କୋଭିଡ ପାଇଁ କଟକଣା, କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପାଳିବେ ସ୍ୱାଧିନତା ଦିବସ

ଭୁବନେଶ୍ୱର: କୋଭିଡ ପାଇଁ ସ୍ବାଧୀନତା ଦିବସରେ ଲାଗିଲା କଟକଣା । ଏଥର ଅଗଷ୍ଟ ୧୫ରେ ସ୍କୁଲ ଯିବେନି ଛାତ୍ରଛାତ୍ରୀ । କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପାଳିବେ ସ୍ବାଧୀନତା ଦିବସ । ପତକା ଉତ୍ତଳନ କରିବେ ଶିକ୍ଷକ, ଶିକ୍ଷୟତ୍ରୀ । ପୂର୍ବରୁ ସ୍ବାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେନି ବୋଲି କଟକଣା ଜାରି ହୋଇଥିଲା । ସେପଟେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ପରେଡରେ ୩ଟି କଣ୍ଟିଜେଣ୍ଟ ସାମିଲ ହେବେ ।

ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ । ଏଥିପାଇଁ ୩ଦିନ କରାଯିବ ରିହରସଲ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ରେ ଅଭ୍ୟାସ କରିବେ ୩ଟି କଣ୍ଟିଜେଣ୍ଟ । ରିହରସଲ ଦିନ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ପହଞ୍ଚିବେ କଣ୍ଟିଜେଣ୍ଟ । ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ, ସେମାନଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ।

ସାମାଜିକ ଦୂରତା ବଜାୟ ରଖିବେ । ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜନସମାଗମକୁ ଏଡାଇବା ପାଇଁ ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାରଣ କରାଯାଇଛି । ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ ।