ନନ୍ଦିଘୋଷ ବ୍ୟୁରୋ : ପୁରୀ ବଡ଼ଶଙ୍ଖରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଦୁଇଜଣ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବିଚ୍ ବଜାରରେ ଦୁଇଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ବ୍ୟକ୍ତି ହେଉଛନ୍ତି ପୁରୀ ଦରଜୀ ପୋଖରୀ ଅଞ୍ଚଳର ଗିଲଟି କାଳୁ ଓରଫ ସୁବାସ ଚନ୍ଦ୍ର ମହାନ୍ତି ଏବଂ ନାରାୟଣ ମହାନ୍ତି । ସୁବାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ନାରାୟଣଙ୍କ ହାତରେ ଗଭୀର ଆଘାତ ଲାଗିଛି । କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୪ଜଣ ଦୁର୍ବୃତ୍ତ ହାତରେ ମାରଣାସ୍ତ୍ର ଧରି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଗିଲଟି କାଳୁ ଓରଫ ସୁବାସ ମହାନ୍ତି ନାଁରେ ଅନେକ ଅପରାଧିକ ମାମଲା ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ଗିଲଟି କାଳୁକୁ ଡାକ୍ତର କଟକ ସ୍ଥାନାନ୍ତର କରିଛନ୍ତି । ତେବେ ଘଟଣାସ୍ଥଳରେ ମାରଣାସ୍ତ୍ର ସହ ସ୍କୁଟି ପଡିଥିବା ଦେଖିବାକୁ ମିଳିଛି ।.
କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI
ନନ୍ଦିଘୋଷ ବ୍ୟୁରୋ : କନ୍ଧମାଳର ସାରଙ୍ଗଡ ଥାନା ପୋଲିସ କବଜାର ନକଲି MVI । ଗିରଫ ଅଭିଯୁକ୍ତ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ । ନିଜକୁ କେବେ ଗଞ୍ଜାମ RTO ବିଭାଗର MVI ତ ଆଉ କେତେବେଳେ କନ୍ଧମାଳ MVI ର ବୋଲି ପରିଚୟ ଦେଇ ବହୁ ମହିଳା ଓ ଯୁବତୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ କନ୍ଧମାଳର MVI ଏବଂ କନ୍ଧମାଳରେ ଗଞ୍ଜାମର MVI କହି RTO ଚେକିଙ୍ଗ ସହ ଯୁବତୀ ମହିଳା ଏପରିକି ପୋଲିସଙ୍କୁ ମଧ୍ୟ ଛାଡ଼ି ନି ଏହି କରିତକର୍ମା । ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କଠାରୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପାବୁରିଆ ଛକରୁ ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କ ନିକଟରୁ OMVD ୟୁନିଫର୍ମ, ନାମ ଫଳକ, ଦୁଇଟି କାର୍, ଷ୍ଟେଟ ବ୍ୟାଙ୍କ ପାସ୍ ବୁକ୍, କମଳା ରଙ୍ଗର ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସାରଙ୍ଗଡ ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ବହୁ ଯୁବତୀ ଓ ମହିଳା ମାନଙ୍କୁ ଠକି ଥିବା ସୂଚନା ରହିଛି l….
ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ
ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରରେ ପୁଣି ଗର୍ଜିଲା ପୋଲିସର ବନ୍ଧୁକ । କଫ ସିରପ ଚାଲାଣକାରୀକୁ ପୋଲିସର ଏନକାଉଣ୍ଟର । ପ୍ରୀତମ ବିଶ୍ୱାଳକୁ ଜଙ୍ଗଲା ଫରେଷ୍ଟ ନିକଟରେ ଏନକାଉଣ୍ଟର କଲା ସମ୍ବଲପୁର ପୋଲିସ । ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ପ୍ରଥମ ଗାଡ଼ିରେ ବସିଥିବା ନିଶା ବେପାରୀ ଖସି ଯାଇଥିଲା । ତେବେ ଦ୍ୱିତୀୟ କାରରେ ବସିଥିବା ପ୍ରୀତମ ବିଶ୍ୱାଳ ପୋଲିସକୁ ପ୍ରଥମେ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଏନ୍ କାଉଣ୍ଟର କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର । ପ୍ରୀତମ ବିଶ୍ୱାଳର ଡାହାଣ ଗୋଡ଼ରେ ବାଜିଛି ଗୁଳି । ତାକୁ ରେଙ୍ଗାଲି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି କାର ରେ ବେଆଇନ ଭାବେ କଫ ସିରପ୍ ଚାଲାଣ ସମୟରେ ହୋଇଛି ଏନକାଉଣ୍ଟର । ଘଟଣା ସ୍ଥଳରୁ ୨୦ ପେଟି କଫ ସିରପ, ଗୋଟିଏ କାର ସହ ଏକ ଦେଶୀ ପିସ୍ତଲ ଜବତ କରିଛି ପୋଲିସ ।…..
