spot_img
Home Blog Page 1074

୧୩ ମାସ ପରେ ମହିଳାଙ୍କ କଙ୍କାଳ ଉଦ୍ଧାର କଲା ପୋଲିସ !

ଗାନ୍ଧିନଗର : ଗୁଜୁରାଟର ଜୁନାଗଡ଼ରେ ଏହା ରହସ୍ୟମୟ ହତ୍ୟାକାଣ୍ତ ସାମ୍ନାକୁ ଆସିଛି । ପୋଲିସ ଜଣେ ମହିଳାଙ୍କ କଙ୍କାଳ ଜବତ କରିଛି । ହତ୍ୟାକାଣ୍ଡ ଦୃଶ୍ୟମ ଚଳଚ୍ଚିତ୍ର ଭଳି କରାଯାଇଛି । ଅଭିଯୁକ୍ତ ପୋଲିସକୁ ବହୁ ସମୟ ଧରି ଦ୍ବନ୍ଦ୍ବରେ ପକାଇଥିଲା । ମୃତ ମହିଳା ଜଣଙ୍କ ୩୫ ବର୍ଷିୟ ଦୟା ସାୱାଲିଆ ବୋଲି ଚିହ୍ନଟ କରାଯାଇଛି । ଦୟା ୨୦୨୪ ମସିହାରୁ ନିଖୋଜ ଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ହାର୍ଦ୍ଦିକ ସୁଖାଡିଆ ଦୀର୍ଘ ସମୟ ଧରି ପୋଲିସକୁ ଭ୍ରମିତ କରୁଥିଲା। ଦୟା ସାୱାଲିଆ ଜୁନାଗଡ଼ ଜିଲ୍ଲାର ବିସାବାଦର ତାଲୁକାର ରୂପାବତୀ ଗାଁର ବାସିନ୍ଦା ଥିଲେ, ଯିଏ ୨୦୨୪ ମସିହା ଜାନୁଆରୀ ୨ ତାରିଖରୁ ନିଖୋଜ ଥିଲେ। କିଛି ଦିନ ପରେ, ତାଙ୍କ ସ୍ୱାମୀ ପୋଲିସରେ ଏତଲା ଦେଇଥିଲେ । ରିପୋର୍ଟ ଅନୁସାରେ, ଦୟା ତାଙ୍କ ଘରୁ ଟଙ୍କା ଏବଂ ଅଳଙ୍କାର ଧରି ବାହାରି ଯାଇଥିଲେ, ଯାହା ପରେ ସେ ନିଖୋଜ ଥିଲେ। ତାଙ୍କର ଏକ ୧୧ ବର୍ଷର ପୁଅ ମଧ୍ୟ ଅଛି।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦୟା ସାୱାଲିଆଙ୍କର ହାର୍ଦ୍ଦିକ ସୁଖାଡିଆଙ୍କ ସହିତ ପରକୀୟା ସମ୍ପର୍କ ଥିଲା। ପ୍ରଥମେ ପୋଲିସ ସନ୍ଦେହ କରିଥିଲା ​​ଯେ ହାର୍ଦ୍ଦିକ ଏହି ମାମଲାରେ ସମ୍ପୃକ୍ତ ଥାଇପାରନ୍ତି, କିନ୍ତୁ ହାର୍ଦ୍ଦିକ ଦୟା ଅନ୍ୟ ଜଣଙ୍କ ସହିତ ପଳାଇଯାଇଥିବା କହି ପୋଲିସକୁ ଭ୍ରମିତ କରିଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ପୋଲିସ ହାର୍ଦ୍ଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଲା ନାହିଁ। କିଛି ଦିନ ପରେ, ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ନୂଆ ପ୍ରମାଣ ପାଇଲା, ଯାହା ଆଧାରରେ ଅଭିଯୁକ୍ତ ହାର୍ଦ୍ଦିକଙ୍କୁ ପୁଣି ଥରେ ପଚରାଉଚରା କରାଯାଇଥିଲା। ଏଥର ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କଲେ।

ସମଗ୍ର ଘଟଣାଟି ଦୃଶ୍ୟମ୍ ଚଳଚ୍ଚିତ୍ର ପରି। ଫେବୃଆରୀ ୨୭ ତାରିଖରେ, ପୋଲିସ ଅଭିଯୁକ୍ତକୁ ତଦନ୍ତ ପାଇଁ ଅପରାଧ ସ୍ଥଳକୁ ନେଇଥିଲା, ଯେଉଁଠାରେ ଦୟା ସାଭାଲିଆଙ୍କ କଙ୍କାଳ ଏକ କୂଅରୁ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ୧୩ ମାସର କଠିନ ପରିଶ୍ରମ ପରେ ପୋଲିସ ଏହି ମାମଲାକୁ ସମାଧାନ କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ, ଦୟା ସାୱାଲିଆ ଅଭିଯୁକ୍ତ ହାର୍ଦ୍ଦିକ ସୁଖାଡିଆଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହାର୍ଦ୍ଦିକ ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହି କାରଣରୁ ଅଭିଯୁକ୍ତ ଦୟାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ଜାନୁଆରୀ ୩, ୨୦୨୪ରେ, ହାର୍ଦ୍ଦିକ ଦୟାଙ୍କୁ ଆମରେଲି ଜିଲ୍ଲାର ହଡାଲା ଗାଁର ଉପକଣ୍ଠକୁ ଡାକି ଦୟାଙ୍କ ମୁଣ୍ଡକୁ ଏକ ବଡ଼ ପଥରରେ ଆଘାତ ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ଅଭିଯୁକ୍ତମାନେ ମୃତଦେହକୁ ଏକ କୂଅରେ ଫିଙ୍ଗି ଦେଇଥିଲେ।

ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି

ପୁରୀ : ବାରମ୍ବାର ଚିଠି ସତ୍ତ୍ବେ ଚେତୁନି ପ୍ରଶାସନ । ଦୂଷିତ ହେଉଛି ପୁରୀ ତୀର୍ଥ ପୁଷ୍କରିଣୀ ଜଳ । ପୁଣି ସଚେତନ କଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ତୀର୍ଥ ପୁଷ୍କରିଣୀ ଜଳ ଗାଧୋଇବା ଅନୁପଯୁକ୍ତ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପୁରୀ ପୌରପାଳିକାକୁ ଲେଖିଥିବା ଚିଠି ଲେଖିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଓ ପାର୍ବତୀ ସାଗର ତୀର୍ଥ ପୁଷ୍କରିଣୀର ଜଳ ପ୍ରଦୂଷିତ । ଜଳର ଗୁଣାତ୍ମକ ମାନ ‘ଖ’ ଶ୍ରେଣୀର ମାନଦଣ୍ଡ ପୂରଣ କରୁଥିଲେ ତାହା ଗାଧୋଇବା ଉପଯୋଗୀ । ହେଲେ ପୁରୀର ସମସ୍ତ ତୀର୍ଥ ପୁଷ୍କରିଣୀ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇଥିବା ଚିଠି ଲେଖି ପୌର ପ୍ରଶାସନକୁ ଅବଗତ କରିଛି ବିଭାଗ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ ଓ ବୁଡ଼ ପକାଇବାକୁ ଆସୁଥିବାବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ସେବାୟତ ଓ  ଉତ୍କଳ ବିଦ୍ୱତ ପରିଷଦର ଅଧ୍ଯକ୍ଷ ।

୨୦୨୨ ରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଓଡ଼ିଶାର ଥିବା ବିଭିନ୍ନ ପୋଖରୀ, ନାଳ ଏବଂ ହ୍ରଦ ସହ ପୁଷ୍କରିଣୀ ଜଳର ମାନ ପରୀକ୍ଷା କରାଯାଉଛି । ହେଲେ ଗତ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ବୋର୍ଡ଼ ଦ୍ବାରା ପୁରୀରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀର ଜଳର ମାନ ପରୀକ୍ଷା କରାଯାଇ ଏହା ଗାଧୋଇବା ପାଇଁ ଅନୁପଯୁକ୍ତ ଥିବା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ ପାଣିରେ ଡିଜଲଭ୍ଡ ଅକ୍ସିଜେନ୍, ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ, ଟୋଟାଲ କଲିଫର୍ମ, ଫେକାଲ୍ କଲିଫର୍ମର ମାନ ବହୁତ ତଳେ ରହିଛି । ପାଣିରେ ପୂଜା ସାମଗ୍ରୀ ପକାଇବା, ବିଭିନ୍ନ ଖାଦ୍ୟ ସାମଗ୍ରୀ ଫିଙ୍ଗିବା ଓ ଆବର୍ଜନା ପାଣି ଛାଡିବା ଯୋଗୁଁ ଏପରି ସ୍ଥିତି ଉପୁଜିଛି । ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ପୁଷ୍କରିଣୀର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସ ସହ ପୁରୀର ଏହି ପଞ୍ଚ ପୁଷ୍କରିଣୀ ଯୋଡ଼ି ହୋଇ ରଥିବାରୁ ଏହାକୁ ପ୍ରଦୂଷଣମୁକ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

ରାଜଧାନୀରେ ମାତିଛନ୍ତି ନିଶାଡ଼ି, ମଦ ନିଶାରେ ଚୂର ହୋଇ ଘଟାଉଛନ୍ତି ନାରକୀୟ କାଣ୍ଡ

ଭୁବନେଶ୍ବର : ରାତି ହେଲେ ତାତି ବଢୁଛି । ନିଶା ଚଢିଲେ ଗାଡ଼ି ଉଡୁଛି । କେଉଁଠି କାନ୍ଥ ଭାଙ୍ଗୁଛି ତ ଆଉ କେଉଁଠି ନିଆଁ ଜଳୁଛି । ନଜର ପକାନ୍ତୁ ପ୍ରଥମ ଘଟଣା ଉପରେ । ଶନିବାର ରାତି ପ୍ରାୟ ୧୧ ଟା ୫ । ସ୍ଥାନ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ ୫ । ଫିଲ୍ମ ଷ୍ଟାଇଲରେ ୨ ଯୁବକ ଆସୁଛନ୍ତି ଆଉ କଳା ରଙ୍ଗର ସ୍କର୍ପିଓରେ ନିଆଁ ଲଗାଇ ଦେଉଛନ୍ତି । ଘର ମାଲିକାଣୀ ଓ ତାଙ୍କ ପୁଅ ନୟାପଲ୍ଲୀ ଯାଇଥିବା ସମୟରେ ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି କାଣ୍ଡ । ସର୍ବସମ୍ମୁଖରେ ହୁ ହୁ ହୋଇ ଜଳୁଛି କାର । ଯାହାକୁ ନେଇ କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି ଘର ମାଳିକାଣୀ ଓ ସ୍ଥାନୀୟ ବାସିନ୍ଦା । ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଭିଆଇଥିବା ସେମାନେ ସନ୍ଦେହ କରିଛନ୍ତି। ପୋଲିସ ଖବର ପାଇ ୪ ଜଣଙ୍କୁ ପଚରାଉଚରା କରିଛି । ସିସିଟିଭିରେ ଅଭିଯୁକ୍ତଙ୍କ କାରନାମା କଏଦ ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

