ରାଜ୍ୟରେ ୧ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦେଶର ଅନ୍ୟ ରାଜ୍ୟ ତୁଳନାରେ ନିୟନ୍ତ୍ରଣରେ ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଲକ୍ଷେ ପାର୍‌ କରିଛି । ମାର୍ଚ୍ଚ ୧୫ରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ରୋଗୀ । ୧୬୭ ଦିନ ପରେ ରାଜ୍ୟରେ ୧ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟ ରାଜ୍ୟର କରୋନା ମିଟର ଉପରେ ନଜର ପକାଇଲେ ଓଡିଶାରେ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଢେର କମ୍ ରହିଛି । ସେହିଭଳି ସାରା ଦେଶରେ ସ୍ଥିତି ବେକାବୁ ହେଉଥିବା ବେଳେ ଓଡ଼ିଶାରେ ସ୍ଥିତି ଆୟତ୍ତରେ ଅଛି ।

କମୁନି କରୋନା ପ୍ରକୋପ । ବଢିଚାଲିଛି ମହାମାରୀ ପ୍ରଭାବ । ରାଜ୍ୟରେ ଏକ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଦେଶରେ ୩୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଢେର ଭଲ ରହିଛି । କୋଭିଡ୍ ମୁକାବିଲାରେ ଅନ୍ୟ ରାଜ୍ୟଙ୍କୁ ପଛରେ ପକାଇ ଢେର ଆଗରେ ଅଛି ଓଡ଼ିଶା । ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ଓ ଆସାମ ୧ ଲକ୍ଷ ଆକ୍ରାନ୍ତଙ୍କ କ୍ଲବରେ ପୂର୍ବରୁ ସାମିଲ ହୋଇସାରିଛନ୍ତି । ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୧୬୭ ଦିନ ପରେ ଏହା ୧ ଲକ୍ଷ ଟପିଛି ।

ମହାରାଷ୍ଟ୍ରରେ ୯୫, ତାମିଲନାଡୁରେ ୧୧୮, ଦିଲ୍ଲୀରେ ୧୨୬, ଆନ୍ଧ୍ରପ୍ରଦେଶରେ ୧୩୬ କର୍ଣ୍ଟାଟକରେ ୧୩୯, ବିହାରରେ ୧୪୬, ପଶ୍ଚିମବଙ୍ଗରେ ୧୪୭, ଆସାମରେ ୧୫୦, ଉତ୍ତର ପ୍ରଦେଶରେ ୧୫୨, ତେଲେଙ୍ଗାନାରେ ୧୭୩ ଦିନ କରୋନା ଆକ୍ରନ୍ତ ସଂଖ୍ୟା ୧ ଲକ୍ଷ ଟପିଥିଲା । ଏ ତମାମ ରାଜ୍ୟର ସ୍ଥିତି ଉପରେ ନଜର ପକାଇଲେ ଓଡ଼ିଶାରେ ସ୍ଥିତି ଭଲ ରହିଛି । କେବଳ ଅନ୍ୟ ରାଜ୍ୟ ନୁହେଁ, ଦେଶରେ ଯେଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ସେହି ଅନୁପାତରେ ଓଡ଼ିଶାରେ କମ୍ ସଂକ୍ରମିତ ହେଉଛନ୍ତି ।

ଗୋଟିଏ ଦିନରେ ଦେଶରେ ୭୮, ୭୬୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩ ହଜାର ୧୪ ସଂକ୍ରମିତ । ଗୋଟିଏ ଦିନରେ ଦେଶରେ ୯୪୮ ଜଣକ ଜୀବନ ନେଇଛି କରୋନା । ରାଜ୍ୟରେ ୧୨ ଜଣକ ମୃତ୍ୟୁ ହୋଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୩, ୪୯୮ ଥିବାବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହେଉଛି ୪୮୨ । ଦେଶରେ ମୃତ୍ୟୁ ହାର ହେଉଛି ୧. ୭୯% ଓ ରାଜ୍ୟରେ ମୃତ୍ୟୁ ହାର ହେଉଛି ୦.୫ ପ୍ରତିଶତ । ଦେଶରେ ଆରୋଗ୍ୟ ହାର ୭୬% ଥିବା ବେଳେ ରାଜ୍ୟର ଆରୋଗ୍ୟ ହାର ହେଉଛି ୭୨ % ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଢେର ଭଲ ରହିଛି । ସେଥିପାଇଁ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ କମିଛି ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ।

Leave a Reply