧ୍ୟ ସାଂସଦ ଥିଲେ। ୨୦୧୮ରେ ତାଙ୍କ ପିତା ମୌଲାନା ସାମିଉଲ ହକ୍‌ଙ୍କ ହତ୍ୟା ପରେ ସେ ଜମିଆତ ଉଲେମା-ଏ-ଇସଲାମ-ସାମିର ମୁଖ୍ୟ ହୋଇଥିଲେ। ତାଙ୍କ ପିତା ମୌଲାନା ସାମିଉଲ ହକ୍, ତାଲିବାନର ପିତା ଭାବରେ ଜଣାଶୁଣା ଥିଲେ ଏବଂ ଆଫଗାନ ତାଲିବାନର ଜଣେ ଦୃଢ଼ ସମର୍ଥକ ଥିଲେ।

୧୯୪୭ ମସିହାରେ ପ୍ରତିଷ୍ଠିତ, ଦାରୁଲ ଉଲୁମ ହକ୍କାନିଆ ପାକିସ୍ତାନର ସବୁଠାରୁ ପ୍ରଭାବଶାଳୀ ଇସଲାମିକ ମଦ୍ରାସା ମଧ୍ୟରୁ ଗୋଟିଏ। ଏହାକୁ ମୌଲାନା ସାମିଉଲ ହକ୍‌ଙ୍କ ପିତା ମୌଲାନା ଅବଦୁଲ ହକ୍‌ ହକ୍କାନି ପ୍ରତିଷ୍ଠା କରିଥିଲେ। ତଥାପି, ଏହି ମଦରାସାର ଇତିହାସ ବିବାଦରେ ପରିପୂର୍ଣ୍ଣ। ୨୦୦୭ ମସିହାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟାକାଣ୍ଡରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କର ଏହି ମଦ୍ରାସା ସହିତ ସମ୍ପର୍କ ଥିବା କୁହାଯାଉଥିଲା, କିନ୍ତୁ ମଦ୍ରାସା ପ୍ରଶାସନ ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲା।

‘ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ’

ଭୁବନେଶ୍ବର : ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ବାର୍ଥ ବିରୋଧୀ। ଏହି ପ୍ରକଳ୍ପ ହେଲେ ଆଦିବାସୀ ଭାଇ ଭଉଣୀ ହେବେ କ୍ଷତିଗ୍ରସ୍ତ। ବହୁ ଲୋକ ହରାଇବେ ଭିଟାମାଟି। ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶାର କଥା କେନ୍ଦ୍ର ଶୁଣୁନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମାଲକାନଗିରି ମୋଟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସମାବେଶକୁ ଉଦବୋଧନ ଦେଇ  ଏକପାଖିଆ ନିଷ୍ପତ୍ତିକୁ କରିଛନ୍ତି କଡା ସମାଲୋଚନା। କାହିଁକି ଏହି ପ୍ରକଳ୍ପ ଲାଗି ୧୮ ହଜାର କୋଟି ଟଙ୍କା ଅନୁଦାନ ଦିଆଗଲା କାହିଁକି ବୋଲି ସେ କରିଛନ୍ତି ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳର ସଂଗ୍ରାମୀଙ୍କ ସମେତ ସିଲେରୁ ଓ ସାବେରୀ ନଦୀକୁ ପ୍ରଣାମ ଜଣାଇଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ। ଓଡ଼ିଶାର ସ୍ବାର୍ଥ ଲାଗି ବିଜେଡି ଲଢେଇ ଜାରି ରଖିବ ବୋଲି ସେ କହିଥିଲେ।  ପ୍ରକଳ୍ପ ବିରୋଧରେ ଆଜି ହୋଇଥିଲା ଜନ ସମାବେଶ। ଭିଟାମାଟିର ହକ ଲାଗି ସାମିଲ ହୋଇଥିଲେ ଶହ ଶହ ଲୋକ। ପ୍ରକଳ୍ପ ଯୋଗୁ  ମାଲକାନଗିରି ଜିଲ୍ଲାର କାଲିମେଳା,  ପଡିଆ, ମାଥିଲି,  କୋରକୋଣ୍ଡା ଆଦି ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ଫଳରେ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଶୁଭିଥିଲା ପ୍ରତିବାଦର ଗର୍ଜନ। ମୋଟୁ ମୁଗୀ ପଏଣ୍ଟରୁ କଳସ ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବାକୁ ଦେଇଥିଲେ ନାରା। କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ଓ ଛତିଶଗଡ଼ର ବହୁ ସାମାଜିକ ସଂଗଠନ ଓ ଆଦିବାସୀ ସମାଜ ଶୋଭାଯାତ୍ରାରେ ହୋଇଥିଲେ ସାମିଲ।