ସେପଟେ ରାତି ଅଧରେ ନିଶାରେ ହିତାହିତ ଜ୍ଞାନ ଭୁଲିଯାଇଛନ୍ତି କାର ଡ୍ରାଇଭର । ଭିଆଇଛନ୍ତି ସାଙ୍ଘାତିକ କାଣ୍ଡ । କାନ୍ଥ ଭାଙ୍ଗି ଘରେ ମଦ୍ୟପଙ୍କ କାର କେମିତି ପଶିଯାଇଛି ଦେଖନ୍ତୁ । ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭୋର ସାଢ଼େ ୪ ଟା ବେଳେ ଘଟିଛି ଏଭଳି ଘଟଣା । କାନ୍ଥ ଭାଙ୍ଗିବା ପରେ ମଧ୍ୟ ଅବାନ୍ତର ଯୁକ୍ତି କରୁଥିବା ମଦ୍ୟପ ଯୁବକଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିଛି । ମଦ୍ୟପ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଛି। ତେବେ ମାତ୍ରାଧିକ ନିଶା ଖାଇ ଯୁବକ ବାରମ୍ବାର ଏଭଳି ଘଟଣା ଘଟାଉଥିଲେ ମଧ୍ୟ, ଗଳିକନ୍ଦିରେ ପାଟ୍ରୋଲିଂ ଅଭାବ ଯୋଗୁଁ ଆଇନକୁ ହାତକୁ ନେଉଛନ୍ତି ଅଭିଯୁକ୍ତ । ମଦୁଆ, ନିଶାଡିଙ୍କ ଉପରେ ଲଗାମ ଲଗାଇବା ପାଇଁ ଛକ ଉପରେ ଚେକିଂ, ବ୍ଲକିଂ ହେଉଛି । ନିଶାଡିଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେଉଛି, ଗାଡି ମଧ୍ୟ ସିଜ ହେଉଛି । ତଥାପି ମଧ୍ୟ ଏସବୁକୁ ଖାତିର ନକରି ଅପରାଧ ଘଟାଉଛନ୍ତି ଅପରାଧୀ ।

ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ ବ୍ୟବସ୍ଥା, ଜଣେ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ହୁଗୁଳିଲାଣି ପ୍ରଶାସନିକ  ବ୍ୟବସ୍ଥା । ଦାୟିତ୍ବ ସମ୍ଭାଳିବାକୁ ନାହାନ୍ତି ଅଧିକାରୀ । ଜଣଏ ଅଧିକାରୀଙ୍କ କାନ୍ଧରେ ଏକାଧିକ ଦାୟିତ୍ଵ । ବିକାଶ ନାଁରେ ବାହାଦୂରୀ ମାରୁଛନ୍ତି ରାଜ୍ଯ ସରକାର । ଅନେକ ବ୍ଲକରେ ସ୍ଥାୟୀ ବିଡିଓ, ତହସିଲଦାର ନଥିବାବେଳେ ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ପଦ ବି ଖାଲି । ଜିଲ୍ଲାକୁ ୩ଟି ଉପଖଣ୍ଡ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ରେ ବିଭକ୍ତ କରାଯାଇଛି । ୨୨ଟି ବ୍ଲକ୍ ଥିବା ବେଳେ ୫୦୩ ଟି ଗ୍ରାମ ପଞ୍ଚାୟତ ରହିଛି । ସେହିଭଳି ୧୬ଟି ଏନ୍ଏସି, ଗୋଟିଏ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ଅଛି । ଗ୍ରାମାଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସମ୍ଭାଳିବା ପାଇଁ ପ୍ରତ୍ୟେକ ବ୍ଲକ୍ରେ ଜଣେ ଲେଖାଏଁ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସହରାଞ୍ଚଳ ପାଇଁ ଏନ୍ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ରହିଛନ୍ତି । କିନ୍ତୁ ଆସିକା, ଚିକିଟି, ଛତ୍ରପୁର, ବେଗୁନିଆପଡ଼ା, ଭଞ୍ଜନଗର, ଶେରଗଡ଼, ଦିଗପହଣ୍ଡି, ହିଞ୍ଜିଳିକାଟୁ,  ବ୍ଲକରେ ସ୍ଥାୟୀ ବିଡିଓ ନାହାନ୍ତି ।

