spot_img
Home Blog Page 1073

ବିରାଟ କୋହଲି ଆହତ: ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଭାରତକୁ ଶକ୍ତ ଝଟକା

ଦୁବାଇ: ମାର୍ଚ୍ଚ ୯ ଅର୍ଥାତ ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ନୈରାଶ୍ୟଜନକ ଖବର । ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଆହତ ହୋଇଛନ୍ତି । ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ବିରାଟ ଆହତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ନେଟ୍ସରେ ପେସ ବୋଲିଂକୁ ସାମ୍ନା କରୁଥିବା ବେଳେ ବିରାଟଙ୍କ ଆଣ୍ଠୁ ନିକଟରେ ବଲ ବାଜିଥିଲା । ଏହାପରେ ବିରାଟ ଆଉ ଅଭ୍ୟାସ କରିନଥିଲେ । ସଙ୍ଗେସଙ୍ଗେ ଟିମ୍ ଇଣ୍ଡିଆର ଫିଜିଓ ଷ୍ଟାଫ ବିରାଟଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ବଲ ବାଜିଥିବା ସ୍ଥାନରେ ସ୍ପ୍ରେ କରିଥିଲେ । ଏଥିସହିତ ବିରାଟଙ୍କ ଆଣ୍ଠୁ ପାଖରେ ଏକ ବ୍ୟାଣ୍ଡେଜ ବାନ୍ଧିଥିଲେ । ତେବେ ଆହତ ହେବା ପରେ ବି ବିରାଟଙ୍କ ମନୋବଳରେ ପୂର୍ବ ପରି ରହିଥିଲା । ସେ ପଡ଼ିଆରେ ଉପସ୍ଥିତ ରହିବା ସହ ଅଭ୍ୟାସ ସେସନକୁ ଅନୁଧ୍ୟାନ କରିଥିଲେ ।

ତେବେ ବିରାଟଙ୍କ ଆହତ ଖବର ପାଇବା ପରେ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଲାଗିଥିଲା ଏକ ଶକ୍ତ ଝଟକା । ବିରାଟଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି, ଆସନ୍ତାକାଲି ହେବାକୁ ଥିବା ଫାଇନାଲ ମୁକାବିଲ ଉପରେ ଏହା ପ୍ରଭାବ ପକାଇବନି ତ, ଏପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମଧ୍ୟରେ ଉଙ୍କି ମାରିଥିଲା । ତେବେ ବିରାଟ ସାମାନ୍ୟ ଆହତ ହୋଇଛନ୍ତି, ତାହା ସେତେଟା ଗୁରୁତର ନୁହେଁ । ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ବିରାଟ ଫିଟ୍ ହୋଇଯିବେ ବୋଲି ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ପୋଲିସର ସ୍ପେସାଲ ଡ୍ରାଇଭ୍ ; ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ବାଂଲାଦେଶୀ ରହୁଥିବା ସନ୍ଦେହରେ ପୋଲିସର ସ୍ପେସାଲ ଡ୍ରାଇଭ୍। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ଏହି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ବିଶେଷ କରି ବସନ୍ତକୁଞ୍ଜ, ବେଙ୍ଗଲ ବସ୍ତି, ଜୟହିନ୍ଦ କ୍ଯାମ୍ପ ଅଞ୍ଚଳରେ ବୁଲି ବୁଲି ପୋଲିସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଯେଉଁମାନେ ପ୍ରକୃତରେ ବେଆଇନ ଭାବେ ରହୁଥିବେ, ବାଂଲାଦେଶରୁ ଆସିଥିବେ, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଂଲାଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ। ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ରୋହିଙ୍ଗ୍ଯା ଓ ବାଂଲାଦେଶୀମାନେ ବେଆଇନ ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆସ୍ଥାନ ଜମାଇଥିବାର ଅଭିଯୋଗ ହୋଇଥିଲା। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଆମ୍ ଆଦମୀ ପାର୍ଟି ଓ ବିଜେପି। ଏବେ ଦିଲ୍ଲୀ ସରକାର ବିଜେପି ଅକ୍ତିଆରରେ ଥିବାରୁ ଓ ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରଙ୍କ ଅକ୍ତିଆରରେ ଥିବାରୁ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ମହିଳା ଦିବସରେ ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନୀତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମହିଳା ଦିବସ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ମହିଳାମାନେ ସାମିଲ ହୋଇଥିଲେ । ସଫଳତା ସହ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ସାତ ଜଣ ସୁନାମ ଧନ୍ୟ ମହିଳାଙ୍କୁ ସମ୍ମାନିତ କରାଯାଇଛି । ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର, ସର୍ବାଧିକ ଥର ଜିଲ୍ଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ, ଛତୁ ଚାଷୀ ଜୟନ୍ତୀ ପ୍ରଧାନ, ସମ୍ବଲପୁରୀ ନାଟ୍ୟକାର ଓଜସ୍ୱିନୀ ମାହାଲ, ଗବେଷିକା ଜ୍ୟୋତିର୍ମୟୀ ମହାନ୍ତି, ଡାକ୍ତର ରୋଜା ଘୋଷ, ନିବେଦିତା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ରାଜ୍ୟରେ ମହିଳାମାନେ ନିର୍ଯାତିତା ହେଉଥିବାରୁ ରାଜ୍ୟ ସରକାରକୁ ସାମ୍ଵାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ବିଜୁ ବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ମହିଳା ବିଜେଡି ଆଜି ଏହା ନିନ୍ଦା ପ୍ରସ୍ତାବ ଆଣିଛି । ବିଜେପି ସରକାରରେ ଆଜି ମହିଳା ସୁରକ୍ଷିତ ନୁହଁନ୍ତି । ଗଣଦୁଷ୍କର୍ମ, ଆତ୍ମହତ୍ୟା, ଅତ୍ୟାଚାର, ଆଦିବାସୀ ମହିଳାଙ୍କୁ ଅତ୍ୟାଚାର ସୀମା ଟପିଛି । ଏ ନେଇ ମଧ୍ଯ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ସ୍ନେହାଙ୍ଗିନୀ । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଏବେ ବିପଦରେ ପଡିଛି । ତେଣୁ ମହିଳାମାନଙ୍କୁ ନ୍ଯାୟ ନମିଳିଲେ ଆଗାମୀ ଦିନରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ।

