ଦାରିଦ୍ର୍ୟ ଓ କ୍ଷୁଧା ଭିତରକୁ ଠେଲି ହୋଇଯିବେ ୧୭୦ କୋଟି ଲୋକ

1 min read

ନୂଆଦିଲ୍ଲୀ: ସାରା ବିଶ୍ବରେ ଅର୍ଥନୀତିର କଳାବାଦଲ । ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ଘାଇଲା ଅଧିକାଂଶ ଦେଶର ଅର୍ଥନୀତି । ଆଗକୁ ଆସୁଛି ଘନସଙ୍କଟ । ଯୁଦ୍ଧକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ । ବିଶ୍ବ ଜନସଂଖ୍ୟାର ଏକପଞ୍ଚମାଂଶ ଅର୍ଥାତ ୧୭୦ କୋଟି ଲୋକ ଠେଲି ହୋଇଯିବେ ଦାରିଦ୍ର୍ୟ ଓ କ୍ଷୁଧାର ବଳୟ ଭିତରକୁ ।

ଯୁଦ୍ଧର ଭୟାବହତା, ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରରେ ଏହାର ପ୍ରଭାବ ଆଦି କାରଣରୁ ବିଶ୍ବରେ ଜାରି ରହିବ ଦୁଃସ୍ଥିତି । କେବଳ ଋଷ ଓ ୟୁକ୍ରେନ ବିଶ୍ବର ମୋଟ ଗହମ ଓ ବାର୍ଲିର ୩୦ ପ୍ରତିଶତ ଏବଂ ମକା ଓ ସୂର୍ଯ୍ୟମୁଖୀ ତେଲର ୫୦ ପ୍ରତିଶତ ଉତ୍ପାଦନ କରିଥାନ୍ତି । ଏହି ଦୁଇଟି ରାଷ୍ଟ୍ର ପ୍ରାୟ ୪୫ଟି ଗରିବ ରାଷ୍ଟ୍ରକୁ ଗହମ ଯୋଗାଇଥାନ୍ତି । ମାତ୍ର ଯୁଦ୍ଧ ଯୋଗୁଁ ସବୁକିଛି ଗଡ଼ବଡ଼ ହୋଇଯାଇଛି ବୋଲି କହିଛନ୍ତି ଗୁଟେରସ ।

ଯୁଦ୍ଧ ଯୋଗୁଁ ମକା ଓ ଗହମ ଦର ୩୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ତୈଳ ଦର ୬୦ ପ୍ରତିଶତ ବୃଦ୍ଧି ପାଇଛି । ଗ୍ୟାସ ଓ ସାର ଦର ହେଲାଣି ଦୁଇଗୁଣ । ସେପଟେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ବି କରାଇଛନ୍ତି ସତର୍କ । ଯୁଦ୍ଧର ପ୍ରଭାବରେ ୧୪୩ ରାଷ୍ଟ୍ରର ଆର୍ଥିକ ଅବମୂଲ୍ୟାୟନ ଘଟିଲାଣି । ଏହି ୧୪୩ ରାଷ୍ଟ୍ର ବିଶ୍ବ ଜିଡିପିର ବହନ କରିଥାନ୍ତି ୮୬ ପ୍ରତିଶତ । ସେହିପରି ବିଶ୍ବବ୍ୟାଙ୍କ, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, ବିଶ୍ବ ବାଣିଜ୍ୟ ସଂଗଠନ ବି ଖାଦ୍ୟ ନିରାପତ୍ତା ନେଇ ପ୍ରକାଶ କରିଛନ୍ତି ଉଦବେଗ ।

ସେପଟେ ମାରିୟୁପୋଲକୁ ନେଇ ସ୍ଥିତି ଅସ୍ପଷ୍ଟ । ଋଷର ସରେଣ୍ଡର ନଚେତ ମୃତ୍ୟୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ୟୁକ୍ରେନ ସୈନ୍ୟ । ଶେଷ ଯାଏଁ ସଂଗ୍ରାମ ଚାଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଦେନିସ ସିମାଲ । ତେଣେ ବିଭିନ୍ନ ସହରରେ ଜାରି ରହିଛି ଏୟାରଷ୍ଟ୍ରାଇକ । ପଶ୍ଚିମ ୟୁକ୍ରେନର ଲିଭିଭ୍ ସହରରେ ୫ଟି କ୍ଷେପଣାସ୍ତ୍ର ମାଡ କରିଛି ଋଷ । ଖାରକିଭରେ କ୍ଷେପଣାସ୍ତ୍ର ମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଖାରକିବର ଅଧା ଅଞ୍ଚଳକୁ କବଜା କରିଛନ୍ତି ଋଷ ସୈନ୍ୟ । ଓଡେଶା ନିକଟସ୍ଥ ମିକୋଲାଇଭ ସହରରେ ଲଗାତର ହୋଇଛି ରକେଟ ମାଡ଼ । ୟୁକ୍ରେନ ଆସିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।