ଆଜିଠୁ ଆରମ୍ଭ ହେବ ଓଡ଼ିଶା ଟି-2୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬
ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଓଡ଼ିଶା ଟି-2୦ ଲିଗ୍ – ସିଏମ୍ ଟ୍ରଫି ୨୦୨୬ । ୨୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ ଏହି ଫଟାଫଟ କ୍ରିକେଟ । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ରାଞ୍ଚାଇଜ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ୬ଟି ଆଞ୍ଚଳିକ ଦଳ ଅଂଶଗ୍ରହଣ କରୁଛନ୍ତି । ଦଳ ଗୁଡ଼ିକ ହେଲେ କଟକ ପାନ୍ଥର୍ସ,ଭୁବନେଶ୍ୱର ଟାଇଗର୍ସ,ରାଉରକେଲା ସୁପରଷ୍ଟାର୍ସ,ପୁରୀ ଟାଇଟନ୍ସ,ସମ୍ବଲପୁର ୱାରିୟର୍ସ,କେନ୍ଦୁଝର ମାଇନର୍ସ । ଏଥିରେ ବିଜେତା ଦଳ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ରନର୍ସ-ଅପ୍ ଦଳ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।ସମସ୍ତ ମ୍ୟାଚ୍ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଫ୍ଲଡଲାଇଟରେ ଖେଳାଯିବ। ସମୁଦାୟ ଟୁର୍ଣ୍ଣାମେଣ୍ଟରେ ୧୦ ଦିନ ମଧ୍ୟରେ ୧୭ଟି ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟରେ ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୨୯ ତାରିଖରେ ଚୂଡ଼ାନ୍ତ ଫାଇନାଲ ଖେଳାଯିବ।ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସ ଓ କଟକ ପାନ୍ଥର୍ସ ମୁହାଁମୁହିଁ ହେବେ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିବେ। ଏହି ଉତ୍ସବ ରେ ପୂର୍ବତନ ଅନ୍ତର୍ଜାତିକ କ୍ରିକେଟର ସୁରେଶ ରୈନା ଓ ଦେବାଶିଷ ମହାନ୍ତି ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଯୋଗ ଦେବେ ।….
ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଦୁର୍ଘଟଣା ଘଟଣା
ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନାଳଖେଡାରେ ଘଟିଥିବା ଭୟାବହ କାର ଦୁର୍ଘଟଣା ଦେଇଛି ଅସରନ୍ତି ଦୁଃଖ। ଦୁର୍ଘଟଣାରେ ଓଡ଼ିଶାର ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ, ସେମାନଙ୍କ ମଧ୍ଯରେ ଅଛନ୍ତି ବଡମ୍ବା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଜ୍ଞାନେନ୍ଦ୍ର କୁମାର ବେହେରା, ପତ୍ନୀ ରିତାରାଣୀ ବେହେରା ଓ ପୁଅ ବି. ସାଇ ସ୍ୱାତିକ। ଗୋଟିଏ ପରିବାରର ୩ ତିନିଟି ଜୀବନ ଏକାଠି ଲିଭିଯିବା ଘଟଣା ଇଚ୍ଛାପୁରବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । କେହି ଭାବିନଥିଲେ, ଯାତ୍ରା ଶେଷରେ ଘରକୁ ଫେରିବା ବଦଳରେ ୩ଜଣଙ୍କ ଜୀବନଯାତ୍ରା ଏମିତି ଅଧାବାଟରେ ଥମିଯିବ। ଯାହାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପରିଜନ। ଖବର ପହଞ୍ଚିବା ପରେ ଇଚ୍ଛାପୁର ଗ୍ରାମରେ ଖେଳିଯାଇଛି ଗଭୀର ଶୋକର ଛାୟା । ମୃତକମାନଙ୍କ ଆତ୍ମାର ସଦ୍ଗତି ପାଇଁ ସମଗ୍ର ଇଚ୍ଛାପୁରବାସୀ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ।
ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍
ନନ୍ଦିଘୋଷ ବ୍ୟୁରୋ : ଜାପାନ ଗସ୍ତରେ ଟିମ୍ ଇଣ୍ଡିଆ କ୍ରିକେଟ ଟିମ୍ । ଆସନ୍ତା ୨୨ ସେପ୍ଟେମ୍ବରରେ ଜାପାନ ବିପକ୍ଷରେ ଏକ ଐତିହାସିକ ଟି-୨୦ ମ୍ୟାଚ୍ ଖେଳିବ ଭାରତ । ପ୍ରଥମ ଥର ପାଇଁ ଦୁଇ ଦେଶର ଜାତୀୟ ଦଳ ଟି-୨୦ ଫର୍ମାଟ୍ରେ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ଏହି ମ୍ୟାଚ୍ । ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମୁକାବିଲା ଆୟୋଜନ କରାଯାଉଛି । ସ୍ପୋର୍ଟ ୭୫ ପଦକ୍ଷେପର ଅଂଶ ଭାବେ ହେଉଥିବା ଏହି ମ୍ୟାଚ୍କୁ ସୁଜୁକି କପ୍ ନାମ ଦିଆଯାଇଛି । ଜାପାନର ତୋଚିଗି ପ୍ରିଫେକ୍ଚର୍ସ୍ଥିତ ସାନୋ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯିବ। ଜାପାନ ବିପକ୍ଷ ଏହି ମ୍ୟାଚ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଅୟର । ଅନ୍ୟପଟେ ଜାପାନ ଦଳର କମାଣ୍ଡ ସମ୍ଭାଳିବେ କେଣ୍ଡଲ୍ କାଡୋୱାକି-ଫ୍ଲେମିଂ । ଜାପାନ ପାଇଁ ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟର୍ ଭାବେ କେଣ୍ଡଲ୍ଙ୍କ ନାଁ ରହିଛି । ଆଗାମୀ ଏସିଆନ୍ ଗେମ୍ସକୁ ଦୃଷ୍ଟିରେ ରଖି ମଧ୍ୟ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି । ମ୍ଯାଚ ପାଇଁ ଆଜି ଜାପାନ ଗସ୍ତ କରିଛି ଟିମ୍ ଇଣ୍ଡିଆ ।…
