ଅନ୍ନଦାତାଙ୍କ ହକ୍‌ ପାଇଁ ବାହାରିଲା ବିଜେଡି, ପଦାରେ ପଡ଼ିଲା କେନ୍ଦ୍ରର ଦୋମୁହାଁ ନୀତି

1 min read

ଭୁବନେଶ୍ୱର: ପ୍ରେସମିଟ କରି ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଲା ବିଜେଡି । ନବୀନଙ୍କ ପଦକ୍ଷେପ ଯୋଗୁଁ ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣ ହୋଇଥିବାବେଳେ ଧାନ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି । ପାରା ବଏଲ୍ଡ ରାଇସ୍ ଖରିଫ ଋତୁରେ ୫୦% ଓ ରବି ଋତୁରେ ନକିଣିବାକୁ କେନ୍ଦ୍ରର ରାଜ୍ୟକୁ ଚିଠି ଲେଖିବା ପରେ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ଦଳ । ଚାଉଳ ନଉଠାଇବାକୁ ଚିଠି ଲେଖିଛି କେନ୍ଦ୍ର ସରକାର ।

FCI ଚାଉଳ ନଉଠାଇଲେ ଓଡ଼ିଶା ଉପରେ ବୋଝ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରତିବାଦ କରିଛି । ଯଦି CI ଚାଉଳ ନଉଠା ଯାଏ ତେବେ  ଓଡ଼ିଶା ଉପରେ ୧୦ହଜାର କୋଟିର ବୋଝ ପଡ଼ିବ । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଆଉ ୩୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ । ବଳକା ଚାଉଳ କିଣିବାକୁ କେନ୍ଦ୍ର ସରକାର ମନା କରୁଥିବାରୁ ଏହା ଓଡ଼ିଶା ଉପରେ ବୋଝ ହେବ ବୋଲି କହିବା ସହ କରୋନା ବେଳେ ଏହା କଟା ଘା’ରେ ଚୂନ ସଦୃଶ ବୋଲି କହିଛି ଦଳ ।

ସେପ୍ଟେମ୍ବର ୨୦ ସୁଦ୍ଧା ବକେୟା ୨୮୫୦କୋଟି ଟଙ୍କା ଏଯାଏଁ କେନ୍ଦ୍ର ଦେଇନି । ମିଲକୁ ୬ ହଜାର ୪୦କୋଟି ଦେଇନି । ତେଣୁ ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ସ୍ୱାମୀନାଥନ ରିପୋର୍ଟ ଲାଗୁ କରିନି । ଧାନର ଏମଏସପି ବାବଦକୁ ୨୯୩୦ଟଙ୍କା ଦାବି କରିଥିଲା ଦଳ । କିନ୍ତୁ ତାହା ଲାଗୁ ନକରି କୁମ୍ଭୀର କାନ୍ଦଣା କାନ୍ଦୁଛି କେନ୍ଦ୍ର । ବିଜେପି କର୍ମୀ ଏନେଇ ଆନ୍ଦୋଳନ ନକରି କେନ୍ଦ୍ରକୁ କହୁ ବୋଲି ବିଜେଡି କହିଛି ।

ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବିଜେପି । ନବୀନଙ୍କ ଲୋକପ୍ରିୟତାରେ ବିଜେପି ବିଚଳିତ । କୃଷକଙ୍କୁ ସର୍ବଶାନ୍ତ କରିବା ପାଇଁ ଓଡ଼ିଶା ଚାଷୀଙ୍କ ଚାଉଳ ନେବାକୁ କେନ୍ଦ୍ର ଅରାଜି । ଚାଷୀଙ୍କୁ ନେଇ ବିଭ୍ରାନ୍ତକର ତଥ୍ୟ ଦେଉଛି ବିଜେପି । କୃଷକ ମାରଣ ନୀତି ପରିତ୍ୟାଗ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି ବିଜେଡି । ଖରିଫ ଋତୁରେ ୫୦% ନେବେ, ରବି ଋତୁରେ ମୋଟେ ନେବେନି । ଏହା ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବୋଲି କହିଛି ଶାସକ ଦଳ ।

Leave a Reply