ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ‘ହର ଘର ଜଲ’ ଏବଂ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡିଣ୍ଡିମ ପିଟୁଥିବା ବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଭାଷଣରେ ପାନୀୟ ଜଳ ଯୋଗାଣ ଚାଲିଛି ସତ, ହେଲେ ବାସ୍ତବରେ ଲୋକଙ୍କ କଣ୍ଠ ଶୁଖିଲା ପଡ଼ିଛି। ଡହଡହ ଖରାରେ ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଛନ୍ତି ଗ୍ରାମବାସୀ। ଖୋଦ୍ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରୁ ଆସିଛି ଏଭଳି ଏକ ଚିନ୍ତାଜନକ ଚିତ୍ର।
ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତର କାଚରା ଗାଁ। ଏହି ଗାଁରେ ୨ ଶହରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି। ଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି ଏବଂ ସରକାରୀ ନିୟମ ଅନୁସାରେ ପ୍ରତି ଘର ଆଗରେ ଷ୍ଟାଣ୍ଡପୋଷ୍ଟ (ଟ୍ୟାପ୍) ମଧ୍ୟ ଲଗାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ, ଏହି ଟ୍ୟାପ୍ରୁ ପାଣି ଟୋପେ ବି ବାହାରୁ ନାହିଁ। ପାଇପ୍ ଫାଟି ଯାଇଥିବାରୁ ଦୀର୍ଘ ଦିନ ହେବ ଗାଁକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ଗାଁର କୂଅ ଏବଂ ପୋଖରୀ ସମ୍ପୂର୍ଣ୍ଣ ଶୁଖିଗଲାଣି। ପାଣି ଟୋପେ ପାଇଁ ମହିଳା ଓ ଶିଶୁମାନେ ଡହଳବିକଳ ହେଉଛନ୍ତି। ଟ୍ୟାଙ୍କର ପାଖରେ ଗରା, ବାଲଟିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ପ୍ରଶାସନର ଅବହେଳା ଯୋଗୁଁ ସାଧାରଣ ଲୋକେ ଆଉଟୁ ପାଉଟୁ ହେଉଥିବାବେଳେ , ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ଏବେ ଆଗେଇ ଆସିଛନ୍ତି। ସେମାନେ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଉଛନ୍ତି।
ଘର ଆଗରେ ପାଇପ୍ ଲାଇନ ବିଛା ହୋଇଛି, ଟ୍ୟାପ୍ ବି ଲାଗିଛି। ହେଲେ ସେଥିରେ ପାଣି ଆସୁନାହିଁ। ପ୍ରଶାସନକୁ ଜଣାଇଲେ ବି କେହି ଶୁଣୁନାହାନ୍ତି। ଶେଷରେ ଯୁବକମାନେ ଟ୍ୟାଙ୍କର ଆଣି ପାଣି ଦେଉଛନ୍ତି
ପାନୀୟ ଜଳ ସମସ୍ୟା ସଂପର୍କରେ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି। ହେଲେ ସ୍ଥିତି ଜମାରୁ ବଦଳୁ ନାହିଁ। ଅନ୍ୟପଟେ ଏହି ବାବଦରେ ବେଗୁନିଆ ବିଡିଓଙ୍କୁ ପଚାରିବାରୁ, ସେ ପାରମ୍ପରିକ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେକହିଛନ୍ତି ତଦନ୍ତ କରାଯିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
ଏବେ ପ୍ରଶ୍ନ ଉଠୁଛି, କେବେ କାଚରା ଗ୍ରାମବାସୀଙ୍କ ଓଠ ଭିଜିବ? ସରକାରୀ ପ୍ରତିଶ୍ରୁତି ସତ ପ୍ରମାଣିତ ହେବ ନା ଏହା କେବଳ ପାଣିର ଗାର ହୋଇ ରହିଯିବ!