ଉଜ୍ଜୟିନୀରୁ ଫେରୁଥିବା ମାଲୱା ଅଞ୍ଚଳରେ ନାଳରେ ଭାସିଗଲା କାର
ନନ୍ଦିଘୋଷ ବ୍ୟୁରୋ : ସରିଥିଲା ନିର୍ବନ୍ଧ । ଦଶହରା ପରେ ବାଜିଥାନ୍ତା ସାହାନାଇ । କୋଳାହଳରେ କମ୍ପିଥାନ୍ତା ଘର ଅଗଣା, ବାରଣ୍ଡା । ଏବେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ନାନା ଆଶା, ସ୍ବପ୍ନ ନେଇ ବାହାଘର ପୂର୍ବରୁ ଉଜ୍ଜୟିନୀ ବଗଳାମୁଖି ମାଆଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ ଯୁବତୀଙ୍କ ସହ ପୂରା ପରିବାର । ହେଲେ ବାଟରେ ଛକିଥିଲା ଯମ । ଶାଶୂଘରକୁ ଗୋଡ କାଢିବା ପୂର୍ବରୁ ସମସ୍ତେ ପାଲଟି ଯାଇଛନ୍ତି ଶବ । ପରିବାର ଆତ୍ମୀୟସ୍ବଜନ ଏବେ ଆଖିରୁ ଲୁହ ଝରାଇ ମୃତଦେହକୁ ଅପେକ୍ଷା କରିଛନ୍ତି । ଏହି ଦୁଃଖଦ ଖବର ସମସ୍ତଙ୍କୁ ମର୍ମାହତ କରିଛି । ଗତ ବୁଧବାର ହସଖୁସିରେ ଘରୁ ଗୋଡ କାଢିଥିଲେ ଭୁବନେଶ୍ବର ଜୟଦେବ ବିହାର ବାନାମ୍ବରଙ୍କ ପୁଅ, ଝିଅ, ଜ୍ବାଇଁଙ୍କ ସମତେ ପରିବାରର ୭ ଜଣ । ସୋମବାର ଫେରିଥାନ୍ତେ । ଉଜ୍ଜୟିନୀରେ ପହଞ୍ଚି ସେଠାରୁ ଏକ କାର ଯୋଗେ ଯାଇଥିଲେ ବଗଳାମୁଖି ମନ୍ଦିର । ମାଆଙ୍କ ମନ୍ଦିରରୁ ଫେରିବା ବେଳେ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭରଙ୍କ ଦୁଃସାହାସ ଓ ଅବହେଳା କାରଣରୁ ନାଳରେ ଭାସି ଯାଇଥିଲା କାର । ଫଳରେ ଡାଇଭରଙ୍କ ସମେତ ୮ ଜଣଙ୍କ ଅକାଳରେ ଉଡିଯାଇଛି ପ୍ରାଣବାୟୁ । ଏସ୍ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ରହିଛନ୍ତି । …
ସମସ୍ତଙ୍କ ମୃତକଙ୍କୁ ପାଣିରୁ ଉଦ୍ଧାର କରି ଚିହ୍ନଟ କରିଛି ମଧ୍ୟପ୍ରଦେଶ ପ୍ରଶାସନ । ଏନେଇ ଓଡ଼ିଶା ସରକାରଙ୍କୁ ଖବର ଦେବାପରେ ଶବ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି । ସେପଟେ ମଧ୍ୟପ୍ରଦେଶ ସରକାର ସମସ୍ତ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା କରିଛନ୍ତି । …
