ବଢିଲା ଓଟିଭି ଅଡୁଆ: ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ନୂଆଦିଲ୍ଲୀ: କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସ୍ୱାଧୀକାର ଭଙ୍ଗ ହୋଇଥିବା ଅଭିଯୋଗ କରିଛନ୍ତି । ଓଟିଭି ବିରୋଧରେ ଲୋକସଭାର ସ୍ୱାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତାଙ୍କ ଛବିକୁ ସାଧାରଣରେ ଖରାପ କରିବା ପାଇଁ ଓଟିଭି ଏକ ମିଥ୍ୟା ଅଶ୍ଳୀଳ ଭିଡିଓର ପ୍ରଚାର ପ୍ରସାର କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଓଟିଭିର ଏଭଳି କାର୍ଯ୍ୟକଳାପ ଦ୍ୱାରା ତାଙ୍କ ସାମ୍ୱିଧାନିକ ଅଧିକାରର ଉଲଂଘନ ହୋଇଛି । ଏଣୁ ସାସଂଦଙ୍କୁ ସୁରକ୍ଷା ଦେବା ଓ ସଂସଦର ଗାରିମା ବଜାୟ ରଖିବା ପାଇଁ ସେ ସ୍ୱାଧୀକାର ଭଙ୍ଗ ନୋଟିସର ଦାବି କରିଛନ୍ତି ।

ତେବେ ଏଥିପାଇଁ ତାଙ୍କୁ ପ୍ରଥମେ ଅଭିଯୋଗ ସମ୍ୱନ୍ଧୀତ ତଥ୍ୟ ସହ କମିଟି ସମ୍ମୁଖରେ ଉପସ୍ଥାପିତ ହେବାକୁ ପଡିବ । ସେ ଲୋକସଭାର ସବୁ ପ୍ରକାର ପ୍ରକ୍ରିୟା ପାଇଁ ପ୍ରସ୍ତୁତ ଥିବା ଓ କମିଟି ଆଗରେ ତଥ୍ୟ ପ୍ରମାଣ ରଖିଛନ୍ତି ବୋଲି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ସେହିଭଳି ସାଂସଦ ନିଜର ଏକ ଭିଡିଓ ବୟାନ ମଧ୍ୟ ଲୋକସଭା ସେକ୍ରେଟାରୀଙ୍କ ନିକଟରେ ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାଂସଦ ନିଜ ଚିଠିରେ ଭାଇରାଲ୍ ଭିଡିଓ ସହ ସଂପୃକ୍ତ ସବୁ ପ୍ରସଙ୍ଗକୁ ଘଟଣା କ୍ରମରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ସାଧାରଣରେ ତାଙ୍କର ମାନହାନୀ କରିବା ଉଦ୍ଦେଶ୍ୟରେ ଓଟିଭି ରିପୋର୍ଟର ମୋ ସମ୍ୱନ୍ଧୀତ ଏକ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ କରି ମୋତେ ମାନସିକ ସ୍ତରରେ ନିର୍ଯାତନା ଦେଇଛନ୍ତି ।

ଏହି ପ୍ରସଙ୍ଗରେ ଗତ ଅକ୍ଟୋବର ୧୫ ତାରିଖରେ ସାମ୍ୱାଦିକ ରମେଶ ରଥଙ୍କୁ ଗିରଫ କରାଯାଇଥିଲା । ଏହାପରେ ଓଟିଭି ସଂସ୍ଥା ରମେଶ ରଥଙ୍କୁ ସପକ୍ଷରେ ଯୁକ୍ତି ବାଢିବା ସହ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲା । ଯୁକ୍ତି ଦର୍ଶାଇ କୁହାଯାଇଛି ଯେ, ମୋ ସମ୍ପର୍କିତ ମିଛ ଭିଡିଓ ଭାଇରାଲ୍ କରି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ସମ୍ୱନ୍ଧିତ ବିବାଦୀୟ ଖବର ପ୍ରସାରଣ କରିବା ହେତୁ ସଂପୃକ୍ତ ସାମ୍ୱାଦିକଙ୍କ ଉପରେ ସରକାରୀ କଳ ରାଗ ସୁଝାଇଛନ୍ତି । ମାତ୍ର ଏକଥା ଆଦୌ ସତ୍ୟ ନୁହେଁ, ଉକ୍ତ ସାମ୍ୱାଦିକଙ୍କୁ ଭାଇରାଲ ଅଶ୍ଳୀଳ ଭିଡିଓ ପ୍ରସଙ୍ଗରେ ହିଁ ଗିରଫ କରାଯାଇଥିଲା ।

ତଥ୍ୟ ଓ ପ୍ରମାଣ, ଓଟିଭି ବିରୋଧର ଯାଉଥିବା ହେତୁ, ଏହି ଗଣମାଧ୍ୟମ ସଂସ୍ଥା ଖବରକୁ ରଙ୍ଗ ଦେଇ ମିଥ୍ୟା ଭାବେ ପରିବେଷଣ କରୁଛନ୍ତି । ତେଣୁ ସାଧାରଣରେ ମିଥ୍ୟା ପ୍ରଚାର ପ୍ରସାରକୁ ରୋକିବା ପାଇଁ ଓଟିଭି ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅପିଲ୍ କରିଛନ୍ତି । ତେବେ ଭାବପ୍ରବଣ ହୋଇ ସେ ଚିଠିରେ ଲେଖିଛନ୍ତି ଯେ, ଯଦି ମୋ ଭଳି ଜଣେ ଆଦିବାସୀ ମହିଳା ସାଂସଦଙ୍କୁ ନିଜ ସୁରକ୍ଷା ପାଇଁ ଆପଣଙ୍କ ପାଖରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦାଖଲ କରି ନିବେଦନ କରିବାକୁ ପଡୁଛି । ତେବେ ସାରା ଭାରତରେ ମହିଳାଙ୍କ ସୁରକ୍ଷାଜନିତ ସ୍ଥିତିକୁ ଆପଣ ଅନୁମାନ କରିପାରୁଥିବେ ।

Leave a Reply