ଆସିକା ବ୍ଲକରେ ଦୀର୍ଘ ୬ମାସ ହେଲା ବିଡିଓ ପଦବି ଖାଲି ରହିଥିବା ବେଳେ ଆଉ କେତେକ ବ୍ଲକ୍ ପାଇଁ ନୂତନ ପୋଷ୍ଟିଂ ହୋଇଥିଲେ ସୁଦ୍ଧା ଅଧିକାରୀ ଯୋଗ ଦେଇ ନାହାନ୍ତି । ପୁଣି କେତେକ ବ୍ଲକ୍ର ବିଡିଓ ଟ୍ରେନିଂ ପାଇଁ ଯାଇଥିବା ବେଳେ ଅନ୍ୟ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ଆସିକା ବ୍ଲକ୍ ବିଡିଓ ଦାୟିତ୍ବରେ କବିସୂର୍ଯ୍ୟନଗର ବିଡିଓ, ଚିକିଟି ତହସିଲଦାର ଉଭୟ ଚିକିଟି ଓ ପାତ୍ରପୁର ବ୍ଲକ୍ ବିଡିଓ ଦାୟିତ୍ଵରେ ଅଛନ୍ତି । ସେହିପରି ଛତ୍ରପୁର ବିଡିଓ ଟ୍ରେନିଂରେ ଯାଇଥିବା ବେଳେ ଗଞ୍ଜାମ ବିଡିଓ ଦାୟିତ୍ଵରେ ଅଛନ୍ତି । ବେଗୁନିଆପଡ଼ା ବ୍ଲକ୍ ଦାୟିତ୍ଵରେ କୋଦଳା ତହସିଲଦାର ଅଛନ୍ତି ।  ତେବେ ଏହି ସବୁ ବ୍ଲକରେ ଭାରପ୍ରାପ୍ତ ଦାୟିତ୍ବରେ ପ୍ରଶାସନିକ କାମ ଚାଲିଛି । ଫଳରେ ଗ୍ରାମାଞ୍ଚଳ ବାସୀଙ୍କ କାମ ଠିକ ସମୟରେ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି।

ଆରମ୍ଭ ହେଲା ରମଜାନ ମାସ, ରୋଜା ରଖିଲେ ମୁସଲମାନ ଭାଇ ଭଉଣୀ

କଟକ : ଆରମ୍ଭ ହେଲା ରମଜାନ ମାସ । ରୋଜା ରଖିଲେ ମୁସଲମାନ ଭାଇ ଭଉଣୀ । ବଜାରରେ ଜମିଲାଣି ଡ୍ରାଏ ଫୁଡସ ଓ ଅତର  ବ୍ୟବସାୟ । ଆରମ୍ଭ ହୋଇଛି ମୁସଲମାନ ସଂପ୍ରଦାୟର ପବିତ୍ର ରମଜାନ ମାସ ବା ରୋଜା ମାସ । ମାସ ସାରା ଶ୍ରଦ୍ଧାଳୁ ମାନେ ନିଷ୍ଠାର ସହ ଉପବାସ ପାଳିବେ । ଏହି ୩୦ ଦିନ ତରାବି ନମାଜ ପାଠ କରିବା ସହ କଠିନ ଉପବାସରେ ନିଜକୁ ସାମିଲ କରିବେ । କେବଳ ବୟସ୍କ, ରୋଗୀ, ଛୋଟ ପିଲା ଓ ଗର୍ଭବତୀଙ୍କୁ ଛାଡି ଅନ୍ଯ ସମସ୍ତେ ଏହି ରମଜାନ ଉପବାସ କରି ପାରିବେ ବୋଲି କୁହାଯାଇଛି ।

ରୋଜା ଆରମ୍ଭ ହୋଇଥିବାରୁ ଲୋକଙ୍କ ଚାହିଦାକୁ ଦେଖି କଟକ ବକ୍ସିବଜାର, ଗୌରିଶଙ୍କର ପାର୍କ, ତିନିକୋଣିଆ ଭଳି ମାର୍କେଟରେ ଲାଗିଛି ରମଜାନ ଷ୍ଟଲ । ଏଠାରେ ଦେଶ ବିଦେଶର ଭଳିକି ଭଳି ଡ୍ରାଏ ଫୁଡସ୍, ସର୍ବତ, ଅତର ଉପଲବ୍ଧ ହେଉଛି । ଦେଶ ବିଦେଶର ଅତର ସାଙ୍ଗକୁ ମିଳୁଛି ସୁବାସିତ ତୈଳ । ରମଜାନ ଉପବାସ ମାସ ପାଇଁ ଲଛା, ସିମେଇ, ଖଜୁରି, କାଜୁ, ସିର୍ କୁରମା, ମୁରବା, ଦେଶୀ ଘିଅ ଲଡୁ, ଗାଜର ହାଲୱା, ଫାଲୁଦା ଆଦି ସୁସ୍ବାଦୁ ଫୁଡସ୍ ମିଳୁଛି । ଏହାସହିତ ୧୦ ରୁ ୧୨ ପ୍ରକାର ସର୍ବତ ରହିଛି ଏହି ସବୁ ଷ୍ଟଲରେ । ଏ ସବୁ ନେଇ ଘରେ ଶ୍ରଦ୍ଧାଳୁମାନେ ନିଜ ହାତରେ ବନେଇ ଉପବାସ ପୂର୍ବରୁ ସେବନ କରୁଛନ୍ତି । ଉପବାସ ମାସର ଠିକ ୩୦ ଦିନ ପରେ ସଂଧ୍ୟାରେ ଚାନ୍ଦ ଦର୍ଶନ ସହ ପବିତ୍ର ଇଦ୍ ପର୍ବ ପାଳନ ହେବ ।

