spot_img
Home Blog Page 1064

ଓଡିଶା ମାଟିରେ ବିଦେଶୀ ଫୁଲ: କୋଟିଆରେ ସଫଳ ହୋଇଛି ଜର୍ମାନୀର କେମୋ ମାଇଲ ଫୁଲ ଚାଷ

କୋରାପୁଟ: କୋରାପୁଟ ଜିଲ୍ଲାର ଜଳବାୟୁ ଚାଷ ପାଇଁ ବେଶ ସର୍ବୋକୃଷ୍ଟ । ପୂର୍ବରୁ ଷ୍ଟ୍ରବେରୀ ଭଳି ଅନେକ ଚାଷ ସଫଳ ହୋଇସାରିଛି । ଏହି ସଫଳତାରେ ଏବେ ଯୋଡି ହୋଇଛି କେମୋ ମାଇଲ ଫୁଲ । ଜର୍ମାନୀର ଏହି ଫୁଲ ଚାଷ ଏବେ କୋଟିଆରେ ସଫଳ ହୋଇଛି । ଏକର ଜମିରେ ୬ ଜଣ ମହିଳା ଏହି ଫୁଲ ଚାଷ କରି ସଫଳ ହୋଇପାରିଛନ୍ତି । ଚଳିତ ବର୍ଷ ୪୦ କିଲୋରୁ ଉର୍ଦ୍ଧ୍ଵ କେମୋ ମାଇଲ ଫୁଲ ସଂଗ୍ରହ ହୋଇସାରିଛି । ଲକ୍ଷ୍ନୌ ସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ଯୁଟ ଅଫ ମେଡିସିନାଲ ଆଣ୍ଡ ଏରୋମେଟିକ ପ୍ଳାଣ୍ଟସ ବୈଜ୍ଞାନିକ, ଓରମାସ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ କୋଟିଆ ପଞ୍ଚାୟତରେ ପ୍ରଥମେ ଏହି ଚାଷ ପରୀକ୍ଷଣ ଭାବେ କରାଯାଇଥିଲା । ଚାଷ ସଫଳ ହେବାରୁ ଆସନ୍ତା ଦିନରେ ଅଧିକ ଫୁଲ ଚାଷ କରିବେ ବୋଲି କହିଛନ୍ତି ଆଦିବାସୀ ମହିଳା ।

ଔଷଧ ପ୍ରସ୍ତୁତି ସାଙ୍ଗକୁ ହର୍ବାଲ ଚା, ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତିରେ ଏହି ଫୁଲ ବ୍ୟବହାର ହୋଇଥାଏ । ଏଥିରେ ପ୍ରସ୍ତୁତି ତେଲର ବଜାରରେ ଦର ଅଧିକ ରହିଛି । ଲିଟର ପିଛା ୩୦ ରୁ ୪୦ ହଜାର ଟଙ୍କା ରହିଛି । ଏହି ଫୁଲକୁ ଓରମାସ ପ୍ରଥମ ପର୍ଯ୍ୟାୟରେ କିଲୋ ପିଛା ହଜାରେ ଟଙ୍କା ଦେଇ ଚାଷୀଙ୍କ ଠାରୁ ନେଇଥିବା ବେଳେ ଏହାକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଫୁଲ ଆସନ୍ତା ରତୁରେ କୋରାପୁଟର ବିଭିନ୍ନ ବ୍ଲକରେ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଇତିହାସ ରଚିଲେ ବେନ ଡକେଟ: ଅଷ୍ଟ୍ରେଲିଆ ଆଗରେ ୩୫୧ ରନର ବିଶାଳ ସ୍କୋର ଛିଡ଼ା କଲା ଇଂଲଣ୍ଡ

ଆଜି ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଆଗରେ ଏକ ବିଶାଳ ସ୍କୋର ଛିଡ଼ା କରିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ ଡକେଟଙ୍କ ଶତକୀୟ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୩୫୧ ରନ୍ କରିଛି । ଏହି ବିଶାଳ ସ୍କୋରକୁ ଚେଜ କରିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ । ତେଣୁ ଆଜି ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିପାରେ । ଦଳ ପକ୍ଷରୁ ଡକେଟ ୧୭ଟି ଚୌକା ଓ ୩ଟି ଛକା ସହାୟତାରେ ୧୬୫ ରନ୍ ସଂଗ୍ରହ କରିଥିବା ବେଳେ ଜୋ ରୁଟ ୬୮ ରନ୍ ସଂଗ୍ରହ କରିଥିଲେ ।

