ନନ୍ଦିଘୋଷ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ସାତ ସାତ ଥର ସମନ ସତ୍ତ୍ୱେ ହେମନ୍ତ ସୋରେନ ଇଡି ସମ୍ମୁଖରେ ହାଜର ନହେବା ପରେ ତାଙ୍କର ବହୁ ସହଯୋଗୀଙ୍କ ଘରେ ପଶିଛି ଇଡି। ଏକକାଳୀନ ଝାଡଖଣ୍ଡର ୧୦ଟି ସ୍ଥାନରେ ଚଢଉ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହିବ ଗଂଜ ଜିଲ୍ଲାପାଳ ରାମ ନିବାସ, ହଜାରିବାଗ ଡିଏସପି ରାଜେନ୍ଦ୍ର ଦୁବେଙ୍କ ଘରେ ମଧ୍ୟ ଆଜି ପଶିଛି ଇଡି। ଏଥିସହ ଜିଲ୍ଲାପାଳ ରାମ ନିବାସଙ୍କ ରାଜସ୍ଥାନ ବାସଭବନରେ ମଧ୍ୟ ଚଢଉ ହେଉଥିବା ସୂଚନା ମିଳିଛି ।
ଝାଡଖଣ୍ଡରେ ବେଆଇନ୍ ଖଣି ଖନନ ନେଇ ଏହି ଚଢଉ ହେଉଛି। ସେପଟେ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାତ ସାତ ଥର ସମନ ଜାରି ପରେ ସେ ହାଜର ନ ହେବାକୁ ନେଇ ନାଲି ଆଖି ଦେଖାଇଛି ଇଡି। ଇଡି ପକ୍ଷରୁ ସୋରେନଙ୍କୁ ହାଜର ହେବାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ନିଜର ପକ୍ଷ ରଖିବା ପାଇଁ ହେମନ୍ତ ସୋରେନଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇଡି ପକ୍ଷରୁ ଚେତାଇ ଦିଆଯାଇଛି। ।
ଅପରପକ୍ଷେ ଝାଡଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଇଡି ଉଦ୍ୟମ କରୁଥିବା ହେମନ୍ତ ସୋରେନ୍ ଅଭିଯୋଗ କରିଛନ୍ତି । ସେ ତାଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେଇସାରିଛନ୍ତି । ଏହା ପରେ ବି ଇଡିର ସମନ ସମ୍ପୂର୍ଣ୍ଣ ବେଆଇନ ବୋଲି ହେମନ୍ତ ସୋରେନଙ୍କ ପକ୍ଷରୁ କୁହାଯାଇଛି ।
ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି। ଏବେ ପୁଣି ଥରେ ସପ୍ତମ ଥର ପାଇଁ ତାଙ୍କୁ ସମନ ଜାରି କରା ଯାଇଛି। ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଏଥିନିମନ୍ତେ ପଥ ପରିଷ୍କାର କରିବାକୁ ଯାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ କୌଣସି କାରଣ ନ ଦର୍ଶାଇ ଗାନ୍ଦେୟ ଆସନରୁ ଇସ୍ତଫା ଦେଇ ସାରିଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ସ୍ୱୀକାର କରି ସାରିଥିବା ବେଳେ ଉକ୍ତ ଆସନରୁ ଭବିଷ୍ୟତରେ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନିମନ୍ତେ ହେମନ୍ତ ସୋରେନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ମାତ୍ର ନିଜ ପତ୍ନୀଙ୍କୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଖବରକୁ ଖଣ୍ଡନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବିଜେପି ଏପରି ମିଥ୍ୟା ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ଏଥିରେ କୌଣସି ସତ୍ୟତା ନ ଥିବା ସେ ଦୃଢତାର ସହ କହିଛନ୍ତି ।

