ଓଡ଼ିଶାରେ ରହିଛି ୪ ପ୍ରକାର କରୋନା, ମହାରାଷ୍ଟ୍ର-ତାମିଲନାଡ଼ୁରୁ ବି ଆସିଛି କ୍ଷତିକାରକ ଭୂତାଣୁ

1 min read
Corona Update, There Are 4 types Of Corona In Odisha

ଭୁବନେଶ୍ୱର: ଦେଶରେ ମୁଖ୍ୟତଃ ୪ ପ୍ରକାରର କରୋନା ଭୂତାଣୁର ସ୍ଥିତି ସ୍ପଷ୍ଟ ହୋଇଛି । ରାଜ୍ୟରେ ସଂକ୍ରମଣ କରୁଥିବା ଭୂତାଣୁ କେଉଁ ବର୍ଗର ତାହା ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୂର୍ବରୁ କରୋନା ଭୂତାଣୁ ବାୟୁରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ଭୂତାଣୁ ବାୟୁରେ ସଂକ୍ରମଣ ହେବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କମ୍‌ ସମୟରେ ପରୀକ୍ଷା ରିପୋର୍ଟ ପାଇଁ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି ।

ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଚିନ୍ତା କରିବାର କିଛି ନାହିଁ । ଅଧିକ ସଂଖ୍ୟାରେ ନମୂନା ପରୀକ୍ଷା ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି । ତେବେ କମ୍‌ ସମୟରେ ଅଧିକ ସଂଖ୍ୟକ ନମୂନା ପରୀକ୍ଷା କରିବା ସହିତ କମ୍‌ ଖର୍ଚ୍ଚରେ ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ହଜାର ଓ ପରେ ଅଧିକ ୨୦ହଜାର କିଟ୍‌ ଜରିଆରେ ପରୀକ୍ଷା କରାଯିବ । ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା ଗଂଜାମ ଓ କଟକ ରହିଛି ଫୋକସ୍‌ରେ ।

ତେବେ ସବୁଠାରୁ ବଡକଥା ହେଲା ଦେଶରେ ୪ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ତାମିଲନାଡୁ ଓ ମହାରାଷ୍ଟ୍ରରୁ ଚିହ୍ନଟ ଭୂତାଣୁଙ୍କ ଲକ୍ଷଣ ଅନ୍ୟ ରାଜ୍ୟ ତୁଳନାରେ ସମ୍ପୂର୍ଣ ଭିନ୍ନ । ଉଭୟ ରାଜ୍ୟର ଫେରନ୍ତା ଆମ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ସମସ୍ତ ୪ ପ୍ରକାରର ଭୂତାଣୁ ଥିବା ଆଶଙ୍କା କରାଯାଉଛି । ଏନେଇ ଅଧିକ ପରୀକ୍ଷା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଇଏଲଏସ୍‌ର ନିର୍ଦେଶକ ।

କରୋନା ଭୁତାଣୁର ଆକାର ବଡ଼ ଓ ଭାରି । ଏହା ସାଧାରଣତଃ ନିମ୍ନଭାଗରେ ରହିଥାଏ ଏବଂ ବାୟୁରେ ଅଧିକ ସମୟ ରହିପାରେ ନାହିଁ । କରୋନା ଭୁତାଣୁର ଲକ୍ଷଣ ନେଇ ପୂର୍ବରୁ ଏଭଳି ସୂଚନା ମିଳିଥିଲା । ତେବେ ବର୍ତ୍ତମାନ ଭୁତାଣୁର ଲକ୍ଷଣରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହା ବାୟୁରେ ମଧ୍ୟ ସଂକ୍ରମଣ କରିପାରେ । ଏଥିପାଇଁ ଆବଦ୍ଧ କୋଠରୀରେ ନରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଖୋଲା ସ୍ଥାନରେ ରହିବା ଓ ଦୂରତା ରକ୍ଷା କଲେ ବାୟୁ ସଂକ୍ରମଣ ସମ୍ଭବପର ନୁହେଁ ବୋଲି ମତ ଦେଇଛନ୍ତି କିମ୍ସର ପ୍ରୋ ଭାଇସ୍‌ ଚାନ୍‌ସେଲର ।

କରୋନା ଭୁତାଣୁ ବାୟୁରେ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପର୍ଯ୍ୟନ୍ତ ଗ୍ରୀନ୍‌ ସିଗନାଲ ଦେଇନାହିଁ । ଏନେଇ WHOର ନିଷ୍ପତ୍ତି ଓ ICMRର ଅନୁମତି ପରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

(ଶକ୍ତିଧର ରାଜଗୁରୁ)

Leave a Reply