spot_img

Latest Posts

ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା

ଗଞ୍ଜାମ : ଚାଲିଛି ଗଞ୍ଜାମ ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା । ଆଜି ନବମୀ ତିଥିରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା। ଗତକାଲି ମହାଷ୍ଟମୀରେ ୨ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା। ରବିବାର ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ମାଁଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ମଙ୍ଗଳ ଆଳତୀ, ମଇଲମଲାଗି, ପଞ୍ଚସୂତ୍ର ଅଭିଶେକ ପରେ ମାଁ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।  ସୂର୍ଯ୍ୟାସ୍ତ ସମୟରେ ମାଁଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ମଧ୍ୟରାତ୍ରୀରେ ମାଁଙ୍କ ମହାଦୀପ ଉଠିଥିଲା । ସାରା ବିଶ୍ବର କଲ୍ୟାଣ ନିମନ୍ତେ ଓ ସମସ୍ତଙ୍କୁ ନିରୋଗ ରଖିବା ପାଇଁ ମହାଦୀପ ଉଠିଥିଲା।

ସେପଟେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଁଙ୍କ ମହାଗୌରୀ ଓ ମହାକାଳୀ ବେଶ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ମଧ୍ୟରାତ୍ରରେ ମନ୍ଦିରରେ ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜମିଥିଲା ପ୍ରବଳ ଭିଡ଼ । ନବରାତ୍ର ପୂଜା ଚାଲୁଥିବା ବେଳେ ମାଁଙ୍କୁ ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମନ୍ଦିରକୁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ସେପଟେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Latest Posts

Don't Miss