ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: କୋଭିଡ୍‌ ଯୋଦ୍ଧାଙ୍କୁ ଅଧିକ ଗୁରୁତ୍ୱ, ସମ୍‌-କିମ୍ସରେ ବୁଧବାରଠୁ ପ୍ଲାଜମା ଥେରାପି

1 min read
Odisha CM Naveen Patnaik Again Review On Covid-19 Situation

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ  କୋଭିଡ୍‌ ରୋଗୀଙ୍କ ସୁବିଧା, କୋଭିଡ୍‌ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ କୋଭିଡ୍‌ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ  ଉଚ୍ଚା ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଭିଡ୍‌ ଯୋଦ୍ଧା ମାନଙ୍କ ସହିତ କଥାବର୍ତ୍ତା କରୁଛନ୍ତି । 

ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବୋରୋଟୋରୀ ଟେକ୍‌ନିସିଆନ୍‌ ଓ ଅଧିକ ଆମ୍ବୁଲାନ୍ସ ମୁତୟନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ସେହିପରି ମୃତ୍ୟୁବରଣ କରୁଥିବା କୋଭିଡ୍‌ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ସତ୍କାର କରାଯିବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅନ୍ୟାନ୍ୟ ବିଷୟ ମାନଙ୍କ ଉପରେ କୋଭିଡ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ ଓ ଉତ୍ତମ ଖାଦ୍ୟ ଯୋଗାଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।

ସମୀକ୍ଷାରୁ ଜଣାଯାଇଛି ଯେ ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା, ଏହି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ତଥା ଯିବାଆସିବା ବୃଦ୍ଧି କାରଣରୁ ପରିସ୍ଥିତି ଆହ୍ୱାନମୂଳକ ରହିଛି । ତେଣୁ ଏହିସବୁ ଜିଲ୍ଲା ଉପରେ ଅଧିକ ଫୋକସ୍‌ କରାଯାଇ ପଦକ୍ଷେପ ନିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ଅଧିକ ମାନବ ସମ୍ବଳ ସହିତ ଅଧିକ ଭେଣ୍ଟିଲେଟର, ଆମ୍ବୂଲାନ୍‌ସ, ଶଯ୍ୟା ଆଦିର ବ୍ୟବସ୍ଥା କରି ସମସ୍ତ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ, ରାଜ୍ୟରେ କୋଭିଡ ମୁକାବିଲା ପାଇଁ ଥିବା ସମସ୍ତ ନୀତି ଓ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯାଉଛି । ଗଞ୍ଜାମ ଜିଲ୍ଲାରେ ଥିବା ଆହ୍ୱାନର ମୁକାବିଲା ପାଇଁ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଦୈନିକ ୭୦୦୦ ପରୀକ୍ଷଣ କରାଯାଉଥିବା ବେଳେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହାକୁ ୯୦୦୦କୁ ବୃଦ୍ଧି କରାଯିବ । ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ, ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ରାଜ୍ୟରେ ବିଶେଷତଃ କଟକ, ଭୁବନେଶ୍ୱର ଓ ଗଞ୍ଜାମରେ ଥିବା କୋଭିଡ୍‌ ଚିକିତ୍ସାଳୟରେ ଶଯ୍ୟା ଓ ଆଇସିୟୁର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହିସବୁ ସହର ମାନଙ୍କରେ ଆହୁରି ୨୦୦ ଆଇସିୟୁ ବେଡ୍‌ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ପୁରୀ ସହରରେ ସେରୋ ସରଭେଲାନ୍ସ ସଂପୂର୍ଣ୍ଣ ହୋଇଥିବା ବେଳେ ଭୂବନେଶ୍ୱରରେ କମ୍ୟୁନିଟି ସେରୋ ସରଭେଲାନ୍ସ ସଂପୂର୍ଣ୍ଣ ହୋଇଛି । ତା’ସହିତ ହାଇ ରିସ୍କ ପପୁଲେସନ୍‌ ସେରୋ ସରଭେଲାନ୍ସ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବଭାରତୀୟ ସ୍ତରରେ ସୁସ୍ଥତା ହାର ୬୩ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୬୪.୮୮ ପ୍ରତିଶତ ପହଞ୍ଚିଛି । ମୃତ୍ୟୁ ହାର ସର୍ବାଭାରତୀୟ ସ୍ତରରେ ୨.୬ ଥିବାବେଳେ, ଓଡିଶାରେ ଏହା ୦.୫ ପ୍ରତିଶତରେ ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ଯୁବ ବର୍ଗଙ୍କ ସଂଖ୍ୟା ୬୬ ପ୍ରତିଶତ ବୋଲି ଜଣାଯାଇଛି ।

ବୁଧବାରଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଆରମ୍ଭ କରାଯିବ । ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ସୂଚନା ଦିଆଯାଇଥିଲା ।

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ Cluster TMC ସଂପର୍କରେ ସୂଚନା ଦେଇ ପଞ୍ଚାୟତରାଜ ପ୍ରମୁଖ ସଚିବ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ୬୧,୪୧୦ ଶଯ୍ୟା ବିଶିଷ୍ଟ ୬୧୨୮ଟି କୋଭିଡ କେୟାର ହୋମ ଖୋଲାଯାଇଥିବା ବେଳେ ସେଥିରେ ମାତ୍ର ୪୨୬ ଜଣ ରହିଛନ୍ତି ।  ସେହିପରି  47919 ଶଯ୍ୟା ବିଷିଷ୍ଟ ୧୧୮୩ Cluster TMC  ଖୋଲାଯାଇଥିବା ବେଳେ ସେଗୁଡିକରେ ୧୮୧୫୩ ଜଣ ରହିଛନ୍ତି । ବିଭିନ୍ନ ସହରାଞ୍ଚଳରେ ୬୨୦୦ ଶଯ୍ୟା ବିଶିଷ୍ଟ ୧୭୫ଟି କୋଭିଡ କେୟାର ସେଣ୍ଟର ଖୋଲା ଯାଇଥିବା ବେଳେ ସେଥିରେ ବର୍ତ୍ତମାନ ୪୧ ଜଣ ଚିକିତ୍ସିତ ହେଉଛନ୍ତି । ସହରାଞ୍ଚଳରେ ୬୦ ହଜାର ଶଯ୍ୟା ବିଶିଷ୍ଟ ୮୧୪ଟି TMCରେ ୩୯୪୫ ଜଣ ରହିଛନ୍ତି ବୋଲି ଜଣାପଡିଛି ।

 ଗ୍ରାମ କଲ୍ୟାଣ ସମିତି ସ୍ତରରେ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡୀ କର୍ମଚାରୀଙ୍କୁ ମିଶାଇ ୫ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧାଙ୍କୁ ଇତି ମଧ୍ୟରେ ତାଲିମ ପ୍ରଦାନ କରାଯାଇଛି। ଏହାସହିତ ଅଣ-କୋଭିଡ ହସ୍‌ପିଟାଲରେ କାର୍ଯ୍ୟ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ମଧ୍ୟ ସୁରକ୍ଷା ତାଲିମ ଦିଆଯାଉଛି ।

ସେହିପରି ପୂର୍ବରୁ TMCରେ ରହିଥିବା ୩.୨ ଲକ୍ଷ ପ୍ରବାସୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ସେମାନେ Covid volunteer ଭାବରେ କାର୍ଯ୍ୟ କରିପାରିବେ।

ରାଜ୍ୟ ସରକାରଙ୍କର ନିଷ୍ପତ୍ତିକ୍ରମେ ସ୍ୱଳ୍ପ ଲକ୍ଷଣଯୁକ୍ତ ରୋଗୀ ମାନଙ୍କୁ ଏଣିକି ଘରେ ରହି ଚିକିତ୍ସା ପାଇଁ ଅନୁମତି ଦିଆଯିବ। ତା ସହିତ ବିଭିନ୍ନ  କର୍ପୋରେଟ ସଂସ୍ଥା ଗୁଡିକୁ ମଧ୍ୟ CCC ଖୋଲିବାକୁ ମଧ୍ୟ ଅନୁମତି ଦିଆଯିବ। ତେଣୁ ଏଗୁଡିକର ପରିଚାଳନାକୁ ଉପଯୁକ୍ତ ଭାବରେ ତଦାରଖ କରିବା ସହିତ ସେଗୁଡିକ ମଧ୍ୟ ମୋ ସରକାର ଅଧୀନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave a Reply