spot_img

Latest Posts

ଭାରତୀୟ ବଂଶୋଦ୍ଭବ ନବନେଥେମ୍ “ନଭି” ପିଲ୍ଲେଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ନବନେଥେମ୍ “ନଭି” ପିଲ୍ଲେଙ୍କ ନାମ ଘୋଷଣା କରାଯାଇଛି । ଶାନ୍ତି ଓ ଅନ୍ତର୍ଜାତୀୟ ଆଇନ ପ୍ରସାର ଦିଗରେ କାର୍ଯ୍ୟ ପାଇଁ ପିଲ୍ଲେଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ଶୁକ୍ରବାର ନରେୱେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି। ତେବେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ପିଲ୍ଲେଙ୍କ ନାମ ଘୋଷଣା ହେବା ପରେ ପୁଣି ଥରେ ନିରାଶ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ । ଅନେକ ଯୁଦ୍ଧ ବନ୍ଦ କରିଥିବାର ଦ୍ବାହି ଦେଇ ଗତ ୨ ବର୍ଷ ହେବ ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଆସୁଛନ୍ତି ଟ୍ରମ୍ପ୍ ।

ଡ଼ର୍ବାନରେ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମଗ୍ରହଣ କରିଥିଲେ ପିଲ୍ଲେ । ସେ ସମୟରେ ଡ଼ର୍ବାନରେ ଜାତିଗତ ଭେଦଭାବ ମୁଣ୍ତ ଟେକିଥିଲା । ପିଲ୍ଲେ ଜଣେ ଆଇନଜୀବୀ ଥିଲେ । ସେ ନିଜ ଜୀବନରେ ଅନେକ ଭେଦଭାବ ଓ ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିଲେ । ପରେ ସେ ମାନବାଧିକାରର ରକ୍ଷା ଓ ଅନ୍ୟାୟକୁ ଚ୍ୟାଲେଞ୍ଜ କରି କ୍ୟାରିୟର ଗଢିଥିଲେ । ସେ ବର୍ଣ୍ଣବୈଷମ୍ୟ ବିରୋଧୀ କର୍ମୀଙ୍କ ପ୍ରତିନିଧିତ୍ୱ କରିଥିଲେ । ୧୯୬୭ ମସିହାରେ ନିଜର ଲ’ ଫାର୍ମ ପ୍ରତିଷ୍ଠା କରିଥିଲେ । ଏହାପରେ ସେ ହାର୍ଭାର୍ଡ଼ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୮୮ ମସିହାରେ ଡକ୍ଟର ଅଫ୍ ଜୁରିଡିକାଲ୍ ସାଇନ୍ସ ଡିଗ୍ରୀ ହାସଲ କରିଥିଲେ। ୧୯୯୫ ମସିହାରେ, ତାଙ୍କୁ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ନିଯୁକ୍ତ କରାଯାଇଥିଲା । ପରେ ସେ ନ୍ୟାୟପାଳିକାରେ ଦେଶର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ହୋଇଯାଇଥିଲେ। ପରେ ୧୯୯୯ ମସିହାରେ ପିଲ୍ଲେଙ୍କୁ ରୁୱାଣ୍ତା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)ରେ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ସେ ଜାତିସଂଘ ମାନବାଧିକାର ପାଇଁ ଉଚ୍ଚାୟୁକ୍ତ ଥିଲେ । ତାଙ୍କର କାର୍ଯ୍ୟ ଅନ୍ତର୍ଜାତୀୟ ନ୍ୟାୟିକ ଓ ମାନବଧିକାର ପ୍ରତିଷ୍ଠାନ ଗୁଡ଼ିକରେ ଜାରି ରହିଥିଲା । ସେ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳ ଉପରେ ଜାତିସଂଘର ସ୍ୱାଧୀନ ଅନ୍ତର୍ଜାତୀୟ ତଦନ୍ତ କମିସନର ଅଧ୍ୟକ୍ଷତା କରିଥିଲେ। ୨୦୧୯ ମସିହାରେ, ତାଙ୍କୁ ମିଆଁମାର ବିରୋଧରେ ଗଣହତ୍ୟା ଅଭିଯୋଗର ବିଚାର ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ଜଣେ ଆଡହକ୍ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ଏହି ନୋବେଲ ଶାନ୍ତି ପୁରସ୍କାରର ମୂଲ୍ୟ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ କିମ୍ବା ପ୍ରାୟ ୧.୨ ନିୟୁତ ଡଲାର ବୋଲି କୁହାଯାଉଛି । ତେବେ ଆସନ୍ତା ଡିସେମ୍ବର ୧୦ ଓସ୍‌ଲୋ‌ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

 

 

Latest Posts

Don't Miss