ଥମୁନି ଚାଷୀ ଆନ୍ଦୋଳନ, ଯେତେ ବୁଝାଇଲେ ବୁଝୁନାହାନ୍ତି ! କଥାରେ ନୁହେଁ ଲେଖାରେ ଦରକାର

Farmer Protest

ନୂଆଦିଲ୍ଲୀ: ଥମୁନି ଚାଷୀ ଆନ୍ଦୋଳନ । ଯେତେ ବୁଝାଇଲେ ବି ବୁଝୁନାହାନ୍ତି । ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଖାଲି କଥାରେ ନୁହେଁ ତାଙ୍କୁ ଲେଖାରେ ଦରକାର ବୋଲି ଅଡ଼ି ବସିଛନ୍ତି ଚାଷୀ ।

ଦିଲ୍ଲୀ ଦରବାର ସମେତ ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଦୀର୍ଘ ୧୧ ଦିନ ଧରି ଖରା ଓ ଶୀତ କାକର ମାଡ଼ ଖାଇ ଆନ୍ଦୋଳନ କରୁଛନ୍ତି ହଜାର ହଜାର ଚାଷୀ । ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଓ ପୋଲିସ ଦ୍ୱାରା ଆନ୍ଦୋଳନକୁ ଭଙ୍ଗ କରିବାକୁ ଚେଷ୍ଟା କରି ସରକାର ବିଫଳ ହୋଇଛନ୍ତି । ଚାଷୀଙ୍କ କହିବାନୁଯାୟୀ ତାଙ୍କୁ ନୂଆ କୃଷି ଆଇନ୍‌ରେ ସଂଶୋଧନ ନୁହେଁ ବରଂ ତାହା ରଦ୍ଦ କରାଯିବା ଆବଶ୍ୟକ ।

Farmers

ଶନିବାର ଦିଲ୍ଲୀ କୃଷି ଭବନରେ ୪୦ କୃଷକ ନେତାଙ୍କୁ ଡାକି କଥା ହୋଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀଙ୍କ ସମେତ ୩ ଅନ୍ୟ ନେତା‌ । କୃଷି ଆଇନ ରଦ୍ଦ ଦାବିରେ ଆନ୍ଦୋଳନରତ ଚାଷୀଙ୍କୁ ସେମାନେ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଚାଷୀ ନେତାମାନେ ଜିଦ୍‌ରେ ଅଟଳ ରହିଥିଲେ । ଚାଷୀ ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟାର ଏହି ଆଲୋଚନା ବିଫଳ ହୋଇଛି । ଚାଷୀଙ୍କ ସମସ୍ୟାକୁ ଦେଖି ସରକାରଙ୍କ ପକ୍ଷରୁ ନିୟମରେ କିଛି ପରିବର୍ତ୍ତନ ନେଇ ପ୍ରସ୍ତାବ ରଖାଯାଇଥିଲେ ସୁଦ୍ଧା ସେମାନେ ମାନିବାକୁ ନାରାଜ ।

ସେପଟେ ଓଡ଼ିଶାରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛି ନବନିର୍ମାଣ ଛାତ୍ର ସଂଗଠନ । ଚାଷୀଙ୍କୁ ସମର୍ଥନ ଜଣାଇ ଭୁବନେଶ୍ୱରରେ ବାଇକ୍ ରାଲି କରିଛି ଦଳ । ସେହିଭଳି ଟୋକନ ଅବ୍ୟବସ୍ଥାକୁ ନେଇ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

Leave a Reply