ନବୀନ ବାବୁ ଯେଉଁ ଯୋଜନା କରିଛନ୍ତି, ତାହାର ସମକକ୍ଷ ହୋଇପାରିବେନି : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ମହିଳା ଦିବସ ପାଳନ ଅବସରରେ ଶଙ୍ଖ ଭବନରେ ବର୍ଷିଲେ ପ୍ରମିଳା । ବିଜେପି ସରକାରଙ୍କ କିଛି ଯୋଜନା କାମ କରିବ ନାହିଁ। ମହିଳାଙ୍କୁ ସଶକ୍ତ କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା କରିଛନ୍ତି, ତାଙ୍କ ସହ କେହି ସମକକ୍ଷ ହୋଇ ପାରିବେନାହିଁ । ମହିଳା ଦିବସରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନିର୍ବାଚନ ବେଳେ କାହିଁକି ଭୁଲିଗଲେ ମହିଳା ।

ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କ ମାନଙ୍କ ପାଇଁ କେତେ କଣ କରିଛନ୍ତି । ନିର୍ବାଚନ ବେଳେ ମହିଳାମାନେ କେମିତି ଭୁଲିଗଲେ । କଣ ୫ ହଜାର, ୫୦ ହଜାର ପାଇଁ ଭୁଲିଗଲେ ବୋଲି ପ୍ରଶ୍ନ ପଚାରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୨୪ ବର୍ଷରେ କଣ ହେଇଛି । କଣ ପାଇଁ ଅଭିମାନ । ଅଭିମାନ ଭାଙ୍ଗିବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ । ବର୍ଷେ ଗଲା ଆଉ ୪ ବର୍ଷ ଲଢ଼େଇ ହେବ । ଏ ଲଢ଼େଇ ଆଜିଠୁ ଚାଲିବ । ରଙ୍ଗ ଓ ରାସ୍ତା ଘାଟ ପରିବର୍ତ୍ତନ କରୁଛନ୍ତି ପରିବର୍ତ୍ତନ ସରକାର । ରାସ୍ତାରେ ଫଟୋ ଲଗାଇ ବୋଡ଼ ମାରିଦେଲେ କଣ ହେବ, ରାସ୍ତା କେଉଁଠୁ ଆରମ୍ଭ କେଉଁଠୁ ଶେଷ ଜାଣିନାହାନ୍ତି । ବିଜୁ ବାବୁଙ୍କ ତ୍ୟାଗକୁ ଭୁଲିଗଲେ । ବିଜୁଙ୍କ ଭଳି ପୁଅ ଓଡ଼ିଶାରେ ଆଉ ଜନ୍ମ ହେବେ ନାହିଁ । ଓଡ଼ିଆ ଜାତି ପାଇଁ ଅପମାନ କରିଛନ୍ତି ରାଜ୍ୟ ସରକାର । ବିଜୁଙ୍କ ପାଇଁ ଘରେ ଘରେ ଆମେ କହିବୁ ବିଜୁ ବାବୁ ଅମର ରହେ ।

