୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୧ ବର୍ଷ, ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

1 min read

ମୁମ୍ବାଇ : ୨୦୦୮ରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୧ ବର୍ଷ ପୁରିଛି । ଆଜି ବି ଭାରତୀୟମାନେ ସେ ଦିନର ସେ କଳା ଅଧ୍ୟାୟକୁ ଭୂଲିନାହାନ୍ତି । ବିଭିନ୍ନ ସ୍ଥାନରେ ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କୁ ମଧ୍ୟ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ମୁମ୍ବାଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ହେମନ୍ତ କରକରେ ଓ ସନ୍ଦୀପ ଉନ୍ନିକ୍ରିଷ୍ନନଙ୍କ ଭଳି ଅଫିସରଙ୍କ ବଳିଦାନକୁ ମନେପକାଇଛି ସାରା ଦେଶ ।

ମୁମ୍ୱାଇର ହୋଟେଲ୍ ତାଜ୍

୨୦୦୮ ଆଜିର ଦିନରେ ଲସ୍କର-ଇ ତୋଏବାର ୧୦ ଜଣ ଆତଙ୍କବାଦୀ ମୁମ୍ୱାଇରେ ପ୍ରବେଶ କରିଥିଲେ । ହୋଟେଲ୍ ତାଜ, ଓବରଏ , ଛତ୍ରପତି ଶିବାଜୀ ଟର୍ମିନାଲ ପ୍ରଭୃତି ସ୍ଥାନରେ ବିସ୍ଫୋରଣ କରିବା ସହ ଗୁଳିଚାଳନା କରିଥିଲେ । ଏଥିରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ୪ ଦିନ ଧରି ରଚିଥିଲେ ତାଣ୍ଡବଲୀଳା । ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ବିସ୍ଫରୋଣ କରିଥିଲେ । ୯ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । କସବକୁ ଜୀବିତ ଧରିଥିଲେ ଭାରତୀୟ ସୁରକ୍ଷାକର୍ମୀ । ଏହାପରେ ତାକୁ ମଧ୍ୟ ଫାଶି ଦିଆଯାଇଥିଲା ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ବାରମ୍ବାର ଭାରତ ପ୍ରମାଣ ଦେବା ପରେ ମଧ୍ୟ ଏ ଦିଗରେ କିଛି ମଧ୍ୟ ପଦକ୍ଷେପ ନିଆଯାଇ ନାହିଁ । ୧୧ ବର୍ଷ ତଳର ସେ କଳା ଅଧ୍ୟାୟକୁ ସମସ୍ତେ ମନେପକାଉଛନ୍ତି । ଆତଙ୍କବାଦର ଦମନ ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ଭାରତ ସବୁବେଳେ ବାର୍ତ୍ତା ଦେଇଆସିଛି ।

Leave a Reply