ଏହି ଅବସରରେ ଡକେଟ ଚାମ୍ପିୟନ୍ସ ଟ୍ରଫିରେ ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରି ରେକର୍ଡ କରିଛନ୍ତି ଡକେଟ । ତାଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡର ନାଥନ ଏଷ୍ଟଲ ଓ ଜିମ୍ବାଓ୍ବେର ଏଣ୍ଡି ଫାଓ୍ବାରଙ୍କ ନାମରେ ଏହି ରେକର୍ଡ ରହିଥିଲା । ୨୦୦୪ ଚାମ୍ପିୟନ୍ସ ଟ୍ରଫିରେ ଏଷ୍ଟଲ ୟୁଏସଏ ବିପକ୍ଷରେ ୧୪୫ ରନ୍ ସଂଗ୍ରହ କରିଥିଲେ ।  ସେହିପରି ଏଣ୍ଡି ଫ୍ଲାୟାର ୨୦୦୨ ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିପକ୍ଷରେ ୧୪୫ ରନର ପାଳି ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ବେନ ଦ୍ବାରଶୁଇସ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଆଡାମ ଜାମ୍ପା ଓ ମାର୍ଣ୍ଣସ ଲାବୁସ୍କାଗ୍ନେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଶକ୍ତିକାନ୍ତ ଦାସଙ୍କୁ ମିଳିଲା ନୂଆା ଦାୟିତ୍ବ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ପାଇଲେ ନିଯୁକ୍ତି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ନୂଆ ନିଯୁକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ-୨ ଭାବେ ଶକ୍ତିକାନଙ୍କୁ ନିଯୁକ୍ତି ମିଳିଛି । ପିଏମ ମୋଦୀଙ୍କ କାର୍ଯ୍ୟକାଳ ଓ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଏକ ସମୟରେ ସମାପ୍ତ ହେବ । ଏହା ପୂର୍ବରୁ ଶକ୍ତିକାନ୍ତ RBIର ଗଭର୍ଣ୍ଣର ଭାବେ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । ୨୦୧୮ ଡିସେମ୍ବରେ ସେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ୨୦୨୪ ମସିହା ଡିସେମ୍ବର ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ଶକ୍ତିକାନ୍ତଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି । ପିକେ ମିଶ୍ରଙ୍କ ସହ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ RBIର ପୂର୍ବତନ ଗଭର୍ଣ୍ଣର ଶ୍ରୀ ଦାସ । ମୋଦୀ ସରକାରରେ ପୁଣି ଥରେ ଶକ୍ତିକାନ୍ତଙ୍କୁ ମିଳିଛି ଏକ ବଡ଼ ଦାୟିତ୍ବ । ଅବସର ଗ୍ରହଣ କରିବାର କିଛି ମାସ ପରେ ଶକ୍ତିକାନ୍ତଙ୍କୁ ମିଳିଛି ବଡ଼ ଦାୟିତ୍ବ । ଶକ୍ତିକାନ୍ତ ହେଉଛନ୍ତି ୧୯୮୦ ବ୍ୟାଚର ରିଟାୟାର୍ଡ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

ଲାଗୁ ହେଲା ୱାର୍କ ପାସବୁକ ବ୍ୟବସ୍ଥା: ପୂର୍ତ୍ତ ବିଭାଗ ପ୍ରଶାସନରେ ହେବ ଅନେକ ପରିବର୍ତ୍ତନ

ଭୁବନେଶ୍ବର: ୱାର୍କ୍ ପାସବୁକ ଦ୍ଵାରା ବ୍ୟବସ୍ଥାରେ ଆସିବ ଆହୁରି ସ୍ଵଚ୍ଛତା । କାମ ଅଧିକ ତ୍ୱରାନ୍ୱିତ ହେବ ଏବଂ ଶୀଘ୍ର ସରିବ । ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରଶାସନର ଅନେକ ଗୁଡ଼ିକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକୁ ସମସ୍ତ ଇଞ୍ଜିନିୟରିଂ ବିଭାଗ ମଧ୍ୟ ଅନୁସରଣ କରିବେ । ପ୍ରତି ପ୍ରକଳ୍ପର ଆନୁମାନିକ ମୂଲ୍ୟ କେତେ, କେତେ କାମ ସରିଛି ଏହି ସବୁ ତଥ୍ୟ ସର୍ବସାଧାରଣଙ୍କ ପାଇଁ ପାସ ବୁକରେ ଉପଲବ୍ଧ ରହିବ । ଲୋକମାନେ ବିଭାଗର ୱେବସାଇଟରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ବାବଦରେ ସମସ୍ତ ତଥ୍ୟ ଜାଣିପାରିବେ । ଏହା ପ୍ରଥମେ ପୂର୍ତ୍ତ ବିଭାଗରେ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ପଞ୍ଚାୟତିରାଜ ବିଭାଗ ବି ସାମିଲ ହେବ । ଏହାସହ ପୂର୍ତ୍ତ ବିଭାଗ ୱାର୍କ ଡାସବୋର୍ଡ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁଥିରେ ସମସ୍ତ ପ୍ରକଳ୍ପ ଗୁଡ଼ିକର ତଥ୍ୟ ରହିବ । ଯାହାକି ସରକାରୀ ବ୍ୟବହାର ପାଇଁ ଉପଯୋଗ କରାଯିବ ।

ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀମାନେ ପ୍ରକଳ୍ପ ଗୁଡିକର ନିୟମିତ ମନିଟରିଂ କରିପାରିବେ । ପ୍ରକଳ୍ପର ଆକାର, କେଉଁ ଏଜେନ୍ସି କାମ କରୁଛି, ପ୍ରକଳ୍ପର ସ୍ଥିତି କଣ, ରେଗୁରାଲ ଅପଡେଟ ହେବା, ପ୍ରକଳ୍ପର ଆନୁମାନିକ ମୂଲ୍ୟ କେତେ, କେବେ ପ୍ରକଳ୍ପ ଆରମ୍ଭ ହେଲା, କେତେ କାମ ସାରିଛି ଏ ସବୁ ବାବଦରେ ଡାସବୋର୍ଡରେ ବିଶଦ ବିବରଣୀ ରହିବ । ଯାହାଦ୍ବାରା ସରକାରୀ ସ୍ତରରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ମନିଟରିଂ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗରେ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମ୍ୟ ଉନ୍ନୟନ ଏବଂ ଜଳ ସମ୍ପଦ ବିଭାଗରେ ମଧ୍ୟ କାର୍ଯ୍ୟକାରୀ ହେବ । ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ହେବାରେ ଆଉ ଅହେତୁକ ବିଳମ୍ବ ହେବ ନାହିଁ ।

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୋଲାଭରମ ଡ୍ୟାମ ନିର୍ମାଣ: ଓଡ଼ିଶାର କ୍ଷତି ହେଉଛି, କିନ୍ତୁ ରାଜ୍ୟ ସରକାର ଚୁପ୍ କାହିଁକି?

ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପୋଲାଭରମ ଡ୍ୟାମ ତିଆରି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରକୁ ତୁରନ୍ତ ଅର୍ଥରାଶି ପ୍ରଦାନ ପାଇଁ ଦାବି କରିଛନ୍ତି। ୨୦୨୭ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଯୋଜନା ଚାଲିଛି। ଆନ୍ଧ୍ର ସରକାର ନିଜର ଲାଭ ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଚାଲିଛନ୍ତି। ଯାହାକୁ ନେଇ ଓଡ଼ିଶାର ଜଳ ବିଶେଷଜ୍ଞଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଅନ୍ୟ ସଂଗଠନ ରାଜ୍ୟର ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ଓଡ଼ିଶାର କ୍ଷତି ପହଞ୍ଚାଉ ଥିବା ପୋଲାଭରମ ପ୍ରକଳ୍ପ ସହ ଆନ୍ଧ୍ର ସରକାର ଆହୁରି ଅନେକ ପ୍ରକଳ୍ପ କରୁଛନ୍ତି। କିନ୍ତୁ ଓଡିଶା ସରକାର କାହିଁକି ଚୁପ ବୋଲି ପ୍ରଶ୍ନ ଉଠିଛି। ଗୋଦାବରୀ ନଦୀର ଅଧିକା ବନ୍ୟା ଜଳକୁ ପୋଲାଭରମ ଦକ୍ଷିଣ କେନାଲରେ କ୍ରିଷ୍ଣା ନଦୀ ଦକ୍ଷିଣରେ ଥିବା ବୋଲାପଲ୍ଲୀ ଠାରେ ବୃହତ ଜଳଭଣ୍ଡାର କରି ବନକଚେରଲା ଗ୍ରାମ ପର୍ଯ୍ୟନ୍ତ ନେଇ ଭାରତର ସର୍ବ ବୃହତ ଜଳସେଚନ ଯୋଜନା କରିବାକୁ ଆନ୍ଧ୍ର ଅଣ୍ଟା ଭିଡିଛି।

କେନ୍ଦ୍ର ସରକାରଙ୍କୁ ଏସବୁ କରିବାକୁ ପ୍ରସ୍ତାବ ଦେବା ସହ ଅର୍ଥ ପାଇଁ ଚାପ ସୃଷ୍ଟି କରୁଛନ୍ତି। ଭାରତର ଜଳଶକ୍ତି ମନ୍ତ୍ରାଳୟ ସହ ଆଲୋଚନା କରି ପୋଲାଭରାମ ବାମ ଓ ଡାହାଣ କେନାଲର ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ଦାବି କରିଛନ୍ତି। ପୋଲାଭରାମ ଯୋଜନା ଅଟକଳ ୫୫ ହଜାର କୋଟି ହୋଇଥିବାବେଳେ ଗୋଦାବରୀ-ବନକଚେରଲା ଯୋଜନା ଅଟକଳ ୮୮ ହଜାର ୧୧୨ କୋଟି। ତେବେ ଓଡ଼ିଶାର ପ୍ରସ୍ତାବିତ ମହାନଦୀ-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପାଇଁ ୫୦ ହଜାର କୋଟି ଟଙ୍କାର ଯୋଜନାକୁ କେବେ ମଞ୍ଜୁରୀ ମିଳିବ ବୋଲି ଜଳ ବିଶେଷଜ୍ଞ ବିଜେପି ସରକାରକୁ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଓଡିଶା ସରକାର ଆଗଭର ହେବା ଉଚିତ। ଋଷିକୂଲ୍ୟା ଅଞ୍ଚଳ ଏବେବି ମରୁଡ଼ି ପ୍ରପୀଡ଼ିତ। ତେଣୁ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର କ୍ଷତିର ତୁରନ୍ତ ଆକଳନ ଓ ଓଡ଼ିଶାରେ ନୂଆ ପ୍ରକଳ୍ପ କିଭଳି କାର୍ଯ୍ୟକାରୀ ହେବ ସେନେଇ ରାଜ୍ୟ ବିଜେପି ସରକାର କେନ୍ଦ୍ର ପାଖରେ ଦାବି ରଖୁ ବୋଲି କହିଛନ୍ତି।