ଏବେ ଅପେକ୍ଷା ମୃତଦେହକୁ । ପରିବାରର ସମସ୍ତଙ୍କୁ ହରାଇ ବାପ ବାନାମ୍ବର ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତବର୍ଷ ମେ ୨୯ ତାରିଖରେ ତିସ୍ତା ଠାରେ ଅନୁରୂପ ହୃଦୟ ବିଦାରକ ଘଟଣା ଘଟିଥିଲା । ଟୁରିଷ୍ଟ ବସ ଓଲଟି ଯାଜପୁର ଅଞ୍ଚଳର ୯ ଜଣଙ୍କ ମୃତ୍ୟୁ ହୋଇଥିଲା । …
ରାଜ୍ୟର ସାମ୍ବିଧାନିକ ଅଧିକାରକୁ ଛଡାଇ ନେଇଛି କେନ୍ଦ୍ର
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ସାମ୍ବିଧାନିକ ଅଧିକାର ଛଡାଇ ନେଇଛି ଏମଏମଡିଆର ଆଇନ। ସଂସଦରେ ଚୁପ ରହିଲେ ବିଜେପି ସାଂସଦ। ଓଡ଼ିଶାର ଅର୍ଥନୀତି ବିପଦରେ ଥିବା ବେଳେ, ଚୁପ ବସିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଏମଏମଡିଆର ସଂଶୋଧନ ଆଇନ ରଦ୍ଦ ନେହେବା ଯାଏ ଚୁପ ବସିବନି କଂଗ୍ରେସ। ରାଜ୍ୟର ଅଧିକାରକୁ ଧୀରେ ଧୀରେ ସଙ୍କୁଚିତ କରିବାକୁ ଯୋଜନା କରୁଛି କେନ୍ଦ୍ର। ଏହି ଆଇନ ଦ୍ବାରା ଓଡ଼ିଶା ବାର୍ଷିକ ୨୦ରୁ ୨୫ ହଜାର କୋଟି ଟଙ୍କାର ରାଜସ୍ବ ହରାଇବ ଓଡ଼ିଶା। ଏତେ ସବୁ ପରେ ଶାସକ ବିଜେପି କିପରି କହୁଛି କ୍ଷତି ହେବ ନାହିଁ। ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଆଗକୁ ଲଢ଼େଇ ସାଙ୍ଗକୁ ବିଧାନସଭାରେ ପ୍ରସଙ୍ଗ ଉଠାଯିବ ବୋଲି କହିଛି ବିଜେଡି।
ଅନ୍ୟପଟେ ବିଜେପି ଏ ପ୍ରସଙ୍ଗରେ ଚିରାଚରିତ ଭାବେ ଉତ୍ତର ଦେଇଛି। ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇ ଜବାବ୍ ମାଗିବାକୁ କହିଥିବା ବେଳେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କଣ କହୁଛନ୍ତି ଶୁଣନ୍ତୁ।
ରାଜ୍ୟର ବଡ଼ ରାଜସ୍ବ ହାନୀକୁ ନେଇ ଏବେ ମୁଣ୍ଡ ଟେକିଲାଣି ବିବାଦ। ଏମଏମଡିଆର ପ୍ରସଙ୍ଗରେ ବିଜେପି ନେତା ଚୁପ ବସିଥିବା ବେଳେ, ବିଧାନସଭାରେ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ପୂରା ତୟାର ବିରୋଧୀ।
ଓଡ଼ିଶାରେ କ୍ୟୁବାର ରାଷ୍ଟ୍ରଦୂତ ଜୁଆନ୍ କାର୍ଲୋସ୍ ମାସନ୍
ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ କ୍ୟୁବାର ରାଷ୍ଟ୍ରଦୂତ ଜୁଆନ୍ କାର୍ଲୋସ୍ ମାସନ୍ । ଆମେରିକାର ବର୍ବରତା ବିରୋଧରେ ସେ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି । କ୍ୟୁବା ଏବେ ସଙ୍କଟରେ ପଡିଯାଇଛି । ସେଠାରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ସ୍ଥିତି ଆମେରିକାର ଚାପ ଯୋଗୁଁ ହେଉଛି । ଆମେରିକା ଯୋଗୁଁ କ୍ୟୁବାରେ ଅନେକ ବର୍ଷରୁ ଏହି ପରିସ୍ଥିତି ଲାଗି