ପାକିସ୍ତାନରେ ହିନ୍ଦୁ ମନ୍ଦିରକୁ ଧ୍ୱଂସ କଲେ ମୁସଲିମ ମୌଳବାଦୀ

1 min read

କରାଚୀ : ପାକିସ୍ତାନରେ ମୁସଲିମ ମୌଳବାଦୀଙ୍କ ଭିଡ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି । ଖୈବର ଫଖତୁନଖ୍ୱା ପ୍ରଦେଶର କୋହଟ ଜିଲ୍ଲାର କରକରେ ଏହି ଘଟଣା ଘଟିଛି । ସ୍ଥାନୀୟ ପୋଲିସ ଅନୁସାରେ ମନ୍ଦିରର ବିସ୍ତାର କାର୍ଯ୍ୟକୁ ବିରୋଧ କରି ଭିଡ ନୂଆ ନିର୍ମାଣ ସହ ପୁରୁଣା ମନ୍ଦିରକୁ ଧ୍ୱଂସ କରିଦେଇଛନ୍ତି । ଏହି ମାମଲାରେ ଏଯାବତ ୨୬ ଜଣଙ୍କୁ ଗିରଫ କରିଛି ପୋଲିସ । ଖୈବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମୁଦ ଖାନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । କିନ୍ତୁ ଦୁଃଖର ବିଶୟ ହେଉଛି ତିନି ଘଣ୍ଟାରୁ ଅଧିକ ସମୟ ଧରି ମନ୍ଦିର ଉପରେ ଆକ୍ରମଣ ଜାରି ରହିଥିଲେ ମଧ୍ୟ ପୋଲିସର ଦେଖା ଦର୍ଶନ ନଥିଲା । ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ମନ୍ଦିର ଉପରେ ଆକ୍ରମଣ କରିବା ସହିତ ମନ୍ଦିରକୁ ଜାଳି ଦେଇଥିଲେ ।

ପାକ୍ ହିନ୍ଦୁ ନେତା ହାରୁନ ସରବୟାଲ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ୧୦୧ ବର୍ଷର ଏହି ମନ୍ଦିର ପରିସରରେ ଜଣେ ହିନ୍ଦୁ ସନ୍ଥଙ୍କ ସମାଧି ଥିଲା । ସମାଧିକୁ ମଧ୍ୟ ଧ୍ୱଂସ କରି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ହିନ୍ଦୁ ହେଉଛନ୍ତି ସବୁଠାରୁ ବଡ ସଂଖ୍ୟାଲଘୁ ସଂପ୍ରଦାୟ । ସରକାରୀ ହିସାବ ଅନୁସାରେ ପାକିସ୍ତାନରେ ହିନ୍ଦୁ ସଂଖ୍ୟା ୭୫ ଲକ୍ଷ । କିନ୍ତୁ ହିନ୍ଦୁ ନେତାଙ୍କ ଅନୁସାରେ ପାକିସ୍ତାନରେ ୯୦ ଲକ୍ଷରୁ ଅଧିକ ହିନ୍ଦୁ ରହିଛନ୍ତି ।

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା କିଛି ନୂଆ ନୁହେଁ । ଗତମାସରେ ସିନ୍ଧ ପ୍ରଦେଶର ମୁସଲିମ ମୌଳବାଦୀ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ତେବେ ସ୍ଥାନୀୟ ମୁସଲିମଙ୍କ ହସ୍ତକ୍ଷେପ କାରଣରୁ ମନ୍ଦିରକୁ ସେମାନେ ଭାଙ୍ଗି ପାରିନଥିଲେ । ପୁରୁଣା କରାଚିର ଶିତଦାସ କଂପାଉଣ୍ଡରେ ସେହି ମନ୍ଦିର ରହିଥିଲା । ଯେଉଁଠି ୩ଶହ ହିନ୍ଦୁ ପରିବାର ରୁହନ୍ତି ।

Leave a Reply