5 ‘T’ ସଚିବଙ୍କ ପୁରୀ ଗସ୍ତ; ଗୋଶାଳା, ସ୍ୱର୍ଗଦ୍ୱାର ଓ ଭିକାରୀ ଥଇଥାନ ପ୍ରକଳ୍ପର ସ୍ଥିତି ସମୀକ୍ଷା…

1 min read

ଭୁବନେଶ୍ୱର: ୫ ‘ଟି’ ସଚିବ ଭି କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି । ଶ୍ରୀକ୍ଷେତ୍ରରେ ଚାଲିଥିବା ନାନାଦି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ଉଦ୍ଦେଶ୍ୟରେ ଏହି ଗସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ପୁରୀରେ ହେଉଥିବା କାର୍ଯ୍ୟର ସ୍ଥିତି ତଦାରଖ କରିଛନ୍ତି । ଗୋଶାଳା, ସ୍ୱର୍ଗଦ୍ୱାର ପ୍ରକଳ୍ପ ଓ ଭିକାରୀ ଥଇଥାନ ପ୍ରକଳ୍ପର କାର୍ଯ୍ୟ କେତେ ତ୍ୱରିତ ଗତିରେ ଚାଲିଛି ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ଶ୍ରୀମନ୍ଦିର ନବୀକରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଥିଲେ ।

ତେବେ ରାଜ୍ୟ ସରକାରଙ୍କ କ୍ରମାଗତ ଭାବେ ପୁରୀ ଉପରେ ଫୋକସ୍ ରହିଥିବା ବେଳେ ପୁରୀକୁ ଏକ ମଡେଲ ସିଟିରେ ପରିଣତ କରିବାର ପ୍ରୟାସ ଜାରି ରହିଛି । ଏହି ଅବସରରେ ଫାଇଭ-ଟି ସଚିବଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଏସପି ଅଖିଳେଶ୍ବର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତଦାରଖ ପରେ ଫାଇଭ-ଟି ସଚିବ ପ୍ରତିକ୍ରିୟା ରଖିଛନ୍ତି । ବଡଦାଣ୍ଡକୁ ଭିକାରି ଓ ଗୋରୁମୁକ୍ତ କରିବା ନେଇ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ବଡ଼ ସଫଳତା ମିଳିଛି । ଏବେ ବଡଦାଣ୍ଡରେ ଭିକାରି ନାହାଁନ୍ତି କି ଗାଈଗୋରୁ ବୁଲୁନାହାଁନ୍ତି । ଯାହାକି ଆଗାମୀ ପିଢୀକୁ ଏକ ସୁବାର୍ତ୍ତା ଦେବ ବୋଲି କହିଛନ୍ତି ଫାଇଭ-ଟି ସଚିବ ।

ଏହି ପ୍ରକଳ୍ପ ଅଧିନରେ ୫୦୦ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଥଇଥାନ କରାଯାଇଥିବା ବେଳେ ୧୫୦ ଜଣଙ୍କୁ ପୁଣିଥରେ ସେମାନଙ୍କ ପରିବାର ଲୋକଙ୍କ ନିକଟକୁ ପଠେଇ ଦିଆଯାଇଛି । ଏହାସହ ବାଙ୍କୀ ମୁହାଣକୁ ମଧ୍ୟ ସଫା କରାଯାଇଛି ବୋଲି କହିଛନ୍ତି ଫାଇଭ-ଟି ସଚିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଗତ ୧୭ ତାରିଖରେ ଅପରାହ୍ନରେ ପୁରୀ ଯାଇ ହେରିଟେଜ କାମର ତଦାରଖ କରିଥିଲେ । ଶ୍ରୀମନ୍ଦିର ଚାରିକଡୁ ୭୫ ମିଟର ଉଚ୍ଛେଦ କାମର ତଦାରଖ କରିଥିଲେ । ଏହାସହ ଶ୍ରୀମନ୍ଦିର ଚାରିପଟ ବୁଲି ବିଭିନ୍ନ ଦ୍ବାରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରିବୁଝିଥିଲେ । ଶ୍ରୀକ୍ଷେତ୍ରକୁ ବିଶ୍ବରେ ଏକ ଅଗ୍ରଣୀ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଲାଗି ଗତ ଜାନୁଆରୀ ମାସରେ ପ୍ୟାକେଜ ଘୋଷଣା କରିଥିଲେ । ହେଲେ କରୋନା ସକାଶେ ଗତ ଆଠ ମାସ ହେଲା ଭିତ୍ତିଭୂମି ନିର୍ମାଣ କାମ ବନ୍ଦ ରହିଥିଲା । ଏବେ କଟକଣା କୋହଳ ପରେ ପୁଣି ଦ୍ରୁତ ଗତିରେ ନିର୍ମାଣ କାମ ଆରମ୍ଭ ହୋଇଛି ।

Leave a Reply