spot_img

Latest Posts

ସିଜେପି ପ୍ରତିବାଦ ପାଇଁ ରାଜଧାନୀରେ କର୍ଫ୍ୟୁ ଭଳି ପରିସ୍ଥିତି: ସବୁ ବନ୍ଦ !

ନନ୍ଦିଘୋଷ ବ୍ୟୁରୋ: ୧୦ ଅକ୍ଟୋବର ଅର୍ଥାତ ଆସନ୍ତାକାଲି ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ ନେତୃତ୍ବରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । କେନ୍ଦ୍ରୀୟ ବାହିନୀ ମୁତୟନ ଠାରୁ ଆରମ୍ଭ କରି ବଡ ଧରଣର ବ୍ୟାରିକେଡିଂ, ରେଳ ସୁରକ୍ଷା ଯାଞ୍ଚ ଏବଂ ମଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଯେହେତୁ ଟ୍ରେନ୍ ବାତିଲ ଏବଂ ମେଟ୍ରୋ ଷ୍ଟେସନ୍ ବନ୍ଦ ରହିବ, ତେଣୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କର୍ତ୍ତୃପକ୍ଷ ସହରବ୍ୟାପୀ ବନ୍ଦ କିମ୍ବା କର୍ଫ୍ୟୁ ଘୋଷଣା କରିନଥିଲେ ବି ଲୋକମାନେ ଟ୍ରାଫିକ୍ ଜାମ୍ ଏବଂ ଯାତ୍ରାରେ ବାଧା ପାଇଁ ପ୍ରସ୍ତୁତ ରହିବା ଉଚିତ ।

ସୂଚନା ମୁତାବକ, ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ ନେଇ ସିଜେପି ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ ଡାକରା ଦିଆଯାଇଛି । ବିରୋଧୀ ଦଳଗୁଡିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିବା ବେଳେ ଅନେକ ରାଜନେତା ଏଥିରେ ଅଂଶଗ୍ରହଣ କରିବା ନେଇ ଆଶା କରାଯାଉଛି । ଏହି ପ୍ରତିବାଦ ପାଇଁ ଜାତୀୟ ରାଜଧାନୀରେ ୫୦,୦୦୦ ରୁ ଅଧିକ ଲୋକ ଏକତ୍ରିତ ହୋଇପାରନ୍ତି ବୋଲି ଚିନ୍ତା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ବିଏନ୍ଏସ୍ଏସ୍ ଧାରା ୧୬୩ ଅନୁଯାୟୀ ନିଷେଧ ଆଦେଶକୁ ଉଦ୍ଧୃତ କରି ପ୍ରତିବାଦ ପାଇଁ ଅନୁମତି ଦେଇନାହିଁ । ତଥାପି ଆନ୍ଦୋଳନ ହେବ, ଏହା ଏକ ପ୍ରକାର ଥୟ । ସେଥିପାଇଁ ପୋଲିସ ଟିମ୍ ମାନେ ସୋସିଆଲ ମିଡିଆ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ହୋଟେଲ, ଗେଷ୍ଟ ହାଉସ୍ ଏବଂ ପେୟିଙ୍ଗ୍ ଗେଷ୍ଟମାନଙ୍କୁ ଯାଞ୍ଚ କରୁଛନ୍ତି ।  କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ଶୁକ୍ରବାର ଏବଂ ଶନିବାର ମଦ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତୀୟ ରେଳବାଇ ୧୦ ଅକ୍ଟୋବର ସକାଳ ୪ ଟାରୁ ଅପରାହ୍ଣ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ପହଁଞ୍ଚିବାକୁ ଥିବା ଟ୍ରେନଗୁଡିକୁ ବାତିଲ କରିବାକୁ ଘୋଷଣା କରିଛି । ପ୍ରତିବାଦ ଯୋଗୁଁ ଉଭୟ ରେଳ ଷ୍ଟେସନରେ ପ୍ରବଳ ଭିଡ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଦିଲ୍ଲୀର ସାତଟି ପ୍ରମୁଖ ରେଳ ଷ୍ଟେସନରେ ପୋଲିସ ସୁରକ୍ଷା ବୃଦ୍ଧି କରିଛି । ପ୍ରତିବାଦ ସ୍ଥଳ ନିକଟରେ ଥିବା ଶିବାଜୀ ବ୍ରିଜ୍ ଏବଂ ତିଲକ ବ୍ରିଜ୍ ରେ ମଧ୍ୟ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଦିଲ୍ଲୀ ପୋଲିସ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ୫୭ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରିବାକୁ ପରାମର୍ଶ ଦେଇଛି ।

ତେବେ ପ୍ରତିବାଦ ସମୟରେ ଦିଲ୍ଳୀର ସାଧାରଣ ଲୋକଙ୍କୁ ଘର ଭିତରେ ରହିବାକୁ ସେଭଳି କୌଣସି ଆଡଭାଇଜରୀ ଜାରି କରାଯାଇନଥିଲେ ମଧ୍ୟ ଘରୁ ବାହାରକୁ ବାହାରୁଥିଲେ ସାଙ୍ଗରେ ଭାଲିଡ୍ ଫଟୋ ଆଇ-କାର୍ଡ ରଖିବାକୁ କୁହାଯାଇଛି ।

Latest Posts

Don't Miss