ନାବାଳିକାର ଚରିତ୍ରକୁ ସନ୍ଦେହ କରି ଗଛରେ ବାନ୍ଧି ପିଟିଲେ, ଡ୍ରେସ୍‌‌ ଚିରିଲେ !

ବ୍ରହ୍ମପୁର: ନାବାଳିକାର ଚରିତ୍ରକୁ ସନ୍ଦେହ କରି ଗଛରେ ବାନ୍ଧି ପିଟିବା ଘଟଣାରେ ୧୬ ଜଣ ମହିଳା ଗିରଫ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମର ହରିଜନ ସାହିରେ ଏଭଳି ଘଟଣା ଘଟିଛି । ମହିଳାମାନଙ୍କୁ ଶନିବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।

ନାବାଳିକାର ବାପା ମୃତ୍ୟୁ ବରଣ କରିଥିବା ବେଳେ ମାଆ ତାକୁ ଛାଡି କେଉଁ ଆଡେ ଚାଲି ଯାଇଛି । ଉକ୍ତ ନାବାଳିକା ଜଣକ ଜେଜେମା ପାଖରେ ରହୁଛି । ତେବେ ତାର ଚରିତ୍ରକୁ ସନ୍ଦେହ କରି ଗୁରୁବାର ସନ୍ଧ୍ୟାରେ ସାହି ବାସିନ୍ଦା ଏକ ବୈଠକ ଡକାଇଥିଲେ । ସେଠାରେ ଉକ୍ତ ନାବାଳିକାକୁ ଗଛରେ ବାନ୍ଧି ମାଡ଼ ମାରିବା ସହ ତା’ର ଡ୍ରେସ ଚିରି ଦେଇଥିଲେ ।

ପରେ ଏନେଇ ପୀଡ଼ିତା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନାରେ କେସ୍‌ ନମ୍ବର ୫୨୮/୨୦୨୦ ଅନୁସାରେ ଏକ ମକଦ୍ଦମା ରୁଜୁ ହୋଇଛି । ଏନେଇ ପୋଲିସ ତଦନ୍ତ କରିବା ପରେ ଶନିବାର ରାତି ୧୦ ଟାରେ ଘଟଣାରେ ସମ୍ପୃକ୍ତ ୧୬ ଜଣ ମହିଳାଙ୍କୁ ଗିରଫ କରିଛି । ପୋକ୍ସୋ ଆକ୍ଟରେ ଗିରଫ କରି ବ୍ରହ୍ମପୁର ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି । ଏହି ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଥାନା ଆଇଆଇସିଙ୍କ ସୂତ୍ରରୁ ପ୍ରକାଶ ।

Leave a Reply