ନନ୍ଦିଘୋଷ ବ୍ୟୁରୋ : ଗଞ୍ଜେଇ ଭର୍ତ୍ତି ଗାଡ଼ି ଚାଳକର ଉନ୍ମତ୍ତ କାଣ୍ଡ । ପୋଲିସକୁ ଦେଖି ଦ୍ରୁତ ଗତିରେ ଫେରାର ବେଳେ ଗାଡ଼ି ଧକ୍କାରେ ଜଣେ ମୃତ ୧ ଗୁରୁତର । ଫୁଲବାଣୀ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତଗତିରେ ଆସୁଥିଲା ଗଞ୍ଜେଇ ଭର୍ତ୍ତି ଗାଡ଼ି । ପୁରୁଣାକଟକ ପୋଲିସ ପିଛା କରିବାରୁ ଆହୁରି ବଢ଼ାଇଥିଲା ଗାଡ଼ିର ବେଗ । ଲୁଣିବାହାଲରେ ଜଣଙ୍କୁ ଧକ୍କା ଦେବା ପରେ ଚମ୍ପାପୁର ଛକରେ ୩୫ ବର୍ଷୀୟ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଲୁଣିବାହାଲର ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଛି ଚିକିତ୍ସା । ଗଞ୍ଜେଇ ମାଫିଆ ବା ଅଭିଯୁକ୍ତଙ୍କୁ ଗୋଡ଼ାଇ ଧରି ଗ୍ରାମବାସୀ ଚମ୍ପାପୁର ଛକରେ ବାନ୍ଧି ରଖିବା ସହ କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବଲାଙ୍ଗିର ୫୭ ତମ ଜାତୀୟ ରାଜପଥ ଅବରୋଧ କରିଛନ୍ତି । କ୍ଷତିପୂରଣ ନଦେଲେ ଗଞ୍ଜେଇ ମାଫିଆ ବା ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେବେନି ବୋଲି ଅଡ଼ି ବସିଛନ୍ତି ।
କପିଳାସରେ ପର୍ଯ୍ୟଟକଙ୍କୁ ଦାଦାଗିରି, ଯୁବକ-ଯୁବତୀଙ୍କୁ ମାଡ଼ ଓ ଅଶୋଭନୀୟ ବ୍ୟବହାର ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ପର୍ଯ୍ୟଟନସ୍ଥଳୀରେ ଦାଦାଗିରି। ଢେଙ୍କାନାଳ କପିଳାସକୁ ବୁଲିବାକୁ ଆସିଥିବା ଜଣେ ଯୁବକ ଓ ଯୁବତୀଙ୍କୁ ରାସ୍ତାରେ ଅଟକାଇ କିଛି ସ୍ଥାନୀୟ ଯୁବକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିସହ ଯୁବତୀଙ୍କ ସହ ଅଶୋଭନୀୟ ବ୍ୟବହାର କରିବା ଏବଂ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡ କରି ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଦୁଇ ଯୁବକ-ଯୁବତୀ କପିଳାସକୁ ବୁଲିବାକୁ ଯାଇଥିଲେ। ରାସ୍ତାରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀଙ୍କ ସହ ଅଶୋଭନୀୟ ଆଚରଣ କରି ଘଟଣାର ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ରହିଛି। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ନଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ ପରେ ଘଟଣାରେ ତୁରନ୍ତ ତଦନ୍ତ କରି ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଏହି ଘଟଣା ପରେ କପିଳାସରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସ୍ତ୍ରୀକୁ ପିଟିପିଟି ହତ୍ୟା, ପରେ ଜୀବନ ହାରିଲା ସ୍ୱାମୀ
ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହରୁ ଭୟଙ୍କର ହତ୍ୟାକାଣ୍ଡ। ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଘଟଣା ଘଟିଛି ପରଜଙ୍ଗ ଥାନା ଦଦରାଘାଟି ୩ ନମ୍ବର କଲୋନୀରେ। ମୃତକ ହେଲେ ରଶ୍ମିତା ନାଏକ ଓ ତାଙ୍କ ସ୍ୱାମୀ ମିଥୁନ ନାଏକ। ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କାରଣକୁ ନେଇ ରଶ୍ମିତା ଓ ମିଥୁନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମିଥୁନ ରଶ୍ମିତାଙ୍କୁ ଏକ ଘର ଭିତରେ ବନ୍ଦ କରି ବାଡ଼ିରେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ମିଥୁନ ଘର ସମ୍ମୁଖରେ ଥିବା ଏକ ଆମ୍ବଗଛରେ ଓଢ଼ଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ବର୍ଦ୍ଦିରେ ଫଟୋ ଭିଡିଓ ପୋଷ୍ଟ ମନା
ନନ୍ଦିଘୋଷ ବ୍ୟୁରୋ : ବର୍ଦ୍ଦିରେ ଥିବା ସମୟରେ ପୋଲିସ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଫଟୋ କିମ୍ବା ଭିଡିଓ ପୋଷ୍ଟ କରିବା ମନା। ବିଶେଷକରି ସମ୍ବେଦନଶୀଳ ସ୍ଥାନରେ ଡ୍ୟୁଟି କରୁଥିବା ପୋଲିସ ଅଧିକାରୀ ଫଟୋ, ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ। ଏନେଇ ଟ୍ୱିନ୍ ସିଟିରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ।
ଡ୍ୟୁଟି ସମୟରେ ବିଭିନ୍ନ ସ୍ଥାନରେ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟୁଟିରେ ଥିବା ସମୟରେ ସମ୍ବେଦନଶୀଳ ସ୍ଥାନର ଫଟୋ କିମ୍ବା ଭିଡିଓ ପୋଷ୍ଟ ନକରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାଡ଼ି ଆସୁଛି ଏଲ୍ ନିନୋ
ନନ୍ଦିଘୋଷ ବ୍ୟୁରୋ : ମାଡ଼ି ଆସୁଛି ଏଲ୍ ନିନୋ । ଶକ୍ତିଶାଳୀ ଏଲ୍ ନିନୋ ନେଇ ଭାରତକୁ କଡ଼ା ଚେତାବନୀ । ଚେତାବନୀ ଦେଲେ ୧୮୦ରୁ ଅଧିକ ପାଣିପାଗ ବିଜ୍ଞାନୀ । ସମୟ ପୂର୍ବରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ମାସରେ ପ୍ରଳୟ ଭଳି ସ୍ଥିତି ଉପୁଜିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ଶକ୍ତିଶାଳୀ ଏଲ ନିନୋ ପ୍ରଭାବରେ ପ୍ରବଳ ଗରମ, କମ ବର୍ଷା, ଜଙ୍ଗଲ, ଜମି, ସମୁଦ୍ର, ପ୍ରାଣୀଜଗତ ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଂକା ଦେଖାଦେଇଛି । WMOର ଆକଳନ ଅନୁସାରେ, ଏଲ୍ନିନୋ ବର୍ଷା ଓ ତାପମାତ୍ରାର ଧାରାକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବଦଳାଇପାରେ । ତେବେ ଏଲ୍ନିନୋର ଶକ୍ତି ଯେତେ ଅଧିକ, ପ୍ରତ୍ୟେକ ଅଞ୍ଚଳରେ ପ୍ରଭାବ ସେତେ ଅଧିକ ହେବ । ଏଭଳି ସିଧାସଳଖ ସମ୍ପର୍କ ନାହିଁ ବୋଲି WMO ସ୍ପଷ୍ଟ କରିଛି । ତେଣୁ ପରିବେଶରେ ହେଉଥିବା ପରିବର୍ତ୍ତନକୁ ନଜରରେ ରଖିବା ସହ ତଥ୍ୟ ସଂଗ୍ରହ ଓ ଦସ୍ତାବିଜଭୁକ୍ତ କରିବା ଉପରେ ବୈଜ୍ଞାନିକମାନେ ଗୁରୁତ୍ୱ ଦେଇଛନ୍ତି ।….
ଓଡିଶା ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ : ଓଡିଶା ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନକୁ ଯିବେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏକ ଘଣ୍ଟା ୧୫ ମିନିଟ ରହିବେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା ହୋଇପାରେ ॥ ମହାନଦୀ ପ୍ରସଙ୍ଗରେ ଗୁରୁତ୍ୱପୁର୍ଣ ଆଲୋଚନା ହୋଇପାରେ ବୋଲି ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ମହାନଦୀ ପ୍ରସଙ୍ଗରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ହୋଇଥିଲା ଭେଟଘାଟ । ବୈଠକ ପରେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବିଷ୍ଣୁ ଦେଓ ସାଏ । ଏହାପରେ ସିଧାସଳଖ ପୁରୀ ଯିବେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ରାତ୍ର ରହଣି କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ | ଆସନ୍ତାକାଲି ଭୁବନେଶ୍ୱର ଫେରି ବିମାନବନ୍ଦରରୁ ରାୟପୁର ବାହାରିଯିବେ ବିଷ୍ଣୁ ଦେଓ ସାଏ ।…
ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି
ନନ୍ଦିଘୋଷ ବ୍ୟୁରୋ : ମହିଳା ୧୦ ମିଟର ଏୟାର ରାଇଫଲ୍ ଦଳଗତ ଇଭେଣ୍ଟରେ ଭାରତ ଏକ ଚମତ୍କାର ରୌପ୍ୟ ପଦକ ଜିତି ନିଜର ଅଫିସିଆଲ୍ ପଦକ ଖାତା ଖୋଲିଛି । ସୋନମ୍ ଉତ୍ତମ ମସ୍କାର, ଏଲାଭେନିଲ୍ ଭାଲାରିଭାନ୍ ଏବଂ ବିଦର୍ଶା କେ. ବିନୋଦଙ୍କ ଶକ୍ତିଶାଳୀ ତ୍ରି-ସଦସ୍ୟା ବିଶିଷ୍ଟ ଦଳ ମିଳିତ ଭାବେ ୧୮୯୮ ପଏଣ୍ଟ ହାସଲ କରି ପୋଡିୟମ୍ରେ ଦ୍ୱିତୀୟ ସ୍ଥାନ ପକ୍କା କରିଛନ୍ତି । ସେପଟେ ଏସିଆନ ଗେମ୍ସରେ ଭାରତ ପାଇଁ ପ୍ରଥମ ଥର ପାଇଁ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍ ପଦକ ସୁନିଶ୍ଚିତ କରିଛନ୍ତି ସୁଚିକା ତାରିୟାଲ୍ । ୬୦ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଭାରତର ୩୬ ବର୍ଷୀୟା ଅଭିଜ୍ଞ ଲଢୁଆ ଖେଳାଳି ମଙ୍ଗୋଲିଆର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଅଲଟାନଚିମେଗ୍ ବାଇଗାଲମାଙ୍କୁ ୨-୦ ନିଷ୍ପତ୍ତିରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ପ୍ରବେଶ କରି ତାରିୟାଲ୍ ନିଜ ପାଇଁ ଅତିକମରେ ଏକ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଛନ୍ତି । ସେପଟେ ଭାରତୀୟ ମହିଳା ହକି ଟିମ୍ ଏସିଆନ ଗେମ୍ସ ୨୦୨୬ର ନିଜର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ୧୯-୦ ବ୍ୟବଧାନରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି । ଭାରତୀୟ ଫରୱାର୍ଡ ଖେଳାଳି ଦୀପିକା ଏକାକୀ ରେକର୍ଡ ସଂଖ୍ୟକ ୮ଟି ଗୋଲ୍ ସ୍କୋର କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।….
ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ : ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ବ୍ୟାପକ ଭଙ୍ଗାରୁଜା ସହ ଔଷଧ ଓ ମେଡିକାଲ୍ ସାମଗ୍ରୀ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି କ୍ରୋଧିତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା ଚଳାଇଛନ୍ତି । କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ, ବ୍ୟାଣ୍ଡେଜ୍, ସାଲାଇନ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ବାହାରକୁ ଟାଣି ଆଣି ନିଆଁ ଲଗାଇ ଦେଇଛନ୍ତି । ଝାରପୋଖରିଆ ଥାନା ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ଆୟତ୍ତ କରିଛି । ଗତକାଲି ସାରସକଣା ବ୍ଲକ ଅନ୍ତର୍ଗତ ମୁଣ୍ଢାକଟା ଗ୍ରାମର ବେହେରା ସାହି ବାସିନ୍ଦା ରାଜା ବେହେରାଙ୍କ କୁନି ଝିଅ ଚୁଲବୁଲ ଘରେ ଖେଳୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଏହି ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଫଳରେ ଶିଶୁଟିକୁ ଶିର୍ଷା, ଝାରପୋଖରିଆ ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନେବାକୁ ପଡ଼ିଥିଲା ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଦୀର୍ଘଦିନ ଧରି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଉଦାସୀନତା ଏବଂ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନମିଳିବାରୁ ଶିଶୁଟିର ପ୍ରାଣହାନି ଘଟିଥିବା ଦାବି କରି ଲୋକଙ୍କ ଆକ୍ରୋଶ ସୀମା ଟପିଥିଲା ।….
ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ
ନନ୍ଦିଘୋଷ ବ୍ୟୁରୋ : ବନ୍ୟା ଛାଡିବା ପରେ କୂଳ ଖାଉଛି ବୈତରଣୀ । ଓଳଗ ଅମୃତମଣୀ ଓ ଷାଠିବାଙ୍କୁଡା ନିକଟ ୨ଟି ସ୍ଥାନରେ ୭ଶହ ଫୁଟ ନଦୀବନ୍ଧ ଧସିଲା । ଆତଙ୍କିତ ୪ଟି ପଞ୍ଚାୟତର ନଦୀକୂଳିଆ ଲୋକେ । ଗତ ଦୁଇମାସ ମଧ୍ୟରେ ବୈତରଣୀ ନଦୀର ଆସିଥିବା ୫ ପାଞ୍ଚ ଥର ବନ୍ୟାରେ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ଭଳି ୪ଟି ପଞ୍ଚାୟତ । ଏବେ ବନ୍ୟା ଛାଡିଥିବା ବେଳେ କୂଳ ଖାଉଛି ବୈତରଣୀ । ଓଳଗ ନିକଟସ୍ଥ ଅମୃତମଣୀ ଗାଁ ନୀକଟରେ ଦୁଇଶହ ଫୁଟର ନଦୀବନ୍ଧ ବୈତରଣୀ ନଦୀଗର୍ଭକୁ ଚାଲିଯାଇଥିବା ବେଳେ ଅନେକ ସ୍ଥାନରେ ବଡବଡ ଫାଟ ସୃଷ୍ଟି ହୋଇଛି । ସେହିପରି ଷାଠିବାଙ୍କୁଡା ଗାଁ ଠାରୁ କିଛି ଦୂର ବୈତରଣୀ ନଦୀ କୂଳ ଲଙ୍ଘିବାରୁ ପାଖାପାଖି ୫ଶହ ଫୁଟ ଲମ୍ବର ନଦୀପଠାରୁ ବଡବଡ ମାଟି ଅତଡ଼ାଖଣ୍ଡ ନଦୀ ମଧ୍ୟକୁ ଚାଲିଯାଇଛି । ଏହାସହ ସେହି ସ୍ଥାନ ଦେଇ ଆଖଣ୍ଡଳମଣି- କୁଆଖିଆ ୨୦ ନମ୍ଵର ଜାତୀୟ ରାଜପଥ ଯାଇଥିବାରୁ ରାସ୍ତା ପ୍ରତି ବିପଦ ସୃଷ୍ଟି ହେବା ସହ ୪ଟି ପଞ୍ଚାୟତର ନଦୀକୂଳିଆ ଏବେ ଆତଙ୍କିତ ହୋଇ ପଡିଛନ୍ତି । ବନ୍ୟାରେ ବୈତରଣୀନଦୀ କୂଳ ଲଙ୍ଘିଵାରୁ ଜାତୀୟ ରାଜପଥର ଦେଢ଼ କିଲୋମିଟର କଂକ୍ରିଟ ରାସ୍ତାକୁ ଧୋଇନେବା ସହ ୩ଶହ ଫୁଟର ଘାଇ ସୃଷ୍ଟି ହୋଇ ଆରଡି ସମେତ ୨୪ ଗାଁର ବହୁ କ୍ଷତି ଘଟାଇଥିଲା । ବନ୍ୟା ଛାଡିବା ପରେ କଟକ ଅଧିନ NHAI ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନଦୀ କଡ଼ରେ ବଲା ଓ ବାଲିବସ୍ତା ଦିଆଯାଇ ଘାଇ ମରାମତି କରାଯାଇଥିଲା । ହେଲେ ଧୋଇଯାଇଥିବା ରାସ୍ତାର ଅସ୍ଥାୟୀ ମରାମତି ହୋଇଥିଲେ ମଧ୍ୟ ଏବେବି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅନ୍ୟପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ଠାରୁ ଲଘୁଚାପ ପ୍ରଭାବରେ ବର୍ଷା ହେବ । ତେଣୁ ଦୁର୍ବଳ ନଦୀବନ୍ଧର ଯଥାଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ନଦୀବନ୍ଧ ଧସିବା ଘଟଣା ସମ୍ପର୍କରେ ଧାମନଗର ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ବିମଳ ପ୍ରସାଦ ବେହେରାଙ୍କୁ ପଚାରିବାରୁ ଆମର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି, ସେହି ସ୍ଥାନରେ ଆଗକୁ କାମ ହେବ ବୋଲି କହିଛନ୍ତି ।….
ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ
ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହିଞ୍ଜିଳିକାଟୁ ସମନ୍ୱିତ ଶିଶୁ ବିକାଶ ବିଭାଗ ସୁପରଭାଇଜର ଓ କର୍ମଚାରୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଜ ନେଲା ବେଳେ ଦୁଇଜଣକୁ ମାଡ଼ି ବସିଲା ଭିଜିଲାନ୍ସ l ହିଞ୍ଜିଳିକାଟୁ ସିଡିପିଓ ଅଫିସର ଆଇସିଡିଏସ ସୁପର ଭାଇଜର ବି. ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ ନରସିଂହ ବେହେରାକୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ I ୧୧ ମାସର ଘରଭଡ଼ା ବିଲ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଜ ନଦେଲେ ଘରଭଡ଼ା ଟଙ୍କା ବିଲ୍ ଅଟକାଇ ଦେବାକୁ ଧମକ ଦେଇଥିଲେ l କୌଣସି ଉପାୟ ନପାଇ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ଭିଜିଲାନ୍ସ ଦ୍ୱାରସ୍ଥ ହେଇଥିଲେ l ଅଙ୍ଗନବାଡ଼ି କର୍ମୀ ଠାରୁ ୩୦ ହଜାର ଟଙ୍କା ଲାଞ୍ଜବେଳେ ଉଭୟ ସୁଭରଭାଇଜର ଓ କନିଷ୍ଠ ରାଜସ୍ୱ ସହାୟକଙ୍କୁ ଗିରଫ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ l….

