ଭାରତ ଓ ଚୀନ୍‌ ତିକ୍ତତା, ରାଜନାଥ କହିଲେ ସେନାର ସାହସ ପ୍ରଶଂସନୀୟ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ତିକ୍ତତା ଜାରି ରହିଛି । ଏହାରି ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଲଦାଖ୍‌ ସୀମାରେ ଚୀନ୍‌ ସେନାକୁ ସାହସର ସହ ଭାରତୀୟ ଯବାନ ସାମ୍ନା କରିଛନ୍ତି । ଏମିତିକି ସେମାନଙ୍କୁ ପଛକୁ ଫେରିବାକୁ ବାଧ୍ୟ କରିଛନ୍ତି । ଭାରତୀୟ ଯବାନଙ୍କର ଏଭଳି ବାହାଦୁରୀ ଅତ୍ୟନ୍ତ ପ୍ରଶଂସନୀୟ ।

ଫିକ୍କିର ବାର୍ଷିକ ସାଧାରଣ ବୈଠକରେ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ, ସୀମାରେ ବିନା କୌଣସି ଉତ୍ତେଜନାରେ ଯେଉଁଭଳି ପଦକ୍ଷେପ ନିଆଯାଉଛି ତାହା ଦେଶ ବଦଳୁଥିବାର ଏକ ବଡ଼ ଉଦାହରଣ ବୋଲି କୁହାଯାଇପାରେ ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଭାରତ ସାହସର ସହ ପିଏଲଏକୁ ଯେଉଁଭଳି ସାମ୍ନା କରିଛି ଏବଂ ସୀମାରୁ ପଛକୁ ହଟିବା ପାଇଁ ବାଧ୍ୟ କରିଛି । ଏଥିପାଇଁ ଦେଶର ଆଗାମୀ ପିଢ଼ି ନିଶ୍ଚିତ ଭାବେ ଗର୍ବ କରିବ । ରାଜନାଥ ସିଂ କହିଛନ୍ତି ଯେ, ଭାରତୀୟ ଯବାନମାନେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଯେଉଁ ସାହସ ଏବଂ ଉଲ୍ଲେଖନୀୟ ଧୈର୍ଯ୍ୟ ଦେଖାଇଛନ୍ତି ତାହା ପ୍ରଶଂସନୀୟ ।

କୃଷକ ଆନ୍ଦୋଳନ ନେଇ କ’ଣ କହିଲେ ?

କୃଷକ ଆନ୍ଦୋଳନ ନାଁ ନେଇ ରାଜନାଥ ସିଂ କହିଛନ୍ତି ଯେ, କୃଷି କ୍ଷେତ୍ରରେ ପ୍ରତିକୂଳ ପଦକ୍ଷେପ ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ । ନିକଟ ଅତୀତରେ ଚାଷୀଙ୍କ ସର୍ବୋଚ୍ଚ ହିତ ଦୃଷ୍ଟିରୁ ନିୟମରେ କିଛି ପରିବର୍ତ୍ତନ କରାଯାଇଛି । କେନ୍ଦ୍ରସରକାର ସବୁବେଳେ ଚାଷୀଙ୍କ ହିତ ଚିନ୍ତା କରନ୍ତି ଏବଂ ଚାଷୀ ଭାଇମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କର ଭୁଲ ବୁଝାମଣାକୁ ଦୁର କରିଥାନ୍ତି । କୃଷିକୁ ମାତୃ କ୍ଷେତ୍ର ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ସରକାର ଆଲୋଚନା ଏବଂ ବୁଝାମଣା ପାଇଁ ସର୍ବଦା ପ୍ରସ୍ତୁତ ।

Leave a Reply