Wistron କର୍ମଚାରୀଙ୍କ ବିକ୍ଷୋଭ: ଆଇଫୋନ୍ ଲୁଟ ସହ ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

1 min read

ବେଙ୍ଗାଲୁରୁ: ଭାରତରେ ଆଇଫୋନ୍ ଉତ୍ପାଦନ କରୁଥିବା କର୍ଣ୍ଣାଟକସ୍ଥିତ ତାଇୱାନ ବେସ୍ଡ ପ୍ଲାଣ୍ଟ Wistronରୁ କୋଟି କୋଟି ଟଙ୍କାର ଆଇଫୋନ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି।  କିଛିଦିନ ହେବ ଏହି ପ୍ଲାଣ୍ଟର କର୍ମଚାରୀ ମାନେ ଉପଯୁକ୍ତ ଦରମା ନମିଳିବାରୁ ବିକ୍ଷୋଭ ପ୍ରଦର୍ଶ କରିଥିଲେ। ତେବେ ଏହି ଘଟଣାରେ ସେମାନେ ଭଙ୍ଗାରୁଜା କରି ସମ୍ପତ୍ତି ନଷ୍ଟ କରିବା ସହ ଆଇଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ପାଖାପାଖି ୪୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କମ୍ପାନୀ କହିଛି।

କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ଶିବରାମ ହେବର ପ୍ଲାଣ୍ଟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୧୨ରେ, ୨ ହଜାରରୁ ଅଧିକ କର୍ମଚାରୀ ପ୍ଲାଣ୍ଟର ଯନ୍ତ୍ରପାତି, ଆସବାବପତ୍ର ନଷ୍ଟ କରି ଏକ କାରଖାନାରେ ଥିବା ଗାଡ଼ିଗୁଡ଼ିକୁ ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହଁ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ କାର୍ଯ୍ୟାଳୟରେ ବି ଆକ୍ରମଣ କରିଥିଲେ। କୁହାଯାଉଛି ଯେ ଚାକିରିରେ ଯୋଗଦେବା ସମୟରେ ସେମାନଙ୍କୁ କୁହାଯାଇଥିବା ଦରମା ଦିଆଯାଉ ନ ଥିବାରୁ କର୍ମଚାରୀମାନେ ଏଭଳି ପ୍ରତିବାଦ କରିଛନ୍ତି।

ଜଣେ କର୍ମଚାରୀ କହିଛନ୍ତି ଯେ  ପ୍ଲାଣ୍ଟ ଇଞ୍ଜିନିୟରିଂ ସ୍ନାତକଙ୍କୁ ୨୧ ହଜାର ଟଙ୍କା ଦରମାର ପ୍ରତିଶ୍ରୁତି ଦେଇ ୧୬ ହଜାର ଟଙ୍କା ଦେଇଛନ୍ତି ଓ ଗତ ମାସରେ ଏହାକୁ କମାଇ ୧୨ ହଜାର ଟଙ୍କା କରିଦେଇଛନ୍ତି। ସେହିପରି ଇଞ୍ଜିନିୟରିଂ ସ୍ନାତକମାନଙ୍କର ମାସିକ ଦରମା ୮ ହଜାର ଟଙ୍କାକୁ କମାଇଦେଇଛନ୍ତି। ଯାହାଫଳରେ ନିରାଶ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ନେଇଛନ୍ତି।

ଶ୍ରମ ମନ୍ତ୍ରୀ ହେବରଙ୍କ ଅନୁଯାୟୀ, Wistron ତା’ର କଣ୍ଟ୍ରାକ୍ଟରମାନଙ୍କୁ ଦେୟ ପୈଠ କରିଦେଇଥିଲେ କିନ୍ତୁ କର୍ମଚାରୀଙ୍କ ଦରମାରେ ବିଳମ୍ବ କରିଥିଲେ। ଅବଶ୍ୟ, ଗରମା ବିଳମ୍ବ ହେବାର ପ୍ରକୃତ କାରଣ ବିଷୟରେ ସେ ଅବଗତ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରମ ବିଭାଗ Wistronକୁ ତିନି ଦିନ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଦରମା କରିବାକୁ ନିର୍ଦ୍ଦେଶ ଦେଇଛି।

ସୂଚନାଯୋଗ୍ୟ, Wistron ପ୍ଲାଣ୍ଟ ଆଇଫୋନ୍ SE, ସୁଲଭ ମୂଲ୍ୟର ଆଇଫୋନ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IOT) ଉତ୍ପାଦ ଏବଂ ବାୟୋଟେକ୍ ଉପକରଣ ତିଆରି କରେ। ଏହି ପ୍ଲାଣ୍ଟ ପ୍ରା ୨ ହଜାର ୯୦୦କୋଟି ଟଙ୍କା ବିନିଯୋଗ କରିବା ସହ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି।

 

Leave a Reply