କୃଷକଙ୍କ ନାଁରେ ଲୁଟିନେଲେ ୧୧୦ କୋଟି ଟଙ୍କା, ୮୦ କର୍ମଚାରୀ ବହିଷ୍କୃତ

1 min read

ଚେନ୍ନାଇ: କୃଷି ଓ କୃଷକଙ୍କୁ ସହାୟତା ପାଇଁ ଗୋଟିଏ ପଟେ ସରକାର ପଦକ୍ଷେ ନେଉଛନ୍ତି । ନାନା ଯୋଜନା ପ୍ରଣୟନ ହେଉଛି । ଏସବୁ ଭିତରେ ତାମିଲାନୁଡ଼ୁରୁ ଆସିଛି ଦୁର୍ନୀତିର ବଡ଼ ଚିତ୍ର । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବଡ଼ ଘୋଟାଲାର ଖୁଲାସା ହୋଇଛି । ଜାଲିଆତି କରି ୧୧୦ କୋଟି ଟଙ୍କାରୁ ଅଧିକ ଅନଲାଇନରେ ନିଆଯାଇଥିବା ଜାଣିବାକୁ ପାଇଛନ୍ତି ତାମିଲାନାଡ଼ୁ ସରକାର । ଏହି ଘୋଟାଲାରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ରାଜନେତାଙ୍କ ସମ୍ପୃକ୍ତି ରହିଛି ।

ତାମିଲନାଡ଼ୁ ପ୍ରମୁଖ ସଚିବ ଗଗନଦୀପ ସିଂହ ଏନେଇ ସୂଚନା ଦେଇଛନ୍ତି । ଅଗଷ୍ଟରେ ନାଟକୀୟ ଢଙ୍ଗରେ କିଛି ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା କୃଷି ବିଭାଗ ଅନଲାଇନ୍ ଆବେଦନ ପ୍ରଣାଳୀର ବ୍ୟବହାର କରିଥିଲା । ଏହାଦ୍ୱାରା ଅବୈଧ ଭାବେ ହିତାଧିକାରୀଙ୍କୁ ସାମିଲ୍ କରାଯାଇଥିଲା । ଏଥିରେ ନିୟୋଜିତ ଅଧିକାରୀ, ହିତାଧିକାରୀଙ୍କ ଠାରୁ ଦଲାଲଙ୍କ ଜରିଆରେ ଲଗଇନ୍ ଓ ପାସୱାର୍ଡ ପ୍ରଦାନ ବେଳେ ୨୦୦୦ ଟଙ୍କା ଦେଉଥିଲେ ।

ଏହି ଯୋଜନା ସହ ସମ୍ପୃକ୍ତ ୮୦ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ୩୪ ଜଣଙ୍କୁ ନିଲମ୍ବିତ କରାଯାଇଛି । ଚିହ୍ନଟ ହୋଇଥିବା ୧୮ ଜଣ ଦଲାଲ ବା ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି । ୧୧୦ କୋଟି ଟଙ୍କାର ଘୋଟାଲା ହୋଇଥିବା ବେଳେ ସରକାର ୩୨ କୋଟି ଟଙ୍କା ଅସୁଲ କରିଥିବା ସୂଚନା ଦେଇଛନ୍ତି ପ୍ରମୁଖ ସଚିବ ଗଗନଦୀପ ସିଂହ ।

ତାମିଲନାଡ଼ୁ ସରକାର ଦାବି କରିଛନ୍ତି- ଅବଶିଷ୍ଟ ଅର୍ଥ ଆଗାମୀ ୪୦ ଦିନ ଭତରେ ଫେରାଇ ଅଣାଯିବ । ରାଜ୍ୟର କଲ୍ଲାକୁରଚି, ବିଲ୍ଲପୁରମ, କୁଡ୍ଡଲୋର, ତିରୁବନ୍ନମଲାଇ, ବେଲ୍ଲୋର, ରାନୀପେଟ, ସଲେମ, ଧର୍ମପୁରୀ, କୃଷ୍ଣଗିରି ଓ ଚଚେଙ୍ଗଲପେଟ ଜିଲ୍ଲାରେ ଏହି ବଡ଼ ଘୋଟାଲା ହୋଇଛି । ଅଧିକାଂଶ ନୂଆ ହିତାଧିକାରୀ ଯୋଜନା ବିଷୟରେ ଜାଣିନଥିବାରୁ ସାମିଲ୍ ହୋଇନଥିଲେ ।

ଅଗଷ୍ଟ ମାସର ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ଥ ରାଶି ବଣ୍ଟନରେ ଅନିୟମିତତା ପାଇଁ କଲ୍ଲାକୁରଚିରେ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଯୋଜନାରେ ଅଣ କୃଷକଙ୍କୁ ଅର୍ଥ ଦିଆଯିବା ନେଇ ଅଭିଯୋଗ ପରେ ଘୋଟାଲାର ଖୁଲାସା ହୋଇଥିଲା । ଯାହାପରେ ୨ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଥିଲା ।

Leave a Reply