ଦୋଳୀ ଶାଢ଼ୀରେ ଗୁଡାଇ ହୋଇ ଚାଲିଗଲା ଶିଶୁକନ୍ୟାର ଜୀବନ

ଉଦଳା: ମୟୁରଭଞ୍ଜ ଜିଲ୍ଲାରୁ ଅତ୍ୟନ୍ତ ହୃଦୟବିଦାରକ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ହସଖୁସିରେ ବସି ଝୁଲୁଥିବା ଦୋଳି ସାଜିଲା କାଳ । ଶାଢୀରେ ତିଆରି ହୋଇଥିବା ଦୋଳି ନେଇଗଲା ୬ ବର୍ଷ ଶିଶୁକନ୍ୟାର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପେଡାଗଡି ଗ୍ରାମରେ । ପେଡାଗଡି ଗ୍ରାମର ଧୀରେନ୍ଦ୍ର ନାଏକଙ୍କ ୬ ବର୍ଷର ଶିଶୁକନ୍ୟା ମାମୁନି ନାଏକ ଆଜି ଅପରାହ୍ନରେ ଘରେ ଶାଢୀରେ ତିଆରି ହୋଇଥିବା ଦୋଳିରେ ବସି ଝୁଲୁଥିଲା ।

ଏହି ସମୟରେ ପରିବାର ଲୋକେ ଖାଇ ସାରି ଶୋଇବାକୁ ଯାଉଥିଲେ । ହେଲେ ଝିଅ ପାଖକୁ ଆସି ଦେଖିବାରୁ ଦୋଳି ତିଆରି ହୋଇଥିବା ଶାଢୀ ଝିଅ ବେକରେ ଗୁଡାଇ ହୋଇଯାଇଛି ଏବଂ ଝିଅ ଦୋଳିରୁ ଖସି ପଡିଛି । ତୁରନ୍ତ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।