ଲକଡାଉନ୍‌ ପାଇଁ ରାଜ୍ୟ ବାହାରେ ଫସିଛନ୍ତି ୩ହଜାରରୁ ଅଧିକ ଶ୍ରମିକ

1 min read

ଭୁବନେଶ୍ୱର: ଲକଡାଉନ୍‌ ପାଇଁ ଫସିଛନ୍ତି ଓଡ଼ିଆ । ଭଦ୍ରକ ବାସୁଦେବପୁର ଓ ବାଲେଶ୍ୱରର ତିନି ହଜାର ଶ୍ରମିକ ଏବେ ସୁରତରେ ଫସି ରହିଛନ୍ତି । ଭଡା ଘରେ ରହୁଥିବା ଶ୍ରମିକଙ୍କୁ ଫାଟକ ବାହାରକୁ ଛାଡୁନାହାନ୍ତି ଘର ମାଲିକ । ସ୍ଥାନୀୟ ପ୍ରଶାସନ ସହ ବି ଯୋଗାଯୋଗ ହୋଇପାରୁନି । ପାଖରୁ ଟଙ୍କା ସରିଗଲାଣି । ଖାଇବା ପାଇଁ ସମସ୍ତେ ଡହଳ ବିକଳ ହେଉଛନ୍ତି । ସୁରତ ଜିଲ୍ଲା LH ରୋଡ୍‌ର ବସନ୍ତ ବିକାଲି ବାଡିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରିଗୁଡା ଓ ନନ୍ଦପୁର ବ୍ଲକର ୨୬ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର କାବୁର ରେଳ ଷ୍ଟେସନ ନିକଟରେ ଫସି ରହିଛନ୍ତି । ମାସେ ତଳେ ଲମତାପୁଟ ବ୍ଲକ କାଙ୍ଗରାପଡା ଗାଁର ୧୫, ବୈପାରିଗୁଡା ବ୍ଲକ ଗାଦବାଗୁଡା ଗାଁର ୫ ଓ ନନ୍ଦପୁର ବ୍ଲକ କରଞ୍ଜିଗୁଡା ଗାଁର ୬ ଜଣ ଆନ୍ଧ୍ରପ୍ରଦେଶର କାବୁର ରେଳ ଷ୍ଟେସନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ ପରେ ଗାଁକୁ ଫେରିବା ମୁସ୍କିଲ ହୋଇପଡିଛି । ଏବେ ଭୋକ ଉପାସରେ ଦିନ ବିତୁଛି । ୨୬ ଜଣ ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଅସୁସ୍ଥ ହୋଇଯାଇଛନ୍ତି । ସାହାଯ୍ୟ ପାଇଁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply