ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ସରକାର
ନୂଆଦିଲ୍ଲୀ: ରାଜଧାନୀବାସୀଙ୍କୁ ହନ୍ତସନ୍ତ କରୁଛି ପ୍ରଦୂଷଣ । ଆଜି ବି ଦେଶର ଦିଲ୍ଲୀରେ ଖରାପ ରହିଛି ବାୟୁର ମାନ । ପ୍ରଦୂଷଣ ରୋକିବା ନେଇ କ’ଣ ପଦକ୍ଷେପ ନେଇଛନ୍ତି ସରକାର । ଆଲୋଚନାରେ କ’ଣ ବାହାରିଛି ନିଷ୍କର୍ଷ । ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ଦିଲ୍ଲୀ ସରକାର । ପୂର୍ବାହ୍ନ ସାଢେ ୧୦ଟାରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।
ଗତକାଲି ପଞ୍ଜାବ, ହରିୟାଣା, ୟୁପିର ମୁଖ୍ୟ ଶାସନ ସଚିବଙ୍କ ସହିତ ପରିସ୍ଥିତି ନେଇ ଦିଲ୍ଲୀ ସରକାର ଆଲୋଚନା କରିଥିଲେ । ବୈଠକରେ ପ୍ରଦୂଷଣ ରୋକିବାକୁ ଅନେକ ନିଷ୍ପତ୍ତି ନିଆଯାଇଛି । ପଲ୍ୟୁସନ ରୋକିବାକୁ ଲକଡାଉନକୁ ବିକଳ୍ପ ବାଛିଛନ୍ତି ସରକାର । ଦିଲ୍ଲୀରେ ସପ୍ତାହର ଶେଷ ଦୁଇ ଦିନ ଲକଡାଉନ୍ ହେବ । ସ୍କୁଲ, କଲେଜ ଗୁଡିକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଛି । ଆଜିଠୁ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଶିଳ୍ପାନୁଷ୍ଠାନକୁ ମଧ୍ୟ କିଛି ଦିନ ବନ୍ଦ କରିବାକୁ ଆଲୋଚନା ହୋଇଛି । ଟ୍ରକ୍ ଚଳାଚଳ ସହିତ ପୁରୁଣା ଗାଡ଼ି ଉପରେ ମଧ୍ୟ କଟକଣା ଲାଗିଛି । ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିାବକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ ହୋମ ପାଇଁ କୁହାଯାଇଛି ।
ଅଡ ଇଭେନ ଗାଡି ଚାଳନା ନିୟମ ଲାଗୁ ହେବ । ଟ୍ରାଫିକରେ ରେଡ୍ ଲାଇଟ୍ ଅନ୍ ଏବଂ ଗାଡି ଅଫ ନାଁରେ କ୍ୟାମ୍ପେନ ଚାଲିବ ବୋଲି କେନ୍ଦ୍ର ସହ ବୈଠକରେ ଦିଲ୍ଲୀ ସରକାର ପ୍ରସ୍ତାବ ରଖିଛନ୍ତି । ଗତ ସୋମବାର ଦିନ ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଥିବା ବେଳେ ତୁରନ୍ତ ବୈଠକ କରି ସମାଧାନ ବାହାର କରିବାକୁ କହିଥିଲେ ।