spot_img
Home Blog Page 102

ଫେଲ ମାରିଛି ରାଜ୍ୟ ଯୋଗାଣ ବିଭାଗର ଅନ୍ନପୂର୍ତ୍ତି ଯୋଜନା

ନନ୍ଦିଘୋଷ ବ୍ୟୁରୋ : ରାସନ ପାଇଁ ଲମ୍ବା ଧାଡ଼ି । ଘଣ୍ଟା ଘଣ୍ଟା ଠିଆହେଲେ ବି ମିଳୁନି ଚାଉଳ । କାମ କରୁନି ଚାଉଳ ଏଟିଏମ । ପ୍ରତିଦିନ ବ୍ୟାଗ ଓ ପଥର ଥୋଇ ଜଗି ରହୁଛନ୍ତି ହିତାଧିକାରୀ । ଅପେକ୍ଷା କରି କରି ଖାଲି ହାତରେ ଫେରୁଛନ୍ତି ଅନେକ । ଭୁବନେଶ୍ୱର ସହରରେ ରାସନ୍ ହିତାଧିକାରୀଙ୍କୁ ସୁବିଧାରେ ସାମଗ୍ରୀ ଯୋଗାଇଦେବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଚାଉଳ ଏଟିଏମ୍ । ଅନ୍ନପୂର୍ତ୍ତି ଯୋଜନାରେ ୨୦୨୪ ଅଗଷ୍ଟ ୮ ରେ ଯୋଗାଣ ମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ । ଦେଶର ପ୍ରଥମ ଚାଉଳ ଏଟିଏମ୍ ଭୁବନେଶ୍ବରର ମଞ୍ଚେଶ୍ଵର ଠାରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା । କିନ୍ତୁ ସରକାରଙ୍କ ଏହି ମିଶନ୍ ଏବେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଏଟିଏମ୍ ରେ ସର୍ଭର ସମସ୍ୟା ଯୋଗୁଁ ବାୟୋମେଟ୍ରକି୍ ଦେବା ପରେ ମଧ୍ୟ ଚାଉଳ ବାହାରିବାରେ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି । ଫଳରେ ପ୍ରତିଦିନ ଏଟିଏମ ଆଗରେ ହିତାଧିକାରୀ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି ।

ଅନ୍ୟପଟେ ବିଭାଗ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବର ମଧ୍ୟ କାମ କରୁ ନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ହେଲ୍ପ ଲାଇନ ନମ୍ବରରେ କଲ୍ କରିବା ପରେ କୌଣସି ଉତ୍ତର ମିଳୁନାହିଁ । ଫଳରେ ଭୁବନେଶ୍ୱରରେ ରହୁଥିବା ପ୍ରବାସୀ ହିତାଧିକାରୀ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି । ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ପ୍ରବାସୀ ହିତାଧିକାରୀ ।

ସମସ୍ୟା ସଂପର୍କରେ ଯୋଗାଣ ନିଗମ ସହ ସମ୍ପର୍କ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ ।…….

କଟକର ରାସ୍ତା ପାଲଟିଛି ମରଣଯନ୍ତା, ସହର ସାରା ଖାଲଖମା

ନନ୍ଦିଘୋଷ ବ୍ୟୁରୋ : ସହର ସାରା ଖାଲଖମା । କେଉଁଠି ଗାଡ଼ି ଭାଙ୍ଗୁଛି ତ କେଉଁଠି ପଡ଼ି ହାଡ଼ ଭାଙ୍ଗୁଛି । ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ପ୍ରଶାସନର ନିଘା ନାହିଁ । ରବିବାର ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ । ହେଲେ କଟକ ସହରର ଅଧିକାଂଶ ପ୍ରମୁଖ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଲିଙ୍କରୋଡରୁ ବାଦାମବାଡି, ପ୍ରେସ ଛକରୁ ନୂଆପଡ଼ା, ଖାନନଗର ରିଙ୍ଗରୋଡ଼ରୁ ମଲାଚଣ୍ଡିଆ ଛକ, ବିଜୁ ପଟ୍ଟନାୟକ ପାର୍କରୁ ନରାଜ ରାସ୍ତା, ପାଲଟିଛି ମରଣଯନ୍ତା । ଖାଲଖମା ଯୋଗୁଁ ଛୋଟବଡ ଗାଡ଼ି ଏହି ରାସ୍ତାରେ ପଡ଼ିଉଠି ଯାଉଛନ୍ତି । ଅଧିକାଂଶ ସମୟରେ  ଦୁର୍ଘଟମାର ଶିକାର ହେଉଛନ୍ତି ଲୋକେ । ଏଥିପାଇଁ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଲୋକେ ।