ଆଗକୁ ଅଛି ଗୁଜରାଟ ବିଧାନସଭା ନିର୍ବାଚନ, ଗୋଟିଏ ଦିନରେ ଦୁଇ ବଡ଼ ନେତା ମୋଦି ଓ ରାହୁଲ ଗାନ୍ଧିଙ୍କ ଗସ୍ତ

ନନ୍ଦିଘୋଷ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡ଼କୁ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଅକ୍ଟୋବର ନଭେମ୍ବରରେ ହୋଇପାରେ ଭୋଟ। ଏଥିପାଇଁ ସରଗରମ ହେଲାଣି ରାଜନୈତିକ ମାହୋଲ। ଉଭୟ ବିଜେପି ଓ କଂଗ୍ରେସର ଫୋକସରେ ଗୁଜରାଟ । ତେଣୁ ଆଜି ଗୋଟିଏ ଦିନରେ ହିଁ ଦୁଇ ଦଳର ଦୁଇ ବଡ଼ ନେତା ଗୁଜରାଟ ଗସ୍ତରେ ଯାଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଛନ୍ତି। ଅହମଦାବାଦରେ ଏକ ସମାବେଶରେ ରାହୁଲ ଗାନ୍ଧି ଦଳର କର୍ମୀଙ୍କୁ କହିଛନ୍ତି, ନିର୍ବାଚନ ଜିତିବା ପାଇଁ ପ୍ରଥମେ ଲୋକଙ୍କ ମନ ଜିତିବାକୁ ପଡ଼ିବ। ଲୋକଙ୍କ କାମ କଲେ ହିଁ ସେମାନଙ୍କ ମନ ଜିଣିହେବ। ତେଣୁ ପ୍ରଥମେ ଜନତାଙ୍କ ସେବା କରି ସେମାନଙ୍କ ହୃଦୟ ଜିତିବାକୁ ସେ ଦଳର କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି। ସେପଟେ ନଭସାରିରେ ଲକ୍ଷପତି ଦିଦିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

କର୍ଣ୍ଣାଟକ ଲଜ୍ଜା : ଓଡ଼ିଆ ପର୍ଯ୍ୟଟକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ଲଜ୍ଜା ଘଟଣାରେ ଜଣେ ଓଡି଼ଆ ମୃତ। ତାଙ୍କ ନାଁ ହେଉଛ ବିଭାସ। ସେ ଓଡ଼ିଶାର ହୋଇଥିଲେ ମଧ୍ୟ ପ୍ରକୃତରେ ଘର କେଉଁଠି ତାହା ସ୍ପଷ୍ଟ ହୋଇନାହିଁ। କର୍ଣ୍ଣାଟକ ପୋଲିସ ଏହାର ତଦନ୍ତ କରୁଛି। ଗତ ରାତିରେ ବେଙ୍ଗଳୁରୁରୁ ପ୍ରାୟ ୩୦୦ କିମି ଦୂରରେ କୋପ୍ପାଲରେ ଘଟିଛି ଜଘନ୍ୟକାଣ୍ଡ। ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କୋପାଲର ଏକ କେନାଲ ନିକଟରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି।

ଗଣଦୁଷ୍କର୍ମ ପୂର୍ବରୁ ସେହି ମହିଳାଙ୍କ ସହିତ ଥିବା ଅନ୍ଯ ୩ ଜଣଙ୍କୁ କେନାଲକୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଓଡି଼ଆ ପର୍ଯ୍ୟଟକ ବିଭାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ମିଳିଛି ତାଙ୍କ ମୃତଦେହ। ଅନ୍ୟ ଦୁଇ ପର୍ଯ୍ୟଟକ ହେଲେ ଆମେରିକାର ଡାନିଏଲ ଏବଂ ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି କୋପାଲର ଏସପି ରାମ ଏଲ. ଆରାସିଦ୍ଦି। ସୂଚନା ଅନୁସାରେ ୨ ମହିଳା ଓ ୩ ପର୍ଯ୍ୟଟକ ତୁଙ୍ଗଭଦ୍ରା ବାମ କେନାଲ ପରିଦର୍ଶନ କରି ଫେରିବା ବେଳେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଭିଆଇଥିଲେ। ୩ ଅଭିଯୁକ୍ତ ଏକ ବାଇକରେ ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିବା ସହ ଇସ୍ରାଏଲୀ ପର୍ଯ୍ୟଟଙ୍କୁ ୧୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ହୋଇଥିଲା। ପରେ ୩ ଜଣ ଦୁର୍ବୃତ୍ତ ପୁରୁଷ ପର୍ଯ୍ୟଟକଙ୍କୁ କେନାଲକୁ ଠେଲି ଦେବା ପରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲର ଜଣେ ପର୍ଯ୍ୟଟକ ଓ ପର୍ଯ୍ୟଟକମାନେ ରହୁଥିବା ହୋଟେଲର ମାଲିକାଣୀ।

ଅନ୍ତର୍ଜାତୀୟ ମହିଳା ଦିବସକୁ ‘କଳା ଦିବସ’ ଭାବେ ପାଳନ କରୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ୱର :  ଅନ୍ତର୍ଜାତୀୟ ମହିଳା ଦିବସକୁ ମୁହଁରେ କଳା କପଡା ବାନ୍ଧି କଳା ଦିବସ ଭାବେ ପାଳନ କରୁଛି ରାଜ୍ୟ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ସାମାଜିକ ସ୍ଥିତିରେ ବିକାଶ ପାଇଁ ପ୍ରତିଶୃତି ଦେଇଥିବା ବିଜେପି ସରକାରର କାର୍ଯ୍ୟକ୍ରମରେ ତାହା ପ୍ରଫଳିତ ହେଉନାହିଁ । ବଡ଼ ବଡ଼ ଘୋଷଣା କରିଥିବା ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛି । ଏହାର ପ୍ରତିବାଦରେ କଂଗ୍ରେସ ଭବନଠାରେ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି ।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ନନ୍ଦିଘୋଷ ବ୍ୟୁରୋ :  ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ବାର୍ତ୍ତା ଦେଇ ଲେଖିଛନ୍ତି ଯେ, ଆମେ ସର୍ବଦା ମହିଳାଙ୍କୁ ସମ୍ମାନ ଏବଂ ମହିଳା ସଶକ୍ତିକରଣକୁ ସର୍ବଦା ସମସ୍ତ କ୍ଷେତ୍ରରେ ଗୁରୁତ୍ୱ ଦେଇଛୁ । ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନଶକ୍ତି ଯୋଜନା, ମମତା ଯୋଜନା ଏବଂ ଲିଙ୍ଗଗତ ବଜେଟ୍ ଭଳି ଅନେକ ପଦକ୍ଷେପ ନିଆଯାଇଛି । ତେଣୁ ଏହି ମହିଳା ଦିବସରେ ଆସନ୍ତୁ ସବୁଠି ମହିଳାଙ୍କ ନେତୃତ୍ୱକୁ ପାଳନ କରିବା ଏବଂ ସର୍ବୋଚ୍ଚ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଏବଂ ସମାଜରେ ତଥା ବିଭିନ୍ନ ସଂସ୍ଥାରେ ମହିଳାମାନଙ୍କ ଅଧିକ ଭୂମିକାକୁ ସୁନିଶ୍ଚିତ କରିବା  ।

