ଚାଷୀଙ୍କ ପାଇଁ ସରକାରଙ୍କ ଚିନ୍ତା: ଅଭାବ ରହିବନି ସାର ! ଅଧିକ ଦରରେ ବିକ୍ରୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ…

1 min read

ଭୁବନେଶ୍ୱର: କରୋନା ମହାମାରୀ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ଚାଷୀ ମଧ୍ୟ ହତାଶ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି । ଚାଷୀଙ୍କୁ ଏଭଳି ଖରାପ ସ୍ଥିତିରୁ ବାହାର କରିବା ପାଇଁ ଯୋଜନା କରିଛନ୍ତି ସରକାର । ଚାଷୀମାନେ ଯେପରି ଠକାମିର ଶିକାର ନହୁଅନ୍ତି କିମ୍ବା ତାଙ୍କୁ ଅଧିକ ଦରରେ ସାର ବିକ୍ରି ନକରାଯାଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।

କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ସାର ଯେପରି ଧାର୍ଯ୍ୟ ଦରରେ ବିକ୍ରି ହୁଏ ଓ ଏହାର ସୁଷମ ବଣ୍ଟନ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଦରରେ ସାର ବିକ୍ରୟ ଅଭିଯୋଗ ଆସିଲେ, ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ବୁଧବାର ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ଖରିଫ୍‌ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୋଭିଡ୍‌-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ । ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନରୁହେ, ସେଥିପ୍ରତି ସମବାୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସାରର ସୁଷମ ବଣ୍ଟନ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେପରି କୌଣସି ଜଣେ ଚାଷୀଙ୍କୁ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର କିଣିବାକୁ ନପଡ଼େ ସେଥିପ୍ରତି ଅଧିକାରୀମାନେ ସତର୍କ ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ କହିଥିଲେ । ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷକାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

Leave a Reply