ରହିଛି । ଯୁକ୍ତ ରାଷ୍ଟ୍ର ଯେଉଁ ଟାରିଫ ଲଗାଇଲା, ତାହା କ୍ୟୁବାରେ ଆମଦାନୀକୁ ପ୍ରଭାବିତ କରିଛି । କ୍ୟୁବା ଏକ ଶାନ୍ତିପ୍ରିୟ ରାଷ୍ଟ୍ର । ଜନସ୍ବାସ୍ଥ୍ୟ ବି ପ୍ରଭାବିତ ହେଲାଣି । ଇରାନ ସହ ଯୁଦ୍ଧର ପ୍ରମୁଖ କାରଣ ଯେ ଆମେରିକା ବାଣିଜ୍ୟ ଓ ତୈଳ ଉପରେ ହୁକୁମତି ପାଇବ ବୋଲି କ୍ୟୁବାର ରାଷ୍ଟ୍ରଦୂତ ଜୁଆନ୍ କାର୍ଲୋସ୍ ମାସନ୍ ଅଭିଯୋଗ କରିଛନ୍ତି । ତେବେ କ୍ୟୁବା ଅନ୍ୟ ଦେଶର ରାଜନୈତିକ ହୁକୁମତିକୁ ସହିବ ନାହିଁ ବୋଲି ସେ ରୋକଠାକ କହିଛନ୍ତି । ଆସନ୍ତା ଅକ୍ଟୋବର ୨୭ ଓ ୨୮ ରେ କ୍ୟୁବା UN ପାଖରେ ଏକ ରିଜଲ୍ୟୁସନ ଦେବ । ବ୍ରିକ୍ସ ସମ୍ମିଳନୀର ୨୭ ପାରାଗ୍ରାଫରେ କ୍ୟୁବା ସମ୍ପର୍କରେ ଉଲ୍ଲେଖ ରହିଛି । ତେବେ କ୍ୟୁବା ଆମେରିକା କି କୌଣସି ଦେଶ ବିରୋଧରେ ନାହିଁ । ଓବାମା ଓ ଟ୍ରମ୍ପଙ୍କ ଶାସନରେ ବହୁ ଫରକ ଅଛି । କାରଣ ଓବାମାଙ୍କ ସମୟରେ ଆମେରିକା ଓ କ୍ୟୁବାର ସୁସମ୍ପର୍କ ଥିଲା । ଆମେରିକାର ନୀତିକୁ ବିରୋଧ କରାଯାଉଛି । ଭାରତ ଓ କ୍ୟୁବାର ଶାନ୍ତିପୂର୍ଣ୍ଣ ସମ୍ପର୍କ ରହିଛି । ମିଶିକି ପର୍ଯ୍ୟଟନ ଓ ଅନ୍ୟ କ୍ଷେତ୍ରରେ କାମ କରି ହେବ ବୋଲି ଜୁଆନ ସ୍ପଷ୍ଟ କରିଛନ୍ତି । ତେବେ ପୂର୍ବରୁ କ୍ୟୁବାର ୮୫ ପ୍ରତିଶତ ଶିଶୁ କର୍କଟରେ ପୀଡ଼ିତ ଥିଲେ । ଏବେ ୬୫ ପ୍ରତିଶତ ଏଥିରେ ସଂଘର୍ଷ କରୁଛନ୍ତି ।
ଦିନେ କ୍ୟୁବାର ସ୍ବାସ୍ଥ୍ୟ ଓ ଶିକ୍ଷା ଉନ୍ନତମାନର ଥିଲା । ହେଲେ ଆମେରିକା ବିଭିନ୍ନ କ୍ଷେତ୍ରରୁ ଚାପ ଦେବା ପରେ ଏଥିରେ ହ୍ରାସ ଘଟିଛି । ଯାହାକୁ ବିଶେଷଜ୍ଞମାନେ ଆମେରିକାର ଇର୍ଷା ପରାୟଣତାର ଆଖ୍ୟା ଦେଇଛନ୍ତି । ବର୍ତ୍ତମାନ ଓଡ଼ିଶାରୁ କ୍ୟୁବାକୁ ଔଷଧ ଦିଆଯିବ । ଏହା ହିଁ ବନ୍ଧୁତ୍ବ ମୁଭମେଣ୍ଟର ଲକ୍ଷ୍ୟ ।
ଓଡ଼ିଶାର ଏକ ଅଗ୍ରଣୀ ଦୈନିକ ଖବରକାଗଜର କାର୍ଯ୍ୟକ୍ରମରେ ପ୍ରେସମିଟରେ କ୍ୟୁବାର ରାଷ୍ଟ୍ରଦୂତ ଜୁଆନ୍ କାର୍ଲୋସ୍ ମାସନ୍ ଯୋଗ ଦେଇଥିଲେ। ଭାରତ ଓ କ୍ୟୁବା ମଧ୍ୟରେ ଦୀର୍ଘଦିନର ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହିଆସିଛି । ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଥିଲା। ପ୍ରେସମିଟ୍ରେ ରାଷ୍ଟ୍ରଦୂତ ଭାରତ ସହ କ୍ୟୁବାର ସମ୍ପର୍କର ବିଭିନ୍ନ ଦିଗ ଉପରେ ନିଜ ମତ ରଖିଥିଲେ । ଏଥିସହ କ୍ୟୁବାର ସାମାଜିକ ଓ ଆର୍ଥିକ ପରିସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।..
ବାଲେଶ୍ବର ପୌରପାଳିକା ପାଲଟିଛି ଡମ୍ପିୟାର୍ଡ
ନନ୍ଦିଘୋଷ ବ୍ୟୁରୋ : ଯୁଆଡ଼େ ଦେଖିବ ଗଦାଗଦା ଅଳିଆ । କୁଢ଼କୁଢ଼ ଗଦା ହୋଇ ରହିଛି ବର୍ଯ୍ଯ । ହେଲେ ଏହା କୌଣସି କବାଡ଼ିଖାନା କିମ୍ବା ଡମ୍ପିଂୟାର୍ଡ ନୁହେଁ । ଏହା ହେଉଛି ବାଲେଶ୍ବର ପୌରପାଳିକା କାର୍ଯ୍ଯାଳୟ । ଦେଢ଼ଶହ ବର୍ଷ ପୂରଣ କରିଛି ବାଲେଶ୍ବର ପୌରପାଳିକା। ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ପୌରପାଳିକା ଏବେ ନିଜେ ଆବର୍ଜନାର ପାହାଡ଼ ତଳେ ପୋତି ହେବାକୁ ବସିଲାଣି । ଅଫିସ ଭିତରକୁ ପଶିଲେ କାର୍ଯ୍ୟାଳୟ କମ୍, ଡମ୍ପିଂୟାର୍ଡ଼ ବା କବାଡ଼ିଖାନା ଅଧିକ ଲାଗୁଛି । ବର୍ଷବର୍ଷ ଧରି ଖୋଲା ଆକାଶ ତଳେ ଖତ ଖାଉଛି ଅଚଳ ଡମ୍ପର, ସଫେଇ ଗାଡ଼ି, କଳଙ୍କି ଲାଗିଥିବା ଡଷ୍ଟବିନ୍ । ସାମାନ୍ୟ ମରାମତି କରାଗଲେ ଅନେକ ଗାଡ଼ି ଚାଲିପାରନ୍ତା, ହେଲେ ପ୍ରଶାସନର ଅବହେଳାରୁ ସବୁ ଅଚଳ । ସେପଟେ ଗାଡ଼ି ସବୁ ଖରାପ ଥିବାରୁ ସହରର ଘରୋଇ ଓ ସାର୍ବଜନୀନ ଆବର୍ଜନା ଠିକ୍ ଭାବେ ଉଠିପାରୁ ନାହିଁ । କାଉନସିଲର ବୈଠକରେ ବାରମ୍ବାର ଅଭିଯୋଗ ପରେ ମଧ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷଙ୍କ ଆନ୍ତରିକତା ଅଭାବ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଏସବୁ ଗଦା ହୋଇ ରହିବା ଦ୍ବାର କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।
ପୌରପାଳିକାର ନିଜସ୍ୱ ଡମ୍ପିଂୟାର୍ଡ଼ ନାହିଁ । ଫଳରେ ଅଭିସ ପରିସର ପାଲଟିଛି କବାଡ଼ିଖାନା । ସେପଟେ ପୌର ପ୍ରଶାସନର କହିବା କଥା, କାର୍ଯ୍ୟାଳୟ ଆଗରେ କୌଣସି ଆବର୍ଜନା ନୁହେଁ ବରଂ ସହରରୁ ଜବତ ହୋଇଥିବା ହୋର୍ଡିଂର ଲୁହା ସାମଗ୍ରୀ ଓ RTOଙ୍କ ସାର୍ଟିଫିକେଟ୍ ମିଳିସାରିଥିବା ଅଚଳ ଗାଡ଼ି ରହିଛି । ତେବେ ଦୀର୍ଘଦିନରୁ ପଡ଼ିରହିଥିବା ସ୍କ୍ରାପ୍କୁ ଶୀଘ୍ର ବିକ୍ରି କରିବା ପାଇଁ ଯୋଜନା କରାଯାଉଛି ।
ସହରକୁ ସ୍ୱଚ୍ଛ ରଖୁଥିବା ପୌରପାଳିକାର ନିଜ ଅଗଣା ଆଜି ଭଙ୍ଗା ଗାଡ଼ିରେ ଗଦା । ଯାହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ ।…