ଦୈନିକ ୨୭ ଟଙ୍କାରେ ମା’ମାନେ କରିବେ କ’ଣ ? ରାଜ୍ୟ ସରକାରଙ୍କୁ ନବୀନଙ୍କ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶଙ୍ଗ ଭବନରେ ବିଜେଡି ମହିଳା ଶାଖା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ବିରୋଧୀ ନୀତି ପାଇଁ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ମହିଳା ହିତୈଶୀ ନୁହନ୍ତି କେବଳ ରାଜନୈତିକ ପ୍ରଚାର ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ନିଜ ପବ୍ଲିସିଟି କରୁଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ, ଦୈନିକ ୨୭ ଟଙ୍କା ଦେଇ ସରକାର ବାହବା ନେବାକୁ ଉଦ୍ୟମ କରୁଛନ୍ତି । ଏହା ସହ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ପାଳିତ ହୋଇ ଆସୁଥିବା ପଂଚାୟତିରାଜ ଦିବସକୁ ବାତିଲ କରି ସରକାର ବିଜୁ ପଟ୍ଟନାୟକଙ୍କ ଅପମାନ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ଅପମାନ

ନବୀନ ନିଜ ଭାଷଣରେ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବିଜୁ ବାବୁଙ୍କ ମନେ ପକାଇ ତାଙ୍କ ପ୍ରତି ହୋଇଥିବା ଅପମାନ କଥା ଉଠାଇଥିଲେ । ସେ କହିଥିଲେ ଯେ, ବିଜୁ ବାବୁ ମହିଳାମାନଙ୍କୁ ରାଜନୈତିକ ଶକ୍ତି ସୁନିଶ୍ଚିତ କରିବାକୁ ନିଷ୍ପତି ନେଇଥିଲେ । ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁକରିଥିଲେ । କିନ୍ତୁ ଦୁଃଖର କଥା ପଂଚାୟତି ରାଜ ବ୍ୟବସ୍ଥାକୁ ମଜବୁତ କରିଥିବା ବିଜୁବାବୁଙ୍କୁ ଡବଲ ଇଂଜିନ ସରକାର ଅପମାନିତ କରିଛନ୍ତି । ତାଙ୍କ ଜୟନ୍ତୀକୁ ରାଜନୈତିକ ଲକ୍ଷ୍ୟ କରି ପଂଚାୟତିରାଜ ଦିବସ ଭାବେ ପାଳନ କରାଗଲା ନାହିଁ ।

ମିଶନ ଶକ୍ତି ବନ୍ଦ କରିବା ପାଇଁ ଉଦ୍ୟମ 

ସଂସଦ ଓ ରାଜ୍ୟ ବିଧାନସଭାରେ ମା’ ମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ପାଇଁ ବିଜେଡି ଦାବି କରୁଛି । ଡବଲ ଇଂଜିନ ସରକାର ମିଶନ ଶକ୍ତି ଭଳି ଲୋକପ୍ରିୟ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱଭିମାନୀ ମା’ ମାନଙ୍କୁ ମିସଗାଇଡ୍ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମା ମାନଙ୍କୁ ଦୈନିକ ୨୭ ଟଙ୍କା ଦେଇ ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ଆପଣ କୁହନ୍ତୁ,୨୭ ଟଙ୍କାରେ ଆପଣଙ୍କ ପରିବାର ପାଇଁ ଏକ ଲିଟର କ୍ଷୀର ମିଳିବ କି ? ଲମ୍ବା ଅବଧିରେ ମା ମାନେ ଏହି ଯୋଜନାରୁ କିଛି ଉପକାର ପାଇବେ ନାହିଁ । ମା’ ମାନଙ୍କୁ ରାଜନୈତିକ ଅଧିକାର ଦେବା ବିଜେଡିର ଲକ୍ଷ୍ୟ । ଆପଣ ହେଉଛନ୍ତି ବିଜେଡିର ଆମ୍ବାସଡାର । ଲୋକଙ୍କୁ ସଚେତନ କରନ୍ତୁ । ମା ମାନଙ୍କୁ ମିସଗାଇଡ୍ କରିବାକୁ ହେଉଥିବା ଉଦ୍ୟମକୁ ବିରୋଧ କରନ୍ତୁ ।

ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ

ବଲାଙ୍ଗୀର : ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ । ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ। ଆଜି ସକାଳୁ ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ କଲେଜ ବାହାରିଥିଲେ । ବାପା ପ୍ରହ୍ଲାଦ ସାଙ୍କ ସହ ବାଇକରେ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ନୂଆ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପ୍ରହ୍ଲାଦଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସମୀର କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ତଦନ୍ତ କରୁଛି ।