ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି

ବାଲିଗୁଡ଼ା: ଚକ୍ରବ୍ୟୁହରେ ଫସିଗଲେ ଅଭିମନ୍ୟୁ । ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ବାଲିଗୁଡ଼ା ଥାନା ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସକାଳ ପ୍ରାୟ ୭ଟା ୩୦ରେ ଘରୁ ଡାକି ଆଣି ୨ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ।

ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି । ତେବେ, କେଉଁ କାରଣରୁ କିଏ ଅଭିମନ୍ୟୁଙ୍କୁ ଗୁଳି କଲା ତାହା ଜଣାପଡ଼ିନାହିଁ ।ତେବେ, ଅଭିମନ୍ୟୁ ଜଣେ ସୂଚନା ଅଧିକାର କର୍ମୀ ହୋଇଥିବା ବେଳେ, କୌଣସି ଏକ ବଡ଼ ଘୋଟାଲାର ପର୍ଦ୍ଦାଫାସ କରିବାକୁ ଚାହୁଁଥିବାରୁ ଗୁଳି କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ । ସ୍ଥାନୀୟ ଅଞ୍ଚଳରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave a Reply