ରାଫେଲ ବିମାନ ଓ ବିବାଦ : କେମିତି ଲେମ୍ବୁକୁ ନେଇ ହୋଇଥିଲା ହଙ୍ଗାମା

କେବଳ ମୁଲ୍ୟକୁ କି ଅମ୍ବାନୀଙ୍କୁ ନେଇ ରାଫେଲ ବିବାଦ ଭିତରେ ନଥିଲା । ଲେମ୍ବୁ ଓ ନଡିଆକୁ ନେଇ ମଧ୍ୟ ରାଫେଲ ବିବାଦ ଭିତରକୁ ଆସିଥିଲା । ୨୦୧୯ ମସିହାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସରେ ରାଫେଲ ବିମାନ ହସ୍ତାନ୍ତରଣ ଉତ୍ସବକୁ ଯାଇଥିଲେ । ସେଠାରେ ସେ ରାଫେଲ ବିମାନରେ ଉଡିଥିଲେ ମଧ୍ୟ । କିନ୍ତୁ ବିବାଦ ରାଜନାଥଙ୍କ ବିମାନରେ ଉଡିବାକୁ ନେଇ ସୃଷ୍ଟି ହୋଇନଥିଲା । ବିମାନରେ ବସିବା ପୂର୍ବରୁ ରାଜନାଥ ଯେଉଁ ଶସ୍ତ୍ରପୂଜା କରିଥିଲେ ତାକୁ ନେଇ ଭାରତରେ ଆରମ୍ଭ ହୋଇଥିଲା ବୟାନବାଜୀ । ରାଜନାଥ ବିମାନରେ ବସିବା ପୂର୍ବରୁ ଭାରତୀୟ ବିଶ୍ୱାସ ଅନୁସାରେ ବିମାନ ଚକ ତଳେ ଲେମ୍ବୁ ରଖିଥିଲେ । ନଡିଆ ଭାଙ୍ଗିଥିଲେ । ଏହା ସହ ସେ ବିମାନ ଉପରେ ଓମ୍ ଲେଖିଥିଲେ । ଦଶହରା ପୂର୍ବରୁ ଏସବୁ ହୋଇଥିଲା । ଶସ୍ତ୍ରପୂଜା ସାରି ରାଜନାଥ ସୁପରସୋନିକ୍ ସ୍ପିଡରେ ଉଡିଥିଲେ । ପରେ ଏହା ତାଙ୍କର ଜୀବନର ଅଭୂଲା ସ୍ମୃତି ବୋଲି କହିଥିଲେ । ତେବେ ରାଜନାଥଙ୍କ ବିମାନ ମାଟି ଛୁଇଁବା ଆଗରୁ ସୁପରସୋନିକ୍ ସ୍ପିଡରେ ଭାରତରେ ବିବାଦ ଆରମ୍ଭ ହୋଇ ସାରିଥିଲା । କଂଗ୍ରେସ ତରଫରୁ ରାଜନାଥଙ୍କ ଶସ୍ତ୍ରପୂଜାକୁ ସମାଲୋଚନା କରାଯାଇଥିଲା । ସନ୍ଦିପ ଦିକ୍ଷିତ କହିଥିଲେ ବିମାନକୁ ଧର୍ମ ସହ ଯୋଡିବା ଠିକ୍ ନୁହେଁ । ସେତେବେଳେ ଆପ୍  ଛାଡି ନୂଆ ନୂଆ କଂଗ୍ରେସରେ ଯୋଗ ଦେଇଥିବା ଅଲକା ଲାମ୍ବା ଟ୍ୱିଟ୍ କରିଥିଲେ ଯଦି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନି ଏବେ ପ୍ରତିରକ୍ଷା ମନ୍ତ୍ରୀ ଥାନ୍ତେ କିମ୍ବା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଯଦି ସେଠାରେ ଥାନ୍ତେ ତେବେ କ’ଣ ସେମାନେ ବାଇବେଲ କିମ୍ବା କୋରାନ ପଢିଥାନ୍ତ କି ?

rafel controversy

ସୋସିଆଲ ମିଡିଆରେ ମଧ୍ୟ ରାଜନାଥଙ୍କ ଶସ୍ତ୍ରପୂଜାକୁ ସମାଲୋଚନା କରାଯାଇଥିଲା । ରାଫେଲ କିଣିବା ଆଗରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଲେମ୍ବୁ କିଣାଯାଉ ବୋଲି କେହି କେହି ସୋସିଆଲ ମିଡିଆରେ କମେଣ୍ଟ କରିଥିଲେ । ତେବେ ଏସବୁକୁ ନେଇ ରାଜନାଥଙ୍କ ଉତ୍ତର କ’ଣ ଥିଲା ?

ଦେଶକୁ ଫେରିବା ପରେ ଲେମ୍ବୁ ଉପାଖ୍ୟାନ ଉପରେ ରାଜନାଥ ନିଜ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ପିଲାବେଳୁ ମୋର ବିଶ୍ୱାସ ଅଛି ଯେ, ଜଣେ କେହି ମହାଶକ୍ତି ଅଛି । ମୋ ସ୍ଥାନରେ ଅନ୍ୟ କେହି ଯଦି ନିଜ ବିଶ୍ୱାସ ଅନୁସାରେ ଏଭଳି କରିଥାନ୍ତେ ତେବେ ମୁଁ ତାଙ୍କୁ ବିରୋଧ  କରିନଥାନ୍ତି ।

Leave a Reply