ମହିଳା ସଶକ୍ତିକରଣର ରୋଲ ମଡେଲ ନବୀନ

ଭୁବନେଶ୍ବର: ଯେଉଁ ମହିଳା ଘର ସମ୍ଭାଳି ପାରେ, ସେ ରାଜନୀତି ମଧ୍ୟ କରିପାରେ । ବାରମ୍ବାର ମହିଳାଙ୍କ ଉପରେ ଏହି ଭରସା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଏସଏଚଜି ଜରିଆରେ ସ୍ବାବଲମ୍ବୀ କରିବା ହେଉ କି ସାମାଜିକ କ୍ଷେତ୍ରରେ ସଂରକ୍ଷଣ ରଖିବା । ସବୁଠି ସୁଫଳ ଆଣୁଛି ନବୀନଙ୍କ ଭିଜନ । ବିଜୁ ବାବୁ ପଞ୍ଚାୟତ ନିର୍ବାଚନରେ ଯେଉଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ, ତାକୁ ୫୦ ପ୍ରତିଶତ କରିଛନ୍ତି ନବୀନ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ମହିଳା ଜିତିଛନ୍ତି । ସେଥିରୁ ୯୦ ପ୍ରତିଶତ ବିଜୁ ଜନତା ଦଳର ପ୍ରାର୍ଥୀ । ମହିଳାଙ୍କ ବିକାଶକୁ ବିଜୁ ପଟ୍ଟନାୟକଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବେ ନବୀନ ବର୍ଣ୍ଣନା କରିବା ପରେ ବିଜୁ ପ୍ରେମୀଙ୍କ ଭିତରେ ବିକାଶର ନୂତନ ଉର୍ଜା ସୃଷ୍ଟି ହୋଇଛି ।

୨୦୧୯ ନିର୍ବାଚନରେ ଏସଏଚଜି ମହିଳାଙ୍କୁ ଲୋକସଭା ପଠାଇ ଦେଶକୁ ମହିଳା ସଶକ୍ତିକରଣର ନୂଆ ଦିଗ ଦେଖାଇଥିଲେ ନବୀନ । ଉଭୟ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ନବୀନଙ୍କ ଦାବିକୁ ମିଳିଥିଲା ବିଭିନ୍ନ ରାଜ୍ୟର ସମର୍ଥନ । ହେଲେ କେନ୍ଦ୍ର କର୍ଣ୍ଣପାତ ନ କରିବାରୁ, ନିଜ ଆଡ଼ୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲେ ନବୀନ । ତାଙ୍କର ଏହି ସଂସ୍କାରମୂଳକ ବିଚାରକୁ ସାରା ଦେଶରୁ ମିଳିଥିଲା ସମର୍ଥନ ।

ବିଜୁ ବାବୁଙ୍କ ପରି ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ନାରୀ ଶକ୍ତି ଉପରେ ବିଶ୍ବାସ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟର ୮୦ ଲକ୍ଷ ମହିଳା ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଖୁବଶୀଘ୍ର ଏହା ଏକ କୋଟିରେ ପହଞ୍ଚିବାକୁ ଯାଉଛି ।