ଗଣେଶ ପୂଜା ସରିଥିବାବେଳେ ପରେ ପରେ ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ହେବ । ସହରରେ ଜମିବ ଭିଡ଼ । ହେଲେ ରାସ୍ତାକୁ ନେଇ ଚିନ୍ତାରେ ସହରବାସୀ । ସେପଟେ ମେୟର କହିଛନ୍ତି, ପାର୍ବଣର ଆରମ୍ଭରୁ ସବୁ ବିଭାଗକୁ ଡାକି ବୈଠକ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଖରାପ ହୋଇଛି । ଆର ଆଣ୍ଡ ବି, NHAI, ରେଳବାଇ ଓ KMC ନିଜ ନିଜ ରାସ୍ତା ସଜାଡିବା କାମ ଆରମ୍ଭ କରିଛନ୍ତି । ପୂଜା ପୂର୍ବରୁ ସବୁ ରାସ୍ତା ମରାମତି ସରିବ ।

ପୂଜା ପାଖେଇ ଆସୁଥିବାବେଳେ କାମ ଆରମ୍ଭ ହୋଇ ନଥିବାରୁ ଏହା କେବେ ସରିବ ତାକୁ ନେଇ ଚିନ୍ତାରେ ଲୋକେ ।….

 

ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର

ନନ୍ଦିଘୋଷ ବ୍ୟୁରୋ : ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର । ଭଙ୍ଗା କୁଡ଼ିଆରେ ବିତୁଛି ୧୦ ପ୍ରାଣୀଙ୍କ ଜୀବନ । ଗୁହାରି ଶୁଣୁନି ପ୍ରଶାସନ ।… ଦୁଃଖରେ ଘଷିପୁରା ବ୍ଲକ ପୁରୁଣାବାନ୍ଧଗୋଡା ପଞ୍ଚାୟତ କିର୍ତ୍ତନପାଟିଆ ଆଦିବାସୀ ବସ୍ତିର ମାତାଜୀ ମୁଣ୍ତାଙ୍କ ପରିବାର । ଅର୍ଥ ଅଭାବରୁ କରିପାରୁନାହାନ୍ତି ପକ୍କା ଘର ଖଣ୍ଡେ । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଳ ଘରର ଅବସ୍ଥା ବେହାଲ ହୋଇଯାଇଛି । କବାଟ ନଥିବାରୁ ଜଙ୍ଗଲୀ ଜନ୍ତୁ ତଥା ସରିସୃପଙ୍କ ଭୟ ରହୁଛି । ତାହାରି ଭିତରେ ଭାଗ୍ୟକୁ ଆଦରି କାଳ କାଟୁଛନ୍ତି ୧୦ ପ୍ରାଣୀ କୁଟୁମ୍ବ ।…

ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ବି ଫଳ ଶୂନ । ଖାଲି ସେତିକି ନୁହେଁ ମାତାଜୀଙ୍କ ସ୍ଵାମୀ ଘନ ମୁଣ୍ଡା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆବଶ୍ୟକ ଡକୁମେଣ୍ଟ ଏଥିରେ ବାଧକ ସାଜିଛି । ଅନ୍ୟପଟେ ତ୍ଵରିତ ପଦେକ୍ଷପ ନେଇ ସମ୍ପୃକ୍ତ ପରିବାରକୁ ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଘଷିପୁରା ବିଡିଓ ।…

ତେବେ ଏତେ ଗୁହାରୀ ପରେ ମାତାଜୀ ମୁଣ୍ଡାଙ୍କୁ ଘର ମିଳିବ ତ ? ୧୦ ପ୍ରାଣୀ କୁଟୁମ୍ବ ପକ୍କା ଛାତ ତଳେ ସୁରକ୍ଷିତ ରହିବାକୁ ସରକାର ସାହା ହେବେ ତ ? ନା ପ୍ରଶାସନର ପ୍ରତିଶ୍ରୁତି ପାଣିରଗାର ପାଲଟୁଛି । ତାହା ଉପରେ ରହିବ ନଜର ।

ସଙ୍କଟରେ ଆସିକା ଚିନି ଶିଳ୍ପ

ନନ୍ଦିଘୋଷ ବ୍ୟୁରୋ : ସଙ୍କଟରେ ଆସିକା ଚିନି ଶିଳ୍ପ । ନୂଆ ଅବକାରୀ ନୀତି ବଢ଼ାଇଲା ଚିନ୍ତା । ଘରୋଇ ଶିଳ୍ପ ସଂସ୍ଥା ମଧ୍ୟ ପ୍ରସ୍ତୁତ କରିବେ ୪୦-ଗ୍ରେଡ ବିଶିଷ୍ଟ ଦେଶୀ ମଦ।  ପ୍ରତିଦ୍ବନ୍ଦ୍ବିତାମୂଳକ ବ୍ୟବସାୟ ମଧ୍ୟରେ ଚିନି ଶିଳ୍ପ ବ୍ୟାପକ କ୍ଷତି ସହିବା ଆଶଙ୍କା । ଏସିଆ ମହାଦେଶର ସର୍ବପୁରାତନ କଳ ହେଉଛି ଆସିକା ଚିନି ଶିଳ୍ପ । ଏଠାରୁ ଉତ୍ପାଦିତ ଚିନିର ବେଶ ଚାହିଦା ରହିଛି । ତେବେ ବନ୍ୟା, ବାତ୍ୟା, ବନ୍ୟଜନ୍ତୁଙ୍କ ଉପଦ୍ରବ ଆଦି କାରଣରୁ ଅଞ୍ଚଳରେ ଆଖୁ ଉତ୍ପାଦନ ହ୍ରାସ ପାଇଛି । ଉନ୍ନତମାନର ବିହନ, କୀଟନାଶକ ଔଷଧ, ସାର ଓ ପିଡ଼ିଆ ଦର ବୃଦ୍ଧି ସାଙ୍ଗକୁ ପ୍ରଶାସନର ଚାଷୀ ମାରଣ ନୀତି ଆଖୁ ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଫଳରେ ଆସିକା ଚିନିଶିଳ୍ପକୁ ଆବଶ୍ୟକ ପରିମାଣର ଆଖୁ ଯୋଗାଇ ପାରୁନାହାନ୍ତି ଚାଷୀ । କ୍ଷତି ସହୁଛି ଚିନି ଶିଳ୍ପ।…

ଚିନି ଶିଳ୍ପର କ୍ଷତିଭରଣା ପାଇଁ ଆସ୍କା-୪୦ ପ୍ରସ୍ତୁତ କରି ବିକ୍ରି କରିବାକୁ ଅନୁମତି ଦେଇଥିଲେ ତତ୍କାଳୀନ ସରକାର । ହେଲେ ନୂଆ ଅବକାରୀ ନୀତି ଅନୁଯାୟୀ, ଘରୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟ ଦେଶୀ ମଦ ବ୍ରାଣ୍ଡ ଆସ୍କା-୪୦ ପ୍ରସ୍ତୁତ କରିପାରିବେ । ଏହାଦ୍ବାରା ଆସିକା ଚିନି କଳ ବ୍ୟାପକ କ୍ଷତି ସହିବା ଆଶଙ୍କା କରାଯାଉଛି । ଆର୍ଥିକ ଦୁରବସ୍ଥା ମଧ୍ୟରେ ଏହି ଚିନି କଳ ଘରୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ସହ ତାଳ ଦେଇ କିପରି ବ୍ୟବସାୟ କରିବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଗ୍ରାହକଙ୍କୁ ଭିଡ଼ିବା ପାଇଁ ନୂଆ ଫ୍ଲେବରରେ ଆସ୍କା-୪୦ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି ଚିନି ଶିଳ୍ପ କର୍ତ୍ତୃପକ୍ଷ। …

ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ

ନନ୍ଦିଘୋଷ ବ୍ୟୁରୋ : ଖେଳକୁଦ ବୟସରେ ଶଯ୍ୟାଶାୟୀ ନାବାଳକ । ଉଠାଇ ପାରୁନାହାନ୍ତି ବାମ ହାତ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।… ଆମେ ଆପଣଙ୍କୁ କହୁଛୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧାକଡପଦ ଗାଁର ଫୁଲମତି ମୁଦୁଲିଙ୍କ ସାନ ପୁଅ ସନ୍ତୋଷଙ୍କ କଥା । ୪ ମାସ ତଳେ ସନ୍ତୋଷ ଆମ୍ବ ତୋଳିବାକୁ ବଣକୁ ଯାଇ ଗଛରୁ ପଡ଼ିଯାଇଥିଲେ । ତାଙ୍କ ବାମ ହାତର କହୁଣି ପାଖରେ ଆଘାତ ଲାଗିଥିଲା । ଫୁଲମତି ପୁଅକୁ ପ୍ରଥମେ ଚିତ୍ରକୋଣ୍ଡା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ପୁଅର ହାତ ଠିକ ହୋଇନଥିଲା । ଡକ୍ଟର କୋରାପୁଟ ହସ୍ପିଟାଲକୁ ଯିବା ପାଇଁ କହିଥିଲେ । ହେଲେ ପାଖରେ ପଇସା ନଥିବାରୁ ପୁଅକୁ ଘରକୁ ନେଇଆସିଛନ୍ତି ଫୁଲମତି । …

ସ୍ଵାଭିମାନ ଅଞ୍ଚଳ ଯେବେ ମାଓ କବଳିତ ଥିଲା ସେ ସମୟରେ ଫୁଲମତି ମାଓବାଦୀଙ୍କ ଦ୍ଵାରା ବିତାଡ଼ିତ ହୋଇ ଚିତ୍ରକୋଣ୍ଡାକୁ ପଳାଇ ଆସିଥିଲେ । ବର୍ତ୍ତମାନ ଦୁଇ ପୁଅଙ୍କ ସହ ଦିଡ଼ାଇ ବିଶ୍ରାମ ଗୃହରେ ଜୀବନ ବିତାଉଛନ୍ତି । ସେହି ଘରର ଅବସ୍ଥା ମଧ୍ୟ ନକହିବା ଭଲ । ବର୍ଷା ହେଲେ ଘରେ ପାଣି ପଶୁଛି । କେତେବେଳେ ବିଦ୍ୟୁତ ରହୁଛି ତ କେତେବେଳେ ସଂପୂର୍ଣ୍ଣ ଅନ୍ଧାରରେ ଜୀବନ ବିତାଉଛନ୍ତି ଫୁଲମତି । ଏଭଳି ସ୍ଥିତିରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।…

ସନ୍ତୋଷଙ୍କ ଚିକିତ୍ସା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

ନାଳରେ ଭାସିଗଲା କାର ,ଗୋଟିଏ ପରିବାରରେ ୭ ମୃତ !

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା। ନାଳରେ ଗାଡ଼ି ଭାସିଯିବାରୁ ୭ ଓଡ଼ିଆଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ୭ ଓଡ଼ିଆ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଏବଂ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ମୃତକ ଗାଡ଼ିର ଡ୍ରାଇଭର।  ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଉଜ୍ଜୟିନୀରୁ ବଗଳାମୁଖୀ ମାତାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଗାଡ଼ିଟି ନାଳରେ ଭାସିଯାଇଥିବା ସୂଚନା ମିଳିଛି। ଏସ୍‌ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି।

ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ଗର୍ଭବତୀ ସ୍ତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ : ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ମଦ୍ୟପ ସ୍ୱାମୀ ଦିବାକର ସେଠ୍ ଘରେ ଥିବା ଟାଙ୍ଗିଆରେ ସ୍ତ୍ରୀ ରିଙ୍କି ସେଠ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ପରିବାର ଲୋକେ ରିଙ୍କିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଦିବାକର ସେଠ୍ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜୀବନ ନେଲା ଚାଟ୍‌ଜିପିଟି

ନନ୍ଦିଘୋଷ ବ୍ୟୁରୋ :  IIT ବମ୍ବେରେ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗକୁ ନେଇ କ୍ୟାମ୍ପସରେ ଚର୍ଚ୍ଚା ଜୋର ଧରିଛି। ପରୀକ୍ଷା ସମୟରେ ଚାଟ୍‌ଜିପିଟି ବ୍ୟବହାର କରି ଧରାପଡ଼ିବା ପରେ ଛାତ୍ରଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ନେଇ ଦାବି ହେଉଛି। ତେବେ ପ୍ରକୃତରେ କ’ଣ ଘଟିଥିଲା ଏବଂ ଛାତ୍ରଙ୍କ ମୃତ୍ୟୁ ପଛରେ କାରଣ କ’ଣ, ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ସହପାଠୀମାନେ।

ଘଟଣାକୁ ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଧାରଣା ଓ ପ୍ରତିବାଦ କରି ପ୍ରଶାସନଠାରୁ ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଦାବି କରିଛନ୍ତି। ଛାତ୍ରମାନଙ୍କ ଦାବି ଅନୁସାରେ, ଚଳିତ ବର୍ଷ କ୍ୟାମ୍ପସରେ ଏହା ଚତୁର୍ଥ ଆତ୍ମହତ୍ୟା ଘଟଣା ଏବଂ ଗତ ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। କ୍ୟାମ୍ପସରେ ଏଭଳି ଘଟଣା କାହିଁକି ବାରମ୍ବାର ଘଟୁଛି, ଏହାର ମୂଳ କାରଣ କ’ଣ ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ କିପରି ରୋକାଯାଇପାରିବ, ସେନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନେଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

UPI ଚାର୍ଜକୁ ନେଇ ବିଜେଡିର ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ୟୁପିଆଇ ଚାର୍ଜ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କ ଉପରେ ନ ପଡ଼ୁ। ସେମାନଙ୍କ ସ୍ୱାର୍ଥ ସୁରକ୍ଷିତ ରହୁ। ବିଜେଡିର ଏହି ଆଭିମୁଖ୍ୟକୁ ଦୋହରାଇଛନ୍ତି ଦଳର ସାଂସଦ ସଂତୃପ୍ତ ମିଶ୍ର। ସଂତୃପ୍ତ ମିଶ୍ର କହିଛନ୍ତି, ୟୁପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲଜି। ଏହାକୁ ଚଳାଇବା ସହ ସାଇବର ସୁରକ୍ଷା, ଟେକ୍ନୋଲଜିର ଉନ୍ନତି ଏବଂ ନିରନ୍ତର ନିବେଶ ପାଇଁ ଅର୍ଥର ଆବଶ୍ୟକତା ରହିଛି। ତେବେ ଏହି ଫଣ୍ଡିଂ ପାଇଁ ସାଧାରଣ ଲୋକ କିମ୍ବା ଛୋଟ ବ୍ୟବସାୟୀଙ୍କଠାରୁ ଟଙ୍କା ଆଦାୟ କରାଯିବା ଉଚିତ ନୁହେଁ। ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବା ଉଚିତ ନୁହେଁ। ଏଥିସହ ୟୁପିଆଇ ପାଇଁ ଅନ୍ୟ ବିକଳ୍ପ ଉପାୟରେ ଫଣ୍ଡିଂ ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି। ଆଗରୁ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସଂତୃପ୍ତ ମିଶ୍ର କହିଛନ୍ତି।

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା, ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଚିନ୍ତା ବଢ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ କୌଣସି ରୋଗକୁ ନେଇ ନିଶ୍ଚିତ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ELISA ଓ କନଫର୍ମେଟୋରି ଟେଷ୍ଟ ପରେ ହିଁ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ । ସୁନ୍ଦରଗଡ଼ ଓ ରାୟଗଡ଼ାର ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି । ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସମ୍ପୂର୍ଣ୍ଣ ସ୍ଥିତି ସ୍ପଷ୍ଟ ହେବ । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ କାର୍ଯ୍ୟରତ ରହିଛି । ରୋଗୀଙ୍କ ସ୍ଥିତି, ଲକ୍ଷଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏଥିସହ ଲୋକଙ୍କୁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।