ତେଲେଙ୍ଗାନାରେ ବଡ଼ ଅଘଟଣ: ଟନେଲ ଭୁଶୁଡ଼ିଲା, ମାଟି ତଳେ ଫସି ରହିଛନ୍ତି ୬ ଶ୍ରମିକ

ତେଲେଙ୍ଗାନାର ନାଗରକୁଲନୂଲ ଜିଲ୍ଲାରେ ଏକ ବଡ଼ ଟନେଲ ଦୁର୍ଘଟଣା ଘଟିଯାଇଛି । ଟନେଲର ଏକ ଅଂଶ ଧସିବା ଫଳରେ ୬ ଜଣ ଶ୍ରମିକ ମାଟି ତଳେ ଫସି ରହିଛନ୍ତି । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଅଧିକ ଶ୍ରମିକ ଫସିଥିବା ସନ୍ଦେହ କରାଯାଉଛି । ତେବେ ଫସିଥିବା ଶ୍ରମିକଙ୍କ ସଂଖ୍ୟା ୬ କି ୮ ତାହା ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରହିଛି । ନାଗରକୁରନୂଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ସେଠାରେ ଟନେଲର ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଟନେଲ ଧସିବା ପରେ ୬ରୁ ୮ ଜଣ ଶ୍ରମିକ ମାଟି ତଳେ ଫସିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଖବର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ମାମଲାରେ ଏକ ବୟାନ ଜାରି କରାଯାଇଛି । ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଠୀ ଜିଲ୍ଲା କଲେକ୍ଟର, ପୋଲିସ ଅଧିକ୍ଷକ ଓ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀମାନେ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ଖୋଜାଯିବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ ଜୀ କିଶନ ରେଡ୍ଡୀ ଚିନ୍ତାବ୍ୟକ୍ତ କରି କହିଛନ୍ତି ।

ସୋସିଆଲ ମିଡ଼ିଆରେ ଆଉ ଚାଲିବନି ଅଶ୍ଲୀଳ କଣ୍ଟେଣ୍ଟ! କଠୋର ନିୟମ ଲାଗୁ କରିବେ କେନ୍ଦ୍ର ସରକାର

ନିକଟରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ମାମଲାରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ଦେଇଥିଲେ । ଏହା ମଧ୍ୟରେ କେନ୍ଦ୍ର ସରକାର ସୋସିଆଲ ମିଡ଼ିଆକୁ ନେଇ ଏକ ବଡ଼ ପଦେକ୍ଷପ ନେବାକୁ ଯାଉଛନ୍ତି । ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କ ପାଇଁ କୋଡ ଅଫ୍ କଣ୍ଡକ୍ଟ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କୋଡର ପାଳନ ୫ରୁ ୫ ଲକ୍ଷ ଫଲୋଅର୍ସ ଥିବା ଇନଫ୍ଲୁଏନ୍ସରଙ୍କ ପାଇଁ ଲାଗୁ ହେବ । ଭବିଷ୍ୟତରେ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ପରି ଶୋ’ ଦେଶବାସୀଙ୍କ ଭାବନାକୁ ଯେପରି କ୍ଷତି ପହଞ୍ଚାଇ ନ ପାରିବ, ତା’ ଉପରେ ଧ୍ୟାନ ଦିଆଯିବ । ଏଥିସହିତ ଇନଫ୍ଲଏନ୍ସର୍ସଙ୍କୁ କଣ୍ଟେଣ୍ଟ ପାଇଁ ରେଟିଂ ମଧ୍ୟ ଦେବା ବାଧ୍ୟତାମୂଳକ କରାଯିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ଓଟିଟି କଣ୍ଟେଣ୍ଟକୁ ନେଇ ସରକାର ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛୋଟ ପିଲାଙ୍କୁ ଅଶ୍ଲୀଳ-ଅଭଦ୍ର କଣ୍ଟେଣ୍ଟ ଠାରୁ ଦୂରେଇ ରଖିବା ପାଇଁ ନିୟମ ଅଣାଯିବ । ଓଟିଟି ପ୍ଲାଟଫର୍ମ ପାଇଁ ଆଡଭାଇଜରି ଓ ଡିଜିଟାଲ ଇଣ୍ଡିଆର ବିଧେୟକ ପ୍ରସ୍ତୁତି ଉପରେ କାମ ଚାଲିଛି ।

ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ବିବାଦକୁ ନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏଭଳି ଖରାପ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର କ’ଣ ପଦେକ୍ଷପ ଗ୍ରହଣ କରିଛନ୍ତି ତାହା ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ କୋର୍ଟ । ପରବର୍ତ୍ତୀ ଶୁଣାଣିରେ ସରକାର ଏହି ତଥ୍ୟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ସୋସିଆଲ ମିଡ଼ିଆ କଣ୍ଟେଣ୍ଟରୁ ଅଶ୍ଲୀଳତା, ଅଭଦ୍ରତା ଓ ଗାଳିଗୁଳଜକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । କଣ୍ଟେଣ୍ଟକୁ ରେଟିଂ ଦେଇ ଶେୟାର କରାଯାଉଥିବା ପୋଷ୍ଟ କେଉଁ ସ୍ତରର ବୋଲି ସ୍ପଷ୍ଟ କରିବାକୁ ପଡ଼ିବ । କୋଡ ଅଫ୍ କଣ୍ଡକ୍ଟରେ ରେଟିଂ ଏକରୁ ପାଞ୍ଚ ପର୍ଯ୍ୟନ୍ତ ରଖାଯାଇପାରେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସଙ୍କ ପାଇଁ କୋଡ ଅଫ୍ କଣ୍ଡକ୍ଟ ଜାରି କରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

୯୦ ବର୍ଷର ପରମ୍ପରାରେ ପୂର୍ଣ୍ଣଚ୍ଛେଦ; ଆସାମ ବିଧାନସଭାରେ ଆଉ ମିିଳିବନି ନମାଜ ବ୍ରେକ

ନନ୍ଦିଘୋଷ ବ୍ୟୁରୋ: ୯୦ ବର୍ଷର ପରମ୍ପରାରେ ପଡିଲା ପୂର୍ଣ୍ଣଚ୍ଛେଦ । ଆସାମରେ ବିଧାନସଭାରେ ଜୁମା ଅର୍ଥାତ ଶୁକ୍ରବାର ନମାଜ ବିରତିକୁ ସବୁ ଦିନ ଲାଗି ହଟାଇ ଦିଆଯାଇଛି । ବିଧାନସଭା ଏନେଇ ଘୋଷଣା କରିବା ପରେ ସଂଖ୍ୟାଲଘୁ ସଂପ୍ରଦାୟର ବିଧାୟକମାନେ ତୀବ୍ର ସନ୍ତୋଷ ପ୍ରକାଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହାକୁ ସ୍ବାଗତ କରିଛନ୍ତି।

ସୂଚନା ଅନୁଯାୟୀ, ବ୍ରିଟଶ ଅମଳର ପରମ୍ପରା କହି ଶୁକ୍ରବାର ନମାଜ ବିରତିକୁ ସଂପୂର୍ଣ୍ଣ ହଟାଇ ଦେଇଛି ଆସାମ ବିଧାନସଭା। ଏପରି ଏକ ବ୍ୟବସ୍ଥାକୁ ହଟାଇବା ପାଇଁ ଗତ ବର୍ଷ ଅଗଷ୍ଟରେ ସରକାର ନିଷ୍ପତ୍ତି ନେଇଥିଲେ । ଏଥିଲାଗି ବିଧାନସଭାର ନିୟମ କମିଟି ଏହା ଉପରେ ଆଲୋଚନା କରି ଏହି ପରମ୍ପରାକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା। ଯାହା ଚଳିତ ବିଧାନସଭା ଅଧିବେଶନରେ ଏହାକୁ ଲାଗୁ କରାଯାଇଛି। ମୁସଲମାନ ବିଧାୟକଙ୍କୁ ଏହି ନମାଜ ବ୍ରେକରେ ଦୁଇ ଘଣ୍ଟାର ବିରତି ମିଳୁଥିଲା। ପ୍ରାର୍ଥନା ପାଇଁ ମୁସଲିମ ବିଧାୟକମାନେ ଯାଉଥିବାରୁ ଏହି ସମୟରେ ବିଧାନସଭାର କାର୍ଯ୍ୟକ୍ରମ ସ୍ଥଗିତ ରହୁଥିଲା। ତେବେ ବିରୋଧୀ ଦଳ ଏହାକୁ ବହୁସଂଖ୍ୟକଙ୍କ ମନମାନି ବୋଲି କହିଛି ।

ଘଟଣାରେ ପ୍ରତିକ୍ରିୟା ଦେଇ ବାଚସ୍ପତି ବିଶ୍ବଜିତ ଦୈମାରୀ କହିଛନ୍ତି, ଧର୍ମନିରପେକ୍ଷତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଉପରେ କମିଟି ମୋହର ମାରିଥିଲା।