ପଞ୍ଚଭୂତରେ ବିଲୀନ ହେଲେ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ବର : ପଞ୍ଚଭୂତରେ ଲୀନ ହେଲା ଭର୍ସାଟାଇଲ କଳାକାର ଉତ୍ତମ ମହାନ୍ତିଙ୍କ ମରଶରୀର । ଭୁବନେଶ୍ଵର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହୋଇଛି ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ଅଭିନେତା ବାବୁଶାନ ମହାନ୍ତି । ଏହାସହ ବଲିଉଡରେ ଉତ୍ତମ ଯୁଗର ଅବସାନ ଘଟିଛି । ତାଙ୍କ ଦେହାନ୍ତରେ ସାରା ଓଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି । ଗତ ୬ ତାରିଖରେ ତାଙ୍କର ସ୍ବାସ୍ଥ୍ଯବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥାରେ ଉନ୍ନତି ନ ଆସିବାରୁ ୮ ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଲିଭର ସିରୋସିସ ସହ ନିମୋନିଆ ଯୋଗୁଁ ୨୦ ଦିନ ହସପିଟାଲରେ ମୃତ୍ଯୁ ସହ ସଂଗ୍ରାମ କରିବା ପରେ ଗତକାଲି ରାତିରେ ସେ ଶେଷ ନିଶ୍ବାସ ତ୍ଯାଗ କରିଥିଲେ । ୬୭ ବର୍ଷ ବୟସରେ ଓଲିଉଡରେ ଏହି ସୁପରଷ୍ଟାରଙ୍କ ମୃତ୍ଯୁ ସାରା ଚଳଚ୍ଚିତ୍ର ଜଗତକୁ ଶୋକ ସାଗରରେ ଭସାଇ ଦେଇଛି । ଆଜି ଦିନ ୧୧ଟା ୩୦ରେ ତାଙ୍କ ମୃତ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆମ୍ବୁଲନ୍ସରେ ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ରାଜନେତା ଠାରୁ ଆରମ୍ଭ କରି ଓଲିଉଡ ଜଗତର କଳାକାର ଓ ଶୁଭେଚ୍ଛୁ ଶେଷ ଦର୍ଶନ କରିଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ବର ସତ୍ଯନଗର ଅଭିମୁଖେ ବାହାରିଥିଲା ମର ଶରୀର । ହଜାର ହଜାର ପ୍ରଶଂସକ ଓ ସାଧାରଣ ଜନତା ଓଲିଉଡର ଏହି ସୁପରଷ୍ଟାରଙ୍କୁ ଶେଷ ସମ୍ମାନ ଜଣାଇବାକୁ ରାସ୍ତାର ଦୁଇ ପାର୍ଶ୍ବ ଓ ସତ୍ଯନଗର ଶ୍ମଶାନରେ ଏକାଠି ହୋଇଥିଲେ । ଶେଷରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ଶ୍ମଶାନରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଛି । ଉତ୍ତମ ଥିଲେ ଓଲିଉଡରେ ଜୀବନ୍ତ ପାଠଶାଳା । ତାଙ୍କର ମୃତ୍ଯୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଦିଗଦର୍ଶକଙ୍କୁ ସବୁଦିନ ପାଇଁ ହରାଇ ଦେଇଛି ବୋଲି କହିଛନ୍ତି କଳାକାର ।