ରାଫେଲକୁ ନେଇ ଭାରତୀୟ ରାଜନୀତିରେ ଆସିଥିଲା ଝଡ,କଂଗ୍ରେସ ଆଣିଥିଲା ଅମ୍ବାନୀ ପ୍ରେମ ଅଭିଯୋଗ

ରାଫେଲ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । କିନ୍ତୁ ରାଫେଲର ଯାତ୍ରା ଏତେ ସହଜ ନଥିଲା । ରାଫେଲକୁ ନେଇ ଦେଶର ରାଜନୀତିରେ ଆସିଥିଲା ବଡ ଭୂକମ୍ପ । କଂଗ୍ରେସ ଏହାକୁ ଆଉ ଗୋଟିଏ ବୋଫର୍ସ ସ୍କାଣ୍ଡାଲ କରିବାର ସବୁ ଉଦ୍ୟମ କରିଥିଲା । ରାଫେଲ ସହ ଚୁକ୍ତି ଖବର ଆସିବା ସହ ଆରମ୍ଭ ହୋଇଯାଇଥିଲା ରାଜନୈତିକ ବୟାନବାଜୀ । କଂଗ୍ରେସ ଆକ୍ରମଣର ମଙ୍ଗ ଧରିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଆକ୍ରମଣ ବିଜେପି ନେତୃତ୍ୱଧୀନ ଏନଡିଏକୁ ବ୍ୟାକଫୁଟକୁ ନେଇଥିଲା । ତେବେ ରାହୁଲଙ୍କ ଅଭିଯୋଗ କ’ଣ ଥିଲା ? କାହିଁକି ସେ ରାଫେଲ ଚୁକ୍ତିକୁ ବିରୋଧ କରୁଥିଲେ ? ଯେତେବେଳେ କି କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଅମଳରେ ରାଫେଲ ସହ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ରାହୁଲଙ୍କ ଅଭିଯୋଗ

ଭାରତୀୟ ରାଜନୀତିର ସବୁଠୁ ବଡ ସ୍କାମ୍ ଭିତରୁ ଗୋଟିଏ ହେଉଛି ବୋଫର୍ସ । ବୋଫର୍ସ ସ୍କାମ୍ ରାଜିବ ଗାନ୍ଧୀଙ୍କ ମିଷ୍ଟର କ୍ଲିନ୍ ଇମେଜ୍ ଉପରେ ଲଗାଇଥିଲା ଅଲିଭା ଦାଗ । ଦୁର୍ନିତୀର ଦାଗ ତାଙ୍କୁ କ୍ଷମତାରୁ ବିଦା କରିଥିଲା । କଂଗ୍ରେସ ରାଫେଲକୁ ଆଉ ଗୋଟିଏ ବୋଫର୍ସ କରିବା ପାଇଁ ଜୋରଦାର ଆକ୍ରମଣ କରିଥିଲା । କଂଗ୍ରେସ ଓ ରାହୁଲଙ୍କ ଅଭିଯୋଗ ଥିଲା ଯେ, ମୋଦି ସରକାର ରାଫେଲକୁ ଅଧିକ ଟଙ୍କା ଦେଇ କିଣିଛି । ଉପା ସରକାର ଅମଳରେ ଯେତିକି ଟଙ୍କା ଦେଇ ରାଫେଲ କିଣିବା ଲାଗି ଚୁକ୍ତି ହୋଇଥିଲା ତା’ଠାରୁ ଅଧିକ ଟଙ୍କା ଦେବାକୁ ମୋଦି ସରକାର କାହିଁକି ଚୁକ୍ତି କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲେ ।

rahul on rafel

ତେବେ ଏଠି ପ୍ରଶ୍ନ ଉଠୁଛି କଂଗ୍ରେସ କେତେ ଟଙ୍କାରେ ରାଫେଲ କିଣିବା ପାଇଁ ଚୁକ୍ତି କରିଥିଲା  ?  କଂଗ୍ରେସର ଅଭିଯୋଗ ଥିଲା ଯେ, ମୋଦି ସରକାର ୫୮ ହଜାର କୋଟି ଟଙ୍କାରେ ୩୬ ରାଫେଲ କିଣିବାକୁ ରାଜି ହୋଇ ଦେଶ ସହ ଧୋକା କରିଛନ୍ତି । ରାହୁଲ ସେତେବେଳେ ଅଭିଯୋଗ କରିଥିଲେ ଯେ, ଏନଡିଏ ପ୍ରତି ବିମାନ ପାଇଁ ୧୬୭୦ କୋଟି ଟଙ୍କା ଦେଇଛନ୍ତି । ଯେତେବେଳେ କି କଂଗ୍ରେସ ଅମଳରେ ପ୍ରତି ବିମାନ ପିଛା ମୁଲ୍ୟ ଥିଲା ୫୭୦ କୋଟି ଟଙ୍କା । ଏହାର ଯବାବରେ ଏନଡିଏ ସରକାରର ଉତ୍ତର ଥିଲା ଉପା ଡିଲ୍ ଠାରୁ ଆମ ଡିଲ୍ ଶସ୍ତା । ଉପା ସରକାର ଅମଳରେ ହୋଇଥିବା ଚୁକ୍ତିରେ ପ୍ରତି ବିମାନ ପିଛା ଅଧିକ ୫୯ କୋଟି ଟଙ୍କା ଦେବାକୁ ପଡୁଥିଲା ବୋଲି ବିଜେପି କହିଥିଲା ।

ବିଜେପିର କହିବା କଥା ଥିଲା ଯେ, ମୋଦି ସରକାର ଅମଳରେ ହୋଇଥିବା ଚୁକ୍ତିକୁ ଉପା ସରକାର ଚୁକ୍ତି ସହିତ ତୁଳନା କରାଯାଇ ପାରିବ ନାହିଁ । ଭାରତର ଆବଶ୍ୟକତାକୁ ଦୃଷ୍ଟିରୁ ରାଫେଲରେ କିଛି ପରିବର୍ତ୍ତନ କରାଯାଇଛି । ସେଥିପାଇଁ ମୂଲ୍ୟ ଅଧିକ ହୋଇଥିଲା  ବୋଲି ବିଜେପି ଯୁକ୍ତି ରଖିଥିଲା । ରାହୁଲଙ୍କୁ ଉତ୍ତର ଦେବା ପାଇଁ ବିଜେପି କହିଥିଲା ଯେ, ଉପା ସରକାର ଅମଳରେ ହୋଇଥିବା ଚୁକ୍ତି ଅନୁସାରେ ଯଦି  ରାଫେଲ ବିମାନ କିଣା ଯାଇଥାନ୍ତା ତେବେ ପ୍ରତି ବିମାନର ମୁଲ୍ୟ ୧୭୦୫ କୋଟି ଟଙ୍କା ପଡିଥାନ୍ତା । କିନ୍ତୁ ମୋଦି ସରକାର କରିଥିବା ଚୁକ୍ତି ଦ୍ୱାରା  ବିମାନ ମୁଲ୍ୟ କମି ୧୬୪୬ କୋଟି ହୋଇଥିଲା । ଅର୍ଥାତ ପ୍ରତି ବିମାନରେ ଭାରତ ୫୯ କୋଟି ଟଙ୍କା ସଂଚୟ କରିଥିଲା ।

rafel fighter

ବିଜେପିର କହିବା ଥିଲା ଯେ, ଭାରତୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିମାନରେ କିଛି ପରିବର୍ତ୍ତନ କରାଯାଇଥିଲା । ଲେହ ଭଳି ଉଚ୍ଚ ସ୍ଥାନରୁ ଉଡାଣ ପାଇଁ ଆବଶ୍ୟକ ଉପକରଣ,ଟ୍ରାକ ସେନସର ଓ ଇଲେକଟ୍ରୋନିକ୍ ଜାମର ପ୍ୟାଡ ଭଳି କ୍ଷମତା ଉପା ସରକାର ଯେଉଁ ଚୁକ୍ତି କରିଥିଲେ ସେଥିରେ ସାମିଲ ନଥିଲା । ୧୨୬ ବିମାନରେ ମଧ୍ୟ ଯଦି ଏଭଳି ପରିବର୍ତ୍ତନ କରାଯାଇଥାନ୍ତା ତେବେ ମୁଲ୍ୟ ସମାନ ରହିଥାନ୍ତା ବୋଲି ବିଜେପିର ଯୁକ୍ତି ।

ଅମ୍ବାନୀ ଓ ରାଫେଲ

ରାଫେଲର ମୁଲ୍ୟକୁ ନେଇ କେବଳ ବିବାଦ ସୃଷ୍ଟି ହୋଇ ନଥିଲା । ରାଫେଲକୁ ଆଳ କରି ବିରୋଧୀ ମୋଦିଙ୍କ ଅମ୍ବାନୀ ପ୍ରୀତି ଉପରେ ମଧ୍ୟ ହମଲା କରିଥିଲେ । କଂଗ୍ରେସ ଅଭିଯୋଗ କରିଥିଲା ଯେ, ଅନିଲ ଅମ୍ବାନୀଙ୍କୁ ଲାଭ ପହଂଚାଇବା ପାଇଁ ଭାରତ ସରକାର ରାଫେଲ ଉପରେ ଚାପ ପ୍ରୟୋଗ କରିଥିଲେ । ଅନିଲ ଅମ୍ବାନୀଙ୍କର ରିଲାଏନ୍ସ ଡିଫେନ୍ସର କୌଣସି ପୂର୍ବ ଅଭିଜ୍ଞତା ନଥିବା ବେଳେ କେମିତି ଅଫସେଟ୍ ପାର୍ଟନର ହେଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲା । ଉପା ସରକାର ଅମଳରେ ହୋଇଥିବା ଚୁକ୍ତି ଅନୁସାରେ ଭାରତ କିଣିବାକୁ ଥିବା ୧୨୬ ରାଫେଲ ମଧ୍ୟରୁ ୧୦୮ ଭାରତରେ ତିଆରି ହୋଇଥାନ୍ତା । ଯାହାକୁ ତିଆରି କରିଥାନ୍ତା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ । କିନ୍ତୁ ରାଫେଲ ନିର୍ମାତା ଦୈସ୍ ଏଭଏସନ୍ ଅଫସେଟ୍ ପାର୍ଟନର ଭାବେ ରିଲାଏନ୍ସ ଡିଫେନସକୁ ବାଛିଥିଲା । କଂଗ୍ରେସର ଅଭିଯୋଗ ଥିଲା ଯେ, ମୋଦି ସରକାର ଅନିଲ ଅମ୍ବାନୀଙ୍କୁ ଲାଭ ପହଂଚାଇବା ପାଇଁ ହିନ୍ଦୁସ୍ତାନ୍ ଏରୋନଟିକ୍ସକୁ ବଳି ପକାଇଥିଲେ । ତେବେ ବିଜେପିର କହିବା ଥିଲା ଯେ, ଦୈସ୍ ଏଭିଏସନ୍ କାହାକୁ ଅଫସେଟ୍ ପାର୍ଟନର ଭାବେ ବାଛିଲା ତାହା ସହିତ ସରକାରଙ୍କ କୌଣସି ସଂପର୍କ ନଥିଲା ।

anil ambani rafel

ଆହୁରି ମଧ୍ୟ ସରକାରଙ୍କ କହିବା ଥିଲା ଯେ, ଏଚଏଏଲ ଓ ଦୈସ ମଧ୍ୟରେ ସହମତି ହୋଇ ପାରିନଥିଲା । ତେଣୁ ଭାରତ ସହିତ ରାଫେଲର ଚୁକ୍ତି ଉପା ସରକାର ଅମଳରେ ଭାଙ୍ଗି ଯାଇଥିଲା । ଭାରତରେ ବିମାନ ତିଆରି କରିବା ପାଇଁ ଏଚଏଏଲ ସହ ଚୁକ୍ତି ୨୦୧୨ରୁ ୨୦୧୪ ମଧ୍ୟରେ ଉପା ସରକାର ଅମଳରେ ଭାଙ୍ଗିଥିଲା ବୋଲି ବିଜେପି କୁହେ । ଏଚଏଏଲ ସହ ଚୁକ୍ତି ଭାଙ୍ଗିବା ପରେ ପୁରୁଣା ଚୁକ୍ତିକୁ ରଦ୍ଦ କରିବା ଛଡା ଅନ୍ୟ ରାସ୍ତା ନଥିଲା ବୋଲି ବିଜେପି କୁହେ ।

ରାଫେଲ ବନାମ ୟୁରୋ ଫାଇଟର

ରାଫେଲକୁ ନେଇ ଆଉ ଗୋଟିଏ ବିବାଦ ମଧ୍ୟ ସାମ୍ନାକୁ ଆସିଥିଲା । ମୋଦି ସରକାର ୟୁରୋ ଫାଇଟର ବଦଳରେ କାହିଁକି ରାଫେଲକୁ ବାଛିଲେ ବୋଲି ପ୍ରଶ୍ନ ଉଠିଥିଲା । କାରଣ ରାଫେଲଠାରୁ ୟୁରୋ ଫାଇଟର ଶସ୍ତା ଥିଲା । ଉପା ସରକାର ଅମଳରେ ଭାରତୀୟ ବାୟୁସେନା ରାଫେଲ କ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ ।  ତେବେ ସେତେବେଳେ ରେସରେ ଆଉ ଗୋଟିଏ ବିମାନ ମଧ୍ୟ ଥିଲା । ଯାହାର ନାମ ଥିଲା ୟୁରୋ ଫାଇଟର । ଇଏଡିଏସ ଦ୍ୱାରା ତିଆରି ୟୁରୋ ଫାଇଟର ଭାରତର ପ୍ରତିରକ୍ଷା ଆବଶ୍ୟକତା ପୁରଣ କରିବାକୁ ସକ୍ଷମ ବୋଲି ବାୟୁସେନା ଅନୁଭବ କରିଥିଲା । ପ୍ରଥମେ ରାଫେଲକୁ ଶସ୍ତା ବୋଲି ମନେ କରାଯାଇଥିଲା  । କିନ୍ତୁ ପରେ ଉଭୟ ୟୁରୋ ଫାଇଟର ଓ ରାଫେଲ ମଧ୍ୟରେ ତୁଳନାରୁ ଜଣା ପଡିଥିଲା ଯେ, ୟୁରୋ ଲମ୍ବା ଅବଧିରେ ଅଧିକ ଶସ୍ତା ପଡିବ । ସେଥିପାଇଁ ରାଫେଲ ଡିଲକୁ ଉପା  ସରକାର ବାତିଲ କରିଥିଲା ବୋଲି କଂଗ୍ରେସ କୁହେ ।  ମୋଦି ସରକାର  ମଧ୍ୟ ଯେତେବେଲେ ୩୬ ରାଫେଲ ଫାଇଟର ପ୍ଲେନ୍ କିଣିବା ପାଇଁ ଚୁକ୍ତି କଲେ ସେତେବେଳେ ୟୁରୋ ଫାଇଟର ଉପରେ ବିଚାର ମଧ୍ୟ ହୋଇ ନଥିଲା । ଏମିତିକି ଜୁଲାଇ ୨୦୧୪ର ଜର୍ମାନୀ ମୋଦି ସରକାରକୁ ୟୁରୋ ଫାଇଟର ଉପରେ ଅଧିକ ୨୦ ପ୍ରତିଶତ ରିହାତି ଦେବାକୁ ମଧ୍ୟ ଅଫର ଦେଇଥିଲା । କିନ୍ତୁ ମୋଦି ସରକାର ଜର୍ମାନୀ ଅଫର ଉପରେ କୌଣସି ଉତ୍ତର ଦେଇ ନଥିଲେ ।

rafel vs euro fighter

ଜର୍ମାନୀ ମଧ୍ୟ ଭାରତକୁ ଖୁବଶୀଘ୍ର ଡେଲିଭରି ଦେବା ପାଇଁ ୟୁରୋ ଫାଇଟର ଟାଇଫୁନ୍ ଜେଟ୍ ବିମାନକୁ ବ୍ରିଟେନ୍,ଇଟାଲୀ ଓ ଜର୍ମାନୀରୁ ଭାରତକୁ ଡାଇଭର୍ଟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଭାରତ ସରକାର ଏହାକୁ ନେଇ ଜର୍ମାନୀକୁ କୌଣସି ଉତ୍ତର ଦେଇନଥିଲେ । ବିଶେଷଜ୍ଞଙ୍କ କହିବା ହେଉଛି ଭାରତ ସରକାର ଯଦି ଜର୍ମାନୀ ସହ ଆଲୋଚନା କରିଥାନ୍ତେ ତେବେ ରାଫେଲ ନିର୍ମାତାଙ୍କ ଉପରେ ମୁଲ୍ୟ ହ୍ରାସ ପାଇଁ ଚାପ ପଡିଥାନ୍ତା । କିନ୍ତୁ ସେମିତି କିଛି ହେଲାନାହିଁ

Leave a Reply