ଇସ୍ରାଏଲ୍‌ରେ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ…

ଇସ୍ରାଏଲରେ ଚୀନର ରାଷ୍ଟ୍ରଦୂତ ଡୁ ୱାଇଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଚାଇନା ରାଷ୍ଟ୍ରଦୂତଙ୍କ ମୃତଦେହ ହର୍ଟଜାଲିଆସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ନେଇ ସ୍ପଷ୍ଟ କରିଛି । ଅନ୍ୟପଟେ ଏହି ଘଟଣା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇସ୍ରାଏଲରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଅନେକ ବାଦ ବିବାଦ ଦେଖାଦେଇଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଚୀନ୍ ଦୂତାବାସ ପକ୍ଷରୁ ଏବେ ସୁଦ୍ଧା ଏନେଇ କୌଣସି ବିବୃତ୍ତି ଦିଆଯାଇନାହିଁ ।

ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ ଚୀନ୍ ରାଷ୍ଟ୍ରଦୂତ ଡୁ ୱେଇଙ୍କ ଘରେ କୌଣସି ହିଂସାତ୍ମକ ଘଟଣା ଘଟିଥିବାର ଦେଖିବାକୁ ମିଳି ନାହିଁ । ତଦନ୍ତରେ ଜଡିତ ଥିବା ବ୍ୟକ୍ତିମାନେ ସନ୍ଦେହ କରୁଛନ୍ତି ଯେ, ରାଷ୍ଟ୍ରଦୂତଙ୍କ ମୃତ୍ୟୁ ହୃଦ୍‌ଘାତ ହେତୁ ହୋଇଥାଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡିନାହିଁ ।

୫୮ ବର୍ଷୀୟ ୱାଇଙ୍କ ମୃତଦେହ ତାଙ୍କ ଶେଜରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କର ପତ୍ନୀ ଏବଂ ଗୋଟିଏ ପୁଅ ରହିଛନ୍ତି । ଫେବୃଆରୀରେ ସେ ଇସ୍ରାଏଲରେ ଚୀନ୍‌ର ଦୂତ ଭାବରେ ନିଯୁକ୍ତ ହୋଇଥିଲେ ।

ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

Leave a Reply