ଶିବ ମନ୍ଦିରରୁ ଆସୁଥିଲା ଅଜବ ଶବ୍ଦ, ଭିତରେ ଭକ୍ତ ଦେଖିଲେ ଏମିତି କିଛି

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶିବ ମନ୍ଦିର ଭିତରୁ ଆସୁଥିଲା ଅଜବ ଶବ୍ଦ। ଭକ୍ତ ମନ୍ଦିର ଭିତରକୁ ଯାଇ ଦେଖିଲାବେଳକୁ ଫଣା ଟେକି ବସିରହିଥିଲେ ନାଗ ମହାରାଜ ।

ସୂଚନା ଅନୁଯାୟୀ କୁର୍ଣ୍ଣୁଲ ଜିଲ୍ଲାର ନନ୍ଦୟାଲ ସହରରରେ ଥିବା ଶ୍ରୀରାମ ଥିଏଟର ନିକଟ ଶିବ ମନ୍ଦିରରୁ ବାହାରିଲା ନାଗ ସାପ। ସାପ ଦେଖି ଭକ୍ତ ଭୟଭୀତ ହୋଇ ଯିଏ ଯୁଆଡେ ଦୌଡି ପଳାଇଥିଲେ। ଏନେଇ ମନ୍ଦିର ପ୍ରସାଶନ ସାପ ଧରାଳିଙ୍କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚିଥିଲା।

ସାପଟିକୁ ଧରିବା ପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ସାପଟିକୁ ଧରି ନାଲ୍ଲାମାଲା ଜଙ୍ଗଲରେ ଛାଡି ଦିଆଯାଇଥିଲା । ଶିବ ମନ୍ଦିରରେ ନାଗସାପକୁ ସାପ ଦେଖିବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନାର ହୋଇଥିଲା ।

ନିକଟରେ ମହାରାଷ୍ଟ୍ରର ମୁମ୍ବାଇର ଏକ କୋର୍ଟରେ ଶୁଣାଣି ସମୟରେ, ହଠାତ୍ ବାହାରିଥିଲା ସାପ । ଫାଇଲ ଗଦାରୁ ଏକ ସାପ ବାହାରି ଆସିବା ପରେ କୋର୍ଟ ରୁମରେ ହଇଚଇ ସୃଷ୍ଟି ହୋଇଥିଲା । କୋର୍ଟ ରୁମରେ ଉପସ୍ଥିତ ସମସ୍ତ ଲୋକ ସାପ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ସାପ ଯୋଗୁଁ କିଛି ସମୟ ପାଇଁ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଏବଂ ବିଚାରପତି ମଧ୍ୟ ତାଙ୍କ ଚୌକି ଛାଡି ଠିଆ ହୋଇଯାଇଥିଲେ ।

ମାଟ୍ରିକ ପରୀକ୍ଷା ଦେବାକୁ ଆସିଲେନାହିଁ ୭୩୭ ଛାତ୍ରଛାତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଦେବାକୁ ଆସିଲେନାହିଁ ୭୩୭ ଛାତ୍ରଛାତ୍ରୀ । ଜିଲ୍ଲାରେ ୨୨ହଜାର ୪୨ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ । କିନ୍ତୁ ୨୧ ହଜାର ୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବାକି ୭୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛନ୍ତି । ସେମାନେ ପରୀକ୍ଷା ଦେବା ପାଇଁ ଆସିନଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକ ଛାତ୍ରଛାତ୍ରୀ ପାଟଣାଗଡ଼ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଅଞ୍ଚଳର । ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ କେଉଁଠି ଅଛନ୍ତି ଜିଲ୍ଲା ପ୍ରଶାସନ ନିକଟରେ ତଥ୍ୟ ନାହିଁ । ଏହି ଛାତ୍ରଛାତ୍ରୀମାନେ ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା ଚର୍ଚ୍ଚା ହେଉଛି । ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଦାଦନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇଯାଇଛି । ଦାଦନ ଯାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଫେରାଇ ଆଣିବାରେ ଜିଲ୍ଲା ପ୍ରଶାସନ ଫେଲ୍ ମାରିଛି ।