ନ୍ୟୁଜିଲାଣ୍ଡକୁ ୨୫୦ରନର ଟାର୍ଗେଟ ଦେଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଚାମ୍ପିଅନ୍ସ ଟ୍ରଫି କ୍ରିକେଟ। ନ୍ୟୁଜିଲାଣ୍ଡକୁ ୨୫୦ରନର ଟାର୍ଗେଟ ଦେଲା ଭାରତ। ଶ୍ରେୟାସ ଆୟରଙ୍କ ସର୍ବାଧିକ ୭୯ ରନ ବଳରେ କିୱି ଦଳ ଆଗରେ ଏହି ସମ୍ମାନଜନକ ଟାର୍ଗେଟ ଛିଡ଼ା କରିଛି ଟିମ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ଵିତୀୟ ସର୍ବାଧିକ ୪୫ ରନ କରିଥିଲେ। ଅକ୍ଷର ପଟେଲ ୪୨, କେଏଲ ରାହୁଲ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଆଜି କାମ କରିନଥିଲା ଭାରତର ଓପନ ବ୍ୟାଟିଂ।ଶୁବମନ ଗିଲ ଓ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ମାତ୍ର ୨ ରନ କରି ପ୍ଯାଭିଲିୟନ ଫେରିଥିଲେ ଶୁବମନ ଗିଲ। ଦଳର ସ୍କୋର ମାତ୍ର ୧୫ ରନ ଥିବାବେଳେ ଶୁବମନ ଆଉଟ ହୋଇଥିଲେ। ଏହାପରେ ୩୦ ରନରେ ଭାରତର ଦ୍ଵିତୀୟ ୱିକେଟର ପତନ ହୋଇଥିଲା। ୧୫ ରନରେ ଆଉଟ ହୋଇଥିଲେ ଅଧିନାୟକ ରୋହିତ ଶର୍ମା। ବିରାଟ କୋହଲି ୧୧ ରନ କରି ଆଉଟ ହୋଇଥିଲେ। ଏହାପରେ ଭାରତର ବ୍ଯାଟିଂ ସମ୍ଭାଳିଥିଲେ ମିଡିଡ ଅର୍ଡର ବ୍ୟାଟ୍ସ,ମ୍ୟାନ। ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲଙ୍କ ଯୋଡ଼ି ଲାଗିଥିଲା। ଦଳ ପାଇଁ କେଏଲ ରାହୁଲ ୨୩ ରନ ସଂଗ୍ରହ କରିଥିଲେ। ଭାରତ ୯ ୱିକେଟ ହରାଇ କରିଥିଲା ୨୪୯ ରନ। କିୱି ଦଳର ଦ୍ରୁତ ବୋଲିଂ ଭାରତ ପାଇଁ କାଳ ସାଜିଥିଲା। ଫାଷ୍ଟ ବୋଲର ମ୍ୟାଟ୍ ହେନରି ସର୍ବାଧିକ ୫ୱିକେଟ ନେଇଛନ୍ତି। ଅନ୍ୟ ୪ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ଏବେ ଭାରତ ଦେଇଥିବା ୨୫୦ ଟାର୍ଗେଟକୁ ପିଛା କରୁଛି ନ୍ୟୁଜିଲାଣ୍ଡ ।

ଷ୍ଟ୍ରବେରୀ ଚାଷ କରି ଲକ୍ଷଲକ୍ଷ ରୋଜଗାର କରୁଛନ୍ତି ଚାଷୀ

ଉମରକୋଟ : ସବୁଜ କ୍ଷେତରେ ରଙ୍ଗୀନ ଲିଚୁ ଲାଇଟ୍ ଭଳି ଚମକୁଚି ଷ୍ଟ୍ରବେରୀ ।  ଆଉ ପାଚିଲା ଫଳକୁ ମହିଳାମାନେ ଗୋଟି ଗୋଟି କରି ତୋଳୁଛନ୍ତି । ଯତ୍ନର ସହ ତୋଳିବା ସହ ପ୍ୟାକେଟରେ ଭର୍ତ୍ତି କରି ପାଖ ବଜାରକୁ ବିକ୍ରି ପାଇଁ ପଠାଯାଉଛି । ଏହା କୌଣସି ବାହାର ରାଜ୍ୟର ଦୃଶ୍ୟ ନୁହେଁ । ଆମ ରାଜ୍ୟର ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଭଳି ଉପାନ୍ତ ଅଞ୍ଚଳରେ ହେଉଛି ଅର୍ଥକାରୀ ଷ୍ଟ୍ରବେରୀ ଚାଷ । ଉମରକୋଟର ବଡ଼ କୁମାରୀର ଚାଷୀ ଜ୍ୟୋତିର୍ମୟ ସର୍ଦ୍ଦାର ତାଙ୍କ ୫୦ ଡିସିମିଲ ଜମିରେ ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ କରିଛନ୍ତି । ବର୍ତ୍ତମାନ ସେ ଦିନକୁ ୫୦ରୁ ୬୦ କିଲୋ ଷ୍ଟ୍ରବେରୀ ଉତ୍ପାଦନ କରି ପାଖ ବଜାରରେ ବିକ୍ରି କରୁଛନ୍ତି । ମାତ୍ର ୩୦ ହଜାର ଟଙ୍କା ବ୍ୟୟ କରି ଏବେ ସେ ଲକ୍ଷାଧିକ ଟଙ୍କା ଉପାର୍ଜନ କରିପାରୁଛନ୍ତି । ସେହିପରି ରାଇଘର ଛତାବେଡ଼ା ଗାଁର ରଞ୍ଜିତ ମିସ୍ତ୍ରୀ ମଧ୍ୟ ନିଜ ୫୦ ଡିସିମିଲ ଜମିରେ ଷ୍ଟ୍ରବେରୀ ଚାଷ କରି ବଜାରରେ ବିକ୍ରି ଆରମ୍ଭ କରିଛନ୍ତି । ସେପଟେ ଜ୍ୟୋତିର୍ମୟ ଚାଷ କରିବା ସହିତ ଚାଷ କାର୍ଯ୍ୟରେ ନିୟୋଜିତ କରି ଲୋକଙ୍କୁ ରୋଜଗାରକ୍ଷମ କରାଇଛନ୍ତି ।

