spot_img

Latest Posts

ସୁରକ୍ଷିତ ଓଡ଼ିଶା ପାଇଁ ଅଗ୍ନିଶମ ବିଭାଗର ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ:  ରାଜ୍ୟକୁ ଅଧିକ ସୁରକ୍ଷିତ କରିବାକୁ ଅଗ୍ନିଶମ ବିଭାଗର ବଡ଼ ପ୍ରୟାସ । ମାନବକୃତ ହେଉ କି ପ୍ରାକୃତିକ ବିପର୍ଯ୍ୟୟ, ଏହାର ପ୍ରଭାବକୁ କମାଇବା ସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ । ଏହି ଲକ୍ଷ୍ୟ ନେଇ ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଅଭିଯାନ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ୨୪ ଦିନ ମଧ୍ୟରେ ୩ ହଜାର ୬୨୪ଟି ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ଅଡିଟ୍ କରାଯାଇଛି । ଫାୟାର ସେଫ୍ଟି ସାର୍ଟିଫିକେଟ୍‌ର ବୈଧତା ଯାଞ୍ଚ ସହ ଅକାମୀ ଯନ୍ତ୍ରପାତି ମରାମତି ପାଇଁ ନୋଟିସ୍ ଦିଆଯାଇଛି । ରାଜ୍ୟରେ ଥିବା ବଡ଼ ବଡ଼ କୋଠା, ସପିଂ ମଲ, ବାର୍, ପବ୍ ଆଦି ସ୍ଥାନରେ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଯାଞ୍ଚ କରିବ ଥାର୍ଡ ପାର୍ଟି । ପ୍ରତି ୬ ମାସରେ ଏସବୁ ଅପଡେଟ ହେବ ।

ଅନ୍ୟପଟେ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନତା ବଢ଼ାଇବାକୁ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମୀରେ ଆୟୋଜିତ ହୋଇଛି ଓଡ଼ିଶା ଫାୟାର ସେଫ୍ଟି ଏକ୍ସପୋ-୨୦୨୬ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଆର୍କିଟେକ୍ଟ ଓ ବିଲ୍ଡର୍ସ ଆସୋସିଏସନର ପ୍ରତିନିଧିଙ୍କ ସହ ୪୦ରୁ ୫୦ଟି କମ୍ପାନୀ ଭାଗ ନେଇଛନ୍ତି । ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ଉପକରଣର ପ୍ରଦର୍ଶନ ସହ ଏହାର ବ୍ୟବହାର ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଉଛି । ଜନସାଧାରଣଙ୍କ ପାଇଁ ଏହି ପ୍ରଦର୍ଶନୀକୁ ମାଗଣା ରଖାଯାଇଛି । ସମସ୍ତଙ୍କ ସହଯୋଗ ଓ ସହଭାଗିତାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ସହ ସୁରକ୍ଷିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଆଗେଇ ଚାଲିଛି ବିଭାଗ ।

Latest Posts

Don't Miss