ସପ୍ତାହେ ଭିତରେ ଆଉ ଲକ୍ଷେ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିବ

ଭୁବନେଶ୍ୱର: ସପ୍ତାହେ ଭିତରେ ଆଉ ୧ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିବ । ରାଜ୍ୟରେ କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଛି । ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ୩ଦିନ ଟିକାକରଣ ହେବ । ସେହିପରି ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ସବୁଦିନ ଟିକା ଦିଆଯିବ । ମଙ୍ଗଳ, ବୁଧ, ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ । ଗୁରୁବାର ୪୩୬ ସେସନରେ ୪୪ ହଜାର ୮୮୦ ଟିକାକରଣ ହୋଇଛି । ୧୬ରୁ ୨୧ ତାରିଖ ଭିତରେ ୧ ଲକ୍ଷ ୧୩ ହଜାର ୬୨୩ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ତେବେ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଥିଲା । ସ୍ପାଇସ୍‌ ଜେଟ୍‌ ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା କରୋନା ସଞ୍ଜିବନୀ । ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସମସ୍ତ ଟିକାକୁ ଟିକା ଭଣ୍ଡାରକୁ ନିଆଯାଇଥିଲା । ସେଠାରୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା ।

ଠିକ୍‌ ସେହିଭଳି ଗତ ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲା ପ୍ରଥମ ପର୍ଯ୍ୟାୟ କରୋନା ଟିକା‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଥିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଥିଲା । ପରେ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯାଇଥିଲା ।

Leave a Reply