ଦିନକୁ ଦିନ ପାରମ୍ପରିକ ଚାଷ ବଦଳରେ ନୂଆ ନୂଆ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଚାଷୀ । ଅର୍ଥକାରୀ ଫସଲ ଷ୍ଟ୍ରବେରୀ ଚାଷ ଭଲ ହେଉଥିବାରୁ ଏବେ ଓଡ଼ିଶାରେ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ବାହାର ଷ୍ଟ୍ରବେରୀ ଅପେକ୍ଷା ସ୍ଥାନୀୟ ଷ୍ଟ୍ରବେରୀର ସ୍ଵାଦ ଅଧିକ । ଏହାର ଦର କମ୍ ଥିବାରୁ ଏହି ଷ୍ଟ୍ରବେରୀକୁ ବେଶ୍ ପସନ୍ଦ କରୁଛନ୍ତି ଗ୍ରାହକ । ଉମରକୋଟ ଷ୍ଟ୍ରବେରୀ ର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାହାଡ଼ିଆ ମାଟିରେ ଉଦ୍ୟାନ କୃଷି ବିଭାଗ ସହଯୋଗରେ ଷ୍ଟ୍ରବେରୀ ଚାଷ ହେଉଛି । ଉଦ୍ୟାନ କୃଷି ବିଭାଗ ତରଫରୁ ମାଗଣାରେ ଚରା ଯୋଗାଇ ଦିଆଯାଉଛି । ଉମରକୋଟ ଓ ରାଇଘରରେ ୬ ଜଣ ଚାଷୀଙ୍କୁ ଚାରା ଦିଆଯାଇଛି । ଷ୍ଟ୍ରବେରୀ ଚାଷ କରି ଚାଷୀମାନେ ନୂଆ ଚାଷର କୌଶଳ ଜାଣି ପାରିବା ସହ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ ବୋଲି କହିଛନ୍ତି ଉଦ୍ୟାନ କୃଷି ଅଧିକାରୀ । ଥିବା କହିଛନ୍ତି ଉଦ୍ୟାନ କୃଷି ଅଧିକାରୀ। ଏବେ ଆଦିବାସୀ ଅଧୁଷିତ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟ୍ରବେରୀ ଚାଷ ପାଇଁ ମାଗମା ଚାରା ସହିତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବାରୁ ଏବେ ଏହି ଚାଷ କରି ଲାଭବାନ ହେଉଛନ୍ତି ଚାଷୀ ।

ଆବାସ ଯୋଜନାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ରାବିଡ଼ି ଗାଁର ବୃଦ୍ଧ ଅଭିଳ କର୍ମୀ

କଣ୍ଟାମାଳ : ଛିଣ୍ଡା ଜରିପାଲ ପକ୍କା ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ସାହାରା ଦେଇଛି ଭଙ୍ଗା ଝାଟିମାଟି କାନ୍ଥ । ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ । ଆମେ କହୁଛୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର  ପଞ୍ଚାୟତ ଅନ୍ତର୍ଗତ ରାବିଡ଼ି ଗାଁର ୭୦ ବର୍ଷୀୟ ବୃଦ୍ଧ ଅଭିଳ କର୍ମୀଙ୍କ କଥା । ବିପଦ ଶଙ୍କୁଳ ଅବସ୍ଥାରେ ଭଙ୍ଗା ଦଦରା ଘରେ ୨ ଅବିବାହିତ ଝିଅଙ୍କ ସହତ  ଦିନ କାଟୁଛନ୍ତି ଅଭିଳ । କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଘରକୁ ଢାଙ୍କି ରଖିବାକୁ ନଡ଼ା ଥୁଆ ହୋଇଛି । ତେବେ ଏହି ପରିବାରକୁ ଦେଖିଲେ ଆବାସ ଯୋଜନା ବାଟବଣା ସଦୃଶ ମନେହୁଏ । ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ନମିଳିବା ଓ   ବିଭାଗୀୟ ଅଧିକାରୀଙ୍କ ନଜର ନପଡ଼ିବାକୁ ନେଇ ପ୍ରଶ୍ଵବାଚୀ ସୃଷ୍ଟି ହୋଇଛି । ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିନଥିବା ବେଳେ ଏସଇସିସି ତାଲିକାରେ ଥିବା ନାମକୁ କାଟି ଦିଆଯାଇଥିବା କହିଛନ୍ତି ଅଭିଳ କର୍ମୀ ।

ବୟସର ଅପରାହ୍ନରେ ରୋଜଗାର କରିବା ଅଭିଳଙ୍କ ପକ୍ଷେ ସମ୍ଭବପର ନୁହେଁ । ୨ ଅବିବାହିତ ଝିଅ ପର ଘରେ ମୂଳ ଲାଗି ଆଣିଲେ ସେଥିରେ ୪ ପ୍ରାଣୀ କଷ୍ଟେମଷ୍ଟେ ଚଳିଯାଆନ୍ତି । ଦୀର୍ଘ ଦିନ ହେବ ଏହି ଝାଟି ମାଟି ଘରଟି ଭାଙ୍ଗିଯାଇଛି । ଆର୍ଥିକ ଅନଟନ ଭିତରେ ଏହି ଭଙ୍ଗା ଦଦରା ଘରକୁ ସଜାଡ଼ିବାକୁ ଅଭିଳଙ୍କ ପାଖରେ ସମ୍ଵଳ ନାହିଁ । କୌଣସି ସମୟରେ ଫଟା କାନ୍ଥ ଭୁଶୁଡ଼ି ପଡ଼ିବ ତାହା କହି ହେବନାହିଁ । ଯାହାଫଳରେ ପୁରା ପରିବାର ଏହି ଭଙ୍ଗା ଦଦରା ଘରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି I ଯେଉଁଠି ଦି ଓଳି ଖାଇବା ସମ୍ଭବ ନୁହେଁ ସେଠୀ ଘର ମରାମତି କି ତିଆରି କଥା ପଚାରେ କିଏ | ବର୍ଷା ଦିନ ଆସିଲେ ପାଣି ଗଳୁଥିବାରୁ ଘର ସାରା ପାଣି ହୋଇ ଦିନ ଦିନ ମଧ୍ୟ ଉପାସରେ ରହିବାକୁ ପଡ଼େ । ତେଣୁ ଅଭିଳଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥି ସୁବିଧାରୁ ବାଦ ପଡୁଛନ୍ତି । କିଛି ସରକାରୀ ବାବୁଙ୍କ ଅବହେଳାରୁ ଆବାସ ଯୋଜନାରୁ ବଞ୍ଚିତ ଅଭିଳଙ୍କୁ ଘରଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି ।

ଆଦିବାସୀଙ୍କ ସମସ୍ୟା ବୁଝୁନାହାନ୍ତି ସରକାର, ୫ କିଲୋ ମାଗଣା ଚାଉଳ ପାଇଁ ୫ ଶହ ଟଙ୍କା ଖର୍ଚ୍ଚ

ଆସିକା : ୫ କିଲୋଗ୍ରାମ ରାସନ ଚାଉଳ ପାଇଁ ୫ଶହ ଟଙ୍କା ଖର୍ଚ୍ଚ । ଆଦିବାସୀ ମାନଙ୍କ ସମସ୍ୟା ବୁଝୁନାହାନ୍ତି ଆଦିବାସୀ ମୁଖ୍ୟମନ୍ତ୍ରୀ । ଚାଉଳ ଆଣିବାକୁ ସକାଳୁ ଗଲେ ସଞ୍ଜ ନଇଁଯାଉଛି । ମୌଳିକ ସମସ୍ୟାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବଳରାମପୁର ପଞ୍ଚାୟତର ଝିରି ଝିରା ଉପାନ୍ତ ଆଦିବାସୀ ଗାଁ ଲୋକେ । ରାସନ୍ ଚାଉଳ ନ ନେଲେ ରାସନ କାର୍ଡରୁ ନାଁ କଟିଯିବା  ଭୟରେ ଚାଉଳ ନେବା ପାଇଁ ସଂଘର୍ଷ କରୁଛନ୍ତି ଝିରି ଝିରା ଗ୍ରାମବାସୀ । ଏହି ଗାଁରେ ୨୫ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି । ଗାଁକୁ ରାସ୍ତା ନଥିବା ବେଳେ ବିଦ୍ୟୁତ ସୁବିଧା ପହଞ୍ଚିନାହିଁ ଗାଁରେ । ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁର ଲୋକେ ମାସକୁ ଥରେ ପଞ୍ଚାୟତ ଅଫିସକୁ ରାସନ ଚାଉଳ ଆଣିବାକୁ ଆସିଥାନ୍ତି । ସେମାନଙ୍କୁ  ୪୦ କିଲୋମିଟର ବାଟ ପାଇଁ ୫ଶହ ଟଙ୍କା ଅଟୋ ଖର୍ଚ୍ଚ କରିବାକୁ ପଡ଼ିଥାଏ । ନହେଲେ ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଚାଉଳ ଆଣିବାକୁ ହେଲେ ସକାଳ ଗଲେ ଚାଉଳ ନେଇ ଫେରିବାକୁ ସଞ୍ଜ ନଇଁଯାଏ । ତଥାପି ଭୋକର ତାଡ଼ନା ପାଇଁ ସଂଘର୍ଷ କରୁଛନ୍ତି ଝିରି ଝିରା ଆଦିବାସୀ ଉପାନ୍ତ ଗାଁ ଲୋକେ ।

ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ଏହି ଉପାନ୍ତ ଗାଁର ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯଦି କେଉଁ ଦିନ ଲିଙ୍କ ନ ରହେ ତେବେ ଅବସ୍ଥା କହିଲେ ନ ସରେ । ଯେଉଁ ହିତାଧିକାରୀ ମାନେ ଚାଉଳ ଅଟୋରେ ଭଡ଼ା କରି ନିଅନ୍ତି, ସେମାନଙ୍କୁ ଦିଗପହଣ୍ଡି ଦେଇ ନେବାକୁ ପଡ଼େ । ଫଳରେ ୫ କିଲୋଗ୍ରାମ ମାଗଣା ଚାଉଳକୁ ନେବାକୁ ୫ଶହ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଚାଉଳ ବୋହି ନେବାକୁ ସକ୍ଷମ ନହେଲେ ଅନେକ ହିତାଧିକାରୀ ରାସନ ଚାଉଳକୁ ନିକଟସ୍ଥ ବଜାରରେ ବିକ୍ରି ଦିଅନ୍ତି । ବଳରାମପୁର ପଞ୍ଚାୟତର ଝିରି ଝିରା ଆଦିବାସୀ ଗାଁକୁ ୟାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଦୁର୍ବିଶହ ଜୀବନ ବିତାଉଥିବା ଏହି ଗାଁର ଲୋକେ ସମସ୍ୟା ବିଷୟରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିବା ପରେ ମଧ୍ୟ କୌଣସି ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି ।  ଝିରି ଝିରା ଉପାନ୍ତ ଆଦିବାସୀ ଗାଁର ଲୋକଙ୍କ ପାଇଁ ମୌଳିକ ସୁବିଧା ଅପହଞ୍ଚ ରହିଛି । ତେବେ କେବେ ଏହି ନିରିହ ଆଦିବାସୀଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡୁଛି, ସେମାନଙ୍କ ସମସ୍ୟା କେବେ ଦୂର ହେଉଛି ତାହାକୁ ଅପେକ୍ଷା ।

ଚରମ ସୀମାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ମାଟିରେ ମିଶାଇ ଦେଲେ ଶହ ଶହ ଗଛ

ଆନନ୍ଦପୁର : ମାଟିରେ ମିଶାଇ ଦେଲେ ଶହ ଶହ ଗଛ । ଚରମ ସୀମାରେ ପହଞ୍ଚିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ । ଲୋକେ ଛାଇ ପାଇଁ ଡହଳବିକଳ ହେଉଥିବା ବେଳେ ନଦୀରୁ ବେଆଇନ ବାଲି ଉତ୍ତୋଳନ ପାଇଁ ଶତାଧିକ ଗଛକୁ ବଳି ପକାଇଛନ୍ତି ବାଲି ମାଫିଆ । ଏଭଳି ଦେଖିବାକୁ ମିଳିଛି ଆନନ୍ଦପୁର ତହସିଲ ଅନ୍ତର୍ଗତ କୋଡ଼ପଡ଼ା ପଞ୍ଚାୟତର ଭୋଗପୁର ଗାଁ ନିକଟ ଜମିରେ । ବୈତରଣା କୂଳକୁ ଲାଗି ଜମିରେ ବନିକରଣ କରାଯାଇଥିଲା । ଜମି ମାଲିକଙ୍କ ସହମତିରେ ଜଙ୍ଗଲ ବିଭାଗ ପକ୍ଷରୁ ବୃ୍କ୍ଷରୋପଣ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଜମି ମାଲିକଙ୍କୁ ନଜଣାଇ ବାଲି ମାଫିଆମାନେ ବେଆଇନ ବାଲି ଉତ୍ତୋଳନ କରିବାକୁ ଶତାଧିକ ଗଛ କାଟିବା ସହିତ ବେଆଇନ ଭାବେ ପ୍ରଶସ୍ତ ରାସ୍ତା ନିର୍ମାଣ କରୁଛନ୍ତି । ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ଓ ଖଣି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଭୋଗପୁର ଠାରୁ ଦେଢ଼ କିଲୋମିଟର ଦୂର ଗୌଡ଼ଡିହାରେ ବୈତରଣୀ ନଦୀରେ ଏକ ବାଲିଘାଟ ସରକାରଙ୍କ ତରଫରୁ ନିଲାମ କରାଯାଇଥିଲା । ହେଲେ ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ଏବେ ବନ୍ଦ ରହିଛି । ତେବେ ସେହି ନିଲାମଧାରୀଙ୍କ ସମେତ ଅନ୍ୟ କିଛି ବାଲି ମାଫିଆ ବାଲି ଚୋରା ଚାଲାଣ ପାଇଁ ଏଭଳି ରାସ୍ତା ନିର୍ମାଣ କରୁଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଜଙ୍ଗଲ ବିଭାଗ ଠାରୁ ରାଜସ୍ଵ ବିଭାଗ ସମସ୍ତେ ଅବଗତ ଅଛନ୍ତି । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଜଙ୍ଗଲ ବିଭାଗ ରାଜସ୍ଵ ବିଭାଗର କାମ କହୁଥିବା ବେଳେ ରାଜସ୍ଵ ବିଭାଗ ଜଙ୍ଗଲ ବିଭାଗର କାମ କହୁଛି । ଅନ୍ୟପଟେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ ଖଣି ବିଭାଗ ଅଧୀନରେ ଯାଉଥିବା ବେଳେ ସେମାନେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ଆଖି ଆଗରେ ଏଭଳି ଏକ ବେଆଇନ କାର୍ଯ୍ୟକୁ ପ୍ରଶାସନିକ ସ୍ତରରେ ସମର୍ଥନ ମିଳୁଥିବା